ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୧୬, ୨୦୧୧  
ମୂଳ ପୃଷ୍ଠାଗଳ୍ପବ୍ୟଙ୍ଗ
 

ସମୟ କେତେ ଜିନିଷ ବଦଳେଇ ଦିଏ୤ ଗୋଟିଏ ସମୟରେ ଯାହା ଅତି ମୂଲ୍ୟବାନ୍‌ ମନେ ହେଉଥିଲା, ଆଜି ତାହା ସାଧାରଣ ହୋଇଗଲାଣି୤ ପୁଣି ଗୋଟେ ସମୟରେ ଯାହା ନିହାତି ସାଧାରଣ ମନେ ହେଉଥିଲା, ଆଜି ତାହାହିଁ ମନେ ହୁଏ ଅତି ମୂଲ୍ୟବାନ୍୤

ସତୁରୀ ଦଶକର ମଝାମଝିରେ ମୁଁ ସ୍କୁଲ ଡେଇଁ କଲେଜ ଗଲି୤ ଆମ ଭିତରୁ ଅଧିକାଂଶଙ୍କର ସେତେବେଳେ ହାତଘଣ୍ଟା ନଥିଲା୤ ପରୀକ୍ଷା ଦିନମାନଙ୍କରେ ବାପାଙ୍କ ଘଣ୍ଟା ମାଗି ପିନ୍ଧୁଥିଲୁ୤ ଆମର ଜଣେ ସାଙ୍ଗ ଗେଲୁ ଦିନେ ଗୋଟିଏ ହାତବନ୍ଧା ଘଣ୍ଟା ଆଣି ଦେଖେଇଲା୤ ସେମିତି ଘଣ୍ଟା ଆମେ ଆଗରୁ ଦେଖି ନଥିଲୁ୤ ସେଥିରେ ଟିକ୍‌ ଟିକ୍ କରି ଚାଲୁଥିବା ମିନିଟ୍‌ କଣ୍ଟା, ସେକେଣ୍ଡ କଣ୍ଟା ନଥିଲା୤ ସମୟ ପୁରା ଜଳ ଜଳ ହୋଇ ଦିଶୁଥିଲା ଅକ୍ଷରରେ୤ ସୁଇଚ୍‌ ଟିପିଦେଲେ ପୁଣି ଲାଇଟ୍‌ ଜଳୁଥିଲା ସେ ଘଣ୍ଟା ଭିତରେ୤

ଆମେ ଘଣ୍ଟା ଦେଖି ଟେରା୤ ଗେଲୁ କହିଲା, ଜାଣିଛୁ ଏଥିରେ ଆଲାର୍ମ ବି ଅଛି୤
ଆମେ ଆହୁରି ଟେରା୤
ଗେଲୁ କହିଲା, ଏ ଘଣ୍ଟାଟା ମୋ ଭାଇ ପଠେଇଛି ଆମେରିକାରୁ୤

ଗେଲୁର ଭାଇ ଆମେରିକାରେ ରହୁଥିଲେ୤ ସେଠି ସେ କେଉଁ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ୤ ଆମ ସହରର ଗର୍ବ ଓ ଗୌରବ୤ ଆମ ସହରରେ ତାଙ୍କ ପୂର୍ବରୁ କେହି ବିଦେଶ ଯାଇ ନ ଥିଲେ୤ ସେତେବେଳେ ବିଦେଶ ଯାଉଥିବା ଲୋକ ଥିଲେ ହାତଗଣତି୤
-ଜାଣିଛୁ ୟାର ଦାମ୍‌ କେତେ ? ଗେଲୁ ଆମକୁ ପଚାରିଲା୤
-କେତେ ?
-୫୦ ଡଲାର୤
ଗୋଟିଏ ଡଲାର ସେତେବେଳେ ୧୫ ଟଙ୍କା୤ ଆମେ ଘଡି ଦାମ୍‌ ଶୁଣି ଥମ୍‌ ମାରି ରହିଗଲୁ୤ ଗେଲୁ ସେ ଘଡିରେ ଆମକୁ ହାତ ମରେଇ ଦେଉ ନଥିଲା୤ ଆମେ ଏ ଘଡି ପାଇଁ ତାକୁ ଇର୍ଷା କରୁଥିଲୁ୤ ଆମ କଲେଜରେ ସବୁ ଝିଅମାନେ ସେ ଘଣ୍ଟା ଦେଖିବାକୁ, ସମ୍ଭବ ହେଲେ ଛୁଇଁ ଦେଖିବାକୁ ବ୍ୟାକୁଳ ଥିଲେ୤ ଘଣ୍ଟା ପାଇଁ ଗେଲୁ ଭାରି ହିରୋ ହୋଇଗଲା୤

ଏବେ ମୋ ଛ’ ବର୍ଷର ପୁଅ ସେମିତି ଘଡି ପିନ୍ଧି ଚାରିଟାବେଳେ କ୍ରିକେଟ ଖେଳିବାକୁ ଯାଏ୤ ଢେଙ୍କାନାଳର ଲକ୍ଷ୍ମୀପୂଜାମେଳାରେ କୋଡିଏ ଟଙ୍କାରେ ମୁଁ ତାକୁ ସେ ଘଣ୍ଟାଟା କିଣି ଦେଇଛି୤ ଶୁଣିଛି ଦିଲ୍ଲୀର ସଦରବଜାରରେ କୁଆଡେ ଓଜନ ଦରରେ ଏମିତି ଘଡି ମିଳୁଛି୤

ଆମ ସମୟରେ (ସେତେ ପୁରୁଣାବି ନୁହେଁ, ମୁଁ ୭୦-୮୦ ଦଶକ କଥା କହୁଛି) ଟେଲିଫୋନ ଗୋଟେ କରିବାକୁ ଗଲେ ନାନା ଝାମେଲା୤ ଟ୍ରଙ୍କକଲ୍‌ଟିଏ ବୁକ୍‌ କରିଥିବ ତ ବସିଥା୤ ଦି ଘଣ୍ଟା ତିନି ଘଣ୍ଟା୤ ଭଦ୍ରକରୁ କଟକ କଥା ହେବାକୁ ଗଲେ ଚାତକ ଭଳି ଚାହିଁ ବସିଥା୤ ଟେଲିଫୋନ୍‌ ଯାହା ଘରେ ଥିଲା ସେ ଭାରି ବଡଲୋକରେ ଗଣା ହେଉଥିଲା୤ ଏବେ ଆମ ଧୋବା କହୁଛି ମୋ ଟେଲିଫୋନ୍‌ ନମ୍ବରଟା ରଖନ୍ତୁ୤ ଘରେ ମଇଳା କପଡା ଅଧିକ ହୋଇଗଲେ ମୋତେ ଖବର ଦେଇଦେବେ୤ ଆସିଯିବି୤ ତୁଛାରେ କାହିଁକି ପ୍ରତି ଦି’ ଦିନ ଛାଡି ଆସୁଥିବି୤ ଆମ ଛକମୁଣ୍ଡରେ ଯେତେଟି ଅଟୋବାଲା ବସିଥାନ୍ତି, ସେମାନେ ସମସ୍ତଙ୍କ ପକେଟରେ ମୋବାଇଲ ଫୋନ୍‌୤

ଗୋଟିଏ ସମୟ ଥିଲା ବଜାଜ ସ୍କୁଟରଟିଏ କିଣିବାକୁ ଗଲେ ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡୁଥିଲା୤ ଭେସ୍‌ପା ସ୍କୁଟର କିଣିବାର ଫର୍ମ ବ୍ଲାକରେ ବିକ୍ରି ହେଉଥିଲା୤ ଆଜି ଆପଣ ସ୍କୁଟର ମୋଟର ସାଇକେଲ କିଣିବେ ବୋଲି କହିଲେ କମ୍ପାନିବାଲା ଆପଣଙ୍କ ଘରେ ଆସି ଦେଇଯିବେ୤ ଟଙ୍କା ନଥିଲେ ଋଣ ଦେଇ, ଜ୍ବାଇଁ ଆଦରରେ ଗାଡି ଆଣି ଘରେ ଦେଇଯିବେ୤

ଗୋଟିଏ ସମୟଥିଲା ମାଗୁର ମାଛର ଦାମ୍‌ ରୋହି, ମିରିକାଳିଠୁଁ କମ୍‌ ଥିଲା୤ କୁକୁଡା ମାଂସର ଦାମ୍‌ ଖାସି ମାଂସର ଡବଲ ଥିଲା୤ ଆତ ଥିଲା ଶସ୍ତା ଆଉ ଆପେଲ ମହଙ୍ଗା୤ ଏବେ ଅବସ୍ଥା ଠିକ୍ ଓଲଟା୤

ଗୋଟିଏ ସମୟ ଥିଲା, ଶିକ୍ଷକମାନେ କ୍ଲାସରେ ଆସିଲେ ଛାତ୍ରମାନେ ଠିଆ ହେଉଥିଲେ୤ ବାଟରେ ଶିକ୍ଷକଙ୍କୁ ଦେଖିଲେ ସିଗାରେଟ୍‌ ଲୁଚାଉଥିଲେ୤ ଏବେ ସେ ସବୁ ଆଉ ପ୍ରାୟ ନାହିଁ୤ ଛାତ୍ର ଶିକ୍ଷକ ଦୋସ୍ତ ହେଲେଣି୤ ସାଙ୍ଗରେ ସିଗାରେଟ୍ ଆଉ କ’ଣ କ’ଣ ଖାଉଛନ୍ତି୤

ଗୋଟିଏ ସମୟ ଥିଲା ଯେତେବେଳେ ପ୍ରେମ କରିବାଟା ଭାରି ସାହାସର କାମ ବୋଲି ଗଣ୍ୟ ହେଉଥିଲା୤ ପ୍ରେମିକ ପ୍ରେମିକା ପରସ୍ପରକୁ ଲମ୍ବା ଲମ୍ବା ଚିଠିସବୁ ଲେଖୁଥିଲେ୤ ପ୍ରେମ ଚିଠି ଲେଖିବାଟା ଗୋଟିଏ କଳା ଥିଲା୤ ସେ ଚିଠିକୁ ପୁଣି ସେମାନେ ଡାକ ଜରିଆରେ ପରସ୍ପର ପାଖକୁ ପଠାଉଥିଲେ୤ ପ୍ରତିଦିନ ଡାକବାଲାକୁ ଚାତକ ଭଳି ଚାହିଁ ରହୁଥିଲେ୤ ଏବର ଇ-ମେଲ, ଏସ୍‌ଏମ୍‌ଏସ୍‌, ଏମ୍‌ଏମ୍‌ଏସ୍‌ ଯୁଗରେ ଏସବୁ ଗଳ୍ପଭଳି ଲାଗିବ୤

ଗୋଟିଏ ସମୟ ଥିଲା ଯେତେବେଳେ ବାହାଘର ଆଗରୁ ଡିଭୋର୍ସର କଥା ହେଉ ନଥିଲା୤ ଦୁର୍ନୀତି କରି ଧରା ପଡିଲେ ସମାଜରେ ଭାରି ବଦନାମ ହେଉଥିଲା୤

ଗୋଟିଏ ସମୟ ଥିଲା ଯେତେବେଳେ ପୃଥିବୀଟା ଆଉ ଟିକେ ବେଶୀ ସବୁଜ ଓ କୋଳାହଳମୟ ଥିଲା୤

ସେ ସମୟଟା ଭଲ ଥିଲା କି ଆଜିର ସମୟଟା ଭଲ କହି ପାରିବିନି୤ ତେବେ ଏମିତି ଗୋଟେ ସମୟ ଥିଲା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୃଣାଳ, ସଞ୍ଚାରମାର୍ଗ, ଢେଙ୍କାନାଳ
ମୃଣାଳ
ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ମୃଣାଳ ବା ମୃଣାଳ ଚାଟାର୍ଜୀ ସମ୍ପ୍ରତି ଢେଙ୍କାନାଳ ସ୍ଥିତ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନର ମୁଖ୍ୟ ଭାବେ କାର୍ଯ୍ୟରତ୤ ମୁଖ୍ୟତଃ ରମ୍ୟ ରଚନା ଏବଂ ବ୍ୟଙ୍ଗ ଗଳ୍ପ ଲେଖୁଥିବା ମୃଣାଳ ଏବେ ରାଜ୍ୟର ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭ ଲେଖିବା ସହ ଏକାଧିକ ପତ୍ରିକାରେ ମଧ୍ୟ ଲେଖନୀ ଚାଳନା ଜାରି ରଖିଛନ୍ତି୤ ନିଜର ଲେଖା ପାଇଁ ଅଜସ୍ର ପାଠକୀୟ ସ୍ବୀକୃତୀ ହାସଲ କରିଥିବା ମୃଣାଳ ବହୁ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ୤ ତାଙ୍କର ପ୍ରକାଶିତ ପୁସ୍ତକ ଗୁଡ଼ିକ ମଧ୍ୟରେ “ଜଗତେ ଥିବ ଯେତେଦିନ”, “ଯମରାଜ-୫୦୦୩ ଉପନ୍ୟାସ”, “ରଙ୍ଗଢଙ୍ଗ” ଆଦି ବେଶ୍ ପରିଚିତ୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. sabita  |  ଫେବୃଆରୀ ୧୮, ୨୦୧୧ - ୯:୦୮ ପୂର୍ବାହ୍ନ

    Unable to write in Odia.
    Pl help.

  • ୨. Odia Sahitya  |  ଫେବୃଆରୀ ୧୮, ୨୦୧୧ - ୯:୩୦ ପୂର୍ବାହ୍ନ

    ନିମ୍ନ ଲିଙ୍କ୍‌ରେ କ୍ଲିକ୍ କରି ଅପ୍ରାନ୍ତ ଓଡିଆ ଡାଉନ୍‌ଲୋଡ୍ କରନ୍ତୁ ଏବଂ ଓଡିଆରେ ଲେଖନ୍ତୁ ( ଉକ୍ତ ସାଇଟ୍‌ରେ ଏହି ସମ୍ବନ୍ଧୀୟ ସବିଶେଷ ସୂଚନା ପାଇ ପାରିବେ ) – ଧନ୍ୟବାଦ୍

    http://www.aparts.org/products/aprant-font-odia-key-board-manager/

  • ୩. ପୂର୍ଣ୍ଣଚନ୍ଦ୍ର ରଥ  |  ମାର୍ଚ୍ଚ୍ ୩୧, ୨୦୧୧ - ୯:୧୮ ପୂର୍ବାହ୍ନ

    ମୃଣାଳଙ୍କର ଏହିସିରିଜର ଅନ୍ୟ ଲେଖା ଗୁଡିକ ପ୍ରକାଶ କଲେ ଭଲ ହୁଅନ୍ତା.

  • ୪. ସନ୍ତୋଷ  |  ମେ ୨୮, ୨୦୧୧ - ୧୦:୫୩ ପୂର୍ବାହ୍ନ

    ଆପଣ ଙ୍କ ଲେଖା ଟି ଭାରି ଭଲ ହୋଇଛି ୤ ମୁଁ ମଧ୍ୟ ଆପଣ ଙ୍କ ଭଳି ଚିନ୍ତାଧାରା ପୋଷଣ କରେ ୤ ଏମିତି ଆହୁରି କିଛି ଲେଖନ୍ତୁ ବଢିଆ ଲାଗିବ ୤

    ଧନ୍ୟବାଦ

  • ୫. ଚିତ୍ତରଞ୍ଜନ ଜେନା  |  ଅଗଷ୍ଟ୍ ୭, ୨୦୧୧ - ୯:୫୧ ପୂର୍ବାହ୍ନ

    ଧନ୍ୟବାଦ ମୃଣାଳ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤