ହେ ସୂର୍ଯ୍ୟ! ଫେରିଆସ
ଫେରାଅ ମୋ ଅଭୁଲା ଅତୀତ
ସ୍ମୃତି ମୋର ଭୁଲିନାହିଁ ତାହା
ଆଙ୍କିଛି ମୁଁ ତାର ଚିତ୍ରପଟ।
ଚିତ୍ର ନୁହେଁ, ଛବି ନୁହେଁ
ସେ ଏକ ଜୀବନ୍ତ ପ୍ରତିମା
ଶିଳ୍ପୀ କିବା ଗଢିପାରେ ତାରେ
କିଏ ତାର କି ଦେବ ଉପମା?
ରୂପ ତାର ଅନୂପମ
ବର୍ଣ୍ଣନା କେ କରିବ ଭାଷାରେ
ଡାକିଅଛି ସିଏ ମୋତେ
ଖୋଲି ତାର ହୃଦୟ ଦୁଆର
ଦେଇଅଛି ଜାଗା ମୋତେ
ତା ଭିତରେ କରିବାକୁ ଘର।
ସପନ ସାଗର ସିଏ
ବାହିନିଏ ମୋ ଜୀବନ ତରୀ
ଭ୍ରମ ସୃଷ୍ଟି ହୁଏ କେବେ କେବେ
ସତେ କି ମୁଁ ହେବି ତାର ସରି।
ଭୟ ମୋର ଚିର ସାଥୀ
ଯେବେଠାରୁ ଭଲ ମୁଁ ପାଇଲି
ଜାଣେନାହିଁ ଆଉ କିଏ ଆସି
କାଳେ ତାକୁ ନେଇଯିବ ବୋଲି।
ହେ ସୂର୍ଯ୍ୟ! କ୍ଷମାକର
ପାରିଲିନି ଜୀବନକୁ ବୁଝି
ଜୀବନଟା ଏଡିକି ଅବୁଝା, କିନ୍ତୁ
ମୋ ଲାଗି ଅବୁଝା ତୁମେ ଆଜି।
ଖୋଜିନାହଁ କେବେ ମୋତେ
ଲୋଡିନାହଁ ମୋର ପରିଚୟ
ଅନୁରୋଧ ତୁମକୁ ଏତିକି
ଭଲପାଅ ମୋତେ ଭଲପାଅ।