ଘର ଛାଡ଼ି ଦିନସାରା ଅରଣ୍ୟମୁହାଁ
ହାତ ଠାରି ଆ’ ଆ’ ବୋଲି ଡାକିଲା
ଏ ଅରଣ୍ୟର ମୋହ
ଏତେ ବାଟ ଚାଲିଆସିଲି ଯେ
ଚିହ୍ନି ହେଉନି ପଛକୁ,

ପଥପ୍ରାନ୍ତର ଡାକମାନଙ୍କୁ, ବିସ୍ମୟର ମୀନାରମାନଙ୍କୁ।
ଲାଗୁଛି ପଛ ବୋଲି କିଛି ନଥିଲା ବୋଧେ।

ଆସ୍ତେ ଆସ୍ତେ ହୋଇ ଆସୁଛି ସୂର୍ଯ୍ୟାସ୍ତ
ଦୂରନ୍ତ, ଆକାଶମୁଖୀ ଗଛମାନଙ୍କ ଦେହରେ।
ଏଇ ପାଖ ପରି ଲାଗୁଛି ତା’ର ମୁହଁ।
ସାରା ଦିନ ଚାଲିଛି
ଯେପରି ଯୁଧିଷ୍ଠିର ଚାଲିଥିଲେ
ଯୁଦ୍ଧ ପରେ, କ୍ଷୋଭ ପରେ, ଅନୁଶୋଚନା ପରେ,
ଯୁଦ୍ଧରେ ହାରଜିତ୍‌କଥା ଇତିହାସ କହେ
ମନ କହେନି।

ଅରଣ୍ୟ ମୁହଁରେ ଏତେ ରାସ୍ତା
ଯେପରି ତାରୁଣ୍ୟର ସ୍ବପ୍ନ ଆଗରେ।
ଭାବିଥିଲି ଏ ଅରଣ୍ୟର
ଝାପ୍‌ସା ଝାପ୍‌ସା ଅନ୍ଧାର କ୍ଷଣିକ,
ଜୀବନର ଏ କ୍ଳେଶ କ୍ଷଣିକ,
ପୁଣି ଦେଖିବି ବିସ୍ତୀର୍ଣ୍ଣ ଖୋଲା ପୃଥିବୀ,

ପଦ୍ମକେଶର ଉପରେ ନାଚୁଥିବା ଭଅଁର,
ଆଶ୍ବାସନାର ମୁକ୍ତ ଆକାଶ,
ନଷ୍ଟ କଷ୍ଟ ଅନୁଭୂତିର ପାଉଁଶ ଉପରେ ପୁଲକ;
ସେଠି କାଳେ ସ୍ବର୍ଗଟିଏ ଅଛି
ଯେଉଁଠି ଫ୍ଲାଟ୍‌ଟିଏ ପାଇଗଲେ
ଧୋଇ ହୋଇଯାଏ ଜୀବନ ଯାକର ପାପ।

ନା, ସେପରି କିଛି ଘଟୁନି ତ?

ଗୋଟିଏ ରାସ୍ତାରେ ଗଲେ
ପଡ଼ିପାରେ ଅବିଶ୍ବସ୍ତ ନଈଟିଏ
ଯାହାର ନିରୋଳା ସଙ୍ଗୀତ ଶୁଣିବାକୁ
କେହି ନଥବେ,

ଖାଲି ନଈପଠା, ଗଛମାନଙ୍କ କାନ୍ଦ।
ସେ ନଈ ପୁଣି ପାରିହେବି କେମିତି?

ଆଉ ଗୋଟିଏ ରାସ୍ତା ମଧ୍ୟ ଅଛି
ସେଠି ହୁଏତ ଅଟକାଉଥିବ
ତ୍ରସ୍ତ ହରିଣୀର ହୃଦୟକୁ
ଅରଣ୍ୟର ପାଗଳ ନିଆଁ।

ଅନ୍ୟ ଏକ ରାସ୍ତାରେ ଅଲଘ୍ୟଂ ପାହାଡ଼
ଯାହା ଉପରୁ ପଥରଟିଏ ଖସିଲେ
ପାଞ୍ଚ କୋଷ ଘୁଞ୍ଚିଯିବ ବନ।

ଅଦୃଶ୍ୟ ଭୂତର ଭୟ ପରି ଏ ରାସ୍ତା ସବୁ
ଅଥଚ ଘର ଛାଡ଼ି ଅରଣ୍ୟମୁହାଁ ମୁଁ;

ପାଖରେ ମୋ ଛଡ଼ା
ବେଳେବେଳେ ଶୂନ୍ୟତାର ବିକଟାଳ ଶବ୍ଦ
ବେଳେବେଳେ ପବନର ଚୁପ୍‌ଚପ୍‌କଥା।

ଜୀବନ କ’ଣ ଭାଗ୍ୟର ବହିଟିଏ ଧରି
ସବୁବେଳେ ଏପରି ବାଟବଣା ହୁଏ?