ବରଷା ରାତିରେ ଯେ ଯାହାର ଘରେ
ଶୁଅନ୍ତି ସମସ୍ତେ ଯାଇଁ,
କେଉଁଠାରେ କିଏ ଗୀତ ଗାଉଥାଏ
ପିଲା ଶୁଆଇବା ପାଇଁ।

ପହିଲି ଆଷାଢ଼େ ବରଷଇ ମେଘ
ଆଣ୍ଠୁଆଣି ହୁଏ ପାଣି,
ପାଣିରେ ଡିଅଁନ୍ତି ଫକର ଫକର
ବେଙ୍ଗ ଆଉ ବେଙ୍ଗରାଣୀ।

ଗହନେ ବାଜଇ ଯୋଡ଼ି ମହୁରୀ ଲୋ
ଘନ ଘନ ରାବେ କାକ,
ବୋହୂ ବାପଘରୁ ଭାର ଆସୁଛି ହୋ
ଶୁଭଇ ଉଠିଆ ଡାକ।

ଆକାଶରେ ଚାଲେ କଳା ବଉଦ ଲୋ
ସୁଲୁ ସୁଲୁ ବହେ ବାଆ,
ବସା ଗଛ ଆଡ଼େ ଉଡ଼ିଯାଏ କାଉ
ରାବ ଦେଇ କାଆ କାଆ।

ଜୁଳୁ ଜୁଳୁ ଜଳେ ଜୁଳୁଜୁଳିଆ ଗୋ
ଶାଶୁଘରେ ଗଲେ ତରା,
ମାଆ ଯାଇଛନ୍ତି ମାମୁଁ ଘରକୁ ଗୋ
ତୁରିତେ ଆସିବେ ପରା।

ହୁଙ୍କା ଚାରିପିଠି ଫୁଟିଛି ଛତୁ ଗୋ
କିଏ ସେ ଛତୁ ତୋଳିଲା,
ଦୁଇକୂଳ ଖାଇ ପର୍ବତ ପ୍ରମାଣେ
ନଈ ତ ମାଡ଼ି ଆସିଲା।

ଅକାତ ପାଣିରେ ଶାଶୁ ନଣନ୍ଦଙ୍କ
ଗଞ୍ଜଣା ସହି ନ ପାରି,
ବିସର୍ଜନ ଦେଲା ସୁବର୍ଣ୍ଣ ପ୍ରତିମା
କାହାର ଏ ନବନାରୀ?

ଶ୍ରାବଣର ଧାରା ଶୋକପସରା ଗୋ
ବାଟ ଚାଲେ ବଳଦିଆ,
କେଣେ ଯାଉଛ ରେ ବଳଦିଆ ଭାଇ
ମେଘ ତ କଳାହାଣ୍ଡିଆ।

ଗାଆଁ ତଳ ବିଲେ ମଇଁଷି ପଲ ଗୋ
କୁହାଟେ ମଇଁଷିଆଳ,
ମଇଁଷି ଦୁଧକୁ ବାସ ଚାଉଳ ଗୋ
ଜାଳିବାକୁ ଘଷି ଫାଳ।

ପୋଖରୀ ହୁଡ଼ାରେ ଘୁଷୁରୀ ପଲ ଗୋ
କିଏ ସେ କଣ୍ଟା ମାଡ଼ିଲା,
ଗହୀର ବିଲରେ ଗୀତ ଗାଏ ଚଷା
ପବନ ଖରେ ବହିଲା।

ନଈ ସେପାରିରେ ଘୋର ଅନ୍ଧାର ଗୋ
କିଏ ସେ ଗୀତ ଗାଉଛି,
ରହ ରହ ଆହେ ବିଦେଶୀ ବାଟୋଇ
ମେଘ ତ ମାଡ଼ି ଆସୁଛି।

ଶ୍ରାବଣ ମାସରେ ଘୋର ବରଷା ହୋ
ଶୁଭେ ଘନ ଗରଜନ,
ପର୍ବତ ନାସୀର ମହାବଳ ବାଘ
କ୍ଷେପି ବୁଲେ ଗ୍ରାମ ବନ।

ଗିରି ଗହନରେ ଝରଇ ଝରଣା
ମୟୂର ରାବ ଦିଅଇ,
ପର୍ବତ କୋଳକୁ ତେଜି ଯାଏ ନଈ
ଦୂର ସିନ୍ଧୁ ପାଶେ ବହି।

ପଶୁ ପକ୍ଷୀ ନର ଗଛ ଘରଦ୍ବାର
ଭାସିଯାଏ ଜଳ ସଙ୍ଗେ,
ଜଳମୟ ଦିଶେ ଚଉଦିଗ ଯାକ
ପିଲା ଗୀତ ଗାନ୍ତି ରଙ୍ଗେ।

ମେଘ ବରଷିଲା ଟପର ଟପର
କେଶୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା।