ଧର୍ମର ଭୟ
କ୍ଷମତାର ଭୟ
ଜୀବନର ଭୟ
ପ୍ରତିବାଦର ଭୟ!

ଭୟ! ଭୟ!
ସମଗ୍ର ଜାତିର ରକ୍ତକଣିକା
ଖାଲି ଭୟର ବୀଜାଣୁରେ ଭରପୁର

ଆଃ
କେଡ଼େ ବ୍ୟାଧିଗ୍ରସ୍ତ ଏ ଜାତିଟା
ତା’ର ମାଦଳ ଠାକୁର ପରି,
କେଡ଼େ ନିର୍ବୋଧ ଏ ଲୋକମାନେ
ଭୋକରେ ବି ନିଦ୍ରା ଯାଇପାରନ୍ତି
କର୍ମକୁ ଆଦରି।

ମୁହଁରୁ ଦାନା ଛଡ଼େଇ ନେଇ ଯାଉଥିବା
ନିର୍ଦ୍ଦୟ ବ୍ୟକ୍ତିଟି ସାମ୍‌ନାରେ ବି
ପ୍ରତିବାଦହୀନ ଗୁଡ଼ାଏ ପଥରମୂର୍ତ୍ତି।

ଉଡ୍‌ଡିୟାନର ଆତ୍ମା
ଏବେ ବି ଶୋଇରହିଛି ଅନ୍ଧାରରେ
ଯେମିତି ଏ ଜାତିର ବୀରତ୍ୱକୁ
ପୋତି ଦିଆଯାଇଛି ନଈବାଲିରେ

କେଉଁ ଜୀବନ ଲୋଭି କବିର
କଲମ ଚାତୁରୀରେ
ଏବଂ ଏ ଜାତିର ଇତିହାସକୁ ବିକଳାଙ୍ଗ କରି
ଉପସ୍ଥାପନ କରାଯାଉଛି ସିଂହ ଶାବକକୁ।

ଯେଉଁଦିନ ଭୟର ଭୂତ
ହଟି ଯିବ ଆକାଶରୁ
ଆଉ ନଈବାଲିରୁ ପାଇକମାନେ
ଫେରି ଆସିବେ ଆପଣାର ଭୁଲ ବୁଝି
ସେଇ ଦିନ

ମାଦଳ ଠାକୁରର ହାତ ଗୋଡ଼ରେ
କଅଁଳି ଉଠିବ ମାଂସ
ନଇଁଯାଉଥିବା ମେରୁଦଣ୍ଡକୁ ସିଧା କରି
ଠିଆ ହେବ ଏ ଜାତି

ସାମ୍‌ନା କରିବ ସୂର୍ଯ୍ୟକୁ
ବିଶ୍ୱ ଦରବାରରେ
ସଦର୍ପେ ଘୋଷଣା କରି କହିବ
ମୁଁ ଓଡ଼ିଆ ମୁଁ ଓଡ଼ିଆ।