ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କୁନ୍ତଳା କୁମାରୀ ସାବତ
ଶକ୍ତି ମହାନ୍ତି
ଗଣେଶ୍ୱର ମିଶ୍ର
ଫନି ମହାନ୍ତି
ତରୁଣକାନ୍ତି ମିଶ୍ର
ରଜତ କୁମାର ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଅକ୍ଟୋବର୍ ୨୭, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଡ.ମନୋରମା ବିଶ୍ବାଳ ମହାପାତ୍ର ସାମ୍ପ୍ରତିକ କାଳର ଅଗ୍ରଣୀ ଓଡ଼ିଆ କବିମାନଙ୍କ ମଧ୍ୟରେ ଅନ୍ୟତମ୤ ବିଶ୍ବଭାରତୀ ଶାନ୍ତିନିକେତନରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ପ୍ରଥମେ ଭଦ୍ରକ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରି ଶେଷରେ ବି.ଜେ.ବି. ସ୍ବୟଂଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି୤ ସେ ଏକାଧାରରେ ଜଣେ ମାନବବାଦୀ କବି, ଶିଶୁ ଲେଖିକା, ଗବେଷିକା, ପ୍ରାବନ୍ଧିକା ଓ ଗୀତିକାର ତଥା ଗୀତିକବି୤ ତାଙ୍କର ଅନେକ କବିତା ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହୋଇଛି୤ ବିଶ୍ବର ବିଭିନ୍ନ କବି ସମ୍ମିଳନୀରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଛନ୍ତି୤ ଶ୍ରୀମତୀ ମହାପାତ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ମୀନାବଜାର ପୁରସ୍କାର, ପ୍ରଜାତନ୍ତ୍ର ପୁରସ୍କାର, କାନ୍ତକବି ପୁରସ୍କାର, ବଙ୍ଗ ଉତ୍କଳ ସମ୍ମାନ, ସୁଚରିତା ସମ୍ମାନ ସହିତ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି୤

ଡ.ମନୋରମା ବିଶ୍ବାଳ ମହାପାତ୍ରଙ୍କ ସାହିତ୍ୟ ସୃଷ୍ଟି

କବିତା ସଙ୍କଳନ: କିଶଳୟ(୧୯୬୨), ବ୍ରତତୀ(୧୯୬୫), ଫୁଲଫୁଟା ମୁହୂର୍ତ୍ତ (୧୯୭୬), ସ୍ମୃତି ଶ୍ରାବଣ ଓ ପ୍ରତିବିମ୍ବ(୧୯୭୮), ସ୍ବାତୀଲଗ୍ନ(୧୯୮୦), ଜହ୍ନରାତିର ମୁହଁ(୧୯୮୫), ଶବ୍ଦର ପ୍ରତିମା(୧୯୯୪), ବିଶ୍ବାସର ପଦ୍ମବନ(୧୯୯୯), ଫାଲ୍‌ଗୁନି ତିଥିର ଝିଅ(୧୯୯୯), ଆଜି ଖାଲି ଚିତ୍ର ଆଉ ଚିତ୍ର(୨୦୧୧) ଇତ୍ୟାଦି୤

ଗଦ୍ୟ ସଙ୍କଳନ: ମାନସିଂହଙ୍କ କାବ୍ୟକୃତି, ସ୍ମୃତି କେବେ ନୁହେଁ ଫିଙ୍ଗିବାର, ଭାବନାର ଭାସ୍କର୍ଯ୍ୟ, କବିତାର ଦର୍ପଣରେ କବି ମନୋରମା, ଭାବେ ଅନୁପମା କବି ମନୋରମା ଇତ୍ୟାଦି୤

ଶିଶୁ ସାହିତ୍ୟ: କେତେ କଥା କେତେ ଗୀତ, ଆମେ ସବୁ ଟିକି ଫୁଲ, ଟିକି ବଗିଚାର ଟିକି ଚଢ଼େଇ, ଆ’ରେ ମେଘ ଆ, ବଜାରେ ବଜା ରସଗୋଲା ଖିଆ କେମିତି ମଜା, ସୁନେଲି ମାଛର କଥା, ଆମରି ମାଆ ଇତ୍ୟାଦି୤

(୧) ଆପଣଙ୍କ ସାହିତ୍ୟ ଜୀବନ କିପରି ଆରମ୍ଭ ହୋଇଥିଲା ?
କୌଣସି ଉଦ୍ଦେଶ୍ୟ ରଖି ମୋ ସାହିତ୍ୟ ଜୀବନ ଆରମ୍ଭ ହୋଇ ନ ଥିଲା୤ ତେବେ ଗାଁରୁ ସହରକୁ ଆସିବା ପରେ ମୁଁ ଭୀଷଣ ଏକୁଟିଆ ହୋଇ ଯାଇଥିଲି୤ ଏହି ଏକାକୀତ୍ବରୁ ମୋ ସାହିତ୍ୟର ସୃଷ୍ଟି୤

(୨) ଆପଣଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ବାବଦରେ ଆପଣଙ୍କର ମତ୤
ମୁଁ ନବମ ଶ୍ରେଣୀରେ ପଢ଼ିଲା ବେଳେ ମୋର ପ୍ରଥମ କବିତା ବହି ‘କିଶଳୟ’ ପ୍ରକାଶିତ ହୋଇଥିଲା୤ ବାପାଙ୍କର ପ୍ରେରଣା ଏବଂ ଆଗ୍ରହ ହେତୁ ତାହା ପ୍ରକାଶିତ ହୋଇ ପାରିଥିଲା୤

(୩) ଆପଣ ଏକାଧାରରେ କବିତା, ପ୍ରବନ୍ଧ, ଶିଶୁ ସାହିତ୍ୟ ରଚନା ସହିତ ଗୀତିକାର ଓ ଅନୁବାଦିକା ମଧ୍ୟ୤ ଏହି ସମସ୍ତ ମଧ୍ୟରୁ କେଉଁ ଗୋଟିକୁ ଆପଣ ସବୁଠାରୁ ପ୍ରାଧାନ୍ୟ ଦେଇଥାନ୍ତି ବା କେଉଁଟିକୁ ଅଧିକ ଭଲ ପାଇଥାନ୍ତି୤
ମୁଁ ପ୍ରଥମେ ଶିଶୁସାହିତ୍ୟ ଲେଖୁଥିଲି ଏବଂ ତାହା ‘ମୀନାବଜାର’, ‘କିଶୋର ଫଉଜ’, ‘ଉଦୟ ଭାନୁ’ ପ୍ରଭୃତିରେ ପ୍ରକାଶ ପାଉଥିଲା୤ ପରବର୍ତ୍ତୀ କାଳରେ ମୁଁ କବିତା ଏବଂ ଗୀତି କବିତା ଲେଖିଲି୤ ଗୀତିକବିତା ମୋର ଅଧିକ ପ୍ରିୟ ଅଟେ୤

(୪) ଆପଣଙ୍କ ଅନେକ ଲେଖା ପ୍ରକୃତି ଓ ପ୍ରାକୃତିକ ପରିବେଶ ଉପରେ ଆଧାରିତ ବା ପର୍ଯ୍ୟବେଶିତ୤ ଏହାର ଉଦ୍ଦେଶ୍ୟ କଣ ଓ ଏଥିପାଇଁ କିପରି ପ୍ରେରଣା ପାଇଥିଲେ୤

ମୁଁ ଗାଁରେ ବଡ଼ ହୋଇଛି୤ ମୋ ଶୈଶବ କଟିଛି ଗାଁରେ୤ ତେଣୁ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ, ନଈ ଏବଂ ସମୁଦ୍ରର ପରିବେଶ ମୋ ଜୀବନକୁ ପ୍ରଭାବିତ କରିଛି୤

(୫) ଅଦ୍ୟାବଧି ଆପଣଙ୍କଦ୍ବାରା ଲିଖିତ ଓ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରୁ କେଉଁଟି ଆପଣଙ୍କର ସର୍ବାଧିକ ପ୍ରିୟ ଅଟେ୤ ଏହାର କାରଣ କ’ଣ ?
ଜଣେ ସାରସ୍ବତ ସ୍ରଷ୍ଟା ପାଖରେ ତା’ର ପ୍ରତ୍ୟେକ ସୃଷ୍ଟି ମହାନ୤ ତେବେ ‘ଫାଲ୍‌ଗୁନି ତିଥିର ଝିଅ’ କବିତା ପୁସ୍ତକଟିକୁ ମୁଁ ଅଧିକ ପ୍ରିୟ ବୋଲି ଭାବୁଛି୤

(୬) ଜଣେ ଅନୁବାଦକ ଭାବରେ ଆପଣ ବେଶ୍‌ ପରିଚିତ୤ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ଅନୁବାଦ ଦିଗ ଉପରେ ଅଧିକ ଗୁରୁତ୍ବ ଦିଆଯାଉ ନଥିବା ନେଇ ଆଲୋଚନା ହେଉଛି୤ ଏ ବାବଦରେ ଆପଣଙ୍କ ମତ କ’ଣ ?

ଅନୁବାଦ ଦ୍ବାରା ଗୋଟିଏ ଭାଷା ଅନ୍ୟ ରାଜ୍ୟରେ ଆଦୃତ ହୋଇଥାଏ୤ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଧୀରେ ଧୀରେ ଅନୁବାଦ ଉପରେ ଗୁରୁତ୍ବ ଦେବାକୁ ଚେଷ୍ଟା କଲାଣି, ଯାହା ଏକ ଶୁଭ ସୂଚନା ବୋଲି ମୁଁ ଭାବୁଛି୤

(୭) ଓଡ଼ିଆ ଭାଷାରେ ପାଠକମାନଙ୍କୁ ଆକୃଷ୍ଟ କଲାଭଳି ଅଧିକ ଲେଖା ପ୍ରକାଶିତ ହେଉନାହିଁ ବୋଲି ଆଲୋଚନା ହେଉଛି୤ ଏହା ଉପରେ ଆପଣଙ୍କର ମତାମତ କ’ଣ ?
ଓଡ଼ିଆ ଭାଷାରେ ବହୁ ଉଚ୍ଚକୋଟିର ବହି ପ୍ରକାଶିତ ହେଉଛି୤ ଓଡ଼ିଆ ଭାଷା ଅତ୍ୟନ୍ତ ପ୍ରାଚୀନ ଭାଷା୤ ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷା ଅପେକ୍ଷା ଏହାର ଶାସ୍ତ୍ରୀୟତା ବହୁ ଐତିହ୍ୟପୂର୍ଣ୍ଣ୤ ତେବେ ମୋ ମତରେ ଆମ ଭାଷାରେ ପାଠକ ସଂଖ୍ୟା ବହୁତ କମ୍‌୤

(୮) ଆପଣଙ୍କ ଲିଖିତ ଓ ପ୍ରକାଶିତ ଦୁଇଟି କବିତା ଗ୍ରନ୍ଥ ହେଉଛି ‘ଫାଲ୍‌ଗୁନି ତିଥିର ଝିଅ’ ଓ ‘ବିଶ୍ବାସର ପଦ୍ମବନ’ ୤ ଏହିଗୁଡ଼ିକର ନାମକରଣ ଓ ବିଶେଷତ୍ବ ଉପରେ କୁହନ୍ତୁ ?
‘ଫାଲ୍‌ଗୁନି ତିଥିର ଝିଅ’ କବିତା ଗ୍ରନ୍ଥରେ ଜୀବନର ମୂଲ୍ୟବୋଧ ଉପରେ ମୁଁ ଅଧିକ ଗୁରୁତ୍ବ ଦେଇଛି୤ ଆମ ପରମ୍ପରା, ଆମର ମର୍ଯ୍ୟାଦାବନ୍ତ ଭବିଷ୍ୟତ ସବୁଗୁଡ଼ିକୁ ଧରିରଖେ ଝିଅଟିଏ୤ ତାହା ଉପରେ ହିଁ ଏହି କବିତା ସଙ୍କଳନଟି ପ୍ରସ୍ତୁତ ହୋଇଛି୤ ସେହିପରି ‘ବିଶ୍ବାସର ପଦ୍ମବନ’ ସଙ୍କଳନ ଏକ ପ୍ରତୀକାତ୍ମକ ନାମ୤ ବିଶ୍ବାସ କଲେ ଈଶ୍ବର ମଧ୍ୟ ପ୍ରାପ୍ତି ହୋଇ ପାରିବେ ବୋଲି ଧାରଣା ଏହି ପୁସ୍ତକ ମାଧ୍ୟମରେ ଦର୍ଶାଯାଇଛି୤

(୯) ସମ୍ପ୍ରତି ଓଡ଼ିଆ ସାହିତ୍ୟରେ ପୁରସ୍କାର ଓ ସମ୍ମାନ ବାବଦରେ ଅନେକ ବାଦାନୁବାଦ ଲାଗି ରହିଛି୤ ଏ ବାବଦରେ ଆପଣ କ’ଣ କହିବେ ?
ଜଣେ ସ୍ରଷ୍ଟା ପୁରସ୍କାରମନସ୍କ ହେଲେ ସୃଷ୍ଟି ବାଧାପ୍ରାପ୍ତ ହୋଇଥାଏ୤ ପୁରସ୍କାର ଏବଂ ସମ୍ମାନ ଦୁଇଟି ଅଲଗା କଥା୤ ଜଣେ କାବ୍ୟ ଶିଳ୍ପୀକୁ ସମ୍ମାନୀତ କରିବା ପ୍ରତ୍ୟେକ ସଚେତନ ବ୍ୟକ୍ତି ବା ଅନୁଷ୍ଠାନର କର୍ତ୍ତବ୍ୟ୤

(୧୦) ଜଣେ ଲେଖିକା ଭାବେ ଆପଣ ବିଶ୍ବର ବିଭିନ୍ନ ସ୍ଥାନ ଭ୍ରମଣ କରିଛନ୍ତି ଏବଂ ଏକାଧିକ ସାହିତ୍ୟ ସମ୍ପର୍କୀତ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ବ କରିଛନ୍ତି୤ ଏହି ପରିପ୍ରେକ୍ଷୀରେ ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ଆପଣଙ୍କ ମତାମତ୤
ମୁଁ ବିଶ୍ବର ବିଭିନ୍ନ ସ୍ଥାନକୁ ଯାଇଛି ଏବଂ ସାହିତ୍ୟ ଓ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛି୤ ବିଶ୍ବାୟନ ପରିପ୍ରେକ୍ଷୀରେ ମୁଁ ଅନୁଭବ କରିଛି ଯେ, ଆମ ସାହିତ୍ୟକୁ ଯଦି ବିଶ୍ବଦରବାରରେ ପହଞ୍ଚିବାକୁ ହେବ; ତାହାର ଇଂରାଜୀ ଅନୁବାଦ ଅତ୍ୟନ୍ତ ଜରୁରି୤

(୧୧) ସାହିତ୍ୟ ସାଧନାରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିପରି ରହିଛି ?
ମୋ ସାହିତ୍ୟ ସାଧନା ପଛରେ ପାରିବାରିକ ସହଯୋଗ ନଥିଲେ ମୁଁ ଆଦୌ ଆଗେଇ ପାରି ନ ଥାନ୍ତି୤ ଜଣେ ସୃଜନଶୀଳ ସ୍ରଷ୍ଟା ପାଇଁ ଏହି ସହଯୋଗ ଅତ୍ୟନ୍ତ ଜରୁରି, ଯାହା ମୋତେ ବି ମିଳିଛି୤

(୧୨) ବର୍ତ୍ତମାନର ସମୟ ଓଡ଼ିଆ ସାହିତ୍ୟ ଇତିହାସରେ କିପରି ସ୍ମରଣୀୟ ହୋଇ ରହିବ ବୋଲି ଆପଣ ଭାବୁଛନ୍ତି ?
ମୁଁ ପ୍ରଥମରୁ କହିଛି ଓଡ଼ିଆ ଏକ ପ୍ରାଚୀନ ଭାଷା୤ ତାହାର ଶାସ୍ତ୍ରୀୟତା ସମ୍ପର୍କରେ ସମସ୍ତେ ସଚେତନ ହେବା ଆବଶ୍ୟକ୤ ଏହି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାର ସମୟ ଆସିଛି୤ ଏହା ହୋଇପାରିଲେ ଓଡ଼ିଆ ସାହିତ୍ୟ ଇତିହାସରେ ଏହା ସ୍ମରଣୀୟ ହୋଇ ରହିବ୤

(୧୩) ଜଣେ ନାରୀ କବି ବା ଲେଖିକା ଭାବେ ଆପଣ ନିଜପାଇଁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି୤ ଓଡ଼ିଆ ସାହିତ୍ୟରେ ପୁରୁଷ ସାହିତ୍ୟିକ ଓ ନାରୀ ସାହିତ୍ୟିକ ମଧ୍ୟରେ କଣ ପ୍ରଭେଦ ରହିଛି ବୋଲି ଆପଣ ଭାବୁଛନ୍ତି୤
ଓଡ଼ିଆ ସାହିତ୍ୟ ଇତିହାସ ଦେଖିଲେ ଜଣାଯାଏ ନାରୀମାନେ ବହୁତ ଡେରିରେ ଲେଖାଲେଖି ଆରମ୍ଭ କରିଛନ୍ତି୤ ଆମ ସମାଜରେ ଜଣେ ଲେଖକ ତୁଳନାରେ ଲେଖିକାମାନଙ୍କ ସ୍ବାଧୀନତା ପ୍ରାୟ ସୀମିତ୤ ଯଦିଓ ନାରୀ ମଧ୍ୟ ଜଣେ ସୁଜନଶୀଳ ସ୍ରଷ୍ଟା, ତଥାପି ସେ ପରମ୍ପରା ମୁକ୍ତ ନୁହେଁ୤ ତା ଜୀବନ ପଥ ଆଦୌ ସମତଳ ନୁହେଁ୤ ପୁରୁଷକେନ୍ଦ୍ରୀତ ସମାଜରେ ନାରୀ ଯେତେ ଉନ୍ନତିର ସୋପାନକୁ ଉଠିଲେ ମଧ୍ୟ ତାକୁ ସ୍ବୀକୃତି ମିଳିବା ଖୁବ୍‌ କମ୍‌୤

(୧୪) ଆପଣ ଜଣେ ପ୍ରାଧ୍ୟାପିକା ହୋଇ ମଧ୍ୟ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଲେଖାଲେଖି କରିଛନ୍ତି୤ ଜଣେ ପ୍ରାଧ୍ୟାପିକା ସହିତ ଆପଣଙ୍କ ପରିବାର ଏବଂ ସାହିତ୍ୟ ସାଧନା ମଧ୍ୟରେ ଆପଣ କିପରି ତାଳମେଳ ବା ସମନ୍ବୟ ରକ୍ଷା କରିପାରିଛନ୍ତି ବୋଲି ଭାବୁଛନ୍ତି୤
ମୁଁ ଅଧ୍ୟାପନା କରୁଥିଲେ ମଧ୍ୟ କେବେହେଲେ ମୋ କର୍ତ୍ତବ୍ୟରୁ ଓହରିଯାଇ ନାହିଁ୤ ସଂସାର ଏବଂ ସାହିତ୍ୟ ସାଧନା ଭିତରେ ସମନ୍ବୟ ରକ୍ଷାକରି ଆଜି ମୁଁ ଏହି ଦୀର୍ଘ ପଥ ଅତିକ୍ରମ କରି ଆସିଛି୤ କବିତା ଲେଖିବା ପାଇଁ ମୁଁ ସଂସାର ଠାରୁ ଦୂରେଇ ଯାଇନାହିଁ୤ ଜୀବନକୁ ବାଦ୍‌ ଦେଇ କିଛି ସୃଷ୍ଟି କରିହୁଏ ନାହିଁ୤

(୧୫) ଆପଣଙ୍କ ପରବର୍ତ୍ତୀ ବା ଆଗାମୀ ସାହିତ୍ୟ ସୃଷ୍ଟି ବା ପ୍ରକାଶ ଅପେକ୍ଷାରେ ଥିବା ପୁସ୍ତକ ବିଷୟରେ କିଛି କହନ୍ତୁ୤
ମୋର ପରବର୍ତ୍ତୀ କବିତା ପୁସ୍ତକ ‘ଶାନ୍ତିନିକେତନ’ ଖୁବ୍‌ ନିକଟରେ ପ୍ରକାଶ ପାଇବ୤ ଏହା ଏକ ଦୀର୍ଘ କାବ୍ୟ୤ ଦୁଇବର୍ଷ ହେବ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ଏହା ପ୍ରକାଶିତ ହୋଇଥିଲା୤

(୧୬) କେତେକଙ୍କ ମତରେ କଟକ, ଭୁବନେଶ୍ବର ବା ଏହାର ଆଖପାଖ ସ୍ଥାନରେ ରହୁଥିବା ସାହିତ୍ୟିକମାନେ ଅଧିକ ପରିମାଣରେ ପୁରସ୍କାର ଓ ସମ୍ମାନ ଆଦି ପାଉଥିଲାବେଳେ ଓଡ଼ିଶାର ଅନ୍ୟ ଅଞ୍ଚଳରେ ରହୁଥିବା ସାହିତ୍ୟିକମାନେ ଉପେକ୍ଷିତ୤ ଏ ବାବଦରେ ଆପଣଙ୍କ ମତ ?
ଜଣେ ପ୍ରକୃତ ସାହିତ୍ୟ ସ୍ରଷ୍ଟା ଯେଉଁଠି ଥିଲେ ବି ତାହାର ସୃଷ୍ଟି ସ୍ବୀକୃତି ପାଇଥାଏ୤ ତେଣୁ ଭୁବନେଶ୍ବରର ସାହିତ୍ୟିକମାନେ ଅଗ୍ରାଧିକାର ପାଉଛନ୍ତି ବୋଲି ମୁଁ ବିଶ୍ବାସ କରେ ନାହିଁ୤

(୧୭) ନୂତନ ପିଢ଼ୀର ସାହିତ୍ୟିକମାନଙ୍କ ପାଇଁ ଆପଣଙ୍କ ବାର୍ତ୍ତା ବା ଉପଦେଶ ?
ଆଗାମୀ ପିଢ଼ୀର ସ୍ରଷ୍ଟାମାନଙ୍କୁ ମୁଁ କେବଳ ଏଇଆ କହିବି ଯେ, ‘ନିରବଧି କାଳ ବିପୁଳାଚ଼ ପୃଥ୍ବୀ’- କାଳ କେବଳ କଳନା କରିବ ସେମାନଙ୍କ ସୃଷ୍ଟିକୁ୤

(୧୮) ଓଡ଼ିଆ ସାହିତ୍ୟ ଡଟ୍‌କମ୍‌ ପାଇଁ ଆପଣଙ୍କ ବାର୍ତ୍ତା ?
ଓଡ଼ିଆ ସାହିତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ନିମନ୍ତେ ଏହି ସାଧୁ ଉଦ୍ୟମକୁ ଧନ୍ୟବାଦ ଜଣାଉଛି୤

ଡ.ମନୋରମା ବିଶ୍ବାଳ ମହାପାତ୍ରଙ୍କ ସହିତ ଏହି ସାକ୍ଷାତକାରଟି ଓଡ଼ିଆସାହିତ୍ୟ ଡଟ୍‌ କମ୍‌ ପକ୍ଷରୁ ଏହାର ସଂଯୋଜକ ବିଶ୍ବରୂପ ଦାସଙ୍କ ଦ୍ବାରା ଅକ୍ଟୋବର୍‌ ୨୦୧୨ରେ ପ୍ରସ୍ତୁତ କରାଯାଇଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤