‘ଓଡ଼ିଶା ବୋଇଲେ ଏ କ୍ଷେତ୍ରରେ ବୁଝିବାର ଅଛି ଏବର ଓଡ଼ିଶା। ଏବର ଓଡ଼ିଶା ତିନୋଟି ଅଞ୍ଚଳର ସମିଶ୍ରଣ କୁହାଯାଇଛି। ସେଥିରୁ ଗୋଟିଏ ହେଉଛି ଉତ୍ତରକୁ ଉତ୍କଳ। ଏହା ପ୍ରାଚୀନ କାଳରେ ଯାଜପୁରଠାରୁ ରାଢ଼’ ଆଡ଼କୁ। ଏହାର ସଂସ୍କୃତି, ବଙ୍ଗ ସଂସ୍କୃତି ସଙ୍ଗେ ପ୍ରାୟ ସମାନ। ଅତି ପ୍ରାଚୀନକାଳରୁ ଏଠାରେ ଭୌମମାନେ ଦକ୍ଷିଣକୁ ଦେଶ ଜିଣି ଯାଇଥିଲେ। ଓଡ଼ିଆ ଅକ୍ଷର ଓ ଉଚ୍ଚାରଣ ପ୍ରଭୃତି ବହୁ ପରିମାଣରେ ସେଇକାଳୁ ବଙ୍ଗଳା ଅକ୍ଷର ଓ ଉଚ୍ଚାରଣ ସଙ୍ଗେ ସମାନ। ସେଇ ବଙ୍ଗକୁ ‘ରାଢ଼’ କୁହାଯାଉଥିଲା। ଅତି ପ୍ରାଚୀନ କାଳରେ ‘ଉତ୍କଳ-ରାଟ’ ବୋଲି ଭୂମିଖଣ୍ଡର ନାମ ଥିଲା। କାଳକ୍ରମେ ସେଥିରୁ ଉତ୍ତର ଆଡ଼କୁ ନାମ ହେଲା- ‘ରାଢ଼’- ଦକ୍ଷିଣ ଆଡ଼ର ନାମଟି ହେଲା ‘ଉତ୍କଳ’। ସ୍ପଷ୍ଟତଃ ଏଇ ଉତ୍କଳ ଗୟାଠାରୁ ଦକ୍ଷିଣ ବା ଉପକୂଳ ଆଡ଼କୁ।
ଏଇ ଯାଜପୁରଠାରୁ ଦକ୍ଷିଣ ଆଡ଼କୁ ଗୋଦାବରୀ ଯାଏ ନହେଲେ ମଧ୍ୟ ସେଇ ପର୍ଯ୍ୟନ୍ତ, ସ୍ପଷ୍ଟତଃ ନାଗାବଳୀ ପର୍ଯ୍ୟନ୍ତ, ଭୂମିଖଣ୍ଡର ନାମ ହୋଇଥିଲା କଳିଙ୍ଗ। ଏହା ବଡ଼ ପ୍ରାଚୀନ ନାମ। ଏଇ କଳିଙ୍ଗର ଭାଷା ଖୁବ୍ ସମ୍ଭବ ବୈଦିକ ଭାଷା ବା ଆର୍ଯ୍ୟଭାଷା ନଥିଲା। ଏହାଥିଲା, ଦ୍ରାବିଡ଼ ବା ଅତି ପ୍ରାଚୀନ କାଳରେ ତାମିଲ ଭାଷା ପରି।
ଏଇ ଓଡ଼ିଶାର ତୃତୀୟ ଖଣ୍ଡକ ହେଉଛି ସ୍ବତନ୍ତ୍ର। ସପ୍ତମ-ଅଷ୍ଟମ ଶତାବ୍ଦୀ ଅର୍ଥାତ୍ ଚୀନ ପରିବ୍ରାଜକ ହୁଏନସାଂ ପ୍ରଭୃତି ଭାରତକୁ ଆସିଲା ବେଳକୁ ଏହାର ନାମ ଥିଲା ‘ଉଡ଼୍ଡ଼ିୟାନ’।
ଏହା ଦକ୍ଷିଣ କୋଶଳ ବୋଲି ତା ପୂର୍ବରୁ ନାମିତ ଥିବାର ମନେହୁଏ। ଖ୍ରୀଷ୍ଟ ଅଷ୍ଟମ ଶତାବ୍ଦୀ ବେଳକୁ ଏଇ ଉଡ଼୍ଡ଼ିୟାନର ସୀମା ଥିଲା, ଏବର ବୌଦ୍ଧଠାରୁ ବିଳାସପୁର ଯାଏ। ଏଇ ଉଡ୍ଡ଼ିୟାନରେ ମହାନଦୀର ଉପନଦୀମାନେ କଟକ ଆଡ଼କୁ ବୋହିଯାଇ ସମୁଦ୍ରରେ ମିଶୁଛନ୍ତି।
କଳିଙ୍ଗର ପ୍ରାଚୀନ ସଂସ୍କୃତି ଏ ସମସ୍ତ ମିଶ୍ରଣ ମଧ୍ୟରେ ବଡ଼ ପ୍ରସିଦ୍ଧ ଥିଲା। ଦକ୍ଷିଣ ପ୍ରଶାନ୍ତ ମହାସାଗର ଦ୍ବୀପମାନଙ୍କରେ ତଥା ସେଇବାଟେ ଆମେରିକାକୁ ଏଇ କଳିଙ୍ଗ ସଂସ୍କୃତି ଯାଇ, ଅତି ପ୍ରାଚୀନ କାଳରେ ବ୍ୟାପ୍ତ ହୋଇଥିବାର ପ୍ରମାଣମାନ ଏବେ ବହୁତ ମିଳୁଛି। ଏ ସମ୍ପର୍କରେ ଚମନଲାଲ୍ଙ୍କର ‘ହିନ୍ଦୁ ଆମେରିକା’ ପୁସ୍ତକ ବେଶ୍ ଅନୁସନ୍ଧାନ କରାଯାଇପାରେ।
ମାତ୍ର ଧର୍ମ ବିଷୟରେ ବିଶେଷ ଭାବରେ କହିବାର କଥା ଆଉ ମନେରଖିବାର କଥା, ଏ କ୍ଷେତ୍ରରେ ବଡ଼ ସ୍ବତନ୍ତ୍ର। କଳିଙ୍ଗର ଧର୍ମ ପୃଥିବୀର ସମସ୍ତ ଧର୍ମରେ ଆଧ୍ୟାତ୍ମବାଦ ରୂପେ ଏବେ ବି ଖୁବ୍ ପ୍ରଚ୍ଛନ୍ନଭାବରେ ହେଲେ ମଧ୍ୟ ପ୍ରକାଶ ପାଉଛି।
କଳିଙ୍ଗରେ ବହୁ ପ୍ରାଚୀନ କାଳରେ ଏପରିକି ଖ୍ରୀଷ୍ଟ ପ୍ରତିଲୋମ ଅନ୍ତତଃ ଦୁଇ ତିନି ହଜାର ବା ଅଧିକ ବର୍ଷ ତଳରୁ ଦ୍ରାବିଡ଼ମାନେ ମଧ୍ୟ ଆଫ୍ରିକାରୁ ଆସି ବସତି କରି ଯାଇଥିଲେ। ସେଇ କଳିଙ୍ଗମାନଙ୍କର ଉପାସ୍ୟ ଥିଲା, ମାନବର ଆତ୍ମା ବା ଶରୀର ଅଧିକାରରେ ଥିବା ଆତ୍ମା। ଏହାକୁ ସେକାଳେ ‘ପୁରୁଷ’ କହୁଥିଲେ। ଏଇ ପୁରୁଷକୁ ଡକ୍ଟର ସୁନୀତି କୁମାର ଚାଟାର୍ଜୀ କହନ୍ତି, ଏହା ଗୋଟିଏ ଦ୍ରାବିଡ଼ ଶବ୍ଦ। ପରବର୍ତ୍ତୀ ବେଦ ସାହିତ୍ୟରେ ଏହା ପ୍ରବେଶ କରିଥିଲା। ଏହା ମୌଳିକ ଭାବରେ ହେଉଛି ‘ପୁବୃଷ’। ଏହା ବୈଦିକ ଭାଷା ହିସାବରେ ହେବ, ‘ପୁରଷ’ ବା ପୁର୍ଷ’-‘ପୁରୁଷ’ ନୁହେଁ। କିନ୍ତୁ ଦ୍ରାବିଡ଼ ଶୈଳୀରେ ଏହା ହେବ, ‘ପୁରୁଷ’। ଦ୍ରାବିଡ଼ ସମ୍ପର୍କରେ ଏଇପରି ଅନେକ ଶବ୍ଦ ବଦଳି ଯାଇଥିବାର ଏବେ ବି ସ୍ପଷ୍ଟ ଦେଖାଯାଏ। ଯଥା ‘ଶ୍ରୀମଳାଇ’-ତିରୁମଳାଇ; ‘ଶ୍ରୀପତି’- ତିରୁପତି। ଏଠାରେ ସବୁ ‘ଶ୍ରୀ’ ହୋଇଚି, ‘ତିରୁ’। ଏହା ଦ୍ରାବିଡ଼ ସମ୍ପର୍କରେ ବୈଦିକ ଭାଷା ଉପରେ ପ୍ରଭାବ।
ଏଇ ‘ପୁରୁଷ’-ଶବ୍ଦ ନ ଆସିଥିଲେ ମଧ୍ୟ ଭାବଟି ଆସିଥିଲା-ଖୁବ୍ ସମ୍ଭବ ଦକ୍ଷିଣ ଆଫ୍ରିକାରୁ ଭୂମିବାଟେ- ପୁଣି କେଜାଣି ବା ସମୁଦ୍ର ବାଟେ- ଭାରତକୁ। ଏଇ ‘ପୁରୁଷ’ର ପ୍ରଧାନ ପୀଠ କଳିଙ୍ଗ ଉପକୂଳରେ ଏବେ ପୁରୀ ପାଖ ‘ପୁରୁଷକ୍ଷେତ୍ର’ ବା ‘ପୁରୁଷୋତ୍ତମ କ୍ଷେତ୍ର।
ଆଉ ଗୋଟିଏ ହେଉଛି, ନିଷାଦମାନଙ୍କର ସଂସ୍କୃତି। ଏହା ମଧ୍ୟ ଦ୍ରାବିଡ଼ିମାନଙ୍କ ଆସିବାର ଆହୁରି ପୂର୍ବରୁ ଆସିଥିଲା। ବିସ୍ତୃତ ଭାବରେ ମଧ୍ୟ ଆଫ୍ରିକାରୁ ଭାରତକୁ ଆସି ଏହା ପୂର୍ବ-ଭାରତ ଓ ଦକ୍ଷିଣ ପୂର୍ବ ମହାସାଗର ଆଡ଼କୁ ବିସ୍ତୃତ ହୋଇଥିବାର ଅନୁମାନ ହୁଏ। ଏ ଦୁଇଟି ଧର୍ମ ଅତି ମୌଳିକ। ସମ୍ଭବତଃ ଏ ଦୁଇଟିଯାକ ଧର୍ମର, ମାତାର ସନ୍ତାନ ପ୍ରସବ ସଙ୍ଗେ ସମ୍ପର୍କ ଥିଲା।
ପ୍ରଥମେ ନିଷାଦ ଧର୍ମ, ତାହା କ୍ରମେ ମାତା ସନ୍ତାନକୁ ଶୂନ୍ୟରୁ ପ୍ରସବ କଲାପରି ବିଶ୍ବର ସୃଷ୍ଟି-ରୂପ କଳ୍ପନାରେ ପ୍ରଯୁକ୍ତ ହେଲା। ସେଥିପାଇଁ ଏବେ ବି ଅଛି, ପିତାର ବିନା ସମ୍ପର୍କରେ ମାତା ସୃଷ୍ଟି କଲାପରି ପୃଥିବୀ ଶୂନ୍ୟରୁ ସୃଷ୍ଟି କରାହେଲା।
ଆଉ ଦ୍ବିତୀୟଟି ହେଉଛି, ସେଇ ମାତା ସନ୍ତାନ ଜନ୍ମ କରିବାରେ ଯେପରି ଆତ୍ମ-ବିସ୍ମୃତ ହୁଏ, ସେଇପରି ଧାରଣା। ଏଇଥିରୁ ବିଶ୍ବପରିବାର ଭାବ ମାନବ ସମାଜରେ ଫୁଟି କ୍ରମେ ବ୍ୟାପ୍ତ ହେଲା। ଏହା ଇ ହେଉଚି, ଦ୍ରାବିଡ଼ ଧର୍ମ।
ଏଇ ନିଷାଦପୀଠ ପ୍ରାଚୀନକାଳରେ ଥିଲା ଏଇ ଓଡ଼ିଶାର ଉଡ଼୍ଡ଼ିୟାନ ଭାଗରେ। କାଳକ୍ରମେ ଏହା ପ୍ରତିଷ୍ଠିତ ହୋଇଥିଲା- ‘ସଉରୀନାରାୟଣ’ ନାମକ ସ୍ଥାନରେ- ମହାନଦୀର ଉପନଦୀ ‘ଜୋଙ୍କ୍’ ଓ ମହାନଦୀର ସଙ୍ଗମ ସ୍ଥଳରେ। ଏହା ଉଡ଼୍ଡ଼ିୟାନ୍ର ଗୋଟିଏ ସ୍ଥାନ।
ଏଇ ଉଡ଼୍ଡ଼ିୟାନର ଏ ସ୍ଥାନଟି ହେଉଛି, ଏଇ ମାତୃଧର୍ମର ପ୍ରଧାନ ସ୍ଥାନ। ଏହା କାଳକ୍ରମେ ନିଷାଦମାନଙ୍କ ଭିତରେ କ୍ରମେ ନିମ କାଠର ମୂର୍ତ୍ତିପୂଜା କରିବାରେ ପର୍ଯ୍ୟବସିତ ହୋଇଥିଲା ଓ ଏଣେ ପୁରୀ ଉପକୂଳରେ ‘ପୁରୁଷ’ ପୀଠର ପ୍ରତିଷ୍ଠା ସ୍ପଷ୍ଟ ହୋଇଯାଇଥିଲା। ଏହି ଦୁହିଙ୍କ ଭିତରେ ଖୁବ୍ ସାଂସ୍କୃତିକ ବିବାହ ଘୋଟି ରହିଥିବାର ବେଦରେ ପ୍ରମାଣ ମିଳେ।
ଏଇ ପୁରୁଷକଳ୍ପ ନିମକାଠର ବହୁତ ଇତିହାସ ଓ ପରମ୍ପରା ପ୍ରାଚୀନ ଭାରତ ସାହିତ୍ୟରେ ଅଛି। ଏହାକୁ ଥରେ ହୈମବତୀ ‘ଉମା’ ବୋଲି କହି ଋଷିମାନେ ନାରୀର କଳ୍ପନା ସୃଷ୍ଟିର ମୂଳରେ ଦେଖିବାର କଥା ‘କେନୋପନିଷଦ’ ରେ ସ୍ପଷ୍ଟ ଅଛି। ତା’ପରେ ବରାହ ମିହିରାଚାର୍ଯ୍ୟ ପ୍ରାୟ ଖ୍ରୀଷ୍ଟ ଷଷ୍ଠ ଶତାବ୍ଦୀରେ ଯେଉଁ ମୂର୍ତ୍ତି କଳ୍ପନା କରିଥିଲେ, ସେଥିରେ ‘ବାସୁଦେବ-ସଙ୍କର୍ଷଣ’ ବା କୃଷ୍ଣ-ବଳରାମ ଦୁହିଁଙ୍କ ମଧ୍ୟରେ ଏକାନଂଶା ବୋଲି ନାରୀମୂର୍ତ୍ତି ଅଙ୍କନ କରିଥିବାର ଲକ୍ଷ୍ମୌ ମ୍ୟୁଜିୟମ୍ରେ ଥିବା ମୂର୍ତ୍ତିରୁ ଦେଖାଯାଇଚି। ଏଇ ଉଡ଼୍ଡ଼ିୟାନରୁ ଖଣ୍ଡକର ରାଜା ଇନ୍ଦ୍ରଭୂତି ଏଇ ଖ୍ରୀଷ୍ଟ ଅଷ୍ଟମ ଶତାବ୍ଦୀରେ ଏହାକୁ ‘ସର୍ବଜନ ବରାର୍ଚିତ’ ଓ ଶୂନ୍ୟବୁଦ୍ଧ ରୂପ ବୋଲି ସ୍ମୃତି କରିଛନ୍ତି।
ପୁଣି ଏଇ ଶୂନ୍ୟ ଧାରଣା ଅତି ପ୍ରାଚୀନ କାଳରୁ ବେଦର ‘ନାସଦୀୟସୂକ୍ତ’ରେ କୁହାଯାଇ ବର୍ଣ୍ଣନା କରାଯାଇଛି।
ଏ ଦୁଇଟି ପୀଠ ଗୋଟିଏ କଳିଙ୍ଗ ଓ ଆଉ ଗୋଟିଏ ଉଡ଼୍ଡ଼ିୟାନରେ ବହୁ ଆଦିମ କାଳରୁ ପ୍ରତିଷ୍ଠିତ ହୋଇ ଆସିଥିଲା। ଏ ଦୁହିଁଙ୍କର ବିବାଦ ମଧ୍ୟ ବଡ଼ ପ୍ରକାଶିତ ଭାବରେ ଫୁଟି ଉଠିଥିଲା। ଏହାପରେ ଚୋରଗଙ୍ଗଦେବ କଳିଙ୍ଗର ସମ୍ରାଟ ହେଲେ। ଉଡ଼୍ଡ଼ିୟାନ ଓ ଉତ୍କଳ ତାଙ୍କ ଅଧୀନରେ ଥିଲା। ସେତିକିବେଳକୁ ପଚାଶ ପୂର୍ବରୁ ଗଜନୀର ମାହମୁଦ୍ ହିନ୍ଦୁଙ୍କର ପଶ୍ଚିମ ଭାରତର ମହାପୀଠ ‘ସୋମନାଥ’ଙ୍କୁ ଧ୍ବଂସ କରିଦେଲେ ୧୦୨୪ ଖ୍ରୀ:ଅ:ରେ। ଭାରତରେ ଆଉ ହିନ୍ଦୁଙ୍କର ଦେବସେବା କରିବାର ପ୍ରଧାନସ୍ଥାନ ରହିଲା ନାହିଁ। ଏତିକି ବେଳକୁ ରାମାନୁଜାଚାର୍ଯ୍ୟ ବା ତାଙ୍କର କୌଣସି ପ୍ରଧାନ ଶିଷ୍ୟ ଦକ୍ଷିଣରୁ ଆସି ଚୋରଗଙ୍ଗଦେବଙ୍କ ରାଜ୍ୟରେ ପହଞ୍ଚିଲେ। ଅନୁମାନ ହୁଏ, ତାଙ୍କରି ପ୍ରେରଣା ଓ ପରାମର୍ଶରେ ଚୋର-ଗଙ୍ଗ ଜଗନ୍ନାଥରେ ମନ୍ଦିରାଦି ତିଆରି କରି ସଉରୀ ନାରାୟଣରୁ ଏଇ ନିମକାଠ ମୂର୍ତ୍ତି ମହାନଦୀରେ ପୁରୀକୁ ଅଣାଇଲେ ଓ ପୁରୀର ‘ପୁରୁଷପୀଠ’ରେ ଜଗନ୍ନାଥ ମୂର୍ତ୍ତିର ପ୍ରତିଷ୍ଠା କଲେ। ଏହାକୁ ସ୍କନ୍ଦ ପୁରାଣରେ ପୌରାଣିକ ଅଖ୍ୟାୟିକା ତିଆରିକରି ଜଗନ୍ନାଥର ବୋଲି ବର୍ଣ୍ଣନା କରାଯାଇଛି।
ଏ ଯେଉଁ ଦୁଇଟି ଦେବତାର ମିଶ୍ରଣ କରାଇ ଦିଆଗଲା, ଏହା ପୃଥିବୀରେ କୌଣସି ଦେବତା ବା ପୌତ୍ତଳିକତାର ପ୍ରତିଷ୍ଠା ନୁହେଁ, କିମ୍ବା ଏଥିରେ ‘ଏକେଶ୍ବର’ ବାଦପରି କୌଣସି ଧର୍ମବାଦର ଆଭାସ ନାହିଁ। ଏହା ପୁରୁଷ ରୂପରେ ପୃଥିବୀର ମୌଳିକ ଆଧ୍ୟାତ୍ମବାଦ ସଙ୍ଗେ ନିମକାଠର ଦେବମୂର୍ତ୍ତିର ଶୂନ୍ୟରୂପ ମିଶି ଏକାକାର ହୋଇଗଲା। ଏହାର ନାମ ହେଲା ‘ଜଗନ୍ନାଥ’। ହୁଏତ ବିବାଦବେଳୁ ଏଇ ନାମରେ ପୁରୁଷପୀଠ ମଧ୍ୟ ନାମିତ ହୋଇଥିବାର ସମ୍ଭବ ହୁଏ। ତେବେ ଏହା ପୃଥିବୀର ସଂସ୍କୃତିକୁ ଗୋଟିଏ ମୌଳିକ ଓ ଦୃଢ଼ ଅନୁଷ୍ଠାନର ‘ନିତ୍ୟ-ଦାନ’। ଏପରି ଦାନ କେବଳ ଓଡ଼ିଶାରେ ସମ୍ଭବ ହୋଇଛି।