ଝରକା ବାହାରେ
କିଛି ପୃଥିବୀ ଓ କିଛି ଆକାଶ
ଗଛ ଉପରେ ଢିରା ଦେଇ ଠିଆ
ହସ ହସ ଚନ୍ଦ୍ର
ଗଛଟା ସାରା ଚଢେଇରେ ଭର୍ତ୍ତି।
ଯେତିକି ପତ୍ର ଗଛରେ
ସେତିକି ହିଁ ପକ୍ଷୀ
ପ୍ରତିଟି ପକ୍ଷୀର କିଚିରିମିଚିରିରେ
ଦୋହଲୁଥାଏ ନିକଟତମ ପତ୍ର
ଗଛଟାଯାକ ପବନରେ ଭରପୁର।
ଗଛ ଉପରେ ଢିରା ଦେଇ ଠିଆ
ହସ ହସ ଚନ୍ଦ୍ରର ମୁହଁକୁ
ଲକ୍ଷ୍ୟ କରି ଫିଙ୍ଗିଲି ମୁଁ
ଗିଲାସରୁ ବାକିତକ ମଦ।
ଝରକା ରେଲିଂରେ ବାଜି ସଶଦ୍ଦରେ
ଖସିପଡ଼ିଲା ମଦର ଟୁକୁଡ଼ା
ସେ ଶଦ୍ଦ, ମନେ ହେଲା,
ଆସୁଥିବା ଭଳି ଅନେକ ଦୂରରୁ
ଏମିତି କି ହୋଇପାରେ ବି, ଚନ୍ଦ୍ରରୁ।
ସବୁଆଡେ କିଛି କିଛି ଶବ୍ଦ ସବୁବେଳେ
କେଉଁଠି କାନ୍ଥ ଭାଙ୍ଗୁଥିବା ଶବ୍ଦ, ଡୋଜର୍ର
ତ କେଉଁଠି କାନ୍ଥ ଗଢୁଥିବା
କିଶୋରୀ ରେଜାର ଗୀତ।
ସବୁଠାରୁ କିଛି କିଛି ଶବ୍ଦ ଶୁଣିହୁଏ
ଚେତନାକୁ ନୀରବ ରଖିଲେ
ଝରକା ଏପାଖେ ମୁଁ ଏକୁଟିଆ
ଚଉକି ଉପରେ ଚୁପ୍ଚାପ୍
ଝରକା ବାହାରେ
କିଛି ପୃଥିବୀ ଓ କିଛି ଆକାଶ।