ଅନାଦର କରିଚି କେଉଁ ମର୍ଦ୍ଦକୁ।
ଲଣ୍ଡିତ ମୁଣ୍ଡ ପଣ୍ଡିତ
ହେସ୍ରାରବରେ ଉନ୍ମତ୍ତ ସମ୍ରାଟ
ଧନିକପୁତ୍ର, ସୌଦାଗର,

ଆପଣା ବିବେକ ସହ ତର୍କରେ ପରାଜିତ ମଠ ମହନ୍ତ
ଶାଣିତ କଟୂକ୍ତିରେ ବିଦୀର୍ଣ୍ଣ ଅନ୍ତରାଳ
ନିଶାର ଅକ୍ତିଆରରେ ନୟାନ୍ତ ଶ୍ରୀମାନ୍‌
ଅନାଦର କରିଚି କେଉଁ ମର୍ଦ୍ଦକୁ
ପାନ୍ଥଶାଳା ପରି ଆପଣେଇନେଇଚି କ୍ଳାନ୍ତ ବାଟୋଇଙ୍କୁ।

ଅନିଚ୍ଛାରେ ଇଷତ୍‌ ହସ
ଆକାଶକୁ ଚାହିଁବାର ଋତୁ ନିଷ୍କ୍ରାନ୍ତ
ବୟସର ସୁଅ ହେଲା ବନ୍ଧଭଙ୍ଗା ନଈ
ପାଦର ପାଉଁଜି ହେଲା ଧ୍ବଂସର ଦୁନ୍ଦୁଭି।

ଆଖିର କଜଳ ହୁଏ ଝଡ଼ର କବରୀ
ଆକାଶର ପାଣିପାଗ ପରି ସମୟ ଭଉଁରୀ।
ଅନ୍ତରୀକ୍ଷରେ ଉଡୁଥିବା ସୂତାଛିଣ୍ଡା ଗୁଡ଼ି ପରି ମୋ’ କପାଳ
ଚଉରା ମୂଳେ ସଞ୍ଜବତୀ ଜାଳି କାହା ପାଇଁ ମାଗିବି ଆଈଷ?

ଚଇତରେ ଉଡ଼ା ଶିଖେ ନୂଆ ପ୍ରଜାପତି
କହିଲି: ଭାଇ, ମୁଁ ପରା ତମ ଅଲିଅଳ ତଅପୋଇ!
ମୁଁ ନିଜେ ମାଣିକ ଛେଳି
ନିଜେ ହଜି ବନସ୍ତରେ ନିଜକୁ ଖୋଜୁଚି
ବାଘ ହେଣ୍ଟାଳୁଚି!

ମହଳଣ ଖରା,
ଥୁଣ୍ଟାଗଛ ଛାଇ,
କହିଲି : ଥିରି ଥିରି କରି ତୋଳ ହେ ବାପା,
ଥିରି ଥିରି କରି ତୋଳ
ପତ୍ର ନ ଝଡ଼ିବ ଗଛ ନ ହଲିବ,

ମୁଁ ତ କଞ୍ଚନ ଫୁଲ,
ଏଠି ତ ଦେଣନେଣ ଦେହ ମାପି ଦାମ୍‌,
ସମସ୍ତେ ତ ସନ୍ୟାସୀ ଡେଇଁଲେ ଏରୁଣ୍ଡି ବନ୍ଧ
କେଉଁ ପୁରୁଷର ଦୁଷ୍ଟାମୀକୁ ମୋର ଅଭିମାନ?

ଦର୍ପଣରେ ନିଷ୍ପ୍ରଭ ଓଠର ରଙ୍ଗ
ସକାଳକୁ ଅପେରା ନାୟିକାର ଅବାସ୍ତବ ଜୀବନ
ସଫା ଦିଶୁଥାଏ ମୋର ବିକୃତ ଭୂଗୋଳ,
କାଠ ଢାବଲରେ ମୁଁ ବରଫ ଭିତରେ ମାଛ।

ସମସ୍ତଙ୍କ ଅଝଟ ଏକ ପ୍ରକାରର
ଚୁପ୍‌ କରିଦେଇଚି ସବୁ କାନ୍ଦୁରାଙ୍କୁ
ମଢ଼ର ଅସହାୟତା ପରି ସହିଚି ଶାଗୁଣାର ଭୋକ,
ସମସ୍ତେ ତ ଦେହର ଗରାଖ!

ଆରବୀୟ ତମ୍ବୁ ପରି ସକାଳକୁ ନଥାଏ ଜହ୍ନ
ନଥାନ୍ତି ଈଶ୍ବର।

ସକାଳକୁ ଛାଇ ମୋର କୁଷ୍ଠରୋଗୀ ଘା’ ପରି ଘୃଣ୍ୟ,
କେଉଁ ସତୀତ୍ବର ରାଣରେ ରାତିକୁ କରି ସାତରାତି
ଜହ୍ନକୁ କରିବି ଆକଟ,
ମୁଁ ପରା ଆଲୁଅରେ ନର୍କକୁ ନିକଟ।