ହସିବାର ଅଦମ୍ୟ ଅଭିଳାଷ
ଆଜି ଚିର ପ୍ରଶମିତ
ଛାତି ଭିତରେ ଧକ୍କା ଖାଉଥିବା
ଅଜଣା ଢେଉର ଆକ୍ରୋଶରେ
ଆକ୍ତାମାକ୍ତା ଏ ଜୀବନ।
ପୁନେଇଁ ଚାନ୍ଦର
ଆତ୍ମୀୟତାର ହସ ଅବା
ଅଭିସାରିକାର କପଟୀ ହସ
ଆଜି ମୋ ପାଇଁ
ସବୁକିଛି ନିରସ।
ହସି ହସାଉଥିବା ଏ ମନ,
ଆଜି କନ୍ଦାକଟାର କୁଟିଳ
ପରିସୀମାରେ ଆବଦ୍ଧ,
କଣ୍ଟାବାଡ଼ ଘେରା ଏ ଜୀବନରେ
ହସ ଆଜି କ୍ଷତାକ୍ତ।
ହସଟିଏ ଫେରି ପାଇବାର ଇଚ୍ଛା,
ଆଜି ଅପୂରଣୀୟ
ହେଲେ,
କଣ ପାଇଁ ଏ ସବୁ?
ଦିଲ୍ଲୀର ଦାମିନୀ ପାଇଁ ନା,
ପିପିଲିର ବବିନା ପାଇଁ?
ଦି ଟଙ୍କିଆ ଚାଉଳରୁ ଦି’ଶ ଟଙ୍କିଆ
କମ୍ବଳର ରାଜନୀତିରେ
ଅପହୃତ ମୋ ହସ।
କେହି କହିବ କି,
କାହାର ନିର୍ବାଚନୀ ଇସ୍ତାହାରରେ
ଅଛି ଯୋଜନା,
ଚେନାଏ ହସ ପାଇଁ?
ନା,
ସୀମା ଆରପାରିକୁ
ଭାରତୀୟ ଯବାନ୍ର କଟାମୁଣ୍ଡ
ସହ ଚାଲିଯାଇଛି ମୋ ହସ?
କବିତାର ଶିରାପ୍ରଶିରାରେ ପ୍ରବାହିତ କ୍ଷତବିକ୍ଷତ ସମାଜର ପ୍ରତିଛବି, ସମଷ୍ଟି କୁ ବ୍ୟକ୍ତି ରେ କବିଙ୍କ ସୁନ୍ଦର ଅଭିବ୍ୟକ୍ତି।