ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗୋଦାବରିଶ ମିଶ୍ର
ଜୟନ୍ତ ମହାପାତ୍ର
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଡକ୍ଟର ମାୟାଧର ମାନସିଂହ
ନୀଳକଣ୍ଠ ଦାସ
ତ୍ରିନାଥ ସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ମାର୍ଚ୍ଚ୍ ୫, ୨୦୧୧  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ଓଡ଼ିଶା ହେଉଛି ଦେବଭୂମି୤ ଏହାର ମାଟି, ଗୋଡ଼ି ଓ ବାଲିରେ ଭୂମାପୁରୁଷର ସ୍ପର୍ଶ ରହିଛି୤ ଏହି ଭୂମିରେ ବ୍ୟକ୍ତିଠାରୁ ଦେବତାର ମୂଲ୍ୟବେଶୀ୤ ଶ୍ରୀଜଗନ୍ନାଥଙ୍କ ପବିତ୍ରତା, ସମ୍ମାନ ଓ ଦିବ୍ୟତ୍ବ ରକ୍ଷାପାଇଁ ବୈଦେଶିକ ଆକ୍ରମଣରୁ ଯୁଗେ ଯୁଗେ ଧର୍ମପ୍ରାଣ ବ୍ୟକ୍ତିମାନେ ମୃତ୍ୟୁର ଆଶଙ୍କାକୁ ଜୟକରି ଶ୍ରୀଜଗନ୍ନାଥଙ୍କୁ ନିରାପଦ ସ୍ଥାନରେ ଗୋପନ ରଖିଛନ୍ତି୤ ‘ନୀଳଶୈଳ’ର ସାର୍ଥକତା ଫୁଟି ଉଠିନି ଇତିହାସର ଦୀର୍ଘ ବିବରଣୀରେ, ବରଂ ଏହା ପ୍ରକାଶ ପାଇଛି ରାମଚନ୍ଦ୍ର ଦେବଙ୍କ ଯନ୍ତ୍ରଣା ଜର୍ଜରିତ ବହୁଘଟଣା ବିଘଟିତ ଜୀବନର ଦୀର୍ଘ ପ୍ରସ୍ତୁତି ମଧ୍ୟରେ ସେହି ଅପରାଜେୟ ବିଶ୍ବ ସଂସ୍କୃତିର ଧାରକ ଶ୍ରୀଜଗନ୍ନାଥଙ୍କ ମହିମା ଓ ମହତ୍ତ୍ବ ପ୍ରଖ୍ୟାପନରେ୤

ଔପନ୍ୟାସିକ ଶ୍ରୀ ମହାନ୍ତି ଇତିହାସ ଓ କିମ୍ବଦନ୍ତୀରୁ ଭାବବସ୍ତୁ ଆହରଣ କରି ‘ନୀଳଶୈଳ’ ଉପନ୍ୟାସକୁ ସରସ, ସୁନ୍ଦର କରି ଗଢ଼ିତୋଳିଛନ୍ତି୤ ଏହି ଉପନ୍ୟାସରେ ଇତିହାସର ପଟ୍ଟ ଭୂମିରେ ଐତିହାସିକ ତଥା କାଳ୍ପନିକ ଚରିତ୍ର ମଧ୍ୟ ଦେଇ ବିସ୍ମୃତ ଓ ବିବର୍ଣ୍ଣ ଯୁଗକୁ ପ୍ରାଣବନ୍ତ କରି ଗଢି ତୋଳିବାରେ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ଅସାମାନ୍ୟ ସଫଳତା ଲାଭ କରିଛନ୍ତି୤ ଏକ ସଫଳ ଐତିହାସିକ ଉପନ୍ୟାସ ଭାବରେ ‘ନୀଳଶୈଳ’ର ସାଫଲ୍ୟ ଅସାଧାରଣ୤ ମୋଗଲ ଶାସକଙ୍କ ବିରୁଦ୍ଧରେ ବାରମ୍ବାର ବିଦ୍ରୋହ କରିବାରୁ ରାମଚନ୍ଦ୍ର ଦେବଙ୍କୁ ସିଂହାସନ ହରାଇବାକୁ ପଡ଼ିଥିଲା୤ ରାଜ୍ୟଭ୍ରଷ୍ଟ ରାମଚନ୍ଦ୍ର ଦେବ ସ୍ବୀୟ ସାମନ୍ତ ନରସିଂହପୁର ରାଜାଙ୍କ ନିକଟରେ ଆଶ୍ରିତ ଥିବା ସମୟରେ ପ୍ରାଣତ୍ୟାଗ କରିଥିଲେ ବୋଲି ଐତିହାସିକ କେଦାରନାଥ ମହାପାତ୍ର ମତପୋଷଣ କରନ୍ତି୤ ଔପନ୍ୟାସିକ କିନ୍ତୁ ଶୁଷ୍କ ଇତିହାସକୁ ବର୍ଜନ କରି ତାର ଭାବସତ୍ତାକୁ ଗ୍ରହଣ କରି ରାମଚନ୍ଦ୍ର ଦେବଙ୍କର ନିଃସଙ୍ଗ ଓ ନିଃସହାୟ ବେଦନାକୁ ଉପନ୍ୟାସରେ ରୂପାୟନ କରିଛନ୍ତି୤

ଏହି ଉପନ୍ୟାସରେ ତକି ଖାଁଙ୍କର ଭଗିନୀ ଓ ସୁଜା ଖାଁଙ୍କର କନ୍ୟା ରିଜିୟା ବେଗମ୍‌ ଏକ ଐତିହାସିକ ଚରିତ୍ର୤ କିନ୍ତୁ ଐତିହାସିକ ଚକ୍ରଧର ମହାପାତ୍ର ମତ ଦିଅନ୍ତି ଯେ ରେଜିୟା ବେଗମ୍‌ ମୁଶଦ୍‌ କୁଲି ଖାଁଙ୍କର କନ୍ୟା, ତାଙ୍କ ନାମ ଥିଲା ସୌରିଆ୤ ଅନ୍ୟତ୍ର ତାଙ୍କୁ ରିଜିଆ ବା ରେଜିଆ ନାମରେ ଅଭିହିତ କରାଯାଇଛି୤ ନୀଳଶୈଳରେ ରିଜିଆ ଶାନ୍ତ, ମଧୁର ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ତାଙ୍କର ବ୍ୟାକୁଳତା ଏବଂ ତୀକ୍ଷ୍ଣ ଧୀମତ୍ତା ତାଙ୍କୁ କଲ୍ୟାଣୀ ନାରୀର ମହିମାରେ ମଣ୍ଡିତ କରିଅଛି୤ ଏହି ଉପନ୍ୟାସର ଆଉ ଏକ ମହିମାମୟୀ ଚରିତ୍ର ସର ଦେଈ୤ ବାଲୁଗାଁ ପେଣ୍ଠର ସରଦେଈ ଚଟିଘର ନାମକୁ କେନ୍ଦ୍ରକରି ଲୋକଶ୍ରୁତିର କିଛି କାହାଣୀକୁ ସମ୍ବଳକରି ଔପନ୍ୟାସିକ ସରଦେଈକୁ ଚିରନ୍ତନୀ କରିଛନ୍ତି୤ ‘ନୀଳଶୈଳ’ର ଏକ ଆକର୍ଷଣୀୟ ଓ ବହୁଚର୍ଚ୍ଚିତ ଚରିତ୍ର ସରଦେଈ୤ ଏହି ଉପନ୍ୟାସରେ ଔପନ୍ୟାସିକ ପାଟମହାଦେଈ ଲଳିତାଦେଈ, ଲକ୍ଷ୍ମୀ ପରମଗୁରୁ, ବେଣୁ ଭ୍ରମରବର, ବଡ଼ପରିଚ୍ଛା ଗୌରୀ ରାଜଗୁରୁ, ଜଗୁନି ପ୍ରଭୃତି ଚରିତ୍ରକୁ ସ୍ବଭାବ ସୁଲଭ ଭଙ୍ଗୀରେ ରୂପାୟନ କରିଛନ୍ତି୤ ବିହାର ଓଡ଼ିଶାର ଲକ୍ଷ ଲକ୍ଷ ଜନତାର ଆପଣାର ବଡ଼ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହିମା ପ୍ରଖ୍ୟାପନ ନିମିତ୍ତ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ଯେଉଁ ମୁଗ୍ଧ ଭାବ ବିଳାସ ରହିଛି, ତାହାର ଯଥାର୍ଥ ପ୍ରତିଫଳନ ଘଟିଛି ‘ନୀଳଶୈଳ’ ଉପନ୍ୟାସରେ୤

‘ନୀଳଶୈଳ’ ଏକ କାଳଜୟୀ ଉପନ୍ୟାସ୤ ଏଥିରେ ଇତିହାସ ଓ ଉପନ୍ୟାସ ପରସ୍ପରକୁ କୋଳାଗ୍ରତ କରି ପରସ୍ପରର ପରିପୂରକ ହୋଇ ପଡ଼ିଛନ୍ତି୤ ଏଥିରେ ଆଭିଜାତ୍ୟପୂର୍ଣ୍ଣ ଭାଷା, ଆବେଗପ୍ରବଣତା, ବର୍ଣ୍ଣନାର ଚମତ୍କାରିତା ଏବଂ ଚମତ୍କାର ଶୈଳୀମିଶ୍ରିତ ହୋଇ ‘ନୀଳଶୈଳ’ ଉପନ୍ୟାସର କଳାଧର୍ମକୁ କାଳୋତ୍ତୀର୍ଣ୍ଣ କରିପାରିଛି୤ ଯଥାର୍ଥରେ ‘ନୀଳଶୈଳ’ ସୁରେନ୍ଦ୍ର ସ୍ରଷ୍ଟାମାନସର ଏକ ମହିମାବନ୍ତ ସୃଷ୍ଟି୤

‘ନୀଳଶୈଳ’ ଓ ‘ନୀଳାଦ୍ରିବିଜୟ’ ମଧ୍ୟରେ ବ୍ୟବଧାନ ୧୨ ବର୍ଷ୤ ନିଳାଦ୍ରିବିଜୟ ୧୯୮୦ ସାଲରେ ପ୍ରକାଶିତ୤ ‘ନୀଳଶୈଳ’ର ଉତ୍ତରାର୍ଦ୍ଧ ହେଉଛି ‘ନୀଳାଦ୍ରିବିଜୟ’୤ ଚିଲିକାର ଗୁରୁବାଈ ଦ୍ବୀପରେ ହେନ୍ତାଳ ବଣ ଭିତରେ ଶ୍ରୀଜଗନ୍ନାଥଙ୍କୁ ଗୋପନକରି ରଖିବା ବିଷୟ ‘ନୀଳଶୈଳ’ ରେ ବର୍ଣ୍ଣିତ୤ କିନ୍ତୁ ଶ୍ରୀମନ୍ଦିର ଭିତର ରତ୍ନସିଂହାସନ ଉପରକୁ ମହାପ୍ରଭୁଙ୍କୁ ଫେରାଇ ଆଣିବାକୁ ପଡ଼ିବ୤ ଏହି ପ୍ରସଙ୍ଗ ହିଁ ‘ନୀଳାଦ୍ରିବିଜୟ’ର କଥାବସ୍ତୁ୤ ‘ନୀଳାଦ୍ରିବିଜୟ’ କୁ ମଧ୍ୟ ଏକ ସ୍ବତନ୍ତ୍ର ଉପନ୍ୟାସ ଭାବରେ ଗଣାଯାଇ ପାରେ ବୋଲି ଔପନ୍ୟାସିକ ସୂଚନା ଦେଇଛନ୍ତି୤ ଦୁଇଟିଯାକ ଉପନ୍ୟାସର ଭାବବସ୍ତୁ ହେଉଛି ଶ୍ରୀଜଗନ୍ନାଥଙ୍କ ମହିମା ଓ ମହତ୍ତ୍ବ ପ୍ରତିପାଦନ୤ ଏଥିରେ ରାମଚନ୍ଦ୍ର ଦେବ, ଲଳିତା ମହାଦେଈ ଓ ରିଜିଆ ଏହି ତ୍ରିକୋଣ ପ୍ରେମର ଦ୍ବନ୍ଦହିଁ ରାମଚନ୍ଦ୍ର ଦେବଙ୍କ ଦୁଃଖ ଓ ଦୁର୍ଦ୍ଦଶା ପାଇଁ ଦାୟୀ ବୋଲି ବର୍ଣ୍ଣନା କରାଯାଇଛି୤

ଏହି ଉଭୟ ଉପନ୍ୟାସର କଳାଧର୍ମକୁ ବିଚାର କଲେ ଜଣାଯାଏ ଯେ, ‘ନୀଳାଦ୍ରିବିଜୟ’ ରେ ‘ନୀଳଶୈଳ’ର ମାର୍ମିକ ଆବେଦନ ଓ ମନ ଛୁଆଁଭାବ ନାହିଁ୤ ‘ନୀଳଶୈଳ’ରେ ଲେଖକଙ୍କର ଘଟଣା ବର୍ଣ୍ଣନାରେ ଯେଉଁ ଅଖଣ୍ଡ ଆବେଗର ମହାସ୍ରୋତ ରହିଛି, ତାହା ‘ନୀଳାଦ୍ରି ବିଜୟ’ରେ ସମ୍ପୂର୍ଣ୍ଣ ଅନୁପସ୍ଥିତ୤ ମନେହୁଏ, ସୁରେନ୍ଦ୍ର ସ୍ରଷ୍ଟା ମାନସର ଉତ୍ତୁଙ୍ଗ ଭାବସତ୍ତା ‘ନୀଳଶୈଳ’ରେ ହିଁ ଗୁମ୍ଫିତ୤ ଏହା ‘ନୀଳଶୈଳ’ର ଉତ୍ତରାର୍ଦ୍ଧ୤ ଘଟଣାର କ୍ରମିକତା ଓ ଚରିତ୍ରମାନଙ୍କ ସମତା ବ୍ୟତୀତ ‘ନୀଳାଦ୍ରି ବିଜୟ’ର ‘ନୀଳଶୈଳ’ ସହିତ ଆଉ କୌଣସି ସମ୍ପର୍କ ନାହିଁ୤ ପରିଶେଷରେ ଏତିକି ଉଲ୍ଲେଖଯୋଗ୍ୟ ଯେ, ଐତିହାସିକ ଉପନ୍ୟାସ ଭାବରେ ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ଓଡ଼ିଶା ଉପନ୍ୟାସ ସାହିତ୍ୟ ଜଗତରେ ଦୁଇଗୋଟି ମହିମାମୟ ସାରସ୍ବତ କୃତି୤
-୦-

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡକ୍ଟର ଅଭିମନ୍ୟୁ ବରାଳ, ସାକ୍ଷୀଗୋପାଳ
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. shyama prasad sahu |  ସେପ୍ଟେମ୍ବର୍ ୧୯, ୨୦୧୧ - ୨:୨୬ ପୂର୍ବାହ୍ନ

    mu neelasail abom neeladri bijay padhichi. bodhe odiya re amiti opanyas au lekhahoiparibani. doctor baral babunk bishleshan ati sundar. padhithiba lok hi bujhiparibe. patrilar utaruttar unati haou namaskar.
    gunamugdha, shyamaprasad

  • ୨. ସରୋଜ ବଳ |  ଜୁଲାଇ ୯, ୨୦୧୨ - ୮:୨୪ ପୂର୍ବାହ୍ନ

    ଖୁବ୍ ଭଲ ଉଦ୍ୟମ୤ ଏପରି ଜାରିରହୁ୤ ତେବେ କିଛି ଯୁକ୍ତାକ୍ଷର / ମାତ୍ରା ଠିକ୍ ଭାବେ ଦିଶୁନାହିଁ୤ ଶୁଭେଛା୤

  • ୩. ବିଶ୍ବଜିତ ଶତପଥୀ, ସା‌‌‌‌‌‌ଖୀଗୋପାଳ |  ନଭେମ୍ବର୍ ୫, ୨୦୧୩ - ୮:୦୮ ପୂର୍ବାହ୍ନ

    ସାର୍ ନମସ୍କାର,
    ଆପଣଙ୍କର ଏହି ତୁଳନାତ୍ମକ ଲେଖାଟି ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି୤ ଏହିଭଳି ଆପଣ ସବୁବେଳେ କଲମ ଚାଳନା କରି ଓଡିଆ ସାହିତ୍ୟର ଶୋଭାମଣ୍ଡନ କରୁଥାନ୍ତୁ – ଏହା ହିଁ ଗୋପାଳଙ୍କ ନିକଟରେ ପ୍ରାର୍ଥନା୤
    ଆପଣଙ୍କର ପ୍ରିୟ
    ବୁବୁ

  • ୪. pabitra das |  ଫେବୃଆରୀ ୧୩, ୨୦୧୪ - ୯:୩୬ ପୂର୍ବାହ୍ନ

    Sir lekhati tatwadharmi heichi

  • ୫. pabitra das, ravenshaw university,cuttack.odia bhasa o sahitya bivaga.  |  ଫେବୃଆରୀ ୧୩, ୨୦୧୪ - ୯:୩୯ ପୂର୍ବାହ୍ନ

    Sir,nibandhati uchhakotira heichhi.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤