ସେଇମିତି ଗୁମ୍ ମାରି ବସିଚି,
ଘା ଭର୍ତ୍ତି ସାରାଦେହରେ
ପୂଜ ପଝୁରୁଚି।
କଦବା କେମିତି ହଠାତ୍
ମାଛି ଘଉଡାଏ,
ନଚେତ୍ ମଉନ ହେଇଥାଏ।
ଦର୍ପଣ ତାର ଅନ୍ତରଙ୍ଗ ବନ୍ଧୁ
ଏକଦା,
ନିଜ ମୁହଁଠୁଁ ବଳି
ଆଉ କିଛି ନାହିଁ ବୋଲି
ଘୋଷଣା କଲା ସେ
ଦର୍ପଣ ଭିତରକୁ ହଠାତ୍ ଦିନେ
ଧସେଇ ପଶିଲା।
ସବୁ କିଛି ଏମିତି ନ ଥିଲା।
ପ୍ରଥମେ ଆଖି ନିଠେଇ
ଚାହିଁରହୁଥିଲା ଆକାଶ ଆଡକୁ
ଆତଙ୍କରେ ,
ସତେ ଯେମିତି ଜଣେ କେହି,
ପ୍ରଳୟର ପଞ୍ଝା ଝପଟାଇ
ଝାମ୍ପିନେଉଚି,
ଆଉ ସେ ଆକୁଳରେ
ଥର୍ଥର,
କଟା ଗଣ୍ଡି ପରି
ଟଳିପଡୁଛି।
ସେ ଦିନେ ରାଜଜେମାର
ସ୍ବପ୍ନ ଭିତରକୁ
ଉହୁଙ୍କି ଚାହିଁଥିଲା,
ସେଦିନଠୁଁ ଅନ୍ଧ ହେଇ,
ନିଜକୁ ଖୋଜୁଛି
ଘଟ ଘର ବାର ଦ୍ବାର
ସଦା ଅଣ୍ଡାଳୁଛି।
ଏବେ ପ୍ରତି ମୁହୂର୍ତ୍ତ କ୍ରମଶଃ
ସୂର୍ଯ୍ୟ ହେଇ ସକାଳ
କ୍ରମଶଃ ନିଜ ଆଡକୁ
ଚିରକାଳ।