ଏଥର ଆସିଚି କାଳ ପରିପୂର୍ଣ୍ଣ ଜରା ଓ ମୃତ୍ୟୁର
ଏଥର ଆସିଚି ଋତୁ ଲୋଳଚର୍ମା ବୁଢ଼ୀମାନଙ୍କର
କତରା କାଖେଇ କୋଳେ, ଇଷତ୍‌ ଉଷ୍ଣତା ପାଇଁ
ଉହ୍ମେଇରେ ସ୍ବରଗ ଖୋଜିବା।

ପବନ ପନିକି ଧରି କେଳଉଛି ରାତିର ଦେହକୁ,
ଏ ବର୍ଷ ବୁଢ଼ା ଯିବେ ଚାଲି ଅପର ପୁରକୁ,
ପାକୁ ପାକୁ ପାଟି କରି ସେ ହିସାବ ସେମାନେ କରନ୍ତି,
ଆମ ଗାଁର ବୁଢ଼ାକୁଳ, ଦନ୍ତହୀନ ମାଢ଼ି ଖାଲି ହଲେ,
ପାହାଡ଼ର ଶିଖ ପରି ଦୁଇପଟେ ଜାଗରିତ ହନୁ।

ଏ ବର୍ଷ ଭାରି ଶୀତ
ଛପି ଛପି ଶୀତ ଋତୁ କେତେବେଳେ ପଶିଛି ଗାଁଆରେ!
ନିଶ୍ଚଳ ଆମ୍ବ ତୋଟା, ଖରାର ଉଷୁମ ଟାଣେ
ଡାଳ ଅଗେ ଘୁମୁରି କପୋତ।

ନଈ ଆଜି କାଲି ବାଲି,
ଦିଗ୍‌ବଳୟ ଢାଙ୍କିଛି କୁହେଳି,
ଦୂରର ପାହାଡ଼ ସବୁ ଧୂସର ସ୍ବପନ ଭଳି
କୁହୁଡ଼ିରେ ମ୍ଳାନ।

ବେଳଗତ ହେଲେ ପୁଣି ଘୋଟିଆସେ ପାଣ୍ଡୁର ରଜନୀ,
ସୂର୍ଯ୍ୟଟା ମରିଯାଏ ଝଟ୍‌ କରି, ନିଜ ରକ୍ତେ ଖେଳୁ ଖେଳୁ ହୋରି,
ନିଷ୍ଠୁର ବ୍ୟାଧ ପରି ଲୁଚି ରାତିର ଉହାଡ଼େ,
ଶୀତ ଆସେ ଦୁର୍ନିବାର ଅନ୍ଧାରର ଦେହରେ ବିହରି।

ସେ ଆସିଚି ଦେଖିବାକୁ ଜରତୀଙ୍କ ଏ ଯେଉଁ ଯନ୍ତ୍ରଣା
ଏଥର ଆସିଚି ଶୀତ-ମାସର ଏ ଅସହ୍ୟ ତୁହିନ
ଏଥର ଆସିଚି ଦିନ ନିର୍ମଳ ଅବକ୍ଷୟତାର
ଏଥର ଆସିଚି ରାତି କରିବାକୁ ଘୋର ଉତ୍‌ପୀଡ଼ନ।