ତୁମେ କି ଖୋଜୁଛ ପ୍ରେମ
ରଙ୍ଗମହଲରେ ଅବା ଚିତ୍ରାର୍ପିତ ମଧୁଶାଳାପୁରେ
ପ୍ରେମ କି ହୋଇଛି ବନ୍ଦୀ
ରାଜ ଅନ୍ତଃପୁରେ ଅବା ଚିତ୍ରସେନ ଗନ୍ଧର୍ବର ଅମରାବତୀରେ
ଅଥବା ଲୁଚିଛି କାହିଁ ଛଳନାର ଛଦ୍ମବେଶୀ ମଣିଷ ଆଖିରେ
ଅବା ଅନ୍ତହୀନ କାମନାର ପଳାଶବନରେ?

ପ୍ରେମ ପରା ସମର୍ପିତ ଜୀବନର ଶୁଦ୍ଧ ପରିଭାଷା
ହୃଦୟର ଦଗ୍ଧ ଫୁଲବନେ ଭରିଦିଏ ଜୀଇଁବାର ଦୁର୍ବାର ଲାଳସା
ପ୍ରେମ ଅଟେ ହଳାହଳ ବିଷ
ପିଇଦେଲେ ପାଲଟେ ପୀୟୁଷ
ପ୍ରିତୀର ନନ୍ଦନବନ ମୋହ ର ମଦିରା
ଅନୁରାଗେ ଭରା ଏକ ସୁବର୍ଣ୍ଣ କଳସ
ନିନ୍ଦାର କଳଙ୍କ ଟୀକା ପିନ୍ଧି କିନ୍ତୁ ହସୁଥାଏ ସଂତୃପ୍ତିର ହସ।

ଅପବାଦ ଆଭୁଷଣେ ସଜାଏ ତା କାୟା
ମନବୃନ୍ଦାବନେ ନିତି ରଚଇ ରାହାସ
ତୁମେ କି ଜାଣିଛ ପ୍ରେମ
ଜୀବନ ଯମୁନାଜଳେ ଆଞ୍ଜୁଳାଏ ଅମୃତର ବିନ୍ଦୁ।

ଦୁଃଖର ଅତଳ ପଙ୍କେ କୋରକିତ ଏକ ପଦ୍ମମଧୁ
କିଏ ବା ଜାଣିଛି ପ୍ରେମ
କେଉଁଠାରେ ନିବାସ ତା କେଉଁଠି ଠିକଣା
କାହିଁ ସେ ନିମଗ୍ନପ୍ରେମୀ,
କାହିଁ ଯେଇ ଅନାବିଳ ପ୍ରେମର ଝରଣା
ସେ ଏକ ଅକ୍ଷୟ ସତ୍ତା,
ନିଃସ୍ବାର୍ଥ ଇଚ୍ଛାର ଏକ ଭବ୍ୟ ଗନ୍ତାଘର
ଋତୁର ସପ୍ତମ ଲଗ୍ନେ,
ନିଃସର୍ତ୍ତ ଇଚ୍ଛାପତ୍ରର କ୍ଷୁଦ୍ର ଇସ୍ତାହାର।

ଦେହ ଦାହ ଦହନର ଊର୍ଦ୍ଧ୍ବରେ ତ ଆତ୍ମାର ନିବିଡ଼ ଆକର୍ଷଣ
ନୁହେଁ ସିଏ କାମନାର ଅନ୍ୟନାମ
ନିରେଖି ଦେଖିଲେ ଥରେ,
ହୃଦୟରେ ଈଶ୍ବର ଯେ ସ୍ବୟଂ ବିଦ୍ୟମାନ।