ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଲକ୍ଷ୍ମୀଧର ନାୟକ
ସନ୍ୟାସୀ ନାୟକ
ଦେବେନ୍ଦ୍ର ମହାନ୍ତି
ମହାପାତ୍ର ନୀଳମଣି ସାହୁ
କୁନ୍ତଳା କୁମାରୀ ସାବତ
ସଦାନନ୍ଦ ତ୍ରିପାଠୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସ୍ବପ୍ନ ସାଗର
  ଡ. ଅଭିମନ୍ୟୁ ବରାଳ, ସାକ୍ଷୀଗୋପାଳ
 
 
ତା: ଫେବୃଆରୀ ୯, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଗାଁ ମୁଣ୍ଡରୁ ବାହାରି ଅଙ୍କାବଙ୍କା ରାସ୍ତାଟି ଯେଉଁଠି ଉତ୍ତରପଟକୁ ବୁଲିଯାଇଛି, ଠିକ୍ ସେଇଠି ପୂର୍ବପଟେ ରାସ୍ତାକୁ ଲାଗି ଗୋଟାଏ ବିରାଟ ଦଣ୍ଡା୤ ବର୍ଷାଦିନେ ଗାଁର ଗୋରୁଗାଈ ସେଇଠି ଚରନ୍ତି୤ ଦଣ୍ଡାର ଗୋଟାଏ ପଟେ ପ୍ରକାଣ୍ଡ ବରଗଛ୤ ସେହି ବରଗଛର ବଡବଡ ଓହଳରେ ଗାଁ ପିଲାମାନେ ଡାଳିମାଙ୍କୁଡି ଖେଳନ୍ତି୤ ଗାଈଆଳ ପିଲାମାନେ ଖରାବେଳେ ବରଗଛ ଛାଇରେ ଗାଈପଲକୁ ରଖି ବିଶ୍ରାମ କରନ୍ତି୤ କେତେବେଳେ କିଏ ଜଣେ ସେହି ଗଛମୂଳେ ଜହର ଖାଇ ମରିଯାଇଥିଲା୤ ସେହିଦିନୁ ଲୋକମାନେ ତାକୁ କହନ୍ତି ଜହରଖିଆ ବରଗଛ୤ ଗାଁଠାରୁ ଟିକିଏ ଦୂର ବୋଲି ସଞ୍ଜ ହେଲେ ଆଉ ସେଠାକୁ କେହି ଯାଆନ୍ତିନାହିଁ୤ ବରଫଳ ଖାଇବାକୁ ବାହୁଡାମାନେ ଆସି ଫଡ୍ଫଡ୍ ହୋଇ ଏ ଡାଳରୁ ସେ ଡାଳ ହୁଅନ୍ତି୤ ଟିକିଏ ଅନ୍ଧାରୁଆ ହୋଇଗଲେ ଗଛ ମୂଳ ହୋଇଯାଏ ଶୂନ୍ଶାନ୍୤ କିଏ ବା କାହିଁକି ସେଠାକୁ ଆସିବ ? ବୁଢାମାନେ କହନ୍ତି- ବେଳେ ବେଳେ ସେ ଗଛରୁ ଭୂତ ବାହାରେ୤ ଭୂତ ଭୟରେ ସଞ୍ଜ ହେଲେ ଆଉ ସେଠାକୁ କେହି ଯାଆନ୍ତିନାହିଁ୤

ମୁହଁ ଅନ୍ଧାର ହୋଇଆସିଲାଣି୤ ସେହି ଗଛ ମୂଳେ ଗଛକୁ ଆଉଜି ଏକୁଟିଆ ବସିଛି ସର୤ ଆଖି ବୁଜି ସେ ତାର ଅତୀତକୁ ଭାବିଚାଲିଛି୤ ଜଗୁ ସ୍ବାଇଁର ସେ ଏକମାତ୍ର ଝିଅ୤ ବାପ-ମା’ ନାଁ ଦେଇଥିଲେ ସରୀତା, କିନ୍ତୁ ଶ୍ରଦ୍ଧାରେ ତାକୁ ସମସ୍ତେ ଡାକନ୍ତି ସର୤ ସରକୁ ଯେତେବେଳେ ପାଞ୍ଚବର୍ଷ ମା’ କୁନ୍ତଳା ଆଖି ବୁଜିଲା୤ କ’ଣ ରୋଗ ହେଲା ଯେ, ଆଉ ସେ ଭଲ ହେଲାନି୤ ବାପ ତ ଗରିବ ଦିନ ମଜୁରିଆ, କୁଆଡୁ ବା ପଇସା ଆଣି କଟକ ନେଇ ରୋଗ ଭଲ କରିଥାନ୍ତା ? ତଥାପି ସେ ପାରୁପର୍ଯ୍ୟନ୍ତେ ଚେଷ୍ଟା କରିଛି୤ ହେଲେ ସେ ରହିଲାନି, ଗଲାବେଳେ ଏତିକି କହିଥିଲା- ‘ମୋ ଝିଅ ତୁମକୁ ଲାଗିଲା’୤ ତାକୁ ହତାଦର କରିବନାହିଁ ‘୤ ଜଗୁ ମଧ୍ୟ କୁନ୍ତଳାର କଥାକୁ ଅକ୍ଷରେ ଅକ୍ଷରେ ପାଳିଥିଲା୤ କରତ କଳରେ କାମ କରି ଯାହା ଆଣେ ବାପଝିଅ ଚଳିଯାଆନ୍ତି୤ ରୋଷେଇବାସରେ ସାନଭାଇର ପିଲାମାନେ ଟିକେ ସାହାଯ୍ୟ କରିଦିଅନ୍ତି୤ ଏହିଭଳି ବର୍ଷ ଗୋଟାଏ କଟିଛି କି ନାହିଁ, ଦିନେ କରତ କଳରେ ଦୁର୍ଘଟଣା ଘଟି ଜଗୁ ସେପାରିକୁ ଚାଲିଗଲା୤ ମା’ ଯାଇଥିଲା୤ ବାପ ବି ଚାଲିଗଲା୤ ବିଚାରି ସର କାନ୍ଥକୁ ଆଉଜି ଖାଲି କାନ୍ଦୁଥାଏ୤ ଫୁଲଟିଏ ଫୁଟିବା ଆଗରୁ ତାର କଢି ଯଦି ପ୍ରଚଣ୍ଡ ଆଘାତ ପାଏ- ସେ କଣ ମନ ଖୁସି ଫୁଟିପାରିବ ?

ସର ଏବେ ଏକା୤ ଦିଗହଜା ସମୁଦ୍ର ଭିତରେ ନାବିକହୀନ ନୌକା ଭଳି ସେ ଭାସିଚାଲିଛି୤ କେମିତି କୂଳରେ ଲାଗିବ କେଜାଣି ? ଆହା ! ବୋଲି କହିବାକୁ କେହି ନାହିଁ୤ ଏହାକୁ ହିଁ କହନ୍ତି ଭାଗ୍ୟର ବିଡମ୍ବନା ! ସଂସାରରେ ବାପ-ମା’ଙ୍କୁ ହରାଇଛି- ତା ପାଇଁ ସବୁ ଅନ୍ଧାର୤ ସବୁ ଶୂନ୍ୟ୤
ବାପର ଶୁଦ୍ଧିଘର ସରିଲା୤ ବନ୍ଧୁବାନ୍ଧବ, ସାହିଭାଇ ବସିଲେ୤ ସରକୁ ଦାଦିଖୁଡ଼ୀଙ୍କ ଜିମା ଦେଲେ୤ ସମସ୍ତେ ବୁଝେଇଦେଲେ- ଡାଳ ଭାଙ୍ଗିଲେ ମୂଳରେ୤ କିଛି ନ ଥିଲେ ବି ଜଗୁର ଅଧଗୁଣ୍ଠେ ଘରଡିହ ତ ଅଛି ? ଇଏ ଝିଅ ପିଲାଟା, ଅଳିଆ ଗଦା୤ ପାଞ୍ଚ ତିନି ବରଷ ଗଲେ ପର ଘରକୁ ଚାଲିଯିବ୤ ପରହାଣ୍ଡି ଧୋଇ ଖାଇବ୤ ଘରଡିହଟାକୁ ତ ତୋରି ପିଲାମାନେ ଭୋଗିବେ୤ ସର କ’ଣ ଘରଡିହ ମୁଣ୍ଡେଇନେଇଯିବ ? ଆରେ ଝିଅ କିଏ ଝିଆରୀ କିଏ ? କ’ଣ ମାଧିଆ କହୁନୁ ? ସାହିଭାଇଙ୍କ କଥାରେ ମାଧିଆ ରାଜି ହେଲା୤ ସରକୁ ନିଜ ପାଖରେ ରଖିଲା୤

ସର ରୂପରେ ଯେପରି ଗୁଣରେ ମଧ୍ୟ ସେପରି୤ ଗାଁରେ ସମସ୍ତେ ତା’ ବ୍ୟବହାରରେ ଖୁସି୤ ବାପମା’ ଛେଉଣ୍ଡ ପିଲାଟିଏ ବୋଲି ସମସ୍ତେ ତାକୁ ଶ୍ରଦ୍ଧା କରନ୍ତି୤ କାହା ଘରେ ଭଲମନ୍ଦ, ପୁନିଅଁପରବ ହେଲେ ସମସ୍ତେ ସରକୁ ଡାକନ୍ତି୤ ହେଲେ ସର ଖୁଡୀ ନ କହିଲେ ଯାଏନାହଁ୤ ଘରକୁ କିଏ ପିଠାପଣା ପଠେଇଲେ ଖୁଡୀର ମନ ହେଲେ କେବେ ଖଣ୍ଡେ ସରକୁ ଦିଏ, ନହେଲେ ନାହିଁ୤ ସର କିନ୍ତୁ ମନ ଦୁଃଖ କରେନି୤ ଗୁଣ୍ଡାଏ ଦେଲେ ଖୁନ୍ଦାଏ ମାରିବେ୤ ସମସ୍ତେ ତ ମା’ ନୁହନ୍ତି୤ ଦାଦି ମାଧିଆ ସବୁବେଳେ କାମଧନ୍ଦାରେ ଯାଏ୤ ଘରେ ସବୁ କଥା ଖୁଡୀ ବୁଝାବୁଝି କରେ୤ ସବୁବେଳେ ସେ ସର ଉପରେ ଗରଗର ହେଉଥାଏ୤ ଖୁଡୀର କଥାରେ ସର ମନେମନେ ବହୁତ କାନ୍ଦେ୤ କିନ୍ତୁ କାହାକୁ କିଛି କହେନାହିଁ୤ କହିଲେ ବା କିଏ କ’ଣ କରିବ ? ତାର ବା ଆଉ କିଏ ଅଛି୤ ସଞ୍ଜବେଳେ ଦାଦି ଘରକୁ ଆସିଲେ ସରକୁ ଡାକି ସୁବିଧା ଅସୁବିଧା କଥା ପଚାରେ୤ କିନ୍ତୁ ସର କିଛି କହେନାହିଁ୤ ଦାଦିର କଥାରେ ସ୍ନେହ ଥାଏ, ଆନ୍ତରିକତା ଥାଏ, ଯେତେହେଲେ ତ ବାପର ଭାଇ ଖୁଡୁତା୤

ଗାଁ ସେ ମୁଣ୍ଡରେ ସାଗରର ଘର୤ ଧନୀଘର ପୁଅ ସେ୤ ପାଠଶାଠ ପଢିଛି୤ ଗାଁରେ ମଧ୍ୟ ସମସ୍ତେ ତାକୁ ଖାତିର କରନ୍ତି୤ ଅଭାବ ଅସୁବିଧାରେ ସେ ସମସ୍ତଙ୍କ ପାଖରେ ଠିଆ ହୁଏ୤ ଶ୍ରାଦ୍ଧମଉଳା, ବାହାପୁଆଣୀରେ କାହାର କିଛି ଅସୁବିଧା ହେଲେ ସାଗର ଯଥା ସମ୍ଭବ ସାହାଯ୍ୟ କରିଥାଏ୤ ଗାଁରେ କାହାର ରୋଗବୈରାଗ ହେଲେ ସାଗର ଆସି ଠିଆ ହୋଇଯାଏ୤ ଡାକ୍ତରଖାନା ଯିବାଠାରୁ ଔଷଧପତ୍ର ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ସାଗର କରିଦିଏ୤ ଗାଁ ଲୋକେ କହନ୍ତି ସାଗରବାବୁ ମଣିଷ ନୁହଁନ୍ତି, ଦେବତା୤

ଜଗୁ ସ୍ବାଇଁ ଘର ସହିତ ପାରିବାରିକ ସଂପର୍କ ବହୁ ଆଗରୁ ଅଛି୤ ଜଗୁର ସ୍ତ୍ରୀ କୁନ୍ତଳା ସାଗରର ଦୂର ସଂପର୍କୀୟ ପିଉସୀ ଲାଗେ୤ ସାଗର ବେଳେବେଳେ ସର ଘରଆଡେ ବୁଲିଆସେ୤ ଭଲବନ୍ଦ ବୁଝେ୤ ସର ସାଙ୍ଗରେ ହସଖୁସି ହୁଏ, ଥଟାମଜା କରେ, ପୁଣି ତା ଘରକୁ ଚାଲିଯାଏ୤ ଖୁଡୀର ଟାଉଁଟାଉଁ କଥାରେ ସେ ଯେତିକି ଆଘାତ ପାଇଥାଏ – ସାଗର ଭାଇ ସାଙ୍ଗେ କଥାବାର୍ତ୍ତା ହେଲେ ସେତକ ଭୁଲିଯାଏ୤ ସର ମାମୁଁ ଘରେ କେହି ନ ଥିଲେ ବୋଲି କୁନ୍ତଳା ମରିବା ପରେ ସାଗର ଘରୁ ସରକୁ ପ୍ରଥମାଷ୍ଟମୀ ଦିଅନ୍ତି୤ ରଜ ଦୋଳପୂର୍ଣ୍ଣମୀରେ ବି କାଟନ୍ତି ନାହିଁ୤ ମାମୁଁ ଘର ନାହିଁ ବୋଲି ସର କେବେ ଭାବିନାହିଁ୤
ରଜ, କୁଆଁର ପୁନେଇଁ, ଖୁଦୁରୁକୁଣୀରେ ଗାଁ ଝିଅମାନେ କେତେ ମଜା କରନ୍ତି୤ ଚାନ୍ଦାଭେଦା କରି ଭୋଜିଭାତ କରନ୍ତି୤ ସର ସେଥିରେ ଭାଗ ନେଇପାରେନାହିଁ୤ ଖୁଡୀ ତ ପଇସାଟିଏ ଦେବନି ଇଏ କାହିଁକି ସେଠିକି ଯିବ ? ସାଗର ଜାଣିବା ପରେ ଗାଁ ପିଲାଙ୍କୁ ସର ଭାଗର ଚାନ୍ଦାଟା ଦେଇଦିଏ୤ ଏକଥା ଖୁଡୀ ଜାଣେନି୤ ଗାଁ ଝିଅ ମାନେ କହନ୍ତି ସରଦେଇ କ’ଣ ବା ଦବ ? ତା’ର କିଏ ଅଛି ? ସେ ସେମିତି ଆମ ପାଖେ ବସିଲେ କାହିଁରେ କ’ଣ୤
ଘରର ଯାବତୀୟ କାମ କରେ ସର୤ ଖୁଡୀ ପାନ ଖିଲେ କଳରେ ଜାକି ଖାଲି ଟହଲ ମାରୁଥାଏ୤ ଗାଁ ମାଇପିଙ୍କ ସଙ୍ଗେ ଖୁସିଗପ କରେ୤ ସର ଯଦି କେବେ ଦାଣ୍ଡ ଦୁଆରେ ଟିକେ ଠିଆ ହୋଇଯାଏ ଖୁଡୀ ଟାଉଁଟାଉଁ କରି କହେ – ଭୁଆଷୁଣୀ ଝିଅଟା କ’ଣ ବା ଏଠି ଠିଆ ହୋଇଛୁ ? ସର କିଛି ନ କହି ଘର ଭିତରକୁ ଚାଲିଆସେ୤ ଗୁହାଳ ଗୋବର, ଲିପାପୋଛା ସବୁ କାମ କରେ ୤ ସମସ୍ତେ ଖାଇପିଇ ଶୋଇଲେ କ’ଣ ଦି’ଟା ଖାଇଦେଇ ସର ଶୋଇବାକୁ ଯାଏ୤ ଦାଦି ଯେତେବେଳେ ପଚାରେ – ମା’ ସର କିଛି ଅସୁବିଧା ହେଉନି ତ ? ଆଲୋ ମା’ ଖାଇଲୁଣି ? ସେତେବେଳେ କ’ଣ ଗୋଟାଏ କହି ଖୁଡୀ କଥାଟାକୁ ଅନ୍ୟଆଡେ ନେଇଯାଏ୤ ସର ଆଖିର ଲୁହ ଆଖିରେ ମରେ୤
ଓଷାପୂନିଅଁରେ ସାଗର ସର ଘରକୁ ଆସେ୤ ପଇସାପତ୍ର ଦର୍କାର ଥିଲେ ଦେଇଯାଏ୤ ପର୍ବପର୍ବାଣୀରେ ସରକୁ ନିଜ ଘରକୁ ମଧ୍ୟ ଡାକି ନିଏ୤ ଅନ୍ୟ କାହା କଥା ହେଲେ ଖୁଡୀ ହୁଏତ କ’ଣ କହନ୍ତା୤ କିନ୍ତୁ ସାଗରକୁ କିଛି କହିପାରେନାହିଁ୤ ସର ତାଙ୍କ ଘରକୁ ଯାଏ୤ ଖୁଡୀ ତାଗିଦ କରି କହିଥାଏ – ସଞ୍ଜବେଳକୁ ଛାଡିଦେବ୤ କେତେବେଳେ କେମିତି ଶାଢୀ ଖଣ୍ଡେ ସରକୁ ସାଗର ଦେଇଥାଏ, ଖୁଡୀ କିନ୍ତୁ ସେ ଖଣ୍ଡକୁ ପିନ୍ଧି ପୁରୁଣା ଖଣ୍ଡେ ସରକୁ ଦେଇଦିଏ୤ ସର କିନ୍ତୁ କିଛି ଭାବେନି୤ ଖୁଡୀ ଦେଇଛି ବୋଲି ଖୁସି ହୁଏ୤

ଦିଲୁ ଠିକାଦାର୤ କୋଉଠାର କେଜାଣି ? ଗାଁରେ ଆସ୍ଥାନ ଜମେଇଛି, ବହୁତ ପଇସା ବାଲା ସେ୤ ଗାଁରେ ତାକୁ ସମସ୍ତେ ଡରନ୍ତି୤ ଲୋକମାନଙ୍କୁ ଚଢା ସୁଧରେ ଟଙ୍କା କରଜ ଦିଏ୤ ସୁଧ ଠିକ୍ ବେଳେ ନ ଦେଲେ କ’ଣ ବୋଲି କ’ଣ କରିଦିଏ୤ ଶେଷକୁ ଜମିବାଡ଼ି, ଘରଦ୍ବାର ସବୁ ନେଇଯାଏ୤ ତା ଜାଲରେ ଯିଏ ଥରେ ପଡିଛି ମୁକୁଳିବା କଷ୍ଟ୤ ମାଧିଆ ତାଠାରୁ କିଛି ଟଙ୍କା ଆଣିଥିଲା ଘର ତୋଳିବାକୁ୤ ଇନ୍ଦିରା ଆବାସ ଟଙ୍କା ମିଳିଲେ ଦେଇଦେବାକୁ ଭାବିଥିଲା୤ କିନ୍ତୁ ଇନ୍ଦିରା ଆବାସ ବିଲ୍ ମିଳିଲାନି୤ ଟଙ୍କାଟା ଫେରାଇବା ସମ୍ଭବ ହେଲାନି୤

ଦିନେ ମାଧିଆକୁ ଦିଲୁ ଠିକାଦାର ଟଙ୍କା ମାଗିଲା୤ ମାଧିଆ ବହୁତ ନଇଁ ନମସ୍ତି ହୋଇ କହିଲା – ବାବୁ ଟଙ୍କା ମିଳିନି୤ ସରକାରୀ ଘର କଥା୤ ଆମ ସରପଞ୍ଚ ବାବୁ କହୁଥିଲେ ଏବେ ମିଳିଯିବ୤ ମୁଁ ପାଇଲା ମାତ୍ରେ ଆଗ ଆପଣଙ୍କୁ ଦେଇଦେବି୤ କ’ଣ କରିବି ଆଜ୍ଞା, ଆପଣ ଚାହିଁ ନ ଥିଲେ ଘର ଖଣ୍ଡକ ହୋଇପାରି ନ ଥାନ୍ତା୤ ଟଙ୍କା ମାଗିବାକୁ କେତେଥର ଠିକାଦାର ମାଧିଆ ଘରକୁ ଯାଇଛି୤ ମାଧିଆ ଝିଆରୀ ସରକୁ ସେ ଦେଖିଛି୤ ଗରିବ ଘରର ଝିଅ ହେଲେ କ’ଣ ହେଲା ଗୋଟିଏ ଚାଉଳରେ ଗଢା୤ ଖତଗଦାରେ ପଦ୍ମ ! ଠିକାଦାରକୁ ଦେଖିଲେ ସର ଭିତରକୁ ଚାଲିଯାଏ ସତ କିନ୍ତୁ ଠିକାଦାରର ପାପ ଆଖି ସତେ ଯେମିତି ସର ପାଖେ ଥାଏ୤

ଦିନେ ଠିକାଦାର ସରର ଖୁଡ଼ୀକୁ କହିଲା – କିଲୋ ବନି, ମାଧିଆ ତ ଟଙ୍କା ଦେଲାନି୤ ନିଜ ଲୋକ ବୋଲି କିଛି କହିପାରୁନି୤ ଟଙ୍କା ବା ସେ କୋଉଠୁ ଦେବ ? ଜମିବାଡି ତ କିଛି ନାହିଁ୤ ବରଂ କାମଧନ୍ଦା କରି ପଇସାଟା ଶୁଝୁ୤ ଏଇ ସରକୁ ଟିକେ ମୋ ଅଫିସ ଆଡେ ଛାଡୁନୁ୤ ଘର ଟିକେ ଝାଡୁ କରିଦେବ, ଛୋଟମୋଟ କାମ ଯାହା ଥିବ କରିଦେଇଆସିବ୤ ସେଥିପାଇଁ ମୁଁ କ’ଣ କିଛି ଦେବିନି ? କିଛି ନ ଦେଲେ ତୁମ ଟଙ୍କାଟା ଧୀରେ ଧୀରେ ଶୁଝିଯିବ୤

ବନି ମନକୁ ଠିକାଦାର କଥାଟା ପାଇଗଲା୤ ସେ କହିଲା – ଠିକ୍ ଅଛି ବାବୁ, ତା ଦାଦି ଆସିଲେ ଟିକିଏ ପଚାରି କାଲିଆଡକୁ ପଠାଇବି୤ ଠିକାଦାର କହିଲା – ହଁ ପାଞ୍ଚଟା ବେଳକୁ ପଠାଇବୁ୤ ଘରକାମ କରି ମୁଠାଏ ଖାଇଦେଇଆସିବ୤ ଯଦି ନ ଆସିପାରିବ – ତେବେ କ’ଣ ଘର ଅଭାବ ଅଛି ? ରାତିରେ ରହିଯିବ୤ କେତେ ଲୋକ ତ ରହୁଛନ୍ତି୤ ତାର କ’ଣ ଅସୁବିଧା ? ଠିକାଦାର ହସିହସି କହିଲା୤ ଠିକାଦାରର କଥାଗୁଡାକ ସର ଦେହରେ ଛୁରୀ ଭୂଷିଲା ଭଳି ଲାଗୁଥିଲା୤ ସର ମୁଣ୍ଡରେ ବଜ୍ର ପଡିଲା୤ ସର ଠିକ୍ ବୁଝିପାରିଲା ଖୁଡୀର ମନ୍ଦ ଉଦ୍ଦେଶ୍ୟ୤ ଠିକାଦାରର ପାପ ଲାଳସାର ଗନ୍ଧ ବେଶ୍ ବାରିହୋଇଯାଉଥିଲା୤
ରାତି ପାହି ସକାଳ ହେଲା୤ କିନ୍ତୁ ସର ଆଖିକୁ ଯେମିତି ଘନ ଅନ୍ଧାର ମାଡ଼ିଆସୁଥାଏ୤ କ’ଣ କରିବ ସେ, କାହାକୁ କହିବ ତା ଦୁଃଖ ? ସାଗର ଭାଇ କଟକ ଯାଇଛନ୍ତି୤ କୋଉ ଗୋଟେ ରୋଗୀ କଥା ବୁଝିବାକୁ୤ ସେ ହେଲେ ଗାଁରେ ଥାଆନ୍ତେ କି ! ସଞ୍ଜ ହେବା ଆଗରୁ ଖୁଡୀ ଠିକାଦାରର କାମ କରିବାକୁ ତାଗିଦ କଲା୤ ବହୁତ ବାଧ୍ୟ କଲା୤ ସର କିନ୍ତୁ ଦେହ ଖରାପ ଥିବାର ବାହାନା କରି ଘୋଡିହୋଇ ଶୋଇଲା୤ ଖୁଡିକୁ ନେହୁରା ହୋଇ କହିଲା – ମୋ ଦେହ ଆଜି ଭୀଷଣ ଖରାପ, ତୁ ଖବର ଦେଇଦେ, ମୁଁ କାଲିକୁ ଯିବି୤
ସକାଳ ହେଲା୤ ସୂର୍ଯ୍ୟ ଉଇଁଲେ୤ ସର କିନ୍ତୁ ଦେଖୁଥିଲା, ଭୀଷଣ କୁହୁଡିରେ କେମିତି ଲୁଚିଯାଉଛି ସୂର୍ଯ୍ୟର ଛବି୤ ତା ପାଇଁ ଆଜି ପରୀକ୍ଷାର ଦିନ୤ କାଲି ସିନା ଦେହ ଖରାପର ବାହାନା କରି ରହିଗଲା ହେଲେ ଆଜି କ’ଣ କହିବ ? ଖୁଡୀ ଆଜି ଯେମିତି ହେଲେ ସରକୁ ପଠାଇବ୤ ଠିକାଦାର କାଲି ଧମକ ଦେଇଛି – ଏଥର ନ ଗଲେ ଟାଣିଟାଣି ନେବ୤ ଦୁଇଦିନ ହେଲାଣି ସାଗର ଭାଇଙ୍କର ଦେଖାନାହିଁ୤ କାହାକୁ କହିବ ସେ ମନ କଥା୤ ବେଳ ଦି’ଘଡି ଅଛି ଖୁଡୀର ତାଗିଦ – ଶିଘ୍ର ବାହାର , ଠିକାଦାର ଘରକୁ ଯିବୁ୤ ନହେଲେ ଠିକାଦାର ଆଜି ରାଗିବ୤ କାମ କରିବାକୁ ତା’ର କେହି ନାହିଁ୤ ଆମକୁ ଯେମିତି ହେଲେ ତାର ଋଣ ଶୁଝିବାକୁ ହବ୤ ସର ସବୁ ଶୁଣି ନୀରବ ରହିଲା୤ ଗୋଡହାତ ଧୋଇବାକୁ ବାଡିପଟ ଗାଡିଆକୁ ଗଲା ସର୤ ଖୁଡୀ କହୁଥାଏ – ଗୋଡହାତ ଧୋଇ ଶୀଘ୍ର ଆ୤ ସଞ୍ଜ ନଇଁ ଆସୁଥାଏ୤ ଆଗକୁ ପଛକୁ ଚାହିଁ ସର ଏକମୁହାଁ ଚାଲିଲା୤ କେତେବେଳେ ସେ ଆସି ଜହରଖିଆ ବରଗଛ ମୂଳେ ପହଁଞ୍ଚି ଯାଇଛି ତାକୁ ଜଣାନାହିଁ୤ ଲଥକିନା ସେଇ ବରଗଛ ମୂଳେ ବସିପଡିଲା୤ ବରଗଛକୁ ଆଉଜି ଆଖି ବୁଜିଦେଲା ସେ୤ ଆଖିରୁ ତାର ବହିଯାଉଥାଏ ଧାର ଧାର ଲୁହ୤ ରାତି ମାଡି ଆସିଲାଣି୤ ଏଠି ପରା ଭୂତ ବାହାରନ୍ତି୤ ଭୂତ ଆସି ମୋତେ ମାରିଦିଅନ୍ତା ନି ! ସମସ୍ତେ ତ ମଲେ, ମୁଁ ଏକା ଜୀଇଁ କାହିଁକି ହନ୍ତସନ୍ତ ହେଉଛି୤ ଏ ହୀନିମାନିଆ ଜୀବନ ମୋର ଯାଉନି କାହିଁକି ? ଦଉଡି ଦେବି ? ନାଁ ମୋ ଦାଦିର ବଦନାମ ହେବ୤ କିଛି ସ୍ଥିର କରିପାରୁନି ସେ୤ ଜୁଳୁଜୁଳା ପୋକଗୁଡାକ ଚିକ୍ଚିକ୍ କରି ବୁଲୁଛନ୍ତି୤ ବାଦୁଡିଗୁଡାକର ଚେଁ ଚାଁ ଫଡ୍ଫାଡ୍ ଶବ୍ଦ ନିର୍ଜନ ରାତିକୁ ଗମ୍ଭୀର କରିଦେଉଛି୤ ବରଗଛ ଫାଙ୍କରେ ଜହ୍ନ ଆଲୁଅ ପଡି ସୁନ୍ଦର ଗାଲିଚା ଭଳି ଦେଖାଯାଉଛି୤
ହଠାତ୍ କାହାର ହାତ ସର ମୁଣ୍ଡରେ ଲାଗିଲା୤ ଚମକିପଡିଲା ସର୤ ଚିତ୍କାର କଲା – ନାଁ ନାଁ ମୁଁ ସେଠାକୁ ଯିବିନି୤ ମରିଯିବି ପଛେ ଯିବିନି୤
ତୁ କୁଆଡେ ଯିବୁନି ସର୤ ତୁ ମୋ ସାଙ୍ଗରେ ଯିବୁ ଆମ ଘରକୁ୤
କିଏ ସାଗର ଭାଇ ?
ହଁ ମୁଁ ତୋ ସାଗର ଭାଇ୤
ଅତଳ ଜଳରେ ବୁଡିଯାଉଥିବା ଲୋକ ସାହାରା ଟିକେ ପାଇଗଲା ଯେପରି୤ ସାଗର ଛାତିରେ ମୁଣ୍ଡ ରଖି କଇଁକଇଁ ହୋଇ କାନ୍ଦିଉଠିଲା ସର୤ ସାଗର ସରର ମୁଣ୍ଡକୁ ଆଉଁଷିଦେଉଦେଉ କହିଲା – କଟକରୁ ଆସି ସବୁ ଶୁଣି ତୋତେ ଖୋଜିଖୋଜି ଆସି ଏଠି ପହଞ୍ଚିଲି୤ ଯାହା ହେଉ ପଛେ କିଛି ଅଘଟଣ ଘଟିବା ପୂର୍ବରୁ ତତେ ପାଇଗଲି୤ କାଲିକି ସେମାନଙ୍କ ଖବର ବୁଝାଯିବ୤ ଆଜିଠାରୁ ସବୁଦିନ ପାଇଁ ତୁ ମୋର ହୋଇ ଆମ ଘରେ ରହିବୁ୤ ସାଗର ଛାତିରେ ମୁଣ୍ଡ ରଖି କାନ୍ଦୁଥିଲା ସର୤ ଆଖିରୁ ତାର ଅପସରିଯାଉଥିଲା କଳାବାଦଲ୤ ସର ଦେଖୁଥିଲା ଏକ ନୂଆ ସ୍ବପ୍ନ .. ସାଗର ବକ୍ଷରେ ଶୋଇରହି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡ. ଅଭିମନ୍ୟୁ ବରାଳ, ସାକ୍ଷୀଗୋପାଳ
author photo
ଗାଳ୍ପିକ ଓଡ଼ିଆ ସାହିତ୍ୟର ଅଧ୍ୟାପକ ୤
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. Manas |  ଏପ୍ରିଲ୍ ୨, ୨୦୧୧ - ୧୨:୧୦ ଅପରାହ୍ନ

    Bahut bhala lekha. I would like you to write more such which has picture of village atmosphere and also to have odiya culture.

  • ୨. ଚିନ୍ମୟ୍ ମିଶ୍ର୍ |  ଜୁଲାଇ ୧୮, ୨୦୧୧ - ୧:୧୩ ଅପରାହ୍ନ

    ବହୁତ ବଢିଆ ହୋଇଛି

  • ୩. ସାରଙ୍ଗଧର ତ୍ରିପାଥୀ |  ସେପ୍ଟେମ୍ବର୍ ୪, ୨୦୧୧ - ୪:୦୧ ଅପରାହ୍ନ

    ଗପ ବହୁତ୍ ଭଲ ଲାଗିଲା…………

  • ୪. ସ୍ମୁତି ସୁମନ, Bhubaneswar |  ମେ ୩, ୨୦୧୩ - ୧୨:୪୪ ପୂର୍ବାହ୍ନ

    ବହୁତ ଭଲ ହେଇଛି

  • ୫. Baidhar jena, Mumbai |  ମେ ୨୬, ୨୦୧୩ - ୪:୩୬ ପୂର୍ବାହ୍ନ

    Mote ta bahuta sweet lagila.

  • ୬. ପ୍ରମୋଦ ରାଉତ /ଅନ୍ଦପୁର, ସୁରତ |  ନଭେମ୍ବର୍ ୨୪, ୨୦୧୩ - ୫:୨୮ ଅପରାହ୍ନ

    ବହୁତ ଭଲ ଲାଗିଲା …ଧନ୍ୟବାଦ……..ଅଧିକ ପାଇଁ ଅଶା ବାଦୀ …….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤