ଘରେ ଆସି ଗୋଡ଼ ଦେଲାକ୍ଷଣି ସାନପୁଅ ଟୁନୁ ଆସି କହେ- ବାପା ବିସ୍କୁଟ୍‌? ବାପା ପୁଅଟିକୁ ଗେଲ କରି କାଖକୁ ଟେକି ନିଅନ୍ତି ଆଉ ତା ଗାଲରେ ଚୁମାଟିଏ ଦେଇ କହନ୍ତି-ପହିଲା ପରେ।

ଟୁନୁ ଭାରି ଖୁସି ହୋଇ ଧାଇଁଯାଏ ନାନୀ ପାଖକୁ। ନାନୀ ତା’ର ସ୍କୁଲ୍‌ରେ ପଢ଼େ। ପଚାରେ- ନାନୀ, ପହିଲା କେବେ? ନାନୀ କାନ୍ଥରେ ଟଙ୍ଗା ହୋଇଥିବା କ୍ୟାଲେଣ୍ଡରଟି ଆଡ଼କୁ ଚାହିଁ କହେ- ଆଜି ହେଲା ମାସର ୭ ତାରିଖ; ଆହୁରି ଚବିଶ ଦିନ ଅଛି ପହିଲା ହେବାକୁ। ଟୁନୁ ଗଣି ଶିଖିଲାଣି, ତା’ର ସାନ ଆଙ୍ଗୁଠିର ସରୁ ରେଖାଗୁଡ଼ିକୁ ଗଣିଯାଏ-ଏକ, ଦୁଇ, ତିନି, ଚାରି-ସବୁ ଆଙ୍ଗୁଠିର ରେଖା ସରିଯାଏ ତେବେ ବି ଚବିଶ ପହଞ୍ଚିପାରେ ନାହିଁ। ହେଉ, କେବେ ହେଲେ ତ, ପହିଲା ଆସିବ। ବିସ୍କୁଟ୍‌ର ସ୍ବପ୍ନ ଦେଖୁଁ ଦେଖୁଁ ଟୁନୁ ଯାଇ ନିତି ଦିନର ପାଟିପକା ଜଳଖିଆ ମୁଢ଼ି ଦି’ମୁଠା ଚୋବାଇ ଦିଏ।

ଟୁନୁ ଉପର ଭଉଣୀ କୁନୁ ଆସି କହେ-ବାପା, ମୋ ଜୋତା ଯୋଡ଼ାକ ଏକବାରେ ଛିଣ୍ଡା କୋତରା ହୋଇଗଲାଣି। ଖାଲି ଗୋଡ଼ରେ ଗଲେ ଗୋଡ଼ ଧୂଳି ହୋଇଯାଉଛି। ମାଷ୍ଟରାଣୀ ରାଗୁଛନ୍ତି। ମୋର ନୂଆ ଜୋତା ଆସିବ। ବାପା କୁନୁକୁ ଆଦର କରି କୋଳକୁ ଆଉଜାଇ ନେଇ ତା’ର ଫୁରୁଫୁରିଆ ବାବୁରି ବାଳ ଉପରେ ହାତ ବୁଲାଉ ବୁଲାଉ କହନ୍ତି-ପହିଲା ପରେ। କୁନୁ ବି ଆଙ୍ଗୁଠିର ରେଖା ଗଣି ବସେ-ପହିଲା କେବେ?

ତା’ ଉପର ଭାଇ ମଣ୍ଟୁ ଆସି କହେ-ବାପା, ଦୁଆତ କଲମ ଧରି ସ୍କୁଲ୍‌କୁ ଗଲାବେଳେ କାଳି ସବୁ ଗଡ଼ିଯାଇ ଲୁଗାପଟା ମସିଆ ହୋଇଯାଉଛି। ମାଷ୍ଟ୍ରେ ଗାଳି ଦେଉଛନ୍ତି। ଆମ କ୍ଲାସ୍‌ରେ ବହୁତ ପିଲା ଫାଉଣ୍ଟେନ୍‌ ପେନ୍‌ ନେଉଛନ୍ତି। ମୋର ଗୋଟାଏ ଫାଉଣ୍ଟେନ୍‌ ପେନ୍‌, ନ ହେଲେ ଚଳିବ ନାହିଁ। ବାପା କହିନ୍ତି-ହଉ, ପହିଲା ପରେ ଦେଖିବା।

ଆଉ ଦି’ ପାଦ ଘର ଭିତରକୁ ପଶିଗଲାକ୍ଷଣି, ବଡ଼ ଝିଅ ହେମ ଆସି କହେ- ବାପା, ମୋର ଗୋଟାଏ କଳା ଧଡ଼ିଆ ଶାଢ଼ୀ ନ ହେଲେ ଚଳିବ ନାହିଁ। ବାପା କହନ୍ତି- ହେଉ ମା, ପହିଲା ପରେ କିଣି ଦେବି।

ଘର ବାରନ୍ଦାରେ ପହଞ୍ଚିଲାକ୍ଷଣି ମଝିଆଁ ପୁଅ ନଟୁ ଆସି କହେ-ବାପା, ମଁ ଏବେ ଟେନିସ୍‌ ଖେଳିବାକୁ ଯାଉଛି ଯେ, ମୋ ପାଇଁ ଯୋଡ଼ାଏ କେନ୍‌ଭାସ୍‌ ଜୋତା ନ ହେଲେ ଚଳିବ ନାହିଁ। ବାପା କହନ୍ତି- ହଉ, ପହିଲା ପରେ କିଣିବା।

କଲେଜରେ ପଢ଼ୁଥିବା ବଡ଼ପୁଅ ନୀଲୁ ଆସି କହେ- ବାପା, ମୋ ପାଇଁ ଯୋଡ଼ାଏ ବକିଂହାମ୍‌ ମିଲ୍‌ କନାର ଟ୍ରାଉଜର୍‌ ଦରକାର, ଆଉ ସିଲ୍‌କ କନାର ଗୋଟାଏ ହାବାଇନ୍‌। ବାପା କହନ୍ତି- ହଉ, ପହିଲା ପରେ କରିବା। ନୀଲୁ ପ୍ରତିବାଦ କରି କହେ- ସବୁ ତ କରିବା ପହିଲା ପରେ। ଆଜିତ ହେଲା ମାସର ମୋଟେ ସାତ ତାରିଖ। ପହିଲା ତ ଆହୁରି କେତେ ଦିନ ଅଛି।

ଘର ଭିତରକୁ ପଶିଗଲାକ୍ଷଣି ରୋଷେଇଘର ଭିତରୁ ଗୃହିଣୀ ଡାକନ୍ତି- ଆଲୋ କୁନୁ, ବାପା ଆଇଲେଣି କି? କୁନୁ କହେ- ହଁ ମା, ଏଇ ତ ଆଇଲେ। ଗୃହିଣୀ କହନ୍ତି- କହିଦେ ବାପାଙ୍କୁ, ମୁଁ ଆଉ ପାରିବି ନାହିଁ। ଘରେ ଗୋଟାଏ ବୋଲି ଡେକ୍‌ଚି ନାଇଁ, ସବୁଗୁଡ଼ାକ କଣା ହୋଇଗଲାଣି। ମାଟିହାଣ୍ଡି ଗୁଡ଼ାକରେ ରୋଷେଇ କରି ତ ଲୁଗାପଟା ସବୁ ଭାଲୁ କଳା ହୋଇଯାଇଛି। କହି ଦେ, ଗୋଟାଏ ଡେକିଚି କିଣି ଆଣିବେ। ବାପା କହନ୍ତି-ମାଆଙ୍କୁ କହିଦେ ଏ ମାସଟା ଯେମିତି ସେମିତି ଚଳାଇ ନିଅନ୍ତୁ; ପହିଲା ପରେ କିଣିବା। ଗୃହିଣୀ ପଞ୍ଚମକୁ ଉଠିଯାଇ କହନ୍ତି- ମଲା ମୋର, କାଲି କି ପଅରଦିନ ତ ପହିଲା ଗଲା, ଫେର ପୁଣି କେବେ ପହିଲା ହେବ ଯେ ଡେକ୍‌ଚି କିଣାଯିବ? ମାସକ ଭିତରେ ଆଉ କେତେଟା ପହିଲା ହେବ ? ହଉ, ଯେବେ ବରାଦ ହେବ।

ଦିନ ସାରା ଗଧ ଖଟଣି ଖଟି ଖଟି ହରିବାବୁ ଯେତେବେଳେ ଘରକୁ ଫେରନ୍ତି, ଏମିତି ସତର ପ୍ରକାର ବରାଦ ଆସି ପହଞ୍ଚେ ତାଙ୍କ ପାଖରେ। କିନ୍ତୁ ସବୁ ବରାଦ ର ସେଇ ଗୋଟିଏ ଜବାବ-ପହିଲା ପରେ।

ଏ ତ ଗଲା ଘର ବରାଦ। ରାତି ପାହିଲେ ପୁଣି ଆସେ କେତେ ତାଗଦା ବାହାରୁ। ଘରବାଲା ଆସି କହେ- ଛଅ ମାସର ଭଡ଼ା ବାକି। ନ ଦେଲେ ଘର ଛାଡ଼ି ଦେବାକୁ ହେବ। ହରିବାବୁ ବହୁତ ନେହୁରା ହୋଇ କହନ୍ତି- ଏଇ ମାସରେ ବହୁତ ଖର୍ଚ୍ଚ ପଡ଼ିଗଲା। ଆସନ୍ତା ପହିଲା ପରେ ନିଶ୍ଚୟ ସବୁ ବାକି ଶୁଝିଦେବି। ଘରବାଲା ମୁହଁ ମୋଡ଼ି ନାକ ଛିଞ୍ଚାଡ଼ି କହେ- ହଁ, ଏମିତି ତ କେତେ ପହିଲା ଗଲାଣି, ପୁଣି ଆସନ୍ତା ପହିଲାକୁ ଦେବେ। ହରିବାବୁ ନୀରବରେ ସବୁ ସହିଯାନ୍ତି।

ଦୁଧବାଲା ଆସି କହେ-ଦୁଧ ବାକି ହେଲାଣି ଦି’ ମାସର, କାଠବାଲା ଆସି ପହେ, ତା’ର ବାକି ଚାରି ମାସର। ଏମିତି କେତେ ବିଲ୍‌ ଆସି ପହଞ୍ଚେ ହରିବାବୁଙ୍କ ଠାରେ; କିନ୍ତୁ ସବୁ କଥାରେ ହରି ବାବୁଙ୍କର ସେଇ ଗୋଟିଏ ଜବାବ-ପହିଲା ପରେ।

ଚାକିରି ଆରମ୍ଭ କଲାଠୁ ଶେଷ ମୁଣ୍ଡରେ ପହଞ୍ଚିବା ଯାଏ ହରିବାବୁଙ୍କୁ ପ୍ରତି ମାସ ସାତ ତାରିଖଠାରୁ ମାସ ଶେଷଯାଏ ଏମିତି ହଜାର ପ୍ରକାର ବରାଦ ଓ ତାଗଦାର ସମ୍ମୁଖୀନ ହେବାକୁ ପଡ଼େ; କିନ୍ତୁ ସବୁ କଥାରେ ତାଙ୍କର ସେଇ ଗୋଟାଏ ଜବାବ ‘ପହିଲା ପରେ’ ତାଙ୍କୁ ଏ ପର୍ଯ୍ୟନ୍ତ ଅକ୍ଷୟ କବଚ ଭଳି ରକ୍ଷା କରି ଆସିଛି।

ଚାକିରି ଆରମ୍ଭ କଲାବେଳେ ଯେତେବେଳେ କି ବହୁତ କମ୍‌ ଦରମା ପାଉଥିଲେ, ସେତେବେଳେ ହରି ବାବୁଙ୍କର ଆର୍ଥିକ ଅବସ୍ଥା ଯାହା ଥିଲା, ଏବେ ଚାକିରିର ଶେଷ ମୁଣ୍ଡରେ ପହଞ୍ଚି ସୁଦ୍ଧା ସେତେବେଳ ଦରମାର ପାଞ୍ଚଗୁଣା କି ସାତଗୁଣା ପାଇ ମଧ୍ୟ ସେହି ଅବସ୍ଥା। କାରଣ ଦରମା ବଢ଼ିବା ସଙ୍ଗେ ସଙ୍ଗେ ପିଲାଝିଲା ମଧ୍ୟ ବଢ଼ି ଚାଲିଛନ୍ତି ସମାନ ଗତିରେ, ଅଭାବ ଅନାଟନ ମଧ୍ୟ ବଢ଼ିଚାଲିଛି ତା’ର ଦ୍ବିଗୁଣ ଗତିରେ। ଏବେ ଅବଶ୍ୟ ହରିବାବୁ ଜଣେ ବଡ଼ ଅଫିସର। ହେଲେ କ’ଣ ହେବ? ବାଉଁଶଟି ଯେତେ ମୋଟ ହେଉଛି ଭିତରର ପୋଲା ଅଂଶଟି ମଧ୍ୟ ସେତିକି ବଢ଼ି ବଢ଼ି ଚାଲିଛି।

ଏଇ ଦୀର୍ଘ ପଚିଶ ବର୍ଷ ଚାକିରି ମଧ୍ୟରେ ହରିବାବୁ ମାସର ଗୋଟିଏ ଦିନ କେବଳ ଶାନ୍ତିରେ ନିଃଶ୍ବାସ ମାରନ୍ତି। ସେ ଦିନଟି ହେଉଛି ମାସର ପହିଲା ତାରିଖ। କଚେରି ଫେରନ୍ତି ହରିବାବୁଙ୍କ ମନଟା ଭାରି ଖୁସିଥାଏ। ପକେଟ୍‌ରେ ଭରିଥାଏ ନୋଟ୍‌ ବିଡ଼ାଟି। ବଜାର ବାଟେ ଆସିଲାବେଳେ ସାନପୁଅ ଟୁକୁ ପାଇଁ ବିସ୍କୁଟ ପୁଡ଼ାଟିଏ, ସାନ ଝିଅ କୁନୁ ପାଇଁ ନାଲିଆ ରିବନ୍‌ ଖଣ୍ଡେ, ମଣ୍ଟୁ ପାଇଁ ପେନ୍‌ସିଲ୍‌ଟିଏ, ହେମ ପାଇଁ ଶାଢ଼ୀ ଖଣ୍ଡେ। ଏମିତି କିଛି ଜିନିଷ କିଣି ଆଣନ୍ତି। ଯଦି ପୂର୍ବ ମାସର ବରାଦ ମନରେ ପଡ଼େ ତ ଗୃହିଣୀଙ୍କ ବରାଦ ଜିନିଷରୁ ମଧ୍ୟ କିଛି କିଛି କିଣି ଥାଆନ୍ତି। ଏମିତିକି ଗରଜ ନ ଥିବା ସଉକିନି ଜିନିଷଟାଏ ମଧ୍ୟ କିଣି ଆଣିବାକୁ ଛାଡ଼ନ୍ତି ନାହିଁ। କିନ୍ତୁ ତା’ ପରଦିନ ସକାଳକୁ ପୁଣି ପକେଟ ଖାଲି ହୋଇ ଆସେ। ମାସର ସାତ ତାରିଖ ନ ହେଉଣୁ ବାବୁଙ୍କ ପକେଟ୍‌ ବିଲକୁଲ ଖାଲି। ତା’ ପରେ ପରେ ଯେତେ କିଛି ବରାଦ ଆସେ ସେସବୁ ପାଇଁ ହରିବାବୁଙ୍କର କେବଳ ଗୋଟେ ଜବାବ- ‘ପହିଲା ପରେ’ ଅଜାଣତରେ ମୁହଁରୁ ବାହାରି ପଡ଼େ।

ଗୀତା କହେ-ମଣିଷ ଅଭ୍ୟାସର ଜୀବ। ବାରମ୍ବାର ଯାହା ଅଭ୍ୟାସରେ ପଡ଼ିଯାଏ, ତାହା ହିଁ ସ୍ବତଃ କାର୍ଯ୍ୟକାରୀ ହୋଇଯାଏ। ହରିବାବୁଙ୍କର ଜୀବନ ସେହିପରି ଗୋଟିଏ ଧରାବନ୍ଧା ଗତ ଭିତରେ ଗଡ଼ି ଚାଲେ, ଠିକ୍‌ ଘଣା ବଳଦ ପରି ଗୋଟିଏ ନିର୍ଦ୍ଦିଷ୍ଟ କେନ୍ଦ୍ର ଉପରେ। ସେଇ କେନ୍ଦ୍ରଟି ହେଉଛି ମାସର ପହିଲା। ମାସର ସାତଦିନ ପର୍ଯ୍ୟନ୍ତ କେନ୍ଦ୍ର ସହିତ ସମ୍ପର୍କ ଥାଏ, ତାପରେ ସମ୍ପର୍କଟି ଦୂରେଇଯାଏ। ତାପରେ ହରିବାବୁଙ୍କ ମୁହଁରୁ ସବୁ କଥାରେ ବାହାରିପଡ଼େ- ‘ପହିଲା ପରେ’। ଗୋଟିଏ ଅଭ୍ୟାସଗତ ମାମୁଲି ଜବାବ।

ସେଦିନ କଚେରିରୁ ଫେରିଲାବେଳକୁ ଟିକିଏ ବେଶୀ ଡେରି ହୋଇ ଯାଇଥିଲା। କାମର ଭିଡ଼ ବି ଥିଲା ଖୁବ୍‌ ବେଶୀ। ସୁତରାଂ ହରିବାବୁ ଘରକୁ ଫେରିଲାବେଳେ ଟିକିଏ ଅନ୍ୟମନସ୍କ ଥିଲେ ବୋଧହୁଏ। ସାନ ଝିଅ କୁନୁ ଆସି କହିଲା- ବାପା, ମାଙ୍କୁ ଜ୍ବର ହୋଇଛି; ଉଷୁଦ ଆସିବ। ହରିବାବୁ ଚିର ଅଭ୍ୟସ୍ତ ସ୍ବରରେ କହିଲେ- ମା’ଙ୍କୁ କହିଦେ, ପହିଲା ପରେ ଆସିବ।

କୁନୁ ପିଲାଲୋକ। ସେ କ’ଣ କିଛି ବୁଝିଛି? ଧାଇଁଯାଇ ଏକା ନିଃଶ୍ବାସରେ ମା’ଙ୍କ ପାଖରେ ହାଜର। ମା’ ପଚାରିଲେ-କୁନୁ, ବାପା ଆଇଲେଣି, କହିବୁ ଯା ଉଷୁଦ ଆସିବ। କୁନୁ କହିଲା- ବାପାଙ୍କୁ କହିଲି, ବାପା କହିଲେ ‘ପହିଲା ପରେ ଆସିବ।’

ମା’ ତ ଏକେ ଜ୍ବରରେ କମ୍ପୁଥିଲେ। ତାପରେ କୁନୁ କଥା ଶୁଣି ରାଗରେ ଏକବାର ପଞ୍ଚମକୁ ଉଠିଗଲେ। କାନ୍ଦି କାନ୍ଦି କହିଲେ-ସବୁ ତ ପହିଲା ପରେ ହେବ ! ପହିଲା ପର୍ଯ୍ୟନ୍ତ ବଞ୍ଚିଥିଲେ ତ? ତାପରେ ରୀତିମତ ବାହୁନା ଆରମ୍ଭ କରିଦେଲେ।

ଏତେବେଳକୁ ହରିବାବୁଙ୍କର ଚେତା ପଶିଲା। ସେ ବୁଝି ପାରିଲେ, କେତେ ବଡ଼ ଭୁଲ୍‌ଟାଏ କରି ପକାଇଛନ୍ତି ସେ। ସେଇଦିନୁ କିନ୍ତୁ ହରିବାବୁଙ୍କର ଜୀବନର ଗତି ଫେରିଗଲା। ସେ ଆଉ ଟଙ୍କା ପଇସାର ଧାର ଧରନ୍ତି ନାହିଁ। ପହିଲା ଦିନ ଦରମାତକ ପାଇଲେ ସିଧାସିଧି ପଠାଇ ଦିଅନ୍ତି ଗୃହିଣୀଙ୍କ ନିକଟକୁ। ଏଣିକି ସେ ପୁରାପୁରି ନିର୍ଲିପ୍ତ। ଯେ କେହି ଆସି କିଛି ପଚାରିଲେ ଜବାବ ଦିଅନ୍ତି- ‘ମାଆଙ୍କୁ କହିବୁ ଯା’।