ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୌଭାଗ୍ୟ ମିଶ୍ର
ଅଖିଳମୋହନ ପଟ୍ଟନାୟକ
ସ୍ବଭାବ କବି ଗଙ୍ଗାଧର ମେହେର
ସାର୍‌ ବାସୁଦେବ ସୁଢ଼ଳଦେବ
କାହ୍ନୁଚରଣ ମହାନ୍ତି
ମଧୁସୂଦନ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ମାର୍ଚ୍ଚ୍ ୫, ୨୦୧୧  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ଓଡ଼ିଆ ସାହିତ୍ୟ ଜଗତର କଥାକାର ସୁରେନ୍ଦ୍ର ମହାନ୍ତି ଜଣେ କ୍ରାନ୍ତିକାରୀ ସ୍ରଷ୍ଟା୤ ଜୀବନର ବହୁବିଧ ଦିଗକୁ ଆଧାର କରି ତାଙ୍କର ସ୍ରଷ୍ଟାମାନସ ସଫଳ ଉପନ୍ୟାସ ସର୍ଜନାରେ ସାର୍ଥକତା ଲାଭ କରିଅଛି୤ ସୁରେନ୍ଦ୍ର ମାନସ ଏକ ଅଭିଜାତ ସଞ୍ଜାତ ମାନସ ମଣିଷର କାମନା-ବାସନା, ପ୍ରାପ୍ତି-ଅପ୍ରାପ୍ତି, ମନର ସ୍ବାଧୀନ ଭାବ ଚେତନା, ମନର ରହସ୍ୟ, ମଣିଷର ଜାନ୍ତବ-କ୍ଷୁଧା, ଉନ୍ମାର୍ଗଗାମୀ ଚିନ୍ତାଧାରା, ଜୀବନର ଅଚରିତାର୍ଥ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଅସହାୟତା ଭିତରେ ସେ ଜୀବନର ଶାଶ୍ବତ ମୂଲ୍ୟବୋଧର ଅନ୍ବେଷା କରିଛନ୍ତି୤ ଏତଦ୍‌ବ୍ୟତୀତ ଅତୀତର ଗୌରବମୟ ଇତିହାସ, ବୀରଗାଥା, ବୌଦ୍ଧଯୁଗର କାହାଣୀକୁ ନେଇ ତା‘ଭିତରେ ଚିରନ୍ତନ ଜୀବନଧାରାର ସନ୍ଧାନ କରି ତାହାର ମହିମାମୟ ଦିଗକୁ ଉନ୍ମୋଚିତ କରିଛନ୍ତି୤ ଭାବ ବସ୍ତୁରେ ଗଭୀରତା, ଶୈଳୀରେ ଚମତ୍କାରିତା, ଆଭିଜାତ୍ୟପୂର୍ଣ୍ଣ ଭାଷା ଓ ଜୀବନବୋଧର ଗାମ୍ଭୀର୍ଯ୍ୟ ଦୃଷ୍ଟିରୁ ତାଙ୍କର ଉପନ୍ୟାସ ଗୁଡ଼ିକ ଓଡ଼ିଆ ଉପନ୍ୟାସ ସାହିତ୍ୟ ଜଗତରେ ମଣିମାଣିକ୍ୟ ତୁଲ୍ୟ ବିବେଚିତ୤ ତାଙ୍କର କଥା ସାହିତ୍ୟର ଯେପରି ଅଛି ବ୍ୟାପ୍ତି, ସେହିପରି ଅଛି ଦୀପ୍ତି୤ ଉଦାର ମାନବିକ ମୂଲ୍ୟବୋଧର ଯଶସ୍ବୀ ଔପନ୍ୟାସିକ ଭାବେ ସେ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଜଣେ କାଳଜୟୀ ସାଧକ୤

କଥା ଶିଳ୍ପୀ ସୁରେନ୍ଦ୍ର ମହାନ୍ତି ଜଣେ ନିରବଚ୍ଛିନ୍ନ ସ୍ରଷ୍ଟା୤ ତାଙ୍କର ସୃଜନଶୀଳ ଉପନ୍ୟାସ ଗୁଡ଼ିକ ହେଉଛି ‘କଲେଜ ବୟ (୧୯୪୭)’, ‘ବଧୂ ଓ ପ୍ରିୟା (୧୯୪୮)’, ‘ସହସ୍ର ଶଯ୍ୟାର ନାୟିକା (୧୯୫୨)’, ‘ଅନ୍ଧଦିଗନ୍ତ (୧୯୬୪)’, ‘ହଂସଗୀତି (୧୯୬୭)’, ‘ନୀଳଶୈଳ (୧୯୬୮)’, ‘ଶତାବ୍ଦୀର ସୂର୍ଯ୍ୟ (୧୯୬୮)’, ‘କୁଳବୃଦ୍ଧ (୧୯୭୮)’, ‘ନୀଳାଦ୍ରିବିଜୟ (୧୯୮୦)’, ‘ଅଚଳାୟତନ (୧୯୮୧)’, ‘କାଳାନ୍ତର (୧୯୮୨)’, ‘ନେତିନେତି (୧୯୮୨)’, ‘କୃଷ୍ଣାବେଣୀରେ ସନ୍ଧ୍ୟା (୧୯୮୫)’, ‘ଆଜୀବକର ଅଟ୍ଟହାସ୍ୟ (୧୯୮୭)’ ଓ ‘ଫଟାମାଟି (୧୯୮୮)’୤ ସେ କେତେକ ଉପନ୍ୟାସରେ ଐତିହାସିକ ଭାବଚେତନାକୁ ପ୍ରକାଶ କରିଥିଲେ ସୁଦ୍ଧା ସମକାଳୀନ ସମୟର ସାମାଜିକ ଓ ରାଜନୀତିକ ଭାବଧାରାକୁ ସେ ବିଶ୍ବସ୍ତ ରୂପେ ରୂପାୟନ କରିଛନ୍ତି୤ ବସ୍ତୁତଃ ଇତିହାସ ଓ କିମ୍ବଦନ୍ତୀକୁ ପୃଷ୍ଠଭୂମି ଭାବେ ଗ୍ରହଣ କରି ଶିଳ୍ପୀ-ସୁଲଭ-ଅଭିଜ୍ଞ ଚେତନାରେ ସେ ସବୁର ବାସ୍ତବ ଓ ସ୍ବାଭାବିକ ଭଙ୍ଗୀରେ କଳାତ୍ମକ ରୂପଦେବାରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ସିଦ୍ଧି ଅବିସମ୍ବାଦିତ୤

କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ‘ନୀଳଶୈଳ’ ଓଡ଼ିଆ ଐତିହାସିକ ଉପନ୍ୟାସ ରଚନା କ୍ଷେତ୍ରରେ ଏକ ଅବିସ୍ମରଣୀୟ ସୃଷ୍ଟି୤ ଓଡ଼ିଆ ସମାଜ, ସଂସ୍କୃତି ଓ ଜାତୀୟ ଜୀବନର ଚିରନ୍ତନ ଗର୍ବ ଶ୍ରୀଜଗନ୍ନାଥଙ୍କୁ ଭିତ୍ତିକରି ଏହି ଉପନ୍ୟାସଟି ରଚିତ୤ ଏଥିରେ ଓଡ଼ିଶା ଜାତିର ଅତୀତ ଗୌରବ ଗାଥା ସହିତ ମୈତ୍ରୀ, ପ୍ରୀତି, ସମତା ଓ ବିଶୃଭାତୃତ୍ବର ଦେବତା ଶ୍ରୀଜଗନ୍ନାଥଙ୍କ ଇତିହାସ ସାହିତ୍ୟିକ ସୌନ୍ଦର୍ଯ୍ୟ ବୋଧନେଇ ଲିପିବଦ୍ଧ୤ ଏହି ଉପନ୍ୟାସର ଭୂମିକାରେ ଲେଖକ ଲେଖିଛନ୍ତି- “ଏପରି ଉପନ୍ୟାସ ଲେଖିବା ମୋ କଳ୍ପନାରେ ଆଦୌ ନଥିଲା୤ ମାତ୍ର ୧୯୬୪ ସାଲରେ ସେଥର ରଥଯାତ୍ରା ବେଳେ ଅତିନିକଟରୁ ଜଗନ୍ନାଥଙ୍କର ପହଣ୍ଡିବିଜେ ଦେଖିବାର ସୌଭାଗ୍ୟ ମୋର ଘଟିଥିଲା୤ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର କିପରି ଅନ୍ତରଙ୍ଗ ସେହିଦିନ ସେ ଜନସମୁଦ୍ର ମଧ୍ୟରେ ଠିଆ ହୋଇ ମୁଁ ଲକ୍ଷ୍ୟ କରିଥିଲି୤ ବସ୍ତୁତଃ ମୋ ମତରେ ସମଗ୍ର ପୃଥିବୀରେ ଏହା ଏକ ଶ୍ରେଷ୍ଠ ବର୍ଣ୍ଣାଢ଼୍ୟ ଓ ପ୍ରେରଣାମୟ ଦୃଶ୍ୟର ଗୌରବ ଦାବୀ କରେ୤ କାଦମ୍ବରୀ ପ୍ରମତ୍ତ ବଳଦେବଙ୍କ ଦର୍ପିତ ପହଣ୍ଡି, କେତେକୀ ଟାହିଆର ଠାଣି ଓ ବିଜେ କାହାଳୀ, ଘଣ୍ଟନାଦ ମଧ୍ୟରେ ମୋର ଦୃଷ୍ଟିପଥରେ ଉଦ୍‌ଭାସିତ ହୋଇ ଉଠିଥିଲା, ଇତିହାସର ବହୁ କ୍ଷତବିକ୍ଷତ ସେଇ ଅରାଜେୟ ଓଡ଼ିଆ ଆତ୍ମାର ଅଭ୍ୟୁଦୟ ! ସେ ଦିନର ସେଇ ଅବିସ୍ମରଣୀୟ ଅନୁଭୂତି ମୋତେ ଯେଉଁ ପ୍ରେରଣା ଦେଇଥିଲା, ‘ନୀଳଶୈଳ’ ତାହାର ପରିଣତି୤”

ଓଡ଼ିଆ ଉପନ୍ୟାସ ସାହିତ୍ୟ ଜଗତରେ ‘ନୀଳଶୈଳ’ ଉପନ୍ୟାସ ଏକ ମନୋଜ୍ଞ ସୃଷ୍ଟି୤ ଏ ଉପନ୍ୟାସଟି ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କ ଜୀବନ ଇତିହାସକୁ ଉପଜୀବ୍ୟ କରି ଗଢ଼ିଉଠିଛି୤ ଇତିହାସର ରାମଚନ୍ଦ୍ର ଦେବ ଏଠି ଏକ ଭିନ୍ନ ଭୂମିକାରେ ବିଦ୍ୟମାନ୤ ସମଗ୍ର ‘ନୀଳଶୈଳ’ ଉପନ୍ୟାସର କଥାବସ୍ତୁ ଭିତରେ ସେ ଏକ ନିରବଚ୍ଛିନ୍ନ, ନିଃସଙ୍ଗ, ସଂଗ୍ରାମୀ ଚରିତ୍ର୤ ତାଙ୍କର କ୍ଷତ୍ରିୟସୁଲଭ ସଂଗ୍ରାମଶୀଳ ନିଷ୍ଠାପର କର୍ମକୃତିର ଆଭାସ ଏହି ଉପନ୍ୟାସରେ ନାଟକୀୟ ରୀତିରେ ପରିକୀର୍ତ୍ତିତ୤ ଔପନ୍ୟାସିକ ଶ୍ରୀମହାନ୍ତି ତାଙ୍କୁ ଉତ୍କଳର ଭାଗ୍ୟବିଧାତା, ଜଗନ୍ନାଥ ସେବକ, ଅଭୂତପୂର୍ବ ବୀର ରୂପେ ଚିତ୍ରଣ କରିଛନ୍ତି୤ ପୂର୍ବ ସ୍ମୃତିର ରୋମନ୍ଥନରେ ଅତୀତର ଗବାକ୍ଷଦ୍ବାର ଉନ୍ମୁକ୍ତ ହୋଇ ଇତିହାସର ଆଲୋକରେ ‘ନୀଳଶୈଳ’ର ପୃଷ୍ଠା ଆଲୋକିତ ହୋଇଛି୤ ଅତୀତରେ ଅନ୍ଧକାର ତଳୁ ଇତିହାସ ମୁଣ୍ଡ ଟେକିଛି୤ କଳାପାହାଡ଼ ଚମ ଦଉଡ଼ିରେ ବାନ୍ଧି ଶ୍ରୀଜଗନ୍ନାଥଙ୍କୁ ଟାଣି ନେଇଥିଲା ବଡ ଦାଣ୍ଡରେ୤ ଅତୀତର ସେହି ମର୍ମାନ୍ତିକ ଜାତୀୟ ଓ ଧର୍ମୀୟ ଅଧଃପତନ ଏବଂ ଅପମାନର ପୁନରାବୃତ୍ତି ନଘଟାଇବା ପାଇଁ ରାଜା ରାମଚନ୍ଦ୍ର ଦେବ ଓରଫ ହାଫିଜ୍‌ କାଦର ବେଗଙ୍କର ଜୀବନମୂର୍ଚ୍ଛା ସଂଗ୍ରାମ ଉପରେ ଏହି ଉପନ୍ୟାସର କଥାବସ୍ତୁ ଆଧାରିତ୤ ଦୁଃଖର କଷାଘାତରେ ରାମଚନ୍ଦ୍ର ଦେବ କ୍ଷତବିକ୍ଷତ, ଶୋକର ଉଚ୍ଛ୍ବାସରେ ଆତ୍ମା ତାଙ୍କର ବିଭ୍ରାନ୍ତ୤ ତଥାପି ଲକ୍ଷ୍ୟ ଓ ସଙ୍କଳ୍ପର ମହାମେରୁ ପରି ସେ ଅଚଳ, ଅଟଳ ଓ ଦୃଢ଼୤ ଇତିହାସ ପୃଷ୍ଠାରୁ ଲେଖକ ଏପରି ଏକ ନରପତିଙ୍କୁ ବାଛିଛନ୍ତି ଯାହାଙ୍କ ଚରିତ୍ର ଦ୍ବୈତସତ୍ତା ଓ ବ୍ୟକ୍ତିତ୍ବର ବହୁବିଚି଼ତ୍ର ଅଧ୍ୟାୟରେ ପୂର୍ଣ୍ଣ୤ ଓଡ଼ିଶା ଇତିହାସରେ ରାମଚନ୍ଦ୍ର ଦେବ ଏକମାତ୍ର ବ୍ୟତିକ୍ରମ୤ ମୁସଲମାନ ଧର୍ମଗ୍ରହଣ କରି ମଧ୍ୟ ଜଗନ୍ନାଥଙ୍କ ପ୍ରତି ଏପରି ଆନ୍ତରିକ ଶ୍ରଦ୍ଧା ଓ ଭକ୍ତି ଅର୍ଘ୍ୟର ଅର୍ପଣ ଆହୁରି ବିସ୍ମୟକର୤ ରେଜିୟା ବେଗମ୍‌ଙ୍କ ପ୍ରତି ତାଙ୍କର ଆକର୍ଷଣ ଥିଲା ପ୍ରବଳ, କିନ୍ତୁ ଲଳିତା ପାଟଦେଈଙ୍କ ପ୍ରତି ସେ ତିଳେମାତ୍ର ଅବିଚାର କରିନାହାନ୍ତି୤ ଏହି ପରିପ୍ରେକ୍ଷୀରେ ରାମଚନ୍ଦ୍ର ଦେବ ଥିଲେ ଓଡ଼ିଶା ଇତିହାସର ଚମକପ୍ରଦ ଆକର୍ଷଣୀୟ ଚରିତ୍ର୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡକ୍ଟର ଅଭିମନ୍ୟୁ ବରାଳ, ସାକ୍ଷୀଗୋପାଳ
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. shyama prasad sahu |  ସେପ୍ଟେମ୍ବର୍ ୧୯, ୨୦୧୧ - ୨:୨୬ ପୂର୍ବାହ୍ନ

    mu neelasail abom neeladri bijay padhichi. bodhe odiya re amiti opanyas au lekhahoiparibani. doctor baral babunk bishleshan ati sundar. padhithiba lok hi bujhiparibe. patrilar utaruttar unati haou namaskar.
    gunamugdha, shyamaprasad

  • ୨. ସରୋଜ ବଳ |  ଜୁଲାଇ ୯, ୨୦୧୨ - ୮:୨୪ ପୂର୍ବାହ୍ନ

    ଖୁବ୍ ଭଲ ଉଦ୍ୟମ୤ ଏପରି ଜାରିରହୁ୤ ତେବେ କିଛି ଯୁକ୍ତାକ୍ଷର / ମାତ୍ରା ଠିକ୍ ଭାବେ ଦିଶୁନାହିଁ୤ ଶୁଭେଛା୤

  • ୩. ବିଶ୍ବଜିତ ଶତପଥୀ, ସା‌‌‌‌‌‌ଖୀଗୋପାଳ |  ନଭେମ୍ବର୍ ୫, ୨୦୧୩ - ୮:୦୮ ପୂର୍ବାହ୍ନ

    ସାର୍ ନମସ୍କାର,
    ଆପଣଙ୍କର ଏହି ତୁଳନାତ୍ମକ ଲେଖାଟି ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି୤ ଏହିଭଳି ଆପଣ ସବୁବେଳେ କଲମ ଚାଳନା କରି ଓଡିଆ ସାହିତ୍ୟର ଶୋଭାମଣ୍ଡନ କରୁଥାନ୍ତୁ – ଏହା ହିଁ ଗୋପାଳଙ୍କ ନିକଟରେ ପ୍ରାର୍ଥନା୤
    ଆପଣଙ୍କର ପ୍ରିୟ
    ବୁବୁ

  • ୪. pabitra das |  ଫେବୃଆରୀ ୧୩, ୨୦୧୪ - ୯:୩୬ ପୂର୍ବାହ୍ନ

    Sir lekhati tatwadharmi heichi

  • ୫. pabitra das, ravenshaw university,cuttack.odia bhasa o sahitya bivaga.  |  ଫେବୃଆରୀ ୧୩, ୨୦୧୪ - ୯:୩୯ ପୂର୍ବାହ୍ନ

    Sir,nibandhati uchhakotira heichhi.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤