ବସନ୍ତ ବହିଲା ଚୂତ ପଲ୍ଲବିଲା
ବୃକ୍ଷେ ଦେଲେ ପତ୍ର ଝଡ଼ା
ଅଶେଷ କୋଟି ବ୍ରହ୍ମାଣ୍ଡର ଠାକୁର
ଦୋଳମଣ୍ଡପରେ ଉଭା ଗୋ।
ଆମ୍ବକେରି ଘେନିଯିବା ଗୋ ସଜନୀ
ଦେଖିବା ବସନ୍ତ ଚାଚେରୀ
ବୃନ୍ଦାବନେ କୃଷ୍ଣ ଦୋଳି ଖେଳୁଛନ୍ତି
ଉଡ଼ାଇ କର୍ପୂର ଧୂଳି ଗୋ।
ଶାରୀ ପଚାରଇ କୋକିଳକୁ ରାଇ,
ବନରେ କି କରୁ ବସି
ତୁମ୍ଭେ ଆମ୍ଭେ ଦୁହେଁ ସଖି ଚାଲ୍ ଯିବା
ବସନ୍ତ ପ୍ରକାଶ ଆସି ଗୋ।
ଯାଇ ଜୂଇ ମଲ୍ଲୀ ମାଳତୀ ସେବତୀ
ବିବିଧ କୁସୁମେ ଗଭା
ଦକ୍ଷିଣ ମୂରତି ହୋଇ ଯଦୁପତି
ଦୋଳମଣ୍ଡପରେ ଉଭା ଗୋ।
ସଖି ଗୋ ଶ୍ରୀ ଜଗନ୍ନାଥଙ୍କୁ ଦୋଳାଦୋଳି ବେଳେ
ଲଙ୍କାଗଡ଼େ ଭୟେ ମାନି
ଶ୍ରୀଜଗନ୍ନାଥ ପଦ୍ମପାଦେ
ରଘୁ ଅରକ୍ଷିତ ଭଣି ଗୋ।