ସୁଖରାମ ଗୋଟେ ଛୋଟକାଟର ଦାର୍ଶନିକ ଥିଲା, ସେ ଅଳ୍ପବହୁତେ ଜୀବନ, ମୃତ୍ୟୁ ଓ ଈଶ୍ବର ଆଦି ସଂପର୍କରେ ନିଜସ୍ବ ବିଚାରଟିଏ ସ୍ଥିର କରିସାରିଥିଲା। ଏଣୁ ତାକୁ ଦୁଃଖ ଓ ସୁଖ ଏକା ରକମର ସ୍ବାଦ ଦେଇପାରୁଥିଲେ। ଦିନେ ସେ ଯେ ସତକୁସତ ମରିଯିବ ଓ ତାର ପିଲାଛୁଆ, ଘରସଂସାର, ଖ୍ୟାତିପ୍ରତିପତ୍ତି ସବୁ ପଚମାନ ପିଣ୍ଡଟି ପରି ତା ପଛେ ପଛେ ମଧ୍ୟ ଧୂଆଁ ହୋଇଯିବ ଏକଥା ମଧ୍ୟ ଜାଣିଥିଲା।
ଘର ଭିତରେ ସମସ୍ତେ ଥିଲେ, ଅଥଚ ମାଆ ନ ଥିଲା। ମାଆର ଅବର୍ତ୍ତମାନରେ ତାର କାୟାକଳ୍ପ ପ୍ରତୀକ ଭାବେ ତିନିକାଠିଆ ଉପରେ ଥୁଆହୋଇଥିଲା। ଚାହୁଁଚାହୁଁ ଗୋଟେ ଜୀବନ କିପରି ପ୍ରତୀକ ପାଲଟିଯାଏ, ସୁଖରାମ ସେଇ କଥା ଦେଖିଲା ଓ ଧୀରେ ଧୀରେ ବୟସ୍କ ଲୋକଟି ପରି ଗମ୍ଭୀର ହୋଇଗଲା।
ସେଇଥିପାଇଁ ସୁଖରାମ ଅଫିସରେ ବସିଥିବାବେଳେ ମାଆ ସିରିୟସ୍ ଓ ଶୀଘ୍ର ଘରକୁ ଆସ ପରି ଟେଲିଗ୍ରାମ ପାଇବା ସତ୍ତ୍ବେ ଏତେ ଗମ୍ଭୀର ହୋଇପାରି ନ ଥିଲା। ଅବଶ୍ୟ ସେ ହାକିମଙ୍କୁ ଦଶଦିନର ଗୋଟେ ଛୁଟି ଦରଖାସ୍ତ ଦେଇ ଘରମୁହାଁ ହେଲା। ଆଜି ଗାଡ଼ିରେ ବସିଲେ ଯାଇ ଆସନ୍ତା କାଲି ଘରେ ପହଞ୍ଚିବ। ଗାଡି ଟିକେଟ ପାଇଁ ବି ତା ପାଖରେ ପଇସା ନ ଥିଲା।
ତା’ ପରଦିନ ସେ ଘରେ ପହଞ୍ଚିଲା ଓ ପ୍ରଥମ କରି ଅନୁଭବ କଲା ଗୋଟେ ସଫେଦ ଦୁଃଖ। ଗୋଟେ ଖାଁ ଖାଁ ଶୂନ୍ୟତା, ଯାହାକୁ ଅତିକ୍ରମ କରିଯିବା ସମ୍ଭବ ନ ଥିଲା। ଘର କହିଲେ ପ୍ରଥମେ ଯେଉଁ ମଣିଷର ଚିତ୍ର କଳ୍ପନାକୁ ଆସେ ଓ ଯାହାର ଉପସ୍ଥିତିରେ ଘରଟି ପୂରିଲା ପୂରିଲା ଲାଗେ, ଯିଏ ଘର ଭିତରେ ସତତ ଚଳମାନ, ଗୋଟେ ଝଙ୍କାଳିଆ ବରଗଛ ପରି କାଉଠାରୁ ବାପା, ଭାଇଭଉଣୀ ଓ କୁକୁରବିଲେଇ ପର୍ଯ୍ୟନ୍ତ ଭରସାର ଛାଇ ବିଞ୍ଚିଦେଉଥାଏ- ସେ ଲୋକଟି ନାହିଁ। ଅଥଚ ସମସ୍ତେ ଅଛନ୍ତି।
ସୁଖରାମର ସ୍ତ୍ରୀ ଓ ତିନିବର୍ଷର ଝିଅଟି ଦୁଇଦିନ ଆଗରୁ ପହଞ୍ଚିସାରିଥିଲେ। ସୁଖରାମ ଖବର ପାଇଲାବେଳକୁ ତିନିଦିନ ହୋଇଗଲାଣି। ଘରେ ପହଞ୍ଚିବା ମାତ୍ରେ ଔପଚାରିକ ରୀତିରେ କାନ୍ଦିବା ଓ ବାହୁନିବା ସହିତ ଅକସ୍ମାତ୍ ମାଆ କେମିତି ଶୋଉଶୋଉ ମରିଗଲା ସେ କଥାର ନାନାଦି ଶ୍ରୁତିରୋଚକ ଓ ହୃଦଦହକ ବର୍ଣ୍ଣନା ଶୁଣିବାକୁ ପାଇଲା। ପ୍ରାୟ ଅଧଘଣ୍ଟା ଭିତରେ ସେ ତା ଘର ଭିତରକୁ ଗଲା ସାର୍ଟପ୍ୟାଣ୍ଟ ଖୋଲିବାପାଇଁ। ସେ ଯେଉଁ ଘରେ ବସାଉଠା କରୁଥିଲା ଓ ଯେଉଁଠି ତାର ବିବାହବାସର ହୋଇଥିଲା ସେଇ ଘରେ ତାହାର ଅବର୍ତ୍ତମାନରେ ମାଆ ଶୁଆଉଠା କରୁଥିଲା। ମାଆ ବଡ ପୁଅକୁ ଭାରି ଭଲ ପାଉଥିଲା। ଏଣୁ ସେଇ ବଡ ପୁଅର ଘର ଭିତରେ ଶୋଉଥିଲା, ଆଉ ସେଇ ଘରେ ସେ ଶୋଉଶୋଉ ଚିରଦିନ ପାଇଁ ଶୋଇପଡିଲା।
ଘର ଭିତରକୁ ପଶି ଯାଉଁଯାଉଁ ସୁଖରାମ କବାଟ କଣକୁ ଦେଖିଲା ସେଠି ତା ସାନ ଭାଇ ତିନିଖଣ୍ଡ କାଠି ଉପରେ ଗୋଟେ ଗେଣ୍ଡା ଭିତରେ ମାଆର ନଖ ଓ ବାଳ ସାଇତିଛି। ଦଶଦିନ ଯାଏଁ ସେ ସେଇଠି ରହିବ। ସେଇଠି ତାକୁ ସବୁ ବିଧିବ୍ୟବସ୍ଥା ଭିତରେ ଦଶଦିନ ପୂଜା କରାଯିବ। ଖାଇବା ପିଇବାକୁ ଦିଆଯିବ। ତାର ଅତିପ୍ରିୟ ପାନ ଓ ନାଶଦାନି ବି ସେଇଠି ରହିବ। ଦାନ୍ତକାଠି ଗୁଡାଖୁ ରଖିଦିଆଯିବ।
ଏତେବେଳ ଯାଏଁ ସେ ସାନଭାଇ, ସ୍ତ୍ରୀ ଓ ଝିଅ ସମେତ ଦୁଇ ଭଉଣୀ ଓ ବଡ ଭିଣୋଇ ବ୍ୟତୀତ ଆଉ କାହାକୁ ଭେଟି ନ ଥିଲା।
ଏତେବେଳ ଯାଏଁ ବାପାଙ୍କ ସହ ସାକ୍ଷାତ ହୋଇ ନ ଥିଲା। ମାଆର ଆକସ୍ମିକ ଦେହାନ୍ତରେ ବାପାଙ୍କ ମାନସିକ ଭାରସାମ୍ୟ କିପରି ଥିବ ସେ କଥା ସେ ଅନୁମାନ କରିପାରିଥିଲା। ବାପା ଚିରକାଳ ଜ୍ଞାନୀ ପେଚା ପରି। କୌଣସି କଥାରେ ଅଧୀର ନୁହଁନ୍ତି। ସୁଖଦୁଃଖ କେଉଁଥିରେ ସେ ବିଚଳିତ ନୁହନ୍ତି। କୌଣସିଟି ପ୍ରତି ଅତ୍ୟଧିକ ମମତା ନାହିଁ, ଲୋଭ ନାହିଁ। ସୁଖରାମ ଭାବେ ବାପାମାନେ ସବୁ ଏମିତି ହେବା କଥା ବୋଧହୁଏ। ଘର ଗୋଟାକର ଦାଣ୍ଡ ଦୁଆର ଭଳି ବାପା ନିଜ ମୁଣ୍ଡକୁ ମୁଣ୍ଡେଇନେଇଛନ୍ତି ଯେତେ ଯେତେ ବିପଦଆପଦ। ତିନିତିନିଟା ଝିଅ ବାହାଘର, ଦୁଇ ପୁଅଙ୍କୁ ପାଠ ପଢାଇ ମଣିଷ କରିବାର ଗୁରୁଦାୟିତ୍ବ ସବୁ ସମ୍ଭାଳିଛନ୍ତି। ତଥାପି ସତୁରି ବର୍ଷ ବୟସରେ ଯୁବକଟିଏ ପରି ସାଇକେଲ ଚଳାଇ ମାଇଲ୍ ମାଇଲ୍ ଚାଲୁଛନ୍ତି। ହସିହସି ଜୀବନ ସହିତ ଲୁଚକାଳି ଖେଳୁଛନ୍ତି।
ଅନ୍ୟମନସ୍କ ଭାବେ ସୁଖରାମ ଘର ବାରିପଟେ ଆସି ଠିଆହେଲା। ଦାଦାପୁଅ ଭାଇ ଅଗଣା ଆସି ମୁଣ୍ଡିଆ ମାରିଲା, ସୁଖରାମ ପଚାରିଲା-‘ବାପା କୁଆଡେ ଯାଇଛନ୍ତି କି?’ ‘ହାଟକୁ ଯାଇଛନ୍ତି’ – ଅଗଣା କହିଲା।
ସୁଖରାମ ଗଡିଆ ଆଡକୁ ଗଲା। ଗଡିଆ ବନ୍ଧ ଉପରେ ଲେମ୍ବୁ, ଅଁଳା ଓ ନାଲି ମନ୍ଦାର ଗଛର ବଣ ଦେଖି ଟିକିଏ ଠିଆ ହେଲା। ଏ ଗଛ ମାଆ ଲଗେଇଥିଲା। ଲେମ୍ବୁଗଛ କେଡୁଟେ ହେଲାଣି। ନିଜ ଅଜାଣତରେ ଗୋଟେ ପତ୍ର ଛିଡାଇ ଆଙ୍ଗୁଳିରେ ଦଳିଲା ଓ ଶୁଂଘିଲା। ମାଆର ଲେମ୍ବୁ ଆଚାର କଥା ମନେ ପଡିଲା। ସେ ସେଆଡୁ ଫେରିଆସିଲା ଘରକୁ।
ବାପା ଡାକିଲେ-‘ଖାଇବୁ ଆ’
ପିଲାଛୁଆମାନେ ଖାଇବାପାଇଁ ବଡ ହଇରାଣ ହେଉଥିଲେ। ଅକଟା, ଅବଟା, ତରକାରୀ ରନ୍ଧା ହେଉଥିଲା। ହଳଦୀ, ତେଲ, ମସଲା କି ଆମିଷର ପ୍ରଶ୍ନ ନ ଥିଲା। ସଂଧ୍ୟା ପୂର୍ବରୁ ସମସ୍ତେ ଖାଇବା ଶେଷ କରୁଥିଲେ। ମୁଣ୍ଡରେ ତେଲ, ସାବୁନ କି ପାନିଆଁ ବି ଲାଗୁ ନ ଥିଲା।
ପିଲାଛୁଆଙ୍କ ପରି ବଡମାନେ ମଧ୍ୟ ଖାଇବା, ଶୋଇବାରେ ବଡ ହଇରାଣ ହେଉଥିଲେ। ସୁଖରାମର ସାନଭାଇ ଦୁଃଖରାମ ମାଆକୁ ମୁଖାଗ୍ନି ଦେଇଥିଲା। ସୁଖରାମ ଆସିଲା ପରେ ସେ ଶ୍ରଦ୍ଧାରେ ସାନଭାଇ ହାତରୁ ଏ ଦାୟିତ୍ବ ନିଜ ମୁଣ୍ଡକୁ ଉଠାଇଆଣିଲା। କାରଣ ମାଆକୁ ସେ ଅଧିକ ଶ୍ରଦ୍ଧା କରୁଥିଲା ଓ ପାରମ୍ପରିକ ଲୋକାଚାର, ବିଧିବ୍ୟବସ୍ଥା ସମ୍ବନ୍ଧରେ ତାର ଏକ ତାତ୍ତ୍ବିକ ଜିଜ୍ଞାସାର ଅବସାନ ଘଟିପାରିବ ବୋଲି ବିଶ୍ବାସ ଥିଲା। ଫଳତଃ ସୁଖରାମ ଦେହରେ ତେଲ ଲଗାଇବା, ମୁଣ୍ଡ କୁଣ୍ଡାଇବା, ଦାଢି କାଟିବା, ସାର୍ଟପ୍ୟାଣ୍ଟ ପିନ୍ଧିବା ଓ ଏମିତି କି ଜୋତା ପିନ୍ଧିବା ଇତ୍ୟାଦି କେତେକ ଔପଚାରିକତାକୁ ସାମୟିକ ଭାବେ ତ୍ୟାଗ କଲା। ଏହି ତ୍ୟାଗ ତା ଭିତରେ ଏକ ପ୍ରଚଣ୍ଡ ଦାର୍ଶନିକର ସ୍ପର୍ଶ ଆଣିଦେଇଥିଲା।
ଧୀରେ ଧୀରେ ଘରଟି ଗହଳିପୂର୍ଣ୍ଣ ହୋଇଉଠିଲା। ଭଉଣୀ, ଭିଣୋଇ, ମାମୁଁ, ପିଉସୀ, ଭଣଜା, ବନ୍ଧୁ ଓ ଆତ୍ମୀୟସ୍ବଜନମାନେ ଜଣକ ପରେ ଜଣେ ଆସିବାକୁ ଲାଗିଲେ। ସେମାନେ ଯେତିକି ଯେତିକି ଆସିବାକୁ ଲାଗିଲେ ଶାନ୍ତ ଘରଟିର ପ୍ରଶାନ୍ତି ସେତିକି ସେତିକି କୋଳାହଳମୟ ହେବାକୁ ଲାଗିଲା। ଘରୋଇ ପରିବେଶ କ୍ରମଶଃ ଅଧିକରୁ ଅଧିକ ଜଟିଳ ହେବାକୁ ଆରମ୍ଭ କଲା। ପିଲାଦିନୁ ସହରରେ ଚଳିଆସିଥିବା ବଡ ଭାଣିଜୀ, ଯିଏ ଏଇ ବର୍ଷ ଫାଇନାଲ ଡିଗ୍ରୀ ପରୀକ୍ଷା ଦେଇଛି, ସେ ପାଇଖାନା କେଉଁଠି ଯିବ, ସେଇକଥାକୁ ନେଇ ଘରେ ଏକରକମ ଭୂକମ୍ପ ସୃଷ୍ଟି ହୋଇଗଲା। ଗାଁ ହେଉଛି ଗାଁ। ଏହା ସହର ନୁହେଁ ମା। ଏଇ କଥା ତାକୁ ବୁଝାଉବୁଝାଉ ବାପାଙ୍କର ଆଜ୍ମା ବାହାରିଲା।
ଯେତେ ଅଧିକରୁ ଅଧିକ ଲୋକ ସମାଗମ ହେଉଥିଲା, ସେତିକି ସମସ୍ୟା ବଢିଯାଉଥିଲା ଶୋଇବାକୁ ନେଇ। ସଂସ୍କାର ବିଧିର ଭିଡ ଭିତରେ ସୁଖରାମ ଅଣନିଃଶ୍ବାସୀ ହୋଇଆସୁଥିଲା। ଅନଭ୍ୟସ୍ତ ଅଭ୍ୟାସଗୁଡିକୁ ଅଭ୍ୟସ୍ତ କରି ନିଜର ଦେହ ଓ ମନକୁ ବୋଲ ମନାଇବା ବେଳକୁ ସୁଖରାମକୁ ସର୍ଦ୍ଦି ଧରିପକେଇଲା। ଦୁଇଦିନ ଧରି ମୁଣ୍ଡବିନ୍ଧା, ଦେହହାତ ବଥା ଓ ଜ୍ବରଜ୍ବର ଲାଗିବା ସତ୍ତ୍ବେ ତାକୁ ଦିନକୁ ତିନିଥର ଗାଧୋଇବାକୁ ପଡ଼ିଲା, କାରଣ ଏହା ହିଁ ଥିଲା ପ୍ରେତ ସନ୍ତୁଷ୍ଟ କରିବାପାଇଁ ବିଧି।
ମାମୁଁ ଘରୁ ସାନମାମୁଁ ଆସି ପହଞ୍ଚିଲେ। ସାନଭାଇ ଶ୍ବଶୁରଘରୁ ବି କିଏ ଜଣେ ଦିଜଣ ଆସିପହଞ୍ଚିଲେ। କେଉଁଠି ଦଳେ ଦଳେ ବନ୍ଧୁବାନ୍ଧବ ବସିବସି ମାଆର ସ୍ମୃତିଚାରଣ କଲେ। ବାପାଙ୍କୁ ପ୍ରଚ୍ଛନ୍ନରେ ପ୍ରଶଂସା କଲେ ଓ ଏ ଘରର ଭବିଷ୍ୟତ କଣ ହେବାକୁ ଯାଉଛି ବୋଲି ଅନଧିକାର ଚର୍ଚ୍ଚା କରିବାକୁ ଲାଗିଲେ।
ସୁଖରାମ ଡାକଘରୁ କେତୋଟି ପୋଷ୍ଟକାର୍ଡ ମଗାଇଲା। ସାଙ୍ଗମାନଙ୍କ ପାଖକୁ ମାଆର ଦେହାନ୍ତ କଥା ଲେଖି ଜଣାଇଦେଲା। ତା ଅନୁପସ୍ଥିତିରେ ସେଆଡେ କେତେ କଣ କାମ ପଛେଇଯାଇଥିବ ବୋଲି ଅନୁତାପ ବି କଲା। ଭୁବନେଶ୍ବରରେ ତାର ଅଧାଗଢା ଘରଟିର କାମ ଦେଖାଶୁଣା କରିବାକୁ ଛାଡି ଆସିଥିବା ଶଳାର ଦାୟିତ୍ବହୀନତା ସଂପର୍କରେ ତାର ଯଥେଷ୍ଟ ଅଭିଜ୍ଞତା ଥିଲା। କାରଣ ଶଳାଟି ଗୋଟେ ନର୍ତ୍ତକୀର ପ୍ରେମରେ ଉବୁଟୁବୁ ହେଉଥିବା ଖବର ତାକୁ ଅଛପା ନ ଥିଲା। ନିଜ ଅଫିସରେ ତାର ପ୍ରମୋଶନ ହେବାର ଥିବା ଫାଇଲ ଓ ଅନ୍ୟାନ୍ୟ କାମ ତା ଅନୁପସ୍ଥିତିରେ କଚ୍ଛପ ଗତିରେ ଧିମେଇଯାଇଥବ, ଏକଥା ତାକୁ ମାଲୁମ ଥିଲା।
ଏସବୁ ସତ୍ତ୍ବେ ସୁଖରାମ ମାଆର ଦେହାନ୍ତରେ ଯଥେଷ୍ଟ ଭାଙ୍ଗିପଡିଥିଲା। ବେଳେ ବେଳେ ଏକୁଟିଆ ହୋଇଗଲାବେଳେ ମାଆର ସ୍ମୃତି ତାକୁ ଦୁଃଖ ଦେଉଥିଲା। ମାଆକୁ ଭୁଲିଯିବା ସହଜ ନ ଥିଲା, ଯଦିଓ ଏକଥା ସତ୍ୟ ଯେ ସମସ୍ତେ ଦିନେ ନା ଦିନେ ଏ ଘରସଂସାର, ମାୟାମୋହ ଛାଡି ଚାଲିଯିବା ଓ ଆମର ସକଳ ସ୍ମୃତି ଖାଲି କିମ୍ବଦନ୍ତୀ, ଆଲ୍ବମ୍ର ଫଟୋ ଓ ତୈଳଚିତ୍ର ବା ପ୍ରତିମୂର୍ତ୍ତି ହୋଇ ଧୀରେ ଧୀରେ ପୁରୁଣା ଏବଂ ଅପାଂକ୍ତେୟ ହୋଇଉଠିବ। ବର୍ଷରେ ଥରଟିଏ କାହିଁ କେତେବେଳେ ଫୁଲମାଳଟିଏ କିମ୍ବା ସ୍ମୃତିଚାରଣର ଲୌକିକ ଉପଚାରଟିଏ ହୋଇ ପାରମ୍ପରିକ ବିଧିବ୍ୟବସ୍ଥା ଭାବେ ଏଇ ସ୍ମୃତିକୁ ଆଉଁଷି ଦେଇଯିବ। ବାସ୍…।
ସୁଖରାମ ନିଜ ଆଲ୍ବମ୍ ଭିତରୁ ମାଆର ଫଟୋ ଖୋଜିବାକୁ ଲାଗିଲା। ଆଲ୍ବମ୍ରେ ପ୍ରଥମେ ଥିଲା ଆଣ୍ଠୁଆ ଗୋପାଳ ଓ ପରେ ନିଜେ ସୁଖରାମର କଲେଜ ବେଳର ନିଶଉଠା ଏକ କଳାଧଳା ଫଟୋ। ତାପରେ ଥିଲା ଚାରି ପାଞ୍ଚଜଣ ଝିଅଙ୍କ ଛବି ଓ କ୍ରମଶଃ ସୁଖରାମର ସାଙ୍ଗ, ପତ୍ନୀ ଓ ଆତ୍ମୀୟ। କାହିଁ କେଉଁଠି ଶେଷ ଆଡକୁ ମାଆର ଗୋଟେ କଳାଧଳା ଫଟୋ। ହଠାତ୍ ଚମକିଉଠିଲା ସୁଖରାମ। ଅନେକ ଦିନର ସ୍ମୃତି ଭଳି ଅସ୍ପଷ୍ଟ, ନିଷ୍ପ୍ରଭ ହୋଇଆସୁଥିବା ଗୋଟେ ହଳଦିଆ ଫଟୋ। ନିରୀହ, ଶାନ୍ତ, କରୁଣ ମୁହଁଟିଏ। ଗାଉଁଲି ଢଙ୍ଗରେ ଗୋଟେ ଐତିହାସିକ ମଣିଷ। ମାଆର ଏ ଫଟୋ କେବେ ଉଠାଯାଇଥିଲା କେଜାଣି! ସୁଖରାମ କିନ୍ତୁ ଯେବେ ଦେଖିଛି ମାଆକୁ, ଲାଗିଛି ଏକାପରି ଅବିକଳ। ଗୋଟିଏ ପ୍ରକାର ମୁହଁ, ଗୋଟିଏ ନିର୍ଦ୍ଦିଷ୍ଟ ବୟସ ଯେମିତି ସ୍ଥିର, ମାଆର ଚେହେରାରେ।
ଧୀରେ ଧୀରେ ମାଆ କେତେବେଳେ ବୁଢ଼ୀ ହୋଇଗଲା ଓ ସୁଖରାମର ଅଲକ୍ଷ୍ୟରେ ତା ମଥାର ଚୁଳ ସବୁ ପାଚି ଧଳା ହୋଇଗଲା। ସେ ବିଷୟରେ ସୁଖରାମ କେବେ ସଚେତନ ନ ଥିଲା। ତା ଆଖିରେ ମାଆ ଥିଲା କେବଳ ମାଆ। ଆଜି ତା ଅବର୍ତ୍ତମାନରେ ସେ ନିର୍ଜୀବ ଫଟୋଟିଏ ହୋଇ ଆଲବମ୍ରେ ସଂରକ୍ଷିତ। ସୁଖରାମ ଲୁହ ଗଡାଇଲା। ତା ସ୍ତ୍ରୀ ପଛଆଡୁ ଆସି ଝିଅକୁ ଗାଧୋଇଦେବା ପାଇଁ କହି ଚାଲିଗଲା।
ଦଶଦିନ ଘାଟକର୍ମ ଓ ସଂସ୍କାର ଖବର ପାଇ ସମସ୍ତେ ଆସି ପହଞ୍ଚିଯାଇଥିଲେ। ସକାଳୁ ଅତି ଭୋର୍ରୁ ସୁଖରାମ ଛଣର ଗୋଟେ ମଶାଲ ଧରି ନିଆଁ ଲଗେଇ ପୋଖରୀ ଘାଟକୁ ଗଲା। ସେଇଠି ବସିରହିଲା ଦୀର୍ଘ ଛଅଘଣ୍ଟା କି ସାତଘଣ୍ଟା ବ୍ରାହ୍ମଣ ବାରିକ ଆସିବା ଯାଏଁ। ସମସ୍ତେ ଲଣ୍ଡା ହେଲେ, ପ୍ରେତକର୍ମ ହେଲା। ଗୋଟିଏ ନୂଆ ହାଣ୍ଡିରେ ଖିଚୁଡି ରାନ୍ଧିଲା ସୁଖରାମ। ବଟା ଚାଉଳରେ ମାଆର ମୂର୍ତ୍ତିଟିଏ ତିଆରିକଲା ନିଜ ହାତରେ। ଗୋଟେ କଦଳୀପତ୍ର ଉପରେ ତାକୁ ଶୁଆଇଦେଲା। ତା ଉପରେ ଢାଙ୍କିଦେଲା ଗୋଟେ ହଳଦିଆ କନା। ତିନୋଟି ବାଉଁଶର ବତା ଓ ଛଣ ଛପରର ଏକ ପ୍ରତୀକଘର ଭିତରେ ସେଇଟିକୁ ଶୁଆଇଦେଲା ଓ ଶେଷଥର ପାଇଁ ଭୋଗରାଗ, ଖାଦ୍ୟପଦାର୍ଥ ଦେଇ ନିଆଁ ଲଗେଇଦେଲା। ହୁତୁହୁତୁ ହୋଇ ପୋଡିଗଲା ସେ ଘର ଓ ଘର ଭିତରେ ଶୋଇଥିବା ମାଆର ପ୍ରତୀକ।
ଏସବୁ କର୍ମ ସରିବାବେଳକୁ ସୁଖରାମ ଏକ ସିଦ୍ଧାନ୍ତରେ ପହଞ୍ଚିଥିଲା। ଏ ପ୍ରେତାତ୍ମା, ଏ ମୂର୍ତ୍ତି, ଏ ଘର, ଏ ନିଆଁ… ସବୁକିଛି ପ୍ରତୀକ। ଜୀବନଟା ଗୋଟେ ଖେଳଘର ଓ ଏହାର ପରିଣତି ହେଉଛି ମୁଠେ ପାଉଁଶ। କି ସୁନ୍ଦର ପ୍ରତୀକ ଏ ସବୁ। ବିଧି ସଂସ୍କାରମାନ ଗୋଟିଏ ଗୋଟିଏ ପ୍ରତୀକ। ବୁଝିପାରିଲେ ଅର୍ଥପୂର୍ଣ୍ଣ, ନ ବୁଝିଲେ ନିରର୍ଥକ।
ଘାଟରୁ ଆସି ଘରେ ପହଞ୍ଚି ସୁଖରାମ ଶୁଣିଲା ପୁରୁଣା କଥାକୁ ନେଇ ସାନଭାଇର ସ୍ତ୍ରୀ ସହିତ ତା ସ୍ତ୍ରୀର ଝଗଡା ହୋଇଛି। ବାପା ଏ ଝଗଡାର ସମାଧାନ ପାଇଁ ଯାଇ ନିଜେ ଅତର୍କିତ ଶରବ୍ୟ ହୋଇସାରିଥିଲେ। ସକାଳଠାରୁ ଏ ଝଗଡା ଆରମ୍ଭ ହୋଇ ଘରର ପରିବେଶକୁ ବେଶ କିଛି ଦୂଷିତ ଓ ଗମ୍ଭୀର କରିସାରିଥିଲା। ଝଗଡାର ଉଭୟ ପକ୍ଷରେ ଭଉଣୀ ଓ ଭିଣୋଇମାନେ ଝଗଡାକୁ ଅଧିକ ଜୀବନ୍ତ ଓ ଦୀର୍ଘସ୍ଥାୟୀ କରିବାକୁ ଲାଗିଗଲେ। ସୁଖରାମ ଭାବିଲା ଏହା ହିଁ ବୋଧହୁଏ ଶେଷର ଆରମ୍ଭ।
ସାରାଦିନ ଉପାସ ରହିବା ଫଳରେ ସୁଖରାମର ସ୍ନାୟୁ ଓ କୋଷ ନିସ୍ତେଜ ହୋଇଆସିଥିଲେ। ତାକୁ ବାନ୍ତି ବାନ୍ତି ଲାଗୁଥିଲା। ହିସାବ କରିବାକୁ ବସିଲା। ଏ ଝଗଡା ବିଷୟରେ ଆଦୌ ମୁଣ୍ଡ ପୂରାଇଲାନାହିଁ। ସମସ୍ତେ ଯାହା ଆଶା କରୁଥିଲେ ସେ ଅଲଗା କିଛି କଲା। ଭିଣୋଇମାନେ ଚୁପ୍ଚାପ୍ ଗୁଡାଖୁ ଟେଳେ ଟେଳେ ଧରି ବାରିଆଡକୁ ବାହାରିଗଲେ। ସାନଭାଇ ମୁହଁ ଫୁଲାଇ ଆସି ଫଁଫଁ ହେଉଥିବା ସାପ ପରି ଚକା ଭିଡିଦେଇ ସାମ୍ନା ଚଉକିରେ ବସିଲା ଓ ଅଶ୍ରାବ୍ୟ ଗାଳିଗୁଲଜ କଲା।
ବାପା ଆସି କହିଲେ – ଏବେ ଚୁପ୍ ହୁଅ, ଅନ୍ତତଃ ମୋ ମରିବା ଯାଏଁ। ମୋତେ ଶାନ୍ତିରେ ମରିବାକୁ ଦିଅ। ତାପରେ ତମେ ଏମିତି ଝଗଡା କର। ସେ ଏକଥା କହୁକହୁ ଲୁହ ପୋଛିଲେ ଏବଂ ଦାଣ୍ଡ ଆଡକୁ ବାହାରିଗଲେ। ସାମୟିକଭାବେ ପରିବେଶ ଶାନ୍ତ ହୋଇଗଲା।
ସୁଖରାମ ହିସାବ କଲା। ଟଙ୍କାପଇସାର ହିସାବ ଠିକ୍ ଭାବେ ମିଳୁ ନ ଥିଲା। ଦୁଇଭାଇଙ୍କ ଭିତରେ ଲୁକ୍କାୟିତ ଗୋଟେ ଶୀତଳ ସନ୍ତ୍ରାସ କୁଆପଥର ପରି ଜମା ହୋଇଯାଉଥିଲା। ଘର ଭିତରୁ ତଥାପି ରହିରହି ଦୁଇ ବୋହୂଙ୍କର ଉଚ୍ଚବାଚ ଶୁଣାଯାଉଥିଲା। ସୁଖରାମ ଏଥର ରାଗିଯାଇ ଘର ଭିତରକୁ ଗଲା ଓ ବଡ ପାଟିରେ ଚିତ୍କାର କରି କହିଲା-‘ତମେମାନେ କଣ ଚାହୁଁଛ?”
ସାଇପଡିଶାଙ୍କ ଖାଇବାପିଇବାରେ ଅବ୍ୟବସ୍ଥା ହେଲା ଓ ଏଥିପାଇଁ ସାନଭାଇ ବାପାଙ୍କୁ, ବାପା ରୋଷେଇଆକୁ, ରୋଷେଇଆ ସାନବୋହୂଙ୍କୁ ଓ ସାନବୋହୂ କାହାକୁ ଦୋଷ ଦେଲା ମନେ ନାହିଁ। ଏଗାର ଦିନର ସବୁ ବିଧିସଂସ୍କାର ଶେଷ ପରେ ବାରଦିନକୁ ଆହୁରି ଅନେକ କାମ ବାକି ରହିଥିଲା। ବାରଦିନ ପରେ ଯିଏ ଯୁଆଡେ ଚାଲିଯିବା କଥା। ସବୁ କାମ ଶେଷ ହେଲା ବେଳକୁ ଚାରିଟା ବାଜି ଯାଇଥିଲା।
ଗୋଟେ ଜୀବନ ନାଟକର ଶେଷ ଦୃଶ୍ୟ ସରିଯିବାକୁ ଯେମିତି ଆତ୍ମୀୟମାନେ ଅପେକ୍ଷା କରି ବସିଥିଲେ। କାମ ଶେଷ ହେଲା ପରେ ବିଦାୟପର୍ବ। ଲୁଗାପଟା ବଣ୍ଟାବଣ୍ଟି ଓ କିଏ କୁଆଡେ ଯିବେ ସେଇ କଥାରେ ଚାଲିଲା ଘଣ୍ଟାଚକଟା। ବନ୍ଧୁବାନ୍ଧବ ନିଜ ନିଜର ଘରକୁ ବାହୁଡିଗଲେ ଖାଲି ଦୂରିଆ ବନ୍ଧୁଙ୍କୁ ଛାଡି। ସଂଧ୍ୟାବେଳକୁ ଘରଟା ଖାଁ ଖାଁ ଲାଗିଲା। ଏତେ ଦିନର ଗହଳଚହଳ ଭିତରେ ମାଆର ଅନୁପସ୍ଥିତି ଅନୁଭୂତ ହେଉ ନ ଥିଲା। ଯାହାର ଅନୁପସ୍ଥିତି ପାଇଁ ଏତେ ବଡ ଆୟୋଜନ ଚାଲିଥିଲା, ତାର ଅନୁପସ୍ଥିତି ଅନୁଭୂତ ନ ହେବା ହିଁ ଥିଲା ସବୁଠୁ ଆଶ୍ଚର୍ଯ୍ୟଜନକ। ଅଥଚ ସମସ୍ତଙ୍କ ଅନୁପସ୍ଥିତି ସେଇ କଥାଟିକୁ ଅଧିକରୁ ଅଧିକ ଉଜ୍ଜଳ କରିଦେଲା। ସ୍ଥିର ଭାବରେ ଦଣ୍ଡେ ବସିଗଲେ ଯାଇ ମନେ ପଡୁଥିଲା ସମସ୍ତେ ଅଛନ୍ତି, ଅଥଚ ମାଆ ନାହିଁ।
ସାଧାରଣତଃ ଉତ୍ସବ ଦିନମାନଙ୍କରେ ମାଆ ଯୋଗୁଁ ହିଁ ଘରଟା ପୂରିଲା ପୂରିଲା ଲାଗୁଥିଲା। ସବୁ କିଛିର ପରିଚାଳନା ଆପଣାଛାଏଁ ସୁନ୍ଦର ଭାବେ ହେଇଯାଉଥିଲା। କେହି ଜଣେ ମୁରବୀଟିଏ ଉପରେ ସବୁ ଦାୟିତ୍ବ ଛାଡିଦେଇ ସମସ୍ତେ ନିଶ୍ଚିନ୍ତରେ ଥିବା ପରି ଘରଟାଯାକର ଭଲମନ୍ଦର ଦାୟିତ୍ବ ମାଆ ଉପରେ ଛାଡିଦେଇ ସମସ୍ତେ ନିଶ୍ଚିନ୍ତ ରହିପାରୁଥିଲେ। ଘିଅ କେଉଁଠି ଅଛି ସେ କଥା କେବଳ ମାଆ ଜାଣିଥିଲା। ପିଲାଛୁଆଙ୍କୁ ଅଜୀର୍ଣ୍ଣ ବାନ୍ତି କି ଜ୍ବର ହେଲା ଗଦ କି କାଟପାଣି କେଉଁଠି ଅଛି ସେ କଥା ମାଆ ଜାଣିଥିଲା। କୁଡିଆ କାଠ କାହିଁ କହିଲା ବେଳକୁ ମାଆ ବଢେଇ ଦେଉଥିଲା ହାତକୁ।
ଛୁଞ୍ଚିଠୁ ଆରମ୍ଭ କରି ଶାବଳ ଯାଏ ସବୁ ମାଆର ହେପାଜତରେ ରହୁଥିଲା। ମାଆର ଗୋଟେ ପୁରୁଣା ସିନ୍ଦୁକ ଥିଲା। ତା’ ଭିତରେ ହରେକ ରକମର ଚିଜ ଥିଲା। ମାଆ ସେଟାକୁ ଉତ୍ତରାଧିକାରୀ ସୂତ୍ରରେ ଜେଜେମାଙ୍କଠାରୁ ପାଇଥିଲା। ଜେଜେମା ତା ବାପଘରୁ ସେଟା ଯଉତୁକ ଆଣିଥିଲା। ସିନ୍ଦୁକ ସାଙ୍ଗରେ ଜେଜେମା ଯେଉଁ ପେଡି କେତେଟା ଆଣିଥିଲା ସେସବୁ କାଳକ୍ରମେ ନଷ୍ଟ ହୋଇଯାଇଥିଲା। ତଥାପି ଏଇ ସିନ୍ଦୁକଟି ଘରଭିତରେ ଗୋଟେ ପୁରୁଣା ମୁରବୀ ପରି ଗୋଡ ପୋତି ବସିରହିଥିଲା।
ସିନ୍ଦୁକ ବ୍ୟତୀତ ମାଆ ଆହୁରି ଗୋଟେ ଦିଇଟା ପୁରୁଣା କାଳିଆ ବାକ୍ସ ବ୍ୟବହାର କରୁଥିଲା ଗୋଟେ କାଠ ବାକ୍ସ ଥିଲା ମାଆର କୋଠସମ୍ପତ୍ତି। ତା ଭିତରେ ସେ ତାହାର ହାତଖର୍ଚ୍ଚ ଓ ଗହଣାଗାଣ୍ଠି ରଖୁଥିଲା। ତା ଛଡା ଆଉ ସବୁ କ’ଣ କ’ଣ ଥିଲା ସେ କଥା କେବଳ ତା ଛଡା ଆଉ କାହାକୁ ଜଣା ନ ଥିଲା। ସେ କାଠ ବାକ୍ସ ସିନ୍ଦୁକର ଚାବି କେବଳ ତା ଜିମାରେ ହିଁ ଥିଲା, ଏଣୁ ତା ବ୍ୟତୀତ ଆଉ କାହାରି କ୍ଷମତା ନ ଥିଲା, ସିନ୍ଦୁକ ଓ ବାକ୍ସ ଭିତରେ କ’ଣ କ’ଣ ଅଛି ଦେଖିବା ପାଇଁ।
ସୁଖରାମର ବାହାଘର ବେଳକୁ ମାଆ ବଡବୋହୂକୁ ସେଇ ସିନ୍ଦୁକ ଭିତରୁ କାଢି ଗୋଟେ ଚାରିଭରି ଓଜନର ମଲ୍ଲୀହାରଟିଏ ଦେଇଥିଲେ। ସାନବୋହୂକୁ ମଧ୍ୟ ସେଇ ସିନ୍ଦୁକରୁ କାଢି ଦେଇଥିଲା ଜାଉଁଳି। କେବେ କେବେ ଟଙ୍କା ଅଭାବ ପଡିଲେ, ଇଣ୍ଟରଭ୍ୟୁ କି ପିକ୍ନିକ୍ ଯିବାପାଇଁ ସୁଖରାମ ମାଆକୁ ପ୍ରଭାବିତ କରି ସେଇ କାଠ ସିନ୍ଦୁକ ଖୋଲାଉଥିଲା ଓ ନାନା କିସମର ଡବା ଓ କନା ପୁଟୁଳାରେ ବନ୍ଧା ହୋଇ ରହିଥିବା ପଇସା, ଟଂକା ଆତ୍ମସାତ୍ କରୁଥିଲା। ଜରୁରୀକାଳୀନ ଆବଶ୍ୟକତା ପାଇଁ ସେଇ ସିନ୍ଦୁକଟି ଥିଲା ଘରର ସମସ୍ତଙ୍କ ପାଇଁ ସମବାୟ ବ୍ୟାଙ୍କ।
ସାନଭାଇଠାରୁ ସୁଖରାମ କେବେ କେବେ ମାଆ ବିଷୟରେ କିଛି ଗୁଜବ ମଧ୍ୟ ଶୁଣିଥିଲା। ମାଆ ଟଙ୍କାପଇସା ସୁଧ ଲଗାଉଥିଲା ଗାଁ ପଡିଶାଙ୍କୁ। ଏ ସବୁ ମାଆ ଘର ଓ ପିଲାଛୁଆଙ୍କ ଭବିଷ୍ୟତ ପାଇଁ କରୁଥିଲା ଓ ତଦ୍ବାରା ଉଭୟ ଗାଁ ପଡିଶା ଓ ଘରଲୋକ ନାନା ଭାବେ ଉପକୃତ ହେଉଥିଲେ।
‘ଆଜି ସମସ୍ତେ ଅଛନ୍ତି, ଅଥଚ ମାଆ ନାହିଁ, ଏଇ କଥାଟି ସୁଖରାମକୁ ଅଧିକରୁ ଅଧିକ ଭାଙ୍ଗିପକାଉଥିଲା, ସୁଖରାମ ତା ସ୍ତ୍ରୀକୁ ଡାକିଲା ଓ ବାପାଙ୍କୁ ଡାକିଦେବା ପାଇଁ କହି ସାନଭାଇକୁ ଖୋଜିଲା। ସାନଭାଇ ବଡ ଭଉଣୀଙ୍କୁ ଛାଡିବା ପାଇଁ ଯାଇଥିଲା। ଏଣୁ ଫେରିବା ବିଳମ୍ବ ହେବ ବୋଲି ଶୁଣିଲା। ସୁଖରାମ ତା ନିଜର ବ୍ୟକ୍ତିଗତ ଦୁଃଖସୁଖର ସଂସାର ଭିତରକୁ ପଶିଗଲା। କ୍ରମଶଃ ସାଂସାରିକ ଜଂଜାଳ ଭିତରୁ ସେ ଦାର୍ଶନିକ ପରି ବାହାରିଆସି ଭାବିଲା-‘ମାଆ ଚାଲିଗଲା, ବାପା ବି ଚାଲିଯିବେ, ମୁଁ ବି ଦିନେ ଚାଲିଯିବି ଓ ମୋ ଝିଅ ବି ଦିନେ ଚାଲିଯିବ। ଅଥଚ ଆମେ ତଥାପି ଗଛଟିମାନ ଲଗାଇଚାଲିବୁ ଓ ଘରଟିମାନ ତୋଳିଚାଲିଥିବୁ। ମରିଯିବାର ସତ୍ୟତା ସତ୍ତ୍ବେ ସଂସାର ମୋହ କି ସାଂଘାତିକ।’
ବାପାଙ୍କ ଡାକରେ ସେ ପ୍ରକୃତିସ୍ଥ ହେଲା ଓ ବାପାଙ୍କୁ ଜମିବାଡି, ଘରସଂସାର ବିଷୟରେ କେତେକ ଅନାବଶ୍ୟକ କଥା ପଚାରିଲା। ଏଥର ଧାନ କେତେ ହେଲା ଓ ଘର ଛପର ପାଇଁ କେତେ ମଜୁରୀ ଲାଗିଲା ଇତ୍ୟାଦି କଥା ସମେତ ଭୁବନେଶ୍ବରର ଖର୍ଚ୍ଚ ଓ ଚାଉଳ ଦର ଆଦି କେତେକ ଔପଚାରିକତା ଭିତରେ ଉଭୟଙ୍କର ଗପସପ ସୀମିତ ରହିଲା। କଥା ପ୍ରସଙ୍ଗରେ ସୁଖରାମ ବାପାଙ୍କୁ ମାଆର ବ୍ୟକ୍ତିଗତ ଟଙ୍କାପଇସାର କାରବାର ଓ ଜମାଖର୍ଚ୍ଚ ସମ୍ପର୍କରେ ସୂଚାଇଦେବାରୁ ବାପା ଛଳଛଳ ଦେଖାଗଲେ। ମାଆର ସିନ୍ଦୁକ ଓ ହାତବାକ୍ସର ଚାବି କାହାରି ପାଖରେ ନ ଥିଲା। କାରଣ ମାଆ ହୁଏତ ତାର ଛୋଟ ସୁଖୀ ସଂସାର ଛାଡି କଦାପି ମରିଯିବ ବୋଲି ଭାବି ନ ଥିଲା ଓ କାହାକୁ ତା ବାକ୍ସ ଓ ସିନ୍ଦୁକ ଚାବି ହସ୍ତାନ୍ତର କରି ନ ଥିଲା। ମାଆର ଆକସ୍ମିକ ମୃତ୍ୟୁ ଯୋଗୁଁ ତାର ଟଙ୍କାପଇସା କାରବାର ଓ ବନ୍ଧକ ଆକାରରେ ରଖିଥିବା କିଛି ଅଳଙ୍କାରର ପ୍ରକୃତ ତଥ୍ୟ କାହାରି ଗୋଚର ନ ଥିଲା।
ସୁତରାଂ ରାତି ପାହିଲେ ସୁଖରାମ ତାର କର୍ମକ୍ଷେତ୍ରକୁ ବାହୁଡିଯିବା ପୂର୍ବରୁ ଅନ୍ତତଃ ଥରେ ମାଆର ସିନ୍ଦୁକରେ କଣ ଅଛି ସେଇଟାକୁ ଦେଖିଯିବା ବୁଦ୍ଧିମାନର କାମ ହେବ ବୋଲି ଭାବିନେଇଥିଲା। ସେ ବାପାଙ୍କୁ ଉଭୟ ସିନ୍ଦୁକ ଓ ହାତବାକ୍ସର ତାଲା ଭାଙ୍ଗି ଖୋଲିଦେଖିବାକୁ ପ୍ରସ୍ତାବ ଦେଲା। ବାପା ଏ ପ୍ରସ୍ତାବରେ ସମର୍ଥନ ନ କରିବାର ଉପାୟ ନ ଥିଲା। କାରଣ ମାଆ ମରିଯିବା ପରେ ବାପା ଏକରକମର ଅସହାୟ ଓ ଆଶ୍ରିତ ହୋଇପଡିଥିଲେ। ତେବେ ସେ ଏତେ ବଡ ପାରିବାରିକ କାର୍ଯ୍ୟକ୍ରମକୁ ଉଭୟ ପୁଅଙ୍କ ଉପସ୍ଥିତିରେ ସମାପନ କରିବାପାଇଁ ପ୍ରସ୍ତାବ ରଖିଲେ। ଏତେବେଳକୁ ଦୁଃଖରାମ ବି ଆସି ପହଞ୍ଚିସାରିଥିଲା।
ବାପା ଓ ବଡଭାଇଙ୍କ କଥାକୁ ସମର୍ଥନ କରି ଦୁଃଖରାମ ନିଜର ମନ୍ତବ୍ୟ ଜଣାଇବା ପ୍ରସଙ୍ଗରେ କହିଲା-‘ମାଆଙ୍କର ଅନେକ ଟଙ୍କା କରଜ ଆକାରରେ ଗାଁ ପଡିଶା ଲୋକମାନେ ରଖିଛନ୍ତି। ସେ ସବୁର ହିସାବ ମାଆ ଜାଣିଥିଲା, ବଂଧକ ଆକାରରେ କିଛି ସୁନା ଗହଣା ବି ମାଆ ଜମା ରଖିଛି। ସେ ସବୁ ସେଇ ହାତବାକ୍ସ ବା ସିନ୍ଦୁକ ଭିତରେ ଥାଇପାରେ। ଏସବୁ କାରବାରର ହିସାବ ସେ କେବଳ ଏକଲା ନିଜେ ହିଁ ରଖୁଥିଲା। ହୁଏତ ବାକ୍ସ ଓ ସିନ୍ଦୁକ ଚାବି ଭଙ୍ଗାଗଲେ ଆମକୁ ଗହଣାପତ୍ର ଓ ଟଙ୍କାପଇସା ମିଳିବା ଅସମ୍ଭବ ନୁହେଁ। କାରଣ ମାଆ ଚାଲିଯିବାର ଦି’ମାସ ଖଣ୍ଡେ ଆଗରୁ ଥରେ ସାନବୋହୂ ପାଖରେ କହୁଥିଲା ସୁନା ମୁଦି ବୋଲି କହି ଜଣେ ତାକୁ ବିଶ୍ବାସରେ ଗୋଟେ ପିତ୍ତଳ ମୁଦି ଠକିଦେଇଛି। ଏକଥା ପାଇଁ ସେ ତାଙ୍କୁ ଜଗନ୍ନାଥଙ୍କ ନିର୍ମାଲ୍ୟ ଛୁଆଇଁ ଛାଡିଦେଲା। ତଥାପି ଲୋକଟା ଠକିଦେଲା।
‘ତମ ମାଆଟା ହୁଣ୍ଡିଟାଏ ଥିଲା, ବିଦ୍ୟାବୁଦ୍ଧି ବୋଲି ତାର କାଣିକଉଡିଟାଏର ବି ନ ଥିଲା’ ବୋଲି ବାପା ମନ୍ତବ୍ୟ ଦେଲେ ଓ ଗୋଟେ ଦୀର୍ଘନିଶ୍ବାସ ଛାଡିଲେ। ସୁଖରାମ କହିଲା- କିନ୍ତୁ ମାଆର ଘରକରଣା ବୁଦ୍ଧି ତୁଳନାରେ ଆପଣଙ୍କର ବୋହୂମାନେ ବି ସରିହେବେନି।’
ଏତେବେଳେ ବଡବୋହୂ ତିନିକପ୍ ଚା ଧରି ପହଞ୍ଚିଲା ଓ ମାଆର ଚାବି ବୋଲି ଅନୁମାନ କରୁଥିବା ଏକ ପୁରୁଣା ଜଙ୍କଲଗା ଚାବି ବାପାଙ୍କ ହାତକୁ ବଢେଇଦେଇ କହିଲା- ‘ଦେଖନ୍ତୁ ତ, ଏଇଟା ହୋଇପାରେ।’
ଏସବୁ ଯୋଜନା ସତ୍ତ୍ବେ ଅବଶେଷରେ ସୁଖରାମ ସିନ୍ଦୁକ ଓ ହାତବାକ୍ସର ତାଲାଟିକୁ ଭାଙ୍ଗିଦେବାକୁ କହି ଦୁଃଖରାମକୁ ଗୋଟେ ହାତୁଡି ଓ ଲୁହାକଣ୍ଟା ଆଣିବାପାଇଁ ନିର୍ଦ୍ଦେଶ ଦେଲା। ଅବିଳମ୍ବେ ଏ ସବୁ ଆୟୋଜନ ହେବା ମାତ୍ରେ ଦାଣ୍ଡ ଘରେ ହାତ ବାକ୍ସଟିକୁ ଘେରିରହିଥିଲେ ସମୁଦାୟ ପରିବାର ସଭ୍ୟମାନେ। ଗୋଟିଏ ଅଜ୍ଞାତ ସ୍ଥାନରୁ ଆସିଥିବା ପାର୍ଶଲଟିଏ ଖୋଲିଦେଖିବା ପୂର୍ବରୁ ତା ଭିତରେ କଣ ଅଛି ସେଇ ଉତ୍ସୁକତାର ଆଖି ଓ ମନ ନେଇ ସେମାନେ ହାତବାକ୍ସର ତାଲା ସମେତ ବାକ୍ସଟିକୁ ନିରୀକ୍ଷଣ କରୁଥିଲେ। ପାହାର ପରେ ପାହାର ବସାଇଚାଲିଥିଲା ଦୁଃଖରାମ, ବାପା କହିଲେ ସମ୍ଭାଳିକି ପିଟ୍। ହାତ ଉପରେ ପାହାର ବସିଯିବ।’ ସୁଖରାମ କହିଲା-‘ପୁରୁଣା କାଳର ପିତ୍ତଳ ତାଲା, ଭାରି ମଜଭୁତ। କରତ ମିଳିବନି?’
ମାତ୍ର ଦଶପନ୍ଦର ମିନିଟ୍ ଅକ୍ଳାନ୍ତ ପରିଶ୍ରମ ପରେ ତାଲାଟି ଉପୁଡିପଡିଲା, ‘କଣ ଅଛି?’ ସାନବୋହୂ ପଚାରିଲା।
‘କ’ଣ ଅଛି କାହିଁ?’ ବାପା କହିଲେ।
‘ଦେଖ୍ ଦେଖ ସେ ମୁଣି ଖୋଲି’- ସୁଖରାମ କହିଲା।
‘ଧେତ୍ କିଛି ନାହିଁ’ – ଦୁଃଖରାମ କହିଲା।
‘ହଁ ସେ ଡବାଗୁଡାକ ଖୋଲି ଦେଖ’- ବଡବୋହୂ ପରାମର୍ଶ ଦେଲା ଓ ନିଜେ ହାତ ଲଗାଇଲା। ଅବଶେଷରେ ପ୍ରମାଣିତ ହୋଇଗଲା ଯେ ଦିଅଣ୍ଡା କଉଡି, ଦୁଇଟି କଣା ପିତ୍ତଳ ପଇସା, ପୁରୁଣା କାଳିଆ ରୂପା ମୁଦ୍ରା ଓ ଗୋଟେ ଜାତକ, ଗୋଟା ଗୁଆ, ନିର୍ମାଲ୍ୟ ଏବଂ ହନୁମାନ ପଇସାଟିଏ ଛଡା ଆଉ ସେଥିରେ କିଛି ନ ଥିଲା।
‘ଆଉ କିଛି ନାହିଁ?’ ନିରାଶାରେ ପଚାରିଲା ସୁଖରାମ ଏବଂ ହାତ ପୂରାଇ ଗୋଟେ ଅଦରକାରୀ କାଗଜ ପରି ଦେଖାଯାଉଥିବା ଚାରିପୃଷ୍ଠାର ଗୋଟେ ତାଲିକା ବାହାରକରି ଆଣିଲା। ସେଟା ଚଉତା ହୋଇ ବାକ୍ସର ଗୁପ୍ତ ପକେଟ ଭିତରେ ସାଇତା ହୋଇ ରଖାଯାଇଥିଲା। ଏଥର ସମସ୍ତଙ୍କ ଚକ୍ଷୁ ଉଜ୍ଜଳ ହୋଇଉଠିଲା।
ଦୁଃଖରାମ କହିଲା-‘ଦେଖ, ଦେଖ ସେଇଥିରେ ମାଆ ଲୋକଙ୍କ ନାଁ ଓ ହିସାବ ଲେଖି ରଖିଥିବ।’
ବାପା କହିଲେ- ‘ହଁ…ହଁ ଭଲକରି ଦେଖ। ସେଇଟା ହୋଇପାରେ।’ ସମସ୍ତେ ସୁଖରାମର ହାତକୁ ଅନାଇଲେ।
‘ନାଁ’ ଏଇଟା ମୋ ବାହାଘର ବେଳେ ଶଶୁରଘରୁ ଆସିଥିବା ଯଉତୁକ ଜିନିଷପତ୍ରର ତାଲିକା।’ ସୁଖରାମ ଦୀର୍ଘଶ୍ବାସଟିଏ ଛାଡି କହିଲା। କହିଲା-‘ମାଆ ଏଇଟାକୁ ମୋ ଝିଅର ବାହାଘର ବେଳେ ଦରକାର ହେବ ବୋଲି ସାଇତିରଖିଛି ବୋଲି ମୋତେ ଥରେ କହିଥିଲା।’
‘ଯାଃ…. ବେକାର କାଗଜ। ଶଃ..,ଏତେଗୁଡାଏ ପଇସାପତ୍ର ଯାହା ପାଣିରେ ପଡିଲା, କିଏ କେତେ ନେଇଛନ୍ତି ଆଉ କଣ ଫେରାଇବେ। ଗଲା, ସବୁ ବୁଡିଗଲା।’ ଦୁଃଖରାମ କହିଲା।
‘ବାକ୍ସରେ ତ କିଛି ନାହିଁ। ସିନ୍ଦୁକର ତାଲା ଭାଙ୍ଗିଦିଅ ଦେଖିବା। ସିନ୍ଦୁକରେ ନିଶ୍ଚିତ ଥାଇପାରେ କିଛି। କାରଣ ମାଆ ପ୍ରାୟ ସିନ୍ଦୁକ ଥିବା ଘର ଭିତରକୁ ବିନା ଅନୁମତିରେ କାହାରିକୁ ପ୍ରବେଶ କରିବାକୁ ଦେଉ ନ ଥିଲା, କହିଲା ଦୁଃଖରାମ।
ବାପା ନୀରବରେ ସମର୍ଥନ ଜଣାଇଲେ ଯାହାର ଦୁଇଟି ଅର୍ଥ ଥିଲା। ହଁ ଓ ନା। ବୋହୂମାନେ ପ୍ରାୟ ସେଇଆ ଚାହୁଁଥିଲେ। ଦୂରିଆ ବନ୍ଧୁ ଯେଉଁ କେତେଜଣ ତଥାପି ଯାଇପାରି ନ ଥିଲେ ସେମାନେ ବି ଏହି ଅଭିଯାନରେ ସାମିଲ୍ ହୋଇସାରିଥିଲେ ଓ ସେମାନେ ବି ଆଶା କରୁଥିଲେ ସିନ୍ଦୁକରୁ କିଛି ବାହାରୁ।
ବଡଅପାର ଦୁଷ୍ଟ ସାନପୁଅ ଯିଏ ଟି.ଭି ରୁ ଅଲିଫ୍ ଲୈଲା ଦେଖିଥିଲା ସେ ଗୋଟେ ବିରାଟ ଯାଦୁକର ପରି କହିଲା ଖୁଲ୍ ଯା….ସିମ୍ ସିମ୍। ଏକ ଭାବଗମ୍ଭୀର ଅଭିଯାନର ସାମୟିକ ବିରତି ହେଲା ପରି ସମସ୍ତଙ୍କ ଓଠ ସାମାନ୍ୟ ପ୍ରସାରିତ ହୋଇଉଠିଲା।
‘ଚୁଉପ୍….’ କହିଲା ବଡଅପା, କାରଣ ବଡଅପା ବି ଚାହୁଁଥିଲା ତା ଉପସ୍ଥିତିରେ ଏ ସିନ୍ଦୁକ ଖୋଲାଗଲେ ଯେଉଁ ସବୁ ଗହଣାଗାଣ୍ଠି ମିଳିବ, ସେ ସବୁରୁ ବି ତାର ଭାଗ ଅଛି ଏବଂ ସେ ଏକୁଟିଆ ଏ ଭାଗ ନେଇପାରେ କାରଣ ମାଆର ଗେଲବସର ସାନଝିଅ ତା ଘରକୁ ଯାଇସାରିଛି।
ସୁଖରାମ କହିଲା ‘ଦେ ଭାଙ୍ଗ ତାକୁ, ଦେଖିବା’
ନା, ଥାଉ…ତାକୁ ଭାଙ୍ଗନାହିଁ, କହିଲେ ବାପା।
‘କାହିଁକି?’ ପ୍ରଶ୍ନ କଲା ଦୁଃଖରାମ।
ବାପା କହିଲେ-ଥାଉ ସେ ସିନ୍ଦୁକ। ତମ ଜେଜେମା ଓ ମାଆଙ୍କର ସ୍ମୃତି ହୋଇ ସେ ସେମିତି ଥାଉ। ଯାହା ଅଛି ତା ଭିତରେ ସେମିତି ଥାଉ। ଆଉ ଯଦି ନିହାତି ତମମାନଙ୍କର ତାକୁ ଭାଙ୍ଗିଦେବା ଦରକାର ତେବେ ମୋ’ ମଲାପରେ ଭାଙ୍ଗିଦେବ। ଟୁକୁରା ଟୁକୁରା କରି ଭାଙ୍ଗିଦେବ ଓ ତାକୁ ନିଶ୍ଚିହ୍ନ କରିଦେବ। ଅନ୍ତତଃ ମୋ ବଞ୍ଚିବା ଯାଏ ତାକୁ ସେମିତି ଗୋଟାପଣେ ରହିବାକୁ ଦିଅ।’
ସମସ୍ତେ ଚୁପ୍ ରହିଲେ।