ଗୋଟେ ବୁଢ଼ୀ ଗାଈର କଙ୍କାଳ ପରି
ଏବେ ପଡ଼ିଚି ବଗିଚା!
ଗାଈ:
ଯା’ର କ୍ଷୀରରୁ ତିଆରି
ଦହି, ଛେନା, ଲହୁଣି ଓ ଘିଅ ଖାଇ
ବଢ଼ିଚି ଆମର ଫୁଟାଣି।
ସେଇ ଗାଈଟି
ବୁଢ଼ୀ ହେଲାପରେ
ଆମର ନଗାନାଇଁ କି ପଘାନାଇଁ!
ବଗିଚା:
ଏବେ ସେଇ ବଗିଚାର
ନୁଖୁରା ଚର୍ମର ବାଡ଼ ଡେଇଁ
ମାଡ଼ିଆସେ ମରୀଚିକା
ମଲାଘାସରେ ଘର କରିବାକୁ
ଦଳଦଳ ଊଈ ଓ ଧୂଳିଜନ୍ଦା!
କାମରୁ ଫେରିଲାବେଳେ
ଅଣ୍ଟିରେ ଭୁଜା, ଚୁଡ଼ା ନଥିଲେ
ଭୋକିଲା ପିଲାଙ୍କ ଆଗରେ
ଯେମିତି ଦୋଷୀଟେ ପରି ଛିଡ଼ାହୁଏ,
ଗୋଟେ ଗରିବ ମାଆ
ସେମିତି ଦିଶୁଚି ଏବେ ସାରାଟା ବଗିଚା
ସତେ କି ଘୂର୍ଣ୍ଣି ମୁହଁରେ
ଗୋଟେ ସାତସିଆଁ ଦିହଲୁଗା!
କେଜାଣି, କୁଆଡ଼େଗଲେ
ସେ ତରକା ପ୍ରଜାପତିମାନେ?
କୁଆଡ଼େଗଲେ
କାଉ, କୋଇଲି, କଜଳପାତି,
ଫୁଲମାନଙ୍କୁ ଗେଲ କରିବାକୁ ଆସୁଥିବା
ଇନ୍ଦ୍ରଧନୁମାନେ?
କୁଆଡ଼େ ବାଟ ହୁଡ଼ିଲେ
ନାଲି ଗୁଲୁଗୁଲୁ ସାଧବ ବୋହୂମାନେ??
ଏବେ ଯୋଉ ଗଛକୁ
ଟେକିବ ଭୂଇଁରୁ
ସବୁଯାକ ଚେର ଦଇଛିଣ୍ଡା…
ମୂଳରୁ ଉପୁଡ଼ା!
ଗଣଗଣ ହେଉଥିବା
ୟେ’ କେଇଟା ଗୁହ ମାଛିଙ୍କ ଉପରେ
କି ଭରସା?
ନା ସେମାନେ ବଗିଚାରେ
ଭରିପାରିବେ ମିଠା କାକଳି
ନା ଗଛରେ ବାନ୍ଧିପାରିବେ ମହୁଫେଣା!
ଘରର ଭେଣ୍ଡିଆ ପୁଅମାନେ
ଯେ’ ଯୁଆଡ଼େ ଦୂରେଇ ରହିଲେ
ରୁଗୁରୁଗୁ ହୋଇ ପୋଡ଼ିଉଠେ,
ବୁଢ଼ାବୁଢ଼ୀଙ୍କ ଛାତି ତଳର
ଯେଉଁ ଅଦେଖା ଜାଗା
ତା’ରି ନାଆଁତ ବଗିଚା!
କବି ହାଲକୁ ଦେଖିଲେ ବୁଢ଼ାବୁଢ଼ୀଙ୍କ ଛାତି ଭିତର। ଆଜିର ବଗିଚା। ରୁଗୁରୁଗୁ ପୋଡ଼ି ସାରିଥିବା ପୋଡ଼ି ଚାଲିଥିବା ବଗିଚା। ଭେଣ୍ଡିଆ ପୁଏ ଯେ ଯ଼ାହାର ଯ଼େଣେ ତ ଅଲବତ ହିଁ ରହିବେ। ରହିତ ଆସିଛନ୍ତି। ନୂଆ ଅବା କଣ? ତଥାପି ଥିଲା ବୋଧେ ଆଶା ବଗିଚାରେ ଗଛମାନେ ପାଇ ଚାଲିଥିବେ ପାଣି ଆଉ କମଣି। ଫୁଲ ଫୁଟୁଥିବ। ପତ୍ର ଝଡ଼ୁଥିବ ପୁଣି ବସନ୍ତ ଲାଗୁଣୁ କଅଁଳିବାକୁ। କଅଁଳୁଥିବ। ବଗିଚା ଉଜୁଡ଼ି ଗଲା। ଭୂଇଁ ତ ଅଛି। ଫେର ମଞ୍ଜି କିଏ କେବେ ପକେଇବ ଯ଼େବେ? ଋତୁ ଯ଼ଦି ପାଳିଲେ? କବି ମନରେ ବାନ୍ଧି ବସିଥାନ୍ତୁ ଆଶା। ସ୍ବପ୍ନ?
ବଢ଼ିଆ!!