ନୁହଁ ତୁମ୍ଭେ ପଲକର ପରାଣର ଦ୍ରୋହ ଗୋ,
ନୁହଁ ତୁମ୍ଭେ କ୍ଷଣିକର ଉନ୍ମାଦନା ମୋହ ଗୋ।
ନୁହଁ ତୁମ୍ଭେ ବସନ୍ତର ମୋହନ ବିଳାସ,
ନୁହଁ ତୁମ୍ଭେ ନନ୍ଦନର ମଳୟ ନିଶ୍ବାସ।
ନୁହଁ ତ ଶ୍ରାବଣ ଘନେ ଚପଳାର ସରି,
ଶାରଦ ଚନ୍ଦ୍ରିକା ଧୌତ ଗଗନର ପରି।
ଫୁଲର ସୌରଭ ନୁହଁ ସଙ୍ଗୀତର ତାନ,
ନିଶାର ସ୍ବପନ ନୁହଁ ଯୌବନର ପ୍ରାଣ।
କୁସୁମ ବନ୍ଧନ ନୁହଁ ଉଷାର ଆଲୋକ,
ଦିନକର ମାୟା ନୁହଁ ନୟନ ପୁଲକ।
ନୁହଁ ତ ସୌନ୍ଦର୍ଯ୍ୟମୟୀ ମୃଣ୍ମୟୀ ପ୍ରତିମା,
କାଳେ କାଳେ ନ ରାଜିବ ତୁମ୍ଭର ମହିମା।
ଇନ୍ଦ୍ରିୟର ରୂପ ତୃଷ୍ଣା ପରାଜୟ କରି,
ଅମର ସୌନ୍ଦର୍ଯ୍ୟେ ରାଜ ହେ ଚିର ସୁନ୍ଦରୀ!
ନୟନର କ୍ଷୁଦ୍ର ରାଜ୍ୟ ଲଂଘି କୁତୂହଳେ,
ଆନନ୍ଦେ ବିହର ଆପେ ମାନବ ଅନ୍ତରେ।
ବିଧି ସୃଷ୍ଟି ଶିଳ୍ପକଳା ପୁରୁଷର ପୂଜା,
ପାଇ ବଡ଼ ଦିନେ ଦିନେ ସୌନ୍ଦର୍ଯ୍ୟ ତନୁଜା।
ମାନବ ଅନ୍ତରେ ରାଜି ହୁଅ ବିଶ୍ବମୟ,
ଢାଳ ହେ ଅମିୟ କେବେ ଘଟାଅ ପ୍ରଳୟ।
ପ୍ରଳୟ ପୟୋଧି ଜଳେ ପଦ୍ମରୂପ ଧରି,
ଅଭୟ ଆଶ୍ବାସ ସୁଧା ଦିଅ ବିଶ୍ବଭରି।
ବାହୁର ବନ୍ଧନ ପାଶ ନୟନ ମିଳନେ,
କି ଅପୂର୍ବ ଲୀଳା ଆଣ ଜଗତ ଜୀବନେ।
ଶୋଭାର ଶାନ୍ତିର ଦ୍ବାର ଦିଅ ହେ ଫିଟାଇ,
ଜଗତେ ଜଗତଲକ୍ଷ୍ମୀ ଆଣ ହେ ବନ୍ଦାଇ।
କେତେ କବି, କେତେ ଶିଳ୍ପୀ, କେତେ ଚିତ୍ରକର,
ପଦ ତଳେ ଘେନି ପୂଜାର ସମ୍ଭାର।