ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ସମୟ କେତେ ଜିନିଷ ବଦଳେଇ ଦିଏ ଗୋଟିଏ ସମୟରେ ଯାହା ଅତି ମୂଲ୍ୟବାନ୍ ମନେ ହେଉଥିଲା, ଆଜି ତାହା ସାଧାରଣ ହୋଇଗଲାଣି ପୁଣି ଗୋଟେ ସମୟରେ ଯାହା ନିହାତି ସାଧାରଣ ମନେ ହେଉଥିଲା, ଆଜି ତାହାହିଁ ମନେ ହୁଏ ଅତି ମୂଲ୍ୟବାନ୍
ସତୁରୀ ଦଶକର ମଝାମଝିରେ ମୁଁ ସ୍କୁଲ ଡେଇଁ କଲେଜ ଗଲି ଆମ ଭିତରୁ ଅଧିକାଂଶଙ୍କର ସେତେବେଳେ ହାତଘଣ୍ଟା ନଥିଲା ପରୀକ୍ଷା ଦିନମାନଙ୍କରେ ବାପାଙ୍କ ଘଣ୍ଟା ମାଗି ପିନ୍ଧୁଥିଲୁ ଆମର ଜଣେ ସାଙ୍ଗ ଗେଲୁ ଦିନେ ଗୋଟିଏ ହାତବନ୍ଧା ଘଣ୍ଟା ଆଣି ଦେଖେଇଲା ସେମିତି ଘଣ୍ଟା ଆମେ ଆଗରୁ ଦେଖି ନଥିଲୁ ସେଥିରେ ଟିକ୍ ଟିକ୍ କରି ଚାଲୁଥିବା ମିନିଟ୍ କଣ୍ଟା, ସେକେଣ୍ଡ କଣ୍ଟା ନଥିଲା ସମୟ ପୁରା ଜଳ ଜଳ ହୋଇ ଦିଶୁଥିଲା ଅକ୍ଷରରେ ସୁଇଚ୍ ଟିପିଦେଲେ ପୁଣି ଲାଇଟ୍ ଜଳୁଥିଲା ସେ ଘଣ୍ଟା ଭିତରେ
ଆମେ ଘଣ୍ଟା ଦେଖି ଟେରା ଗେଲୁ କହିଲା, ଜାଣିଛୁ ଏଥିରେ ଆଲାର୍ମ ବି ଅଛି
ଆମେ ଆହୁରି ଟେରା
ଗେଲୁ କହିଲା, ଏ ଘଣ୍ଟାଟା ମୋ ଭାଇ ପଠେଇଛି ଆମେରିକାରୁ
ଗେଲୁର ଭାଇ ଆମେରିକାରେ ରହୁଥିଲେ ସେଠି ସେ କେଉଁ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଆମ ସହରର ଗର୍ବ ଓ ଗୌରବ ଆମ ସହରରେ ତାଙ୍କ ପୂର୍ବରୁ କେହି ବିଦେଶ ଯାଇ ନ ଥିଲେ ସେତେବେଳେ ବିଦେଶ ଯାଉଥିବା ଲୋକ ଥିଲେ ହାତଗଣତି
-ଜାଣିଛୁ ୟାର ଦାମ୍ କେତେ ? ଗେଲୁ ଆମକୁ ପଚାରିଲା
-କେତେ ?
-୫୦ ଡଲାର
ଗୋଟିଏ ଡଲାର ସେତେବେଳେ ୧୫ ଟଙ୍କା ଆମେ ଘଡି ଦାମ୍ ଶୁଣି ଥମ୍ ମାରି ରହିଗଲୁ ଗେଲୁ ସେ ଘଡିରେ ଆମକୁ ହାତ ମରେଇ ଦେଉ ନଥିଲା ଆମେ ଏ ଘଡି ପାଇଁ ତାକୁ ଇର୍ଷା କରୁଥିଲୁ ଆମ କଲେଜରେ ସବୁ ଝିଅମାନେ ସେ ଘଣ୍ଟା ଦେଖିବାକୁ, ସମ୍ଭବ ହେଲେ ଛୁଇଁ ଦେଖିବାକୁ ବ୍ୟାକୁଳ ଥିଲେ ଘଣ୍ଟା ପାଇଁ ଗେଲୁ ଭାରି ହିରୋ ହୋଇଗଲା
ଏବେ ମୋ ଛ’ ବର୍ଷର ପୁଅ ସେମିତି ଘଡି ପିନ୍ଧି ଚାରିଟାବେଳେ କ୍ରିକେଟ ଖେଳିବାକୁ ଯାଏ ଢେଙ୍କାନାଳର ଲକ୍ଷ୍ମୀପୂଜାମେଳାରେ କୋଡିଏ ଟଙ୍କାରେ ମୁଁ ତାକୁ ସେ ଘଣ୍ଟାଟା କିଣି ଦେଇଛି ଶୁଣିଛି ଦିଲ୍ଲୀର ସଦରବଜାରରେ କୁଆଡେ ଓଜନ ଦରରେ ଏମିତି ଘଡି ମିଳୁଛି
ଆମ ସମୟରେ (ସେତେ ପୁରୁଣାବି ନୁହେଁ, ମୁଁ ୭୦-୮୦ ଦଶକ କଥା କହୁଛି) ଟେଲିଫୋନ ଗୋଟେ କରିବାକୁ ଗଲେ ନାନା ଝାମେଲା ଟ୍ରଙ୍କକଲ୍ଟିଏ ବୁକ୍ କରିଥିବ ତ ବସିଥା ଦି ଘଣ୍ଟା ତିନି ଘଣ୍ଟା ଭଦ୍ରକରୁ କଟକ କଥା ହେବାକୁ ଗଲେ ଚାତକ ଭଳି ଚାହିଁ ବସିଥା ଟେଲିଫୋନ୍ ଯାହା ଘରେ ଥିଲା ସେ ଭାରି ବଡଲୋକରେ ଗଣା ହେଉଥିଲା ଏବେ ଆମ ଧୋବା କହୁଛି ମୋ ଟେଲିଫୋନ୍ ନମ୍ବରଟା ରଖନ୍ତୁ ଘରେ ମଇଳା କପଡା ଅଧିକ ହୋଇଗଲେ ମୋତେ ଖବର ଦେଇଦେବେ ଆସିଯିବି ତୁଛାରେ କାହିଁକି ପ୍ରତି ଦି’ ଦିନ ଛାଡି ଆସୁଥିବି ଆମ ଛକମୁଣ୍ଡରେ ଯେତେଟି ଅଟୋବାଲା ବସିଥାନ୍ତି, ସେମାନେ ସମସ୍ତଙ୍କ ପକେଟରେ ମୋବାଇଲ ଫୋନ୍
ଗୋଟିଏ ସମୟ ଥିଲା ବଜାଜ ସ୍କୁଟରଟିଏ କିଣିବାକୁ ଗଲେ ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡୁଥିଲା ଭେସ୍ପା ସ୍କୁଟର କିଣିବାର ଫର୍ମ ବ୍ଲାକରେ ବିକ୍ରି ହେଉଥିଲା ଆଜି ଆପଣ ସ୍କୁଟର ମୋଟର ସାଇକେଲ କିଣିବେ ବୋଲି କହିଲେ କମ୍ପାନିବାଲା ଆପଣଙ୍କ ଘରେ ଆସି ଦେଇଯିବେ ଟଙ୍କା ନଥିଲେ ଋଣ ଦେଇ, ଜ୍ବାଇଁ ଆଦରରେ ଗାଡି ଆଣି ଘରେ ଦେଇଯିବେ
ଗୋଟିଏ ସମୟଥିଲା ମାଗୁର ମାଛର ଦାମ୍ ରୋହି, ମିରିକାଳିଠୁଁ କମ୍ ଥିଲା କୁକୁଡା ମାଂସର ଦାମ୍ ଖାସି ମାଂସର ଡବଲ ଥିଲା ଆତ ଥିଲା ଶସ୍ତା ଆଉ ଆପେଲ ମହଙ୍ଗା ଏବେ ଅବସ୍ଥା ଠିକ୍ ଓଲଟା
ଗୋଟିଏ ସମୟ ଥିଲା, ଶିକ୍ଷକମାନେ କ୍ଲାସରେ ଆସିଲେ ଛାତ୍ରମାନେ ଠିଆ ହେଉଥିଲେ ବାଟରେ ଶିକ୍ଷକଙ୍କୁ ଦେଖିଲେ ସିଗାରେଟ୍ ଲୁଚାଉଥିଲେ ଏବେ ସେ ସବୁ ଆଉ ପ୍ରାୟ ନାହିଁ ଛାତ୍ର ଶିକ୍ଷକ ଦୋସ୍ତ ହେଲେଣି ସାଙ୍ଗରେ ସିଗାରେଟ୍ ଆଉ କ’ଣ କ’ଣ ଖାଉଛନ୍ତି
ଗୋଟିଏ ସମୟ ଥିଲା ଯେତେବେଳେ ପ୍ରେମ କରିବାଟା ଭାରି ସାହାସର କାମ ବୋଲି ଗଣ୍ୟ ହେଉଥିଲା ପ୍ରେମିକ ପ୍ରେମିକା ପରସ୍ପରକୁ ଲମ୍ବା ଲମ୍ବା ଚିଠିସବୁ ଲେଖୁଥିଲେ ପ୍ରେମ ଚିଠି ଲେଖିବାଟା ଗୋଟିଏ କଳା ଥିଲା ସେ ଚିଠିକୁ ପୁଣି ସେମାନେ ଡାକ ଜରିଆରେ ପରସ୍ପର ପାଖକୁ ପଠାଉଥିଲେ ପ୍ରତିଦିନ ଡାକବାଲାକୁ ଚାତକ ଭଳି ଚାହିଁ ରହୁଥିଲେ ଏବର ଇ-ମେଲ, ଏସ୍ଏମ୍ଏସ୍, ଏମ୍ଏମ୍ଏସ୍ ଯୁଗରେ ଏସବୁ ଗଳ୍ପଭଳି ଲାଗିବ
ଗୋଟିଏ ସମୟ ଥିଲା ଯେତେବେଳେ ବାହାଘର ଆଗରୁ ଡିଭୋର୍ସର କଥା ହେଉ ନଥିଲା ଦୁର୍ନୀତି କରି ଧରା ପଡିଲେ ସମାଜରେ ଭାରି ବଦନାମ ହେଉଥିଲା
ଗୋଟିଏ ସମୟ ଥିଲା ଯେତେବେଳେ ପୃଥିବୀଟା ଆଉ ଟିକେ ବେଶୀ ସବୁଜ ଓ କୋଳାହଳମୟ ଥିଲା
ସେ ସମୟଟା ଭଲ ଥିଲା କି ଆଜିର ସମୟଟା ଭଲ କହି ପାରିବିନି ତେବେ ଏମିତି ଗୋଟେ ସମୟ ଥିଲା
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. sabita | ଫେବୃଆରୀ ୧୮, ୨୦୧୧ - ୯:୦୮ ପୂର୍ବାହ୍ନ
Unable to write in Odia.
Pl help.
୨. Odia Sahitya | ଫେବୃଆରୀ ୧୮, ୨୦୧୧ - ୯:୩୦ ପୂର୍ବାହ୍ନ
ନିମ୍ନ ଲିଙ୍କ୍ରେ କ୍ଲିକ୍ କରି ଅପ୍ରାନ୍ତ ଓଡିଆ ଡାଉନ୍ଲୋଡ୍ କରନ୍ତୁ ଏବଂ ଓଡିଆରେ ଲେଖନ୍ତୁ ( ଉକ୍ତ ସାଇଟ୍ରେ ଏହି ସମ୍ବନ୍ଧୀୟ ସବିଶେଷ ସୂଚନା ପାଇ ପାରିବେ ) – ଧନ୍ୟବାଦ୍
http://www.aparts.org/products/aprant-font-odia-key-board-manager/
୩. ପୂର୍ଣ୍ଣଚନ୍ଦ୍ର ରଥ | ମାର୍ଚ୍ଚ୍ ୩୧, ୨୦୧୧ - ୯:୧୮ ପୂର୍ବାହ୍ନ
ମୃଣାଳଙ୍କର ଏହିସିରିଜର ଅନ୍ୟ ଲେଖା ଗୁଡିକ ପ୍ରକାଶ କଲେ ଭଲ ହୁଅନ୍ତା.
୪. ସନ୍ତୋଷ | ମେ ୨୮, ୨୦୧୧ - ୧୦:୫୩ ପୂର୍ବାହ୍ନ
ଆପଣ ଙ୍କ ଲେଖା ଟି ଭାରି ଭଲ ହୋଇଛି ମୁଁ ମଧ୍ୟ ଆପଣ ଙ୍କ ଭଳି ଚିନ୍ତାଧାରା ପୋଷଣ କରେ ଏମିତି ଆହୁରି କିଛି ଲେଖନ୍ତୁ ବଢିଆ ଲାଗିବ
ଧନ୍ୟବାଦ
୫. ଚିତ୍ତରଞ୍ଜନ ଜେନା | ଅଗଷ୍ଟ୍ ୭, ୨୦୧୧ - ୯:୫୧ ପୂର୍ବାହ୍ନ
ଧନ୍ୟବାଦ ମୃଣାଳ