୧୯୭୧ ମସିହା ମାର୍ଚ୍ଚ ୧୪ ତାରିଖ ଦିନ ମୋ ବୋଉ ମରିଥିଲା। ସେ ଦିନର ତିଥି ଥିଲା ବାରୁଣୀ ଅମାବାସ୍ୟା। ସେଇଦିନଠୁ ପ୍ରତିବର୍ଷ ବାରୁଣୀ ଅମାବାସ୍ୟାକୁ ମୋ ବୋଉର ଶ୍ରାଦ୍ଧ ଦିବସ ବା ମୋ ‘ବୋଉର ଦିନ’ ଭାବେ ମୁଁ ପାଳିଆସୁଛି। ଶ୍ରାଦ୍ଧ ଦିବସକୁ ଆମ ଓଡ଼ିଶାରେ ‘ଦିନ’ କୁହାଯାଏ, ଏଇ ଯେମିତି ମୋ ‘ବାପାଙ୍କର ଦିନ’, ମୋ ‘ଜେଜେଙ୍କର ଦିନ’ ବା ‘ମୋ ବୋଉର ଦିନ’ ଇତ୍ୟାଦି।
କିନ୍ତୁ ଆମ ଦେଶରେ ମେ ମାସ ଦ୍ବିତୀୟ ରବିବାରକୁ ‘ବୋଉର ଦିନ’ (Mother’s Day) ଭାବେ ପାଳନ କରାଯାଉଛି। ଆମ ଓଡ଼ିଶାର ପୁଅଝିଅମାନେ ମଧ୍ୟ ଆଜିକାଲି ପ୍ରତିବର୍ଷ ମେ ମାସ ଦ୍ବିତୀୟ ରବିବାରକୁ ‘ବୋଉର ଦିନ’ ଭାବେ ପାଳନ କରୁଛନ୍ତି। ୟା’ର ଅର୍ଥ ନୁହଁ ଯେ ସାରା ଦେଶଟାଯାକର ବୋଉ ଏଇ ମେ ମାସ ଦ୍ବିତୀୟ ରବିବାର ଦିନ ମରିଥିଲେ ଏବଂ ସେମାନଙ୍କ ପାଇଁ ଏ ଦିନ ପାଳନ କରାଯାଉଛି। ଏଇ ‘ବୋଉର ଦିନ’ କିନ୍ତୁ ମଲା ବୋଉମାନଙ୍କ ପାଇଁ ନୁହେଁ, ଜିଅନ୍ତା ବୋଉମାନଙ୍କ ପାଇଁ। ଏହା ହାଲି ଆମଦାନି କରା ହୋଇଥିବା ଏକ ବିଦେଶୀ ଚଳଣି, ଏକ ଉଧାରକରା ପଶ୍ଚିମା ପରମ୍ପରା।
ଗତ ମେ ଦ୍ବିତୀୟ ରବିବାର ଦିନ ପଡ଼ିଶାଘର ପୁଅଟିଏ ଗୋଟାଏ ଫୁଲ ତୋଡ଼ା ଓ ଗୋଟାଏ ଉପହାର ପୁଡ଼ିଆ ଧରି ଆସୁଥିବାର ଦେଖି ପଚାରିଲି- ‘ଆରେ ବାବୁ! ଇଏ ସବୁ କ’ଣ? ଆଜି କ’ଣ କି?’
ପୁଅଟି ମୋତେ ଓଲଟା ପ୍ରଶ୍ନକଲା- ‘ଅଙ୍କଲ୍! ଜାଣି ନାହାନ୍ତି କି ଆପଣ? ଆଜିପରା ‘ମଦର୍ସ ଡ଼େ।’
ତଥାପି ବି କଥାଟାର ମର୍ମ ବୁଝି ନପାରି ଓଲମାଙ୍କ ଭଳି ବଲବଲ କରି ଚାହିଁ ରହିବାରୁ ସେ ସରଳାର୍ଥରେ ‘ମଦର୍ସ ଡ଼େ’ର ମର୍ମାର୍ଥ ବୁଝେଇ ଦେଲା- ‘ଆଜି ହଉଚି ମଦର୍ସ ଡ଼େ। ମଦର୍ସ ଡ଼େ ଅବଜର୍ଭେସନ୍ ମାଧ୍ୟମରେ ଆମେ ଆମ ମଦର୍ଙ୍କ ସାକ୍ରିଫାଇସ୍, ତାଙ୍କ ଲଭ୍, ଆଫେକ୍ସନ୍ ବିଷୟରେ କନ୍ସସ୍ ହେବୁ, ସେ ସବୁର ଭାଲ୍ୟୁ ଦବୁ। ମଦର୍ଙ୍କର କେୟାର ନବୁ। ତାଙ୍କୁ ରେସ୍ପେକ୍ଟ କରିବୁ, ପ୍ରେଜେଣ୍ଟେସନ୍ ଦବୁ। ଏଇପରା, ମୋ ମମିଙ୍କ ପାଇଁ ମୁଁ ଗିଫ୍ଟ ପ୍ୟାକେଟ୍ ଧରି ଆସୁଚି।’
ପଡ଼ିଶା ପୁତ୍ରଟି ପ୍ରେଜେଣ୍ଟେସନ୍ ଧରି ଚାଲିଗଲା।
ମୁଁ ଭାବୁଥିଲି, ସାରା ସୃଷ୍ଟିଟାକୁ ଆଣି ବୋଉର ପାଦତଳେ ଅଜାଡ଼ି ଦେଲେ ବି, ତା’ ଋଣ କାଣିଚାଏ ସୁଝି ହବନି। ଇଏ ତାକୁ କି ଗିଫ୍ଟ ଦବ? କି ପ୍ରେଜେଣ୍ଟେସନ୍ ଦେଇ ପୂଜା କରିବ? ଉଡ଼ି ଶିଖିବା ପରେ ମା’ ଚଢ଼େଇ ବସାରୁ ଛୁଆ ଚଢ଼େଇ ଫୁର୍କିନା ଉଡ଼ି ପଳେଇବା ପରି ବିଦେଶରେ ପୁଅଝିଅଙ୍କ ମୁଣ୍ଡକୁ ହାତ ପାଇଲେ ମା’ ବାପାଙ୍କୁ ଛାଡ଼ି ଛୁଆଏ ପଳେଇ ଯାଆନ୍ତି। ଦିନେ ନାହିଁ, କାଳେ ନାହିଁ, ଗହ୍ମା ପୂନେଇଁକି ମାଇଁ ମାଇଁ ନୀତିରେ ବରଷକୁ ଥରେ ‘ଏଇ ମଦର୍ସ ଡ଼େ’ ଦିନ କୋଉ ଜରାନିବାସ କି କୋଉ ଘର କଣରେ ପଡ଼ିଥିବା ମା’ ବାପାଙ୍କୁ ସତେ ଅବା ଦୟା ଦେଖେଇବା ଭଳି ଦୟାବନ୍ତ ସନ୍ତାନମାନେ ଗିଫ୍ଟ ପ୍ୟାକେଟ୍ ଧରି ଆସିଥାନ୍ତି।
ଏଠି ବୋଉ ପାଇଁ କି ପ୍ରେଜେଣ୍ଟେସନ୍ ନେଇ ଯାଉଚି ଏ ଟୋକା! ଏଠି ପରା ବୋଉ ଅକାଶଠାରୁ ପ୍ରଶସ୍ତ, ଅବନୀଠାରୁ ବିଶାଳ, ‘‘ସ୍ବର୍ଗାଦପି ଗରୀୟସୀ’’। କୋଇଲି ଯାଇ କାଉ ବସାରେ ଅଣ୍ଡା ଦେବା ଭଳି ବିଦେଶିନୀ ବୋଉଟି ଛୁଆ ଜନମ କରି ଆଉ କାହା ଦାୟିତ୍ବରେ ତାକୁ ପାଳିବା ପାଇଁ ଛାଡ଼ିଦେଇ ପାରେ ସିନା, ଏଠି ଆମ ଦେଶୀ ବୋଉମାନେ ଆମକୁ ତାଙ୍କ ଆଖି ଆଢ଼ୁଆଳକୁ ବି ଛାଡ଼ନ୍ତି ନାହିଁ। ହେତୁ ପାଇବା ପରେ ବି ପୁଅ ଦିନେ ଦି’ଦିନ ମାମୁଁ ଘରକୁ ଗଲେ ଆମ ବୋଉମାନେ ବାହୁନନ୍ତି- ‘କୋଇଲି ଲୋ! ଦୁଧ ସର ଦେବି ମୁଁ କାହାକୁ? ଖାଇବାର ପୁତ୍ର ଗଲା ମଥୁରାପୁରକୁ, ଲୋ କୋଇଲି!’ ଏଠି ଆମ ବୋଉମାନଙ୍କ ପାଇଁ ତାଙ୍କ ପିଲା ହଉଚି ନୟନପିତୁଳା, ଜୀବନଧନ, ରଙ୍କରତନ, ଗଳାରମାଳି। ଏଠି ଆମ ମା’ ଓ ପିଲାର ସମ୍ପର୍କ ଦିନେଅଧକର ସମ୍ପର୍କ ନୁହଁ, ପ୍ରତି ନିଶ୍ବାସ ପ୍ରଶ୍ବାସରେ, ପ୍ରତି ହୃଦ୍ସ୍ପନ୍ଦନରେ ମା’ ଆଉ ପିଲାମାନଙ୍କ ଭିତରେ ସମ୍ପର୍କର ସ୍ରୋତଟିଏ, ଆବେଗର ବେଗବତୀଟିଏ ନିରବଧି ବହୁଥାଏ। ଆମ ଓଡ଼ିଶାରେ ‘ମଦର୍ସ ଡ଼େ’ ପାଳିବା ଯାହା, ଓଡ଼ିଆଟିଏ ଇଂଲଣ୍ଡ ଯାଇ ଇଂରେଜମାନଙ୍କୁ ଇଂରେଜୀ କହି ଶିଖାଇବା ପାଇଁ ସ୍ପୋକନ୍ ଇଙ୍ଗ୍ଲିସ୍ ସ୍କୁଲ୍ ଖୋଲିବା ସେଇଆ।
ଏ ଜଗତୀକରଣ ଯୁଗରେ କୌଣସି ଆନ୍ତର୍ଜାତୀୟ ସଂସ୍ଥା ଯଦି କିଛି ଗୋଟାଏ ଦିବସ ପାଳନର ପରମ୍ପରା ଆରମ୍ଭ କରେ, ତେବେ ଯେଉଁ ଦେଶ ବା ଇଲାକାର ଲୋକମାନଙ୍କ ପାଇଁ ତାହା ପ୍ରଯୁଜ୍ୟ ବା ପ୍ରୟୋଜନୀ, ସେମାନେ ତାହା ପାଳନ କରନ୍ତୁ। କିନ୍ତୁ ଓଧମାନଙ୍କୁ ଦେଖି ବଣଭୁଆମାନେ ବାଈ ହେଉଛନ୍ତି କାହିଁକି? ପରମ୍ପରା ପାଳନ ପୂର୍ବରୁ ସ୍ଥାନ କାଳ ପାତ୍ରର ବିଚାର ତ କରିବ! ଯୋଉଠି ବିଚାର ନଥାଏ ସେ ପାଳନକୁ ତ କେବଳ ଅନ୍ଧାନୁକରଣ ହିଁ କୁହାଯିବ। ‘ମାଧିଆ ଭାଇ, ନା’ ହୋଇ ହୋ ନୀତିରେ ଦୂରଦର୍ଶନ ବା ପତ୍ରପତ୍ରିକାରେ ଏ ସମ୍ପର୍କରେ ସାକ୍ଷାତ୍କାର ଦେଉଥିବା ବାବୁଜାତୀୟ ବ୍ୟକ୍ତିତ୍ବମାନେ ବେଳେ ବେଳେ ମୁହଁଉପ୍ରୋଧରେ ଦିବସ ପାଳନ ସପକ୍ଷରେ କହିଥାନ୍ତି। ପୁଣି କେତେକ ଗାଲୁଆମିରେ ବାରବାଟି ନହେଉ ପଛେ ଗୁଣ୍ଠେ ବା ବିଶ୍ବାଏ ଚଷିଥାନ୍ତି।
‘ବୋଉର ଦିନ’ କହିଲେ ଆମ ଆଧୁନିକ ଓଡ଼ିଆ ପୁଅମାନେ କଥାଟାକୁ ଆଦୌ ବୁଝିପାରିବେନି। ସଂସ୍କୃତରେ ‘ମାତୃ ଦିବସ’ କହିଲେ କିଛି କିଛି ବୁଝିବେ ଏବଂ ‘ମଦର୍ସ ଡ଼େ’ କହିଲେ ଭଲଭାବେ ବୁଝିବେ। ଏ ‘ମଦର୍ସ ଡ଼େ’କୁ ଖାଣ୍ଟି ଓଡ଼ିଆରେ କହିଲେ ‘ବୋଉର ଦିନ’ ହେବ। ‘ବୋଉର ଦିନ’ କହିଲେ ଆମ ଓଡ଼ିଆଏ ବୋଉର ଶ୍ରାଦ୍ଧ ବୋଲି ବୁଝିବେ। ଏ ‘ବୋଉ’ ଶବ୍ଦଟା ଆମ ଆଧୁନିକ ଓଡ଼ିଆଙ୍କ ସମ୍ବୋଧନରୁ ପ୍ରାୟ ବୁଡ଼ିବାକୁ ବସିଲାଣି। ଏ ଭିତରେ ଆମ ଅଧିକାଂଶ ‘ଓଡ଼ିଆଣୀ ବୋଉ’ ‘ମଦର’ ହେଇଗଲେଣି ଏବଂ ସଂକ୍ଷେପରେ ‘ମମି’ ପାଲଟି ଗଲେଣି। ପଡ଼ିଶାଘର ସାନ ଝିଅଟିକି ‘ବୋଉ’ ବନାନ କରିବାକୁ କହିବାରୁ ସେ ଉତ୍ତର ଦେଲା- ‘ଏମ୍, ଓ, ଟି, ଏଚ୍, ଇ, ଆର୍।’ ଥରେ ମୁଁ ମୋର ଜଣେ ସାଙ୍ଗକୁ ପଚାରିଲି- ‘କୁଆଡ଼େ ଯାଇଥିଲ କି?’ ସେ ଉତ୍ତର ଦେଲା- ‘ମଦର୍ଙ୍କ ଦେହ ଖରାପ ଥିଲା ତ…।’
ଉଚ୍ଚାରଣ ଅନୁସାରେ ଆମର ଆଚରଣ ହୋଇଥାଏ ଆଚରଣ ଅନୁସାରେ ଆମ ଉଚ୍ଚାରଣ ବଦଳିଥାଏ ଆମେ ଓଡ଼ିଆଗୁଡ଼ାକ ଆମ ବାପାଙ୍କୁ ସାଧାରଣତଃ ‘ତମେ’ ବା କ୍ବଚିତ୍ ‘ଆପଣ’ ସମ୍ବୋଧନ କରିଥାଉ, କିନ୍ତୁ ବୋଉକୁ ଆମେ ‘ତୁ’ ବୋଲି କହୁ ଏ ‘ତୁ’ ସମ୍ବୋଧନଟା ସମ୍ପର୍କରେ ନିବିଡ଼ତା ବା ହୃଦୟର ନିକଟତା ପ୍ରକଟ କରିଥାଏ। ନିହାତି ଆପଣାର ନ ହେଲେ କେହି କାହାକୁ ‘‘ତୁ’ କହେନି ଆଜିର ବୋଉମାନେ ‘ମମି’ ହୋଇଯିବା ପରେ ସେମାନଙ୍କ ପିଲାମାନେ ଅଧିକାଂଶ ସ୍ଥଳେ ସେମାନଙ୍କୁ ‘ତମେ’ ସମ୍ବୋଧନ କରୁଛନ୍ତି। ଏଇ ପଚାଶ ବର୍ଷ ତଳେ ଅଧିକାଂଶ ଓଡ଼ିଆଣୀ ବୋଉ ଅପାଠୋଈ ଥିଲେ, ଅବଶ୍ୟ ଏବେକାର ମମିମାନେ ପାଠୋଈ ଏଇ ପାଠୋଈ ମମିମାନଙ୍କୁ ସେମାନଙ୍କ ସନ୍ତାନ ‘ତୁ’ ସମ୍ବୋଧନ କଲେ ସେମାନଙ୍କ ସମ୍ମାନ ତଳେ ପଡ଼ିଯିବନି? ଅନ୍ୟ ଏକ ଦୃଷ୍ଟି କୋଣରୁ ବିଚାର କଲେ ଆଜିର ନାରୀ ସବୁ କ୍ଷେତ୍ରରେ ପୁରୁଷ ସହ ସମାନ ବୋଲି କୁହାଯାଉଛି, କିନ୍ତୁ ଖୋଦ୍ ନିଜଘରେ ନିଜ ଛୁଆ ବାପାଙ୍କୁ ‘ତମେ’ ଓ ବୋଉକୁ ‘ତୁ’ କହିବ! ଏହା ନାରୀ ଜାତିପାଇଁ ନିହାତି ଅପମାନ ଓ ଅସମ୍ମାନର କଥା ନୁହେଁ କି?
ତା’ ଛଡ଼ା ଆମ ବୋଉମାନେ ଆମକୁ କ୍ଷୀରପାନ କରାଉଥିଲେ, ଘୁଅମୂତ ପୋଛୁଥିଲେ, କୋଳରେ ଜାକି ଶୋଉଥିଲେ ଆଜିକାଲି ତ ଛୁଆ ଜନମ ହଉ ହଉ ମଦର ବା ମମିଜାତୀୟା ମା’ମାନେ ନିଜ ଶେଯଠାରୁ ନିରାପଦ ଦୂରତାରେ ଦୋଳି ଝୁଲଣାରେ ନବଜାତ ଛୁଆକୁ ଶୁଆଉଛନ୍ତି ଆୟା ଆଉ ବୋତଲ ଦାୟିତ୍ବରେ ଛୁଆକୁ ଛାଡ଼ୁଛନ୍ତି। ପିଲାବେଳେ ‘ତୁ…, ତା…’ ହଉଥିବା ସାଙ୍ଗଟିକୁ ଦୀର୍ଘ ପନ୍ଦର କୋଡ଼ିଏ ବର୍ଷ ବ୍ୟବଧାନରେ ଭେଟିଲେ ବା ସାଙ୍ଗ ଭିତରୁ ଜଣେ ଅଫିସର୍ ଜଣେ ମୂଲିଆ ହେଲେ, ଯେମିତି ସମୟର ଫାଙ୍କ ବା ସାମାଜିକ ଦୂରତା ସକାଶେ ଉଚ୍ଚାରଣ ଭିତରକୁ ଆପେ ଆପେ ‘ତମେ’ ବା ‘ଆପଣ’ ସମ୍ବୋଧନ ଆସିଯାଏ। ଆଜିକାଲିର ‘ମମି’ ଆଉ ସେମାନଙ୍କ ପିଲାଙ୍କ ଭିତରେ ଏ ‘ତମେ’ ସମ୍ବୋଧନଟା ଆବେଗିକ ଦୂରତା ସକାଶେ ନୁହେଁ ତ? ଜନନୀ ଓ ଜନ୍ମିତଙ୍କ ଭିତରେ ମୋହ, ମମତା, ସମ୍ପର୍କର ନିବିଡ଼ତା କମିଯିବାରୁ ଏ ‘ତୁ’ ଟା ‘ତୁମେ’ ହେଇ ଯାଉନି ତ? ଆଜିର ଏ ନାରୀ ସଶକ୍ତୀକରଣ ଯୁଗରେ ଶକ୍ତିମୟୀ ମମିମାନଙ୍କୁ ଶକ୍ତିହୀନ ଛୁଆଗୁଡ଼ାକ ‘ତୁ’ ସମ୍ବୋଧନ କରିବେ କେମିତି ?
ଆଜିକାଲିର ମମିମାନଙ୍କର ଉଚ୍ଚାଭିଳାଷରେ ଯେମିତି ବଡ଼ବଡ଼ ପର ଲାଗିଲାଣି ସେମାନଙ୍କ ସନ୍ତାନମାନେ ନିଶ୍ଚୟ ଦିନେ ନା ଦିନେ ଉଡ଼ି ଦୂର ବିଦେଶ ପଳେଇବେ ଓ ବର୍ଷକେ ଥରେ ଦୂରରୁ ମଦର୍ସ ଡ଼େ କାର୍ଡ଼ ବା ଗିଫ୍ଟ ପ୍ୟାକେଟ୍ ପାର୍ସଲ କରି ନିଶ୍ଚୟ ପଠେଇବେ ସେତେବେଳେ ଯାଇ ଏ ମଦର୍ସ ଡ଼େ ପାଳନର ସାର୍ଥକତା ଆସିବ ବର୍ତ୍ତମାନ ହୁଏତ ତା’ର ପୂର୍ବପ୍ରସ୍ତୁତି, ତା’ର ଅଭ୍ୟାସର ବେଳ ଏହାର ପ୍ରସାର ଓ ପ୍ରଚାରରେ ବ୍ୟବସାୟିକ ଫାଇଦା ଥିବାରୁ ବ୍ୟବସାୟୀ ଓ ବିଜ୍ଞାପନ ବେପାରୀମାନେ ‘ଅନାହୂତୋ ପ୍ରବିଶନ୍ତି, ଅପୃଷ୍ଟୋ ବହୁଭାଷତେ’ କରୁଛନ୍ତି।
ବର୍ତ୍ତମାନ କିନ୍ତୁ କ୍ଷୀର ସମୁଦ୍ରର ମାଛକୁ କ୍ଷୀର ଚଖେଇବା ଯାହା, ଆମ ଓଡ଼ିଆ ସନ୍ତାନଙ୍କୁ ମଦର୍ସ ଡ଼େ ପାଳନ କରିବାକୁ କହିବା ସେଇଆ। ପରିବେଶ ଓ ପରିସ୍ଥିତିର ପ୍ରଭାବରେ ଆମର ଚାଲିଚଳଣି, ଚେହେରା, ଚରିତ୍ର ବଦଳିବ ନିଶ୍ଚୟ, କିନ୍ତୁ ବେଗ ଧାରଣ କରିନପାରିଲେ ଗାମୁଛା ବଦଳିବା ଭଳି ଆମ ସଂସ୍କୃତିକୁ ଏମିତି ବେଇଗି ବେଇଗି ବଦଳି ପକେଇବା କେମିତି? ବିଦେଶୀବାଲା ଆମ ସଂସ୍କୃତିରୁ ହାଣ୍ଡିଏ ନେଇ ଆମକୁ ସେଥିରୁ ଚାମୁଚେ ଚଖେଇଲେ, ଆମେ ତାକୁ ପରମ ଆହ୍ଲାଦରେ ଚାଟି ପକେଇ ‘ତମର ତ ଭଲ ଭଲ ଲାଗୁଚି’ ବୋଲି କହିବା କେମିତି?
ଗାଁରେ ଆମ ବାପା ଗୋସବାପା ଶହ ଶହ ନଡ଼ିଆ ଗଛ ଲଗାଇଛନ୍ତି। ବେପାରୀ ଆମରି ବାଡ଼ିରୁ ନାସିଲଗା ପଇଡ଼ ଟ୍ରକ୍ ପାରିଆଣି ସହରରେ ବିକୁଚି ଏବଂ ଆମେ ଗୋଟାକ ଦଶ ଟଙ୍କା ପନ୍ଦର ଟଙ୍କା ଦେଇ ସେ ବାସି ପଇଡ଼ ପିଇ ଓଠ ଚାଟି କହୁଚୁ ‘ଆହା କି ମିଠା’। ଇଏ ସେମିତି ଆମରି ସଂସ୍କୃତିରୁ ଶିଖି, ଆମ ବୋଉ ପ୍ରତି ଆମର ଜୀବନତମାମ ସେବା, ଯତ୍ନ, ଶ୍ରଦ୍ଧା ଓ ଭକ୍ତିକୁ ଦେଖି ଆମକୁ ଦିନଟିଏ ବୋଉ ପାଇଁ ସଚେତନ ହେବା ପାଇଁ ଶିଖଉଛନ୍ତି ତମେ ଜିଅନ୍ତା ବୋଉର ଦିନ ପାଳନ କରି କ’ଣ ପ୍ରେଜେଣ୍ଟେସନ୍ ଦଉଛ, ଆମେ ପରା ମଲା ବୋଉର ଦିନ ପାଳନ କରି ତାକୁ ପିଣ୍ଡଦାନ କରୁଛୁ, ତାକୁ ଶ୍ରଦ୍ଧାରେ ସ୍ମରଣ କରି ଶ୍ରାଦ୍ଧ ଦଉଛୁ, ତା’ର ସ୍ମୃତିତର୍ପଣ କରୁଛୁ, ଆଖି ଓଦା କରୁଛୁ ଆବେଗରେ, ଆନ୍ତରିକତାରେ ତମେ ତେଣୁ ଆଜୀବନ ଅଖଣ୍ଡ କୀର୍ତ୍ତନିଆଙ୍କୁ କୀର୍ତ୍ତନ ଶିଖଉଛ କ’ଣ ???
ପ୍ରାବନ୍ଧିକ ବିଦେଶୀ mother’s dayର ଆବେଗ ହୀନତା ଏବଂ ଆମ ସାଂସ୍କୃତିକ ମାତୃ ଦିବସ ପାଳନର ମହନୀୟତାର ତୁଳନାତ୍ମକ ବିଚାରକୁ ସୁନ୍ଦର ଉପସ୍ଥାପନା କରିଛନ୍ତି।
ଏ ହଉଛି ଯୁଗ ପରିବର୍ତ୍ତନର କରାମତି ।
ଗଳ୍ପ ମାଧ୍ୟମରେ ସମାଜକୁ ଭଲ ଦିଗ୍ ଦର୍ଶନ ଦେଇଛନ୍ତି ।
Sir,
Lekha ta bhouta bhala heichi. Kintu aara pata ta eete bhi kharapa nuhen. Maa sabu jagare Maa hin ate. Bidesini Maa bhitre bhi se Mamata achi.. heipare way of life ta tike bhinna. Mun swikara karuchi Anukarna ta kharap. ama sanskruti pain Mother’s day ra darakara nahin. aame bidesha re rahile bi dine pain bhi Maa saha ghante gapiba miss karunu to especially Mother’s day ra kan darkar…. aamapain sabu dina Mother’s Day.. kintu aamku anyara sanskruti ku pura kharap .. sethikara Maa sabu pura Putana bhaliya chtrana kariba bhi bhala nuhen… Maa sabujagre Maa hin ate… jaga nei ki mamata re farak padeni..
ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର ମୂଲ ଯେ କେବଳ ଆମ ଦେଶରେ ଅଛି ତା’ ନୁହେଁ ।
ବିଦେଶିନୀ ମାଆକୁ ‘ପୁତନା’ ସହିତ ଲେଖକ କେଉଁଠି ତୁଳନା କରିନାହାନ୍ତି । ସବୁଠାରେ ମାଆ ମମତାମୟୀ । ପୁତନାର ଯେ ମମତା ନଥିଲା, ତା’ କହିବା ବି ଠିକ ନୁହେଁ । ସେ ତା’ ମମତାକୁ ଭୁଲ ବାଟରେ ଲଗେଇଦେଲା ।
ଏଠାରେ ଲେଖକ ପଚାଶ ବର୍ଷ ଅନ୍ତରର ଦୁଇଟି ମାତୃପିଢ଼ି ମଧ୍ୟରେ ଥିବା ମମତା ସମ୍ପର୍କିତ ମୂଲ୍ୟବୋଧର ମୌଳିକ ପାର୍ଥକ୍ୟକୁ ସଫଳ ଭାବରେ ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରିଛନ୍ତି ଏବଂ ଲେଖା ମାଧ୍ୟମରେ ରୂପାୟିତ କରିଛନ୍ତି । ଏହା ନିଃସନ୍ଦେହରେ କୁହାଯାଇପାରେ ।
କ୍ରମ ବିବର୍ତନ ଧାରା ପ୍ରଭାବରେ ହୋଇଥିବା ମନସ୍ତାତ୍ୱିକ ପରିବର୍ତନ ଓ ସାଂସ୍କୃତିକ ବିଚ୍ୟୁତିକୁ ହିଁ ଲେଖକ ଦର୍ଶାଇଛନ୍ତି। ଅନ୍ୟଥା ଅନ୍ୟ କାହାର ସଂସ୍କୃତିକୁ ଆକ୍ଷେପ ନିଚା ଦେଖେଇଲା ଭଳି କିଛି ଅଛି ବୋଲି ମତେ ଲାଗିଲାନି। ଅବଶ୍ୟ ବିଚାର ଓ ତର୍ଜମା ବ୍ୟକ୍ତି ତୋ ବ୍ୟକ୍ତି ଭିନ୍ନ ହୋଇପାରେ।