ପାହାଡ଼ ସେପାଖୁ ଉଇଁ ଆସେ ରବି
ନାଲିଆ ମୁରୁଜ ବୁଣି,
ହମ୍ବାରଡ଼ି ଶୁଭେ ଗାଈ ଗୁହାଳରୁ
ଶୁଭେ ପକ୍ଷୀର କାକଳି ।୧।
ପାହାନ୍ତି ପହରର କୁମ୍ଭାଟୁଆ ଡାକ
ଭାଙ୍ଗେ ଭୁଆସୁଣୀ ନିଦ,
ବାସି ପାଇଟି ତା’ ସଅଳ ସାରିକି
ନଈକୁ ଗାଧୋଇ ଯିବ ।୨।
ଲୁଚି ଲୁଚି ଯାଏ ଫୁକିଆ ତାରାଟି
ଲିଭି ଲିଭି ଯାଏ ଜ୍ୟୋତ୍ସ୍ନା,
ସୁଲୁ ସୁଲୁ ବାଆ ବହି ଯାଉଥାଏ
ଆକାଶେ ହସେ ନୀଳିମା ।୩।
ପତର ଗହଳୁ ଭାସି ଭାସି ଆସେ
ଗଙ୍ଗଶିଉଳି ବାସନା,
ନିମିଷକ ପାଇଁ ଆସେ ସେ ଧରାକୁ
ତଥାପି ନୁହେଁ ହୀନମନା ।୪।
କ୍ଷଣିକ ଜୀବନ ଅନେକ ସପନ
ଦୋଳୁଛି ପତ୍ର ଗହଳେ,
ଖିଲି ଖିଲି ହସେ ବାସ ବହି ଆସେ
ହାରି ନାହିଁ ସେ ଜୀବନେ ।୫।
‘ବ୍ରାହ୍ମଣୀ’ ନଈଟି କୁଳୁକୁଳୁ ବହେ
ପଠାରେ ଶିବ ମନ୍ଦିର,
ଲକ୍ଷ୍ମୀ ଠାକୁରାଣୀ ବିଷ୍ଣୁଙ୍କ ଘରଣୀ
ଆଶିଷ ଢାଳନ୍ତି ସତ୍ବର ।୬।
ଗାଁଆ ରୂପ ମୋର କେତେ ଯେ ନିଜର
କହି ନ ପାରେ ଭାଷାରେ,
ସପନେ ଦେଖୁଛି ବହୁଦୂରୁ ଥାଇ
ପ୍ରଣତି ଜଣାଏ ଦୂରେ ।୭।
ଭାଷାର ସରଳତା ଗ୍ରାମ ର ସୁନ୍ଦରତା କୁ ଆହୁରି ମନୋରମ କରୁଛି…ଏ ଭଳି ଲେଖା ଆହୁରି ପଢିବାକୁ ମନ କରୁଛି।