ନଈ ନାଇଁ
ଏଠି ଅଛି ସମୁଦ୍ର
ତିଆରିଚି ବାଲିଘର
ଖାସ୍ ତମ ପାଇଁ।
ସାରା ଖର୍ଚ୍ଚ:
ପାଞ୍ଚ ହଜାର ରକ୍ତ କଣିକା
ତିନି ଲକ୍ଷ ଝାଳ-ମୁକ୍ତା
ଦି କୋଟି ଶବ୍ଦ,
ବିନା ଦଲିଲ୍, ବିନା ଦୁର୍ନୀତିରେ
ଠିଆହେଇଚି ଏ ଉଆସ।
ଆଉ କୋଉଥିପାଇଁ ଥା’ନ୍ତୁ ନ’ଥାନ୍ତୁ
ଭିଜିଲାନ୍ସ ବାଲାଏ ଥା’ନ୍ତି ଉପାସ ଏଇ ପାଇଁ
ଇନ୍କମ୍ ଟାକ୍ସ ବାଲାଏ ଖୋଜନ୍ତି ରିଟର୍ଣ୍ଣ,
ଖୋଜ ଖବର ନିଏ ପୋଲିସ
କା’ କା’ ସ’ ରଚିତ ମୋର କେତେ ଦେଣ ନେଣ।
ବନ୍ଧୁ ବାନ୍ଧବ ସବୁ ଭାବୁଥିଲେ ଏୟା
ଭାଗ୍ୟକୁ ଛିଡିଲା ଶିକା:
ଭରା ମାଲ୍ରେ ଇଏ ବାନ୍ଧି ହୋଇ ଯାଇଚି
ଚିରା ସାର୍ଟ ଛିଣ୍ଡା ଜୋତା ଭଙ୍ଗା କଲମ ସିନା ଦେଖୁଚ
ନଇଲେ ଉଭା ପୋତା ୟାର କିଏ ଜାଣିଚି?
କେହି ଜାଣିଲେ ନାଇଁ
ଯା ପାଇଁ ଘର କରୁଚି ସିଏ ଏମିତି ସେମିତି ନୁହଁ
କେହି ଦେଖି ପାରିଲେ ନାଇଁ ଦେଖିବି
ଘର କରୁ କରୁ
ଫଗୁଣ ପୋଡି ଯାଇଛି ଛାଁ କେମିତି!
ଦୁଃଖ ନାଇଁ ଏଥିରେ
ଦୁଃଖ ଖାଲି ଏଇଯେ
ବୁଝି ହେଲା ନାଇଁ ତମକୁ
ଖାସ ଏ ଘର ତମର, କହି ହେଲା ନାଇଁ:
ଏତେ ଭିତରେ ମେଘ ହେଇଯାନ୍ତି କେମିତି ପ୍ରଜାପତି
ପଚାରିବାର ସାହାସ କାଇଁ??