ଦିନ ଥିଲା, ସକାଳ ହେଲେ
ପୂର୍ବାଶାକୁ ଆଲୋକିତ କରି
ଉଠୁଥିଲା ବାଳସୂର୍ଯ୍ୟ
ପୁଷ୍କରିଣୀର ନୀଳକଇଁ ସ୍ବପ୍ନ ଭାଙ୍ଗୁଥିଲା
ଆଖି ମେଲି ଚାହୁଁଥିଲା ସୁର୍ଯ୍ୟଆଡ଼େ
ଅଣ୍ଟାଏ ପାଣିରେ ପଶି
ଶୀତରେ ଥୁରୁଥୁରୁ ହୋଇ
କଇଁଫୁଲ ତୋଳିଲାବେଳେ
ଟୁବଗାଡ଼ିଆ ବନ୍ଧ ଉପର ଗଛରୁ
କନିଅର ଫୁଲ ଲାଗି କଳି କଲାବେଳେ
ଆକାଶକୁ ଆସିଯାଉଥିଲେ ସୂର୍ଯ୍ୟ॥
ଆଜିକାଲି କେତେବେଳେ ସୁର୍ଯ୍ୟ ଉଠନ୍ତି
ପୁଣି କେତେବେଳେ ଖରା ଟାଣ ହୁଏ
ଜଣାପଡ଼େନି
ନୀଳକଇଁର ବାସ୍ନା କେବଳ ସ୍ମୃତି
ଟୁବଗାଡ଼ିଆ ପୋତି ହୋଇଗଲାଣି
କେଜାଣି ତା ହୁଡ଼ାରେ କନିଅର ଅଛି କି ନାହିଁ
ଥିଲେ ବି ସ୍ମୃତିପଟରେ ନାହିଁ ସେ ସବୁ॥
କୁଆଁର ପୁନେଇ ଜହ୍ନରାତିରେ ପାଳଭୂତ ହୋଇ
ସାଙ୍ଗସାଥିମାନଙ୍କୁ ଡରାଇବାର ମଜା
କାର୍ତ୍ତିକର ଥୁରୁଥୁରୁ ଶୀତରେ
ଟୁବଗାଡ଼ିଆକୁ ମହାନଦୀ ମନେ କରି
କଦଳୀ ବାସୁଙ୍ଗା ଭସାଇବାରେ
ଆଉ ମଗୁଶୀରର ବହଳ ଜହ୍ନରାତିରେ
ଗୁରୁବାର ଓଷା ଲାଗି ଫୁଲ ତୋଳିଗଲାବେଳେ
ଲାଗୁଥିଲା ଜୀବନ, ପ୍ରକୃତି ସବୁ କିଛି ଗୋଟାଏ ଯେମିତି॥
ହେଲେ ଆଜିକାଲି କୁଆଁର ପୁନେଇଁ କାର୍ତ୍ତିକ ପୁନେଇଁ ପାଇଁ
କ୍ୟାଲେଣ୍ଡର ଆଡ଼ଉ ଆଡ଼ଉ
କେବେଠାରୁ ସେମାନେ ଯାଇସାରିଥାନ୍ତି
ଗୁରୁବାର ଓଷା, ଲକ୍ଷ୍ମୀପୁରାଣର ଗୀତ ସବୁ
ସିଡି ଅବା କ୍ୟାସେଟ୍ରେ ଶୁଣିଲାବେଳେ
ଆଖି ଆଗକୁ ଆସେନା ଜହ୍ନ
ସେ ରାତି ସେ ସ୍ମୃତି ଓ ଜୀବନ
ଆଗକୁ ଯାଇଛି କି ପଛକୁ, ଜଣାପଡ଼େନା।