ଦୁଃଶାସନ ଆସିଅଛି ବସ୍ତ୍ର ହରିବାକୁ
ବସ୍ତ୍ର ଦୁର୍ଲଭ ଦିସେ ମର୍ତ୍ତେ, ସେ ହରିବ କାହାକୁ
ମନେ ମନେ ଦୁଃଶାସନ ସଂସୟେ ପଡ଼ିଲା
ବସ୍ତ୍ର ଅବା ଅନ୍ତବସ୍ତ୍ର କହ ଆରେ ବଳା
ନାରୀ ହୋଇ ସମାଜକୁ ଭ୍ରମିତ କରୁଛୁ
ପୁରୁଷ ପୋଷାକ ପିନ୍ଧି ବଜାରେ ଚାଲୁଛୁ।
ଏ ଯେ ସର୍ଟ ପ୍ୟାଣ୍ଟ ଉପରେ ମିନି ଟପ୍
ମୁଁ ଏଜୁକେଟେଡ୍ ଫିମେଲ,ଏ ଯେ ମୋର ଫେସନ୍ ଲେଟେଷ୍ଟ ଅପ୍ଡ଼େଟ୍
ନାରୀ ପୁରୁଷରେ ଏଠି ନାହିଁ ଭେଦ ବା ବିଚାର
ସଭିଙ୍କୁ ମିଳେ ଏଠି ସମାନ ଅଧିକାର।
ଦ୍ବାପର ଯୁଗରେ ଦ୍ରୌପଦୀ ବସ୍ତ୍ର ହରିଥିଲି
ବସ୍ତ୍ର ହରି ହରି ମୁଁ ଯେ ଥକିଗଲି
ନାହିଁ ତୋର ଦେହେ ଶାଢ଼ୀ, ନାହିଁ କି ଚାଦର
ହାଡ଼ଭଙ୍ଗା ଶୀତରେ ବସ୍ତ୍ର ଉପରେ ଦୟା ଆସିଲାନି ତୋର
ବସ୍ତ୍ର ନାମେ ପ୍ରହସନ କର କାହିଁ ପାଇଁ
ମର୍ତ୍ତ୍ୟରେ କି ପିନ୍ଧିବାକୁ ବସ୍ତ୍ର ମିଳୁନାହିଁ।
ମୁଁ ନୁହେଁ ଅସହାୟା ଦ୍ରୌପଦୀ ପରି
ଏକା ପଞ୍ଝାରେ ରେ ତୋର ଦାନ୍ତ ଦେବି ଝାଡ଼ି
ଆମେ ନୁହଁ ମୂର୍ଖ, ଅନ୍ସିଭିଲାଇଜଡ୍ ତୁମ ପରି
ବସ୍ତ୍ର ସଞ୍ଚୟ କରୁ ଆମେ ନେକ୍ଷ୍ଟ ଜେନେରେସନ୍ ଲାଗି
ଅଧିକ ବସ୍ତ୍ରରେ ଏଠି ହୁଏ ଚର୍ମ ରୋଗ
ବିନା ବସ୍ତ୍ରେ ମର୍ତ୍ତ୍ୟେ ମିଳେ ନିର୍ମଳ ସ୍ବଭାବ।
ଆରେ ରେ ମୂର୍ଖ ବାଳିକା ନାହିଁ କିବା ଡର
ମୁହିଁ ଦୁଃଶାସନ, ଦୁର୍ଯ୍ୟୋଧନ ଭ୍ରାତା ଅଟେ ମୋର
ତୋର ବସ୍ତ୍ର ହରି ନେଇ ଯିବି ମୁଁ ଦ୍ବାପର
ଦେଖାଇବି ଶ୍ରୀକୃଷ୍ଣଙ୍କୁ ନମୁନା ତାଙ୍କ ସୃଷ୍ଟିର
ପଚାରିବି ଶ୍ରୀକୃଷ୍ଣଙ୍କୁ ଏ କି ସଂସାର ଗଢ଼ିଛ
ବସ୍ତ୍ର ଦେଇ ପାରୁନା ମର୍ତ୍ତେ କିସ କରତା ହୋଇଛ।
ଡରେନାହିଁ ତୋତେ ଅବା ତୋର ଭ୍ରାତାକୁ
ଅଣ୍ଡର ୱାର୍ଲଡ଼ ଡନ୍ ହୋଇଥିଲେ ଡରିଥାନ୍ତି ତାକୁ
ବେସି ବକ୍ ବକ୍ ହେଲେ କରିବି ଚିତ୍କାର
ଯୁବକ ଠୁ ବୃଦ୍ଧ ଯାଏ ସଭିଏଁ ହୋଇବେ ଏକାକାର
ମୋ କହିବା ଆଗରୁ ତୋର ଦାନ୍ତ ଦେବେ ଝାଡ଼ି
ବଞ୍ଚିବାର ଥିଲେ ମୋହ ଯାଅ ମର୍ତ୍ତ୍ୟ ଛାଡ଼ି।
ଦୁଃଶାସନ ମନେମନେ ବିଚାର କରିଲା
ଭୀମଠୁ ବଳିୟାନ ଏତ ମର୍ତ୍ତ୍ୟର ବାଳା
କ୍ଷମାକର ଭ୍ରାତା ଦୁର୍ଯ୍ୟୋଧନ ମୋତେ
ମର୍ତ୍ତ୍ୟର ଲୋକେ ମାମୁଁ ଶକୁନି ଠାରୁ ବିଷାକ୍ତ ସତେ।