ଗଲା କାଲି
ରାତିଅଧରୁ
ସାଉଁଟି ଆଣିଥିବା
ଆଞ୍ଜୁଳାଏ ଅନ୍ଧାରକୁ ନେଇ
ତିଆରିଛି ଗୋଟେ ଘର।

ସକାଳ ନରମ ଖରାରୁ
ଖଣ୍ଡେ କାଟି ଆଣି
ତିଆରିଛି କବାଟ ଝରକା।

ପ୍ରେମିକାର ଟିକେ ଭଲ ପାଇବାକୁ
ମାଗିଆଣି ସାଇତିଛି
ତା’ଭିତରେ।

କେତେ ପରିଚିତ ଅପରିଚିତଙ୍କୁ
ଡାକିଲିଣି ଆସ ଆସ
ଦିନଟିଏ ଅତିଥି ହୋଇ
ରୁହ ମୋ’ର ଘରେ।

କିଏ ବି ଶୁଣିଲେନି ମୋ’ କଥା,
ଯିଏ ଯା’ବାଟରେ
ଗଲେ ଯେ ଗଲେ।

ବହୁଦିନ ହେଲା ଚେଷ୍ଟା କରି
ଏବେ ସେ ଘର ଉପରେ
ତିଆରିଛି ଗୋଟେ ଛାତ।

ରାସ୍ତା ଉପରୁ ଘର ଯାଏଁ
ଲମ୍ବେଇ ଦେଇଛି
ଗୋଟେ ପରେ ଗୋଟେ
ପ୍ରୀତିର ପାହାଚ଼।

ଏଥର କେହି ଜଣେ ଯାଇ
ଠିଆହେଲା ଦୁଆର ପାଖରେ,
ଦେଖିଲା, କବାଟରେ ଲେଖା ହୋଇଛି।

ସବୁ କବାଟ ପଛରେ
ନଥାଏ ଘର, ମଣିଷର ସଂସାର
ଯେମିତି ସବୁ ମନ୍ଦିରରେ
ନଥାନ୍ତି ଈଶ୍ବର।