ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ବରେନ୍ଦ୍ର କୃଷ୍ଣ ଧଳ
ଦୀପକ ମିଶ୍ର
କେ.ଶ୍ୟାମବାବୁ ଦୋରା
କୁନ୍ତଳା କୁମାରୀ ସାବତ
ତରୁଣକାନ୍ତି ମିଶ୍ର
ଗଣେଶ୍ୱର ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଘରକୁ ଫେରୁ ଫେରୁ
 |- ପ୍ରଫୁଲ୍ଲ କୁମାର ତ୍ରିପାଠୀ
 
 
ତା: ଏପ୍ରିଲ୍ ୨୭, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଝିଅଟି ହସିଲା୤ ଏକ ତୀକ୍ଷ୍ଣ ଚାହାଁଣୀର ଚିଠି ପାଇଲି ମୁଁ୤ ମାତ୍ର ଆଖିରେ ତା’ର ଅପ୍ରାପ୍ୟ ମରୀଚିକା୤ ଏଇ ଅଛି୤ ଏଇ ନାହିଁ୤ ଦ୍ରୁତ ଭାସମାନ ମେଘ ଆଢୁଆଳରେ ଖଣ୍ଡେ ଚନ୍ଦ୍ର ପରି୤ ଆଉ ମୁଁ କେବଳ ଧାଉଁଚି୤ ଅଥଚ ଟିକିଏ ବି ଝାଳ ନାହିଁ୤ ଧୂଆଁ ଭଳି କିମ୍ବା ଶୀତ ସକାଳର କୁହୁଡ଼ି ପରି କ୍ଳାନ୍ତି ସବୁ ମିଳେଇଯାଇଛନ୍ତି ଆଶାରେ…. ହଁ ଏଇ ଆଶାରେ ଯେ ମୁଁ ପାଇବି୤ ଏଇ ଆଶା ଟିକକ ନିଜ ଭିତରେ ଜିଆଁଇ ରଖିପାରିଛି ବୋଲି ଏ ଦୌଡ଼ ନିରର୍ଥକ ମନେ ହେଉ ନାହିଁ୤

ହୋଇପାରେ ପଛେ ଏବର ଚଳଣିର ଏକ ନିଶ୍ଚିତ ବ୍ୟତିକ୍ରମ, କିନ୍ତୁ ନାକରେ ତା’ର ଗୋଟିଏ ଫୋଡ଼ ଦରକାର୤ ଭବିଷ୍ୟତରେ ଅଳଙ୍କାର ଝୁଲିବ୤ ଖାଣ୍ଟି ହଳଦୀ ବର୍ଣ୍ଣର ସୁନା ନ ହେଉ, ଅନ୍ତତଃ ଚଉଦ କେରେଟ୍‌ର ପଥର-ବସା ଗୋଟେ ଫୁଲି ହେଲେ କ୍ଷତି କ’ଣ ?

କଣ୍ଠରୁ ଆହା ! ତା’ର କି ମଧୁର ଏକ ସ୍ବରର ସ୍ରୋତ ବହିଆସେ୤ ତାରଲ୍ୟର ସମସ୍ତ ଗୁଣାବଳୀ ନେଇ ବେଶ୍‌ ସହଜରେ ତାହା ପ୍ରବେଶ କରେ କର୍ଣ୍ଣ କୁହରରେ ଓ ଜନ୍ମ ନିଏ ଏକ ପୁଲକ୤

ତା’ର ଧଳା ଚିକ୍‌ଚିକ୍‌ ଦାନ୍ତ ଦେଖିଲେ ମୋତେ ଈର୍ଷା ଲାଗେ୤

ଏବେ ବି ତା’ର ହାତକଟା ବ୍ଲାଉଜର ପରିସୀମା ବାହାରେ ଘିଅ ରଙ୍ଗର ବାହୁରେ ବସନ୍ତ ଟୀକାର ଦାଗ ଦୁଇଟି ବେଶ୍‌ ବାରି ହୁଏ୤

ଏବେ ସେ ମୋର ଲେଖା ଗୀତ ବୋଲିବ୤ ଆରମ୍ଭ ପୂର୍ବରୁ ଚାହାଁଣୀର ଚିଠି ଦେଇସାରିଛି୤ ଯେମିତି କହୁଛି- ‘ଆପଣଙ୍କର ରସହୀନ ଶୁଷ୍କ ଶବ୍ଦଗୁଡ଼ିକ ମୋ କଣ୍ଠରେ ଉଚ୍ଚାରିତ ହୋଇ, କିପରି ଜୀବନ୍ତ ହୋଇଉଠିବେ ଦେଖନ୍ତୁ୤’ ମିଛ ନୁହେଁ୤ ତେଣୁ ମୁଁ ପ୍ରତୀକ୍ଷାରେ୤ ମୋର ଗୀତ ବୋଲାହେବ୤ ମୁଁ ଶୁଣିବି୤ ଗୀତ ମାଷ୍ଟ୍ରେ ଚାରିଆଡ଼େ ଦୃଷ୍ଟିର ଏକ ସତର୍କ ପଇଁତରା ମାରି ସାରି କହିଲେ- ଏକ ଦୁଇ ତିନ୤

ଅର୍ଥାତ୍‌ ଆରମ୍ଭ କର୤ ଯନ୍ତ୍ର ସବୁ ବାଜିଉଠିଲେ୤ ସେଇ ଝିଅଟି ଖୁଁ ଖୁଁ କରି ଦୁଇଥର କାଶି ଗଳା ସଫା କରିନେଲା୤ ତା’ପରେ ସେଇ ଯନ୍ତ୍ରମାନଙ୍କର ସମ୍ମିଳିତ ଟୁଂ ଟାଂ ରଁ ରାଁ ଭିତରୁ ଫୁଟିଉଠିଲା ଗୋଟିଏ ସ୍ବର୤ ଯେମିତି ପାହାଡ଼ୀ ଝରଣାଟିଏ ଉତୁରିଆସିଲା ସବୁଜ ଉପତ୍ୟକାକୁ୤ ମୋର ନିଜର ଶବ୍ଦ, ମୋର ନିଜର ଗୀତ:

“ମୋ ମନର ମଧୁବନେ କୁହୁ କୁହୁ କାହିଁକି ?
କୋଇଲି ଲୋ ତୋତେ କ’ଣ କିଛି ଦିଶୁ ନାହିଁ କି ?”

ସେଠି ଥିଲେ ଅନେକ ଝିଅ… ସଙ୍ଗୀତ କଳା ପରିଷଦର ଛାତ୍ରୀ୤ ତାଙ୍କର ଆଗାମୀ ବାର୍ଷିକୋତ୍ସବ ପାଇଁ ଚାଲିଥିଲା ଏ ପ୍ରସ୍ତୁତି୤ ସେଠି ମୋର ଆଉ କୌଣସି କାମ ନ ଥିଲା୤ ମୋ ଗୀତ ବୋଲା ସରିବା ପରେ ମୁଁ ‘ଓକେ’ କହି ଉଠିଲି୤ ପ୍ରତ୍ୟେକ ଥର କୌଣସି ଏକ ସ୍ଥାନରୁ ଉଠି ଠିଆ ହେବା ପରେ ବାରମ୍ବାର ଗୋଟିଏ ପ୍ରଶ୍ନ ଆସି, ମୋ ଆଗରେ ଠିଆ ହୁଏ… କୁଆଡ଼େ ?

ସେଠି ଥିଲେ ଅନେକ ଝିଅ… ସଙ୍ଗୀତ କଳା ପରିଷଦର ଛାତ୍ରୀ୤ ତାଙ୍କର ଆଗାମୀ ବାର୍ଷିକୋତ୍ସବ ପାଇଁ ଚାଲିଥିଲା ଏ ପ୍ରସ୍ତୁତି୤ ସେଠି ମୋର ଆଉ କୌଣସି କାମ ନ ଥିଲା୤ ମୋ ଗୀତ ବୋଲା ସରିବା ପରେ ମୁଁ ‘ଓକେ’ କହି ଉଠିଲି୤ ପ୍ରତ୍ୟେକ ଥର କୌଣସି ଏକ ସ୍ଥାନରୁ ଉଠି ଠିଆ ହେବା ପରେ ବାରମ୍ବାର ଗୋଟିଏ ପ୍ରଶ୍ନ ଆସି, ମୋ ଆଗରେ ଠିଆ ହୁଏ… କୁଆଡ଼େ ?

ରାସ୍ତା୤ ମାତ୍ର ରାସ୍ତା ସବୁବେଳେ ନିର୍ଦ୍ଦିଷ୍ଟ ଠିକଣା ଆଡ଼କୁ ମୁହାଁଇ ନିଏ ନାହିଁ୤ ରାସ୍ତା ସବୁବେଳେ ସ୍ବାଗତ କରେ ନାହିଁ୤ ଏଣୁ ବାରମ୍ବାର ମନେହୁଏ ଯେ, ନା ସମୟ ହୋଇନି୤ ଯେଉଁଠି ଥିଲି ସେଠି ଆଉ କିଛି ବେଳ କଟାଇଦେଇଥିଲେ ଭଲ ହେଇଥାନ୍ତା୤ ମାତ୍ର ଦଣ୍ଡ-କାଳ ଶେଷ ହେଲା ପରେ, କାରାଗାରରୁ ଥରେ ମୁକ୍ତ ହେଲା ପରେ ସେ ଭିତରକୁ ପୁଣି ଥରେ ପ୍ରବେଶ କରିବା ପାଇଁ ଯେମିତି ଏକ ନୂତନ ଅପରାଧ କରିବାକୁ ପଡ଼େ, ପ୍ରାୟ ସେମିତି ଛାଡ଼ିଆସିଥିବା ସ୍ଥାନକୁ ଫେରିଯିବାକୁ ହେଲେ ଗୋଟିଏ ନୂତନ ଆଳ, ଗୋଟିଏ ନୂତନ ଉପଲକ୍ଷ୍ୟ ଯୋଗାଡ଼ କରିବାକୁ ପଡ଼େ୤ କିନ୍ତୁ ମୋ ପାଖରେ ସଙ୍ଗୀତ କଳା ପରିଷଦକୁ ଫେରିଯିବା ପାଇଁ କୌଣସି ଆଳ ନାହିଁ୤ ଅନ୍ତତଃ ଜାଣି ଜାଣି ମୋର ନୋଟ୍‌ ବହି ଖଣ୍ଡିକ ପାଶୋରି ଆସିଥିଲେ ହୋଇଥାନ୍ତା୤ ମାତ୍ର ନା, ନୋଟ-ବହିଟି ମୋ ହାତରେ ହିଁ ଥିଲା୤

ଅଗତ୍ୟା ରାସ୍ତା୤ ଆଜି ବି ରାସ୍ତା ଉପରେ ସେଇ ପାଗଳଟା ପ୍ରଳାପ କରୁଛି୤ ଏଇଟା ତା’ର ନିତ୍ୟକର୍ମ୤ ଜଣେ ସତର୍କ ପ୍ରହରୀ ପରି, ଦୁଇଟି ବତୀ ଖୁଣ୍ଟର ମଝିରେ ଥିବା ଦୂରତ୍ବକୁ ମାପି ମାପି ସେ ପ୍ରତିଦିନ ବଡ଼ବଡ଼ ହେଉଥାଏ୤ ବେଳେ ବେଳେ ବିରକ୍ତ ଲାଗେ, ବେଳେ ବେଳେ ଅମୋଦଦାୟକ ମନେହୁଏ୤ ମାତ୍ର ସେ ଯାହା କହେ ମିଛ ନୁହେଁ୤ ସବୁ ସତ୤ କିନ୍ତୁ ସେଇ ସତ ଟିକକ ସେ ଠିକ୍‌ ବାଗରେ ପ୍ରକାଶ କରିପାରେ ନାହିଁ ବୋଲି ପାଗଳ୤ ସେ ରଡୁଛି-ସବ୍‌ ଝୁଠା ହୈ୤ ମନ୍ଦିର ମସ୍‌ଜିଦ୍‌ କୁଛ୍‌ ଭି କହୋ୤ କଂଗ୍ରେସ କମ୍ୟୁନିଷ୍ଟ ଯୋ ଭି କହୋ୤ ସାଲେ ହାରାମୀ ହୈ୤ ସବ୍‌ ସାଲେ ଚୋର୍‌୤ ଚୋରୋଁ କା ମେହଫିଲ୍‌ ହୈ ୟହ ସହର୍‌୤ ଦିଅ ଦିଅ, ସବୁ ଖାଇଦେବି, ସବୁ ଗିଳିଦେବି, ଦିଅ; ନହେଲେ ଛଡ଼େଇନେବି୤ ସାଲେ ଇସ୍‌ ହମାମ୍‌ମେ ସବ୍‌ ନଙ୍ଗେ ହୋ୤

କଳା ପେଣ୍ଟ୍‌୤ ଚନ୍ଦା ମୁଣ୍ଡ୤ ଛିଣ୍ଡା କାନଭାସ୍‌ ଜୋତା୤ କାନ୍ଧରୁ ଝୁଲିରହିଛି ଗୋଟେ ଶାନ୍ତିନିକେତନୀ ବେଗ୍‌୤ ଅଙ୍ଗୁଳି ସନ୍ଧିରେ ଦପ୍‌ଦପ୍‌ ନିଆଁ୤ ବିଡ଼ି ନା ସିଗାରେଟ୍‌ ଜଣା ପଡୁ ନାହିଁ୤ ନିଶ୍ଚୟ ବିଡ଼ି ହୋଇଥିବ୤

ଗତଥର ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କ ଅପେକ୍ଷା ଏଇ ଲୋକଟିର ମୁହଁ ଏ ସହରରେ ଅଧିକ ଥର ଦେଖିବାକୁ ମିଳେ…ଏଣୁ ଏ ଅଧିକ ପରିଚିତ୤ ଏଇ ଲୋକଟାର ଜିଭ ଯେମିତି ଖଣ୍ଡେ ଦାଢୁଆ ଛୁରୀ୤ ମାତ୍ର ଲୋକଟି ଗୋଟେ ସଚଳ କାର୍ଟୁନ୍‌ ପରି ଟହଲ ମାରୁଛି ଏ ରାସ୍ତାରେ ଓ ବହୁ ବର୍ଷ ହେଲା ଜଗିରହିଛି ସେଇ ଦୁଇଟି ବତୀଖୁଣ୍ଟ ମଧ୍ୟସ୍ଥ ଦୂରତ୍ବକୁ୤

ପାଦ ମୋର ଝାଳେଇଆସୁଥିଲା୤ ରାସ୍ତାକଡ଼ର ବତୀ ସବୁ ଜଳୁଥିଲେ୤ ମାତ୍ର କେତେବେଳେ ଯେ ହଠାତ୍‌ ଲିଭିଯିବେ କିଏ କହିବ ? ମୁଁ ବଢ଼ିଚାଲିଲି, ଆଗକୁ୤ ସେଇ ପାନ୍ଥ୤ ହାତରେ ମୋର ଟିପା-ବହି ୤ ପାଟି ଭିତରେ ଶେଷ ପାନଖଣ୍ଡିକ ଗୁଣ୍ଡ ହୋଇଗଲାଣି୤ ଆଉ ବିଡ଼େ ଦରକାର୤ ଶରୀରକୁ ସଚଳ ରଖୁଥିବା ବେଟେରୀଗୁଡ଼ିକୁ ରିଚାର୍ଜ କରିବାକୁ ପଡ଼ିବ ଓ ମୁଁ ଚାଲୁଛି୤ ପରମ୍ପରାକୁ କାଖ କରି ମୁଁ ଚାଲୁଛି୤ ଚାଲିବାକୁ ହେବ ବୋଲି ଚାଲୁଛି୤ ଠିକ୍‌ ଯେମିତି ସଙ୍ଗୀତ କଳା ପରିଷଦର ସେଇ ଝିଅଟି ହସିବାକୁ ହେବ ବୋଲି ହସେ, ନମସ୍କାର କରିବାକୁ ହେବ ବୋଲି ହାତପାପୁଲି ଯୋଡ଼େ୤ ସତରେ କ’ଣ ସେଥିରେ ଆନ୍ତରିକତା ଥାଏ ?

ରାସ୍ତାକଡ଼ର କାଠତିଆରି ଠେଲା ଚା ଦୋକାନରେ ଆଜି ମଧ୍ୟ ଭିଡ଼ ଜମିଛି୤ ଖଣ୍ଡେ କଡ଼ା ବିଡ଼ି ଆଉ ଅଧକପ୍‌ କଷା ଚା’ର ଗରାଖ ଏମାନେ୤ ପାଞ୍ଚ ପଇସାର ଜିନିଷ କିଣି ପନ୍ଦର ମିନିଟ୍‌ ଖୁନ୍ତେଇଦିଅନ୍ତି ଏ ଦୋକାନରେ୤ ଗପ ଚାଲିଛି୤ ରାଜନୀତି ନୁହେଁ କି ଯୁବସମସ୍ୟା ନୁହେଁ୤ ସିନେମା ନୁହେଁ କି କ୍ରିକେଟ ନୁହେଁ୤ ଦେଶର ଧୋବଧଉଳିଆ ବୁଦ୍ଧିଜୀବୀମାନଙ୍କୁ ଏ ସବୁ ବିଷୟରେ ତର୍କ-ବିତର୍କ କରିବାକୁ ଛାଡ଼ିଦେଇ ଏମାନେ କହିଚାଲିଛନ୍ତି ହତ୍ୟା, ଦୁର୍ଘଟଣା, ଚୋରୀ ଓ ଧର୍ଷଣର କାହାଣୀ୤ ସଚ୍ଚୋଟ ରାଜନୀତି ଏକ ସ୍ବପ୍ନ ଏବଂ ପବିତ୍ର ପ୍ରେମ ଅନ୍ତତଃ ଚଳିତ ଶତାବ୍ଦୀ ପାଇଁ କିଛି ନୁହେଁ୤ ‘ପ୍ରବେଶ ନିଷେଧ’ ଲେଖାଥିବା ପ୍ରତ୍ୟେକ କୋଠରୀ ଓ ହୃଦୟକୁ ଦଖଲ କରିନିଅ୤ ଶବ୍ଦର ଜଙ୍ଗଲରୁ ନିଜକୁ ମୁକ୍ତ କର ଓ ଆସ ଏମାନଙ୍କ ସାଙ୍ଗରେ ବସି ଚା ଖାଅ୤ ବହୁତ କହିଲଣି, ବହୁତ ଦେଖାଇଲଣି, ଏଣିକି କିଛି ଶୁଣ ଓ କିଛି ଦେଖ୤ ଅନେକ କଣ୍ଠ ସ୍ବରର ତରଙ୍ଗ ସ୍ମୃତି୤ ଆମେ ଭୁଲ ବୁଝୁଛୁ୤ ଅନେକ ମୁହୂର୍ତ୍ତ୤ ଅନେକ ଘଟନା୤ ସମସ୍ତେ ଛୁଇଁଯାଉଥିଲେ ଯେପରି ମୋର ମସ୍ତିଷ୍କର ଅଭ୍ୟନ୍ତର, ମୋର ପ୍ରଜ୍ଞାର ପାତାଳ୤ ଯାହା ଅତୀତ ହୋଇଛି, ତା’ର ପୁରନାବୃତ୍ତି ଅସମ୍ଭବ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସମ୍ବଲପୁର
ଜଣେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟ କରି ଅବସର ନେଇଥିବା ଲେଖକ ପ୍ରଫୁଲ୍ଲ ତ୍ରିପାଠୀ ସାଧାରଣତଃ ଗଳ୍ପ, ପ୍ରବନ୍ଧ କବିତା ଏବଂ ଉପନ୍ୟାସ ଆଦି ଲେଖି ସୁନାମ ଅର୍ଜନ କରିଛନ୍ତି୤ ବିଶେଷତଃ ସାମଜରେ ଦେଖାଦେଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ଶ୍ରୀ ତ୍ରିପାଠୀଙ୍କ ଲେଖା ପର୍ଯ୍ୟବେଷିତ୤ ନିଜ ଜୀବନର ଉତ୍ତରାର୍ଦ୍ଧରେ ନିଜର ଲେଖନୀ ଶୈଳୀରେ ପରିବର୍ତ୍ତନ ଆଣି ଶ୍ରୀ ତ୍ରିପାଠୀ ଭାଷାବିତ୍ ଏବଂ ଲିପିର ବିକାଶ ଉପରେ ଅନେକ ଲେଖା ଲେଖିଛନ୍ତି୤ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର... [ କ୍ରମେ ସବିଶେଷ ]
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?

  • ୧. prasanta Panda |  ଏପ୍ରିଲ୍ ୨୭, ୨୦୧୧ - ୫:୧୮ ଅପରାହ୍ନ

    Sir Namaskar
    Sir ahi prabandhati ra nam”Rasta” hoithile bhala hoi thanta.
    Ahi prabandha ti ra marmatike bujhai debeki ???
    Dhanyabaad

  • ୨. santosh |  ଏପ୍ରିଲ୍ ୨୮, ୨୦୧୧ - ୧:୫୦ ଅପରାହ୍ନ

    Bahuta vala galpa.

  • ୩. Laxmikanta |  ଏପ୍ରିଲ୍ ୨୮, ୨୦୧୧ - ୧୧:୩୫ ଅପରାହ୍ନ

    I like it

  • ୪. ନିଳାଞ୍ଚଳ ଭୂୟା |  ଏପ୍ରିଲ୍ ୩୦, ୨୦୧୧ - ୯:୧୬ ଅପରାହ୍ନ

    ଅପଣଙ୍କ ଏହି ପ୍ରୟାସ ବହୁତ ଭଲ ଲାଗିଲା

  • ୫. ଭବାନି ପ୍ରସାଦ ପତି |  ମେ ୨୩, ୨୦୧୧ - ୪:୦୮ ପୂର୍ବାହ୍ନ

    ଭଲ ଲାଗିଲା ..

  • ୬. ଦିଗନ୍ତ ମହାନ୍ତି |  ଜୁନ୍ ୨୮, ୨୦୧୧ - ୬:୩୩ ପୂର୍ବାହ୍ନ

    ସାର୍, ଭଲ ହୋଇଛି ! ଏବେ ନିକଟ ରେ ପ୍ରକାଶିତ ହୋଇ ଥିବା ଦିଲିପ ମହାନ୍ତି ଙ୍କ କେତୋଟି ସିମ୍ଫୋନି ରେ ଏଇଭଳି ଚମତ୍କାର ଗପ କିଛି ଅଛି ପଢିବାକୁ ଅନୁରୋଧ

  • ୭. ରତି ରଞନ ବେହେରା |  ନଭେମ୍ବର୍ ୧୩, ୨୦୧୧ - ୯:୫୬ ପୂର୍ବାହ୍ନ

    ଗପଟି ବହୁତ ଭଲ ହୋଇଛି!!

  • ୮. ପ୍ରଣବ କୁମାର୍ ନାୟକ, ଫୁଲବାଣୀ,ଓଡିଶା |  ଅକ୍ଟୋବର୍ ୧୩, ୨୦୧୨ - ୬:୦୧ ପୂର୍ବାହ୍ନ

    ଆଜ୍ଞା ନମସ୍କାର୍, ଏହି ୱେବ୍ ସାଇଟ୍ ପଢି ଖୁସି ଲାଗିଲା,ଧନ୍ୟବାଦ
    ମୋ ମା ସବୁବେଳେ “ଚୋରୀ ହଳଦୀ” ନାମରେ ଗୋଟିଏ ବହି
    କଥା କୁହନ୍ତି,କୋଉଠି ମିଳିବ କହି ପାରିବେ କି ?

  • ୯. କାହ୍ନୁ ଚରଣ ତ୍ରିପାଠୀ, ଆସିକା.ଓଡିଶା |  ଜାନୁଆରୀ ୧୯, ୨୦୧୩ - ୧୨:୩୧ ଅପରାହ୍ନ

    ବହୁତ ଭଲ ଲାଗୁଛି ଗପ କିନ୍ତୁ ଏହାର ବଳକା ଅଂଶ କାହିଁ ମିଳୁ ନାହିଁ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤