ତୁମକୁ ବା ସଚ୍ଚିବାବୁ ଦେଖିଥିଲେ କେବେ
ଜାଣେନାହିଁ ଅଳକା ସାନ୍ୟାଲ
ସେତେବେଳେ ଆକାଶରେ ସ୍ବର୍ଣ୍ଣ ଚିତା ବାଘ ଅବା ହରିଣର ଛାଲ
ଅବା ଥିଲା ଗୋଲ ହୋଇ ହଳଦିଆ ଜହ୍ନର ମଶାଲ।

ମୁଁ ତୁମକୁ ଦେଖେ ଆଜି ତୁମେ ଦିଅ ବ୍ଲାଉଜ୍‌ର ବୋତାମ
ଚା ଦାଗ ତୁମେ ଧୂଅ ସେମିଜରୁ ଗରମ ପାଣିରେ
ତୁମେ ପୁଣି କଥା କୁହ ମୁହଁ ପୋତି ଟେବୁଲ ସେପାଖେ
ତୁମେ ପୁଣି ଉଠିଆସି ଆସ୍ତେ ବସ ପାଖ ଚଉକିରେ।

ଦିପହର ଧୂଳି ଉଡ଼େ ‘ଖାକି ଆଉ ଫିଲ୍ଡ଼ ଗ୍ରେ ଧୂଳି’
ସିଗାରେଟ୍ ଧୂଆଁ ପୁଣି ଭାରିହୋଇ ବସିଯାଏ ଜରିଫୁଲ କାଗଜ ଫୁଲରେ
କାଉ ଆଉ ବାଦୁଡ଼ିର ଚେଁ ଚାଁ ମିଶିଯାଏ ଏକାଠି ବାହାରେ
କୋଇଲାର ଧୂଆଁ ପୁଣି ନିଶ ମୋଡ଼ି ଉଠେ ରିକ୍ସାବାଲା ବାଟ ଯାଏ ଭୁଲି।

ତମକୁ ମୁଁ ଦେଖିପାରେ ଜୋତା ଷ୍ଟ୍ରାପ ତୁମେ ଧୀରେ ଖୋଲ
ତୁମେ ଆସି ଲୋଟିପଡ଼ ବିଛଣାରେ ବେଣୀ ଆଉ ଶାଢ଼ୀ ଅସଂଯତ
ତୁମେ ପୁଣି ଆସ୍ତେ ଉଠ ଲୁଗାପଟା ଠିକ୍‌ଠାକ୍ କରି
ଟାଉନ ହଲ୍ ସଭାରେ ମୁଁ ପାଏ ପୁଣି ତୁମର ସାକ୍ଷାତ।

ତମକୁ ବା ସଚ୍ଚିବାବୁ କେବେ ଥରେ ଚକ୍ରରଥ ଗନ୍ଧର୍ବ ହାତରୁ
ଛଡ଼ାଇ ଆଣିଲାବେଳେ ତୁମେ କଲ ଜୟ ଜୟକାର
ତା ପରେ ବା ପୁଣି କେବେ ନୂଆଖାଲି ପଠାଣ ବସ୍ତିରୁ
ଭାରତର ସ୍ବାଧୀନତା ଦେଲା ପୁଣି ଦ୍ବିତୀୟ ନିସ୍ତାର।

ଦିପହର କ୍ଳାନ୍ତ ହୁଏ ସନ୍ଧ୍ୟା ଆସେ ରେଳପୋଲ ଆଡୁ
କୋଇଲା ଚୂଲିର ଧୂଆଁ ଦେଖା ଆଉ ଯାଏ ନାହିଁ ଚୁପ୍‌ଚାପ୍‌ କାଉ ଓ ବାଦୁଡ଼ି
ସିଗାରେଟ୍ ଧୂଆଁ ହୁଏ ଆହୁରି ଜମାଟ ପୁଣି ନରଗିସ୍ ନେତାଜୀ ଫଟୋରେ
ଆକାଶରେ ଜହ୍ନ ପୁଣି ଦେଖାଦିଏ ଅକସ୍ମାତ ତାର ତଳ ଓଠ ରାଗରେ କାମୁଡ଼ି

ମୁଁ ତୁମର ଶୁଣେ ଆଜି ଝଡ଼ପରି ଭୀଷଣ ବତ୍କୃତା
ମୁଁ ଦେଖେ ତୁମର ଦେହ ହଠାତ୍ ଯାଏ କାଦୁଅ ପାଲଟି
ଛିଣ୍ଡା ଚିଠି କାଗଜରେ ତୁମର ଯା ଅବଶିଷ୍ଟ ରହେ
ପବନ ସେତକ ନିଏ ସଡ଼କରୁ ସାଉଁଟି ସାଉଁଟି।

ଭଙ୍ଗା ନୂଆଖାଲିରେ ବା କଲିକତା ନୂଆଦିଲ୍ଲୀ ଆଡ଼େ
କାଉ ଆଉ ବାଦୁଡ଼ିର ଚେଁ ଚାଁ, ପୁଣି ଏତେ ଯିବା ଓ ଆସିବା
କଟକରେ ଗଳି ଗଳି ରାସ୍ତା ରାସ୍ତା ଛକରେ ଛକରେ
ରାତିର ପ୍ରସୂତି କଷ୍ଟ ସକାଳର ରୁଗ୍‌ଣ ଜନ୍ମ ନେବା।

ତା ଭିତରେ ତୁମେ ପୂଣି ପ୍ରେମ କର ଗର୍ଭବତୀ ହୁଅ
ସିନେମାରେ ହ୍ୟାଣ୍ଡବିଲ ମୁଁ ଦେଖିଛି ତୁମର ଦେହରେ
ପବନ ତୁମକୁ ଯେବେ ଆସ୍ତେ ନିଏ ବାଲିରୁ ସାଉଁଟି
ମୁଁ ତୁମକୁ ସ୍ବପ୍ନ ଦେଖେ ମୋର ଢିଲା ପାଇଜାମା କାମିଜର ଅମରାବତୀରେ।