ନିଦ ମାଉସୀର ଦୁନିଆ ବଣରେ
ସ୍ବପ୍ନ ବଣିକର ବଇଁଶି ଶୁଭିଲେ
କାମ ଥାଉ ବାକି ଆଖି ଯାଏ ଲାଗି
ଅଳସ ପଣରେ ଶୋଇଯିବା ପାଇଁ,
କେତେ ଅଳି ହୁଏ ଲୁହ ଢାଳି ହୁଏ
ପଲକରେ ନିଦ ସବାର ହୁଏ॥

ଜହ୍ନ ମାମୁଁ ଦେଶ ପରୀଙ୍କର ବେଶ
କେତେ ଅବକାଶ ଭଳି ଭଳି ଦେଶ,
ବୁଲୁ ବୁଲୁ ରାତି କ୍ଷଣକେ ପାହେ॥

କିନ୍ତୁ..ଏବେ
ଆଉ କାହା ସ୍ବପ୍ନ ସତ କରିବାକୁ
ଆଖିର ନିଦ କୁ ଭୁଲିବାକୁ ହୁଏ
ଗୁମୁରି ହେବାକୁ, ଲୁହ ଢାଳିବାକୁ
ଶୋଇବାର ଏଠି ବାହାନା ହୁଏ॥

ନିଦ କିଏ ଜାଣେ?
ସ୍ବପ୍ନ କିଏ ବୁଣେ?
ନିଦ ମାଉସୀର ହାତ ଆଉଁସା
ସହସ୍ର ଯୋଜନ ଦୂରେ…
ଜୀବନ ବିଷାଦ କଷାଘାତେ
ଆଜି ତ୍ରାହି ଚିତ୍କାର କରେ॥

ମନ ଆକାଶର ମନୁଆ ପାଗରେ
ଖେଳୁଆଳ ଜିଦ୍‌ ଜୁଆର ଉଠିଲେ
ଟିକି ଟିକି ହାତେ ନିଜ ଘର କରେ
ଅଫିସ୍‌ ଘର ପୁଣି ଗ୍ୟାରେଜ୍‌ କରେ
ଘର ଗଢୁଥାଏ ଗୀତ ଗାଉଥାଏ
ଗଢ଼ି ଭାଙ୍ଗିବାରେ ସନ୍ତୋଷ ଥାଏ॥

କେତେ ମନ୍ଦିର ମିଛ ସଂସାର
ମିଛେ ରାଜାରାଣୀ ମିଛ ପରିବାର
ଖେଳୁ ଖେଳୁ ସଞ୍ଜ ଗଡ଼ି ହିଁ ଯାଏ॥

କିନ୍ତୁ ଏବେ
ତିଳ ତିଳ ଜଳି ଲୁହ ଲହୁ ଢାଳି
ଘରଟିଏ କରେ, କହେ ସ୍ବର୍ଗ ବୋଲି
ଆବଶ୍ୟକ ହେଲେ ସ୍ବର୍ଗ ଦିଏ ବିକି,
ସ୍ବପ୍ନ ବଳି ପଡ଼େ, କର୍ତ୍ତବ୍ୟରେ ଭିଜି
ବଞ୍ଚୁଛି ବା କିଏ? ସଞ୍ଚୁଛି ବା କିଏ?

କୁଢ଼ କୁଢ଼ କୋହ ଅନ୍ତରେ ଜମାଇ କାଲି ପାଇଁ ବୀମା ଭରେ
ଜୀବନ ବିଷାଦ କଷାଘାତେ ଆଜି ତ୍ରାହି ଚିତ୍କାର କରେ॥
ଜୀବନ ବିଷାଦ କଷାଘାତେ ଆଜି ତ୍ରାହି ଚିତ୍କାର କରେ॥