‘ଭଲ କରି ନାଆ ବୁହା, ରେ ନାଉରି !
ଝିଅକୁ ମାଡ଼ୁଛି ଡର;
ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ,
ଝିଅ ଯିବ ଶାଶୂଘର’
ଭଲ କରି ନାଆ ବାହୁଛି ନାଉରି
ତଲେଇ କରିଛି ଠିଆ;
ମାମୁଁଭଣଜାର କୋଣରୁ ଆସେ ଲୋ,
ବୋହି ସୁଲୁ ସୁଲୁ ବାଆ
ଦିନ ଦଶ ଘଡ଼ି ହେଲାଣିଟି ଆସି,
ଖରା ମାରେ ଚାଇଁ ଚାଇଁ;
ପାଞ୍ଚ କୋଶ ବାଟ ଯିବାକୁ ଅଛି ଲୋ,
ବେଳ ତ ପାଇବ ନାହିଁ
ନାଉରି ବାପୁଡ଼ା କାତ ମାରୁଅଛି,
ଉଦାସେ ଗାଉଛି ଗୀତ;
ନାଆ ଉଡ଼ିଯାଏ ପବନ ପ୍ରାୟେ ଲୋ,
ଜଣା ନ ପଡ଼ଇ ବାଟ
ମାଆ ଭଉଣୀଙ୍କି, ସାଥୀ ସଙ୍ଗାତଙ୍କୁ
ଝିଅ ଯେ ଆସିଛି ଛାଡ଼ି;
ନାଆରେ ବସି ସେ ତାଙ୍କରି କଥା ଲୋ,
ହୁଏ ନିରନ୍ତରେ ଭାଳି
ମାଆ ଭଉଣୀଏ, ସାଥୀ ସଙ୍ଗାତେ ସେ
ରହିଲେ ଦୂରସ୍ଥେ କାହିଁ;
ପରତେ ନୋହୁଛି ଆଉ କି ଦିନେ ଲୋ,
ଫେରି ସେ ଦେଖିବ ଯାଇ !
ନାଆ ଚାଲିଅଛି ପବନ ସମାନେ,
ମୁହୂର୍ତ୍ତେ ନ ହୁଏ ଥୟ;
ଚିହ୍ନା ଯେତେ ତାର ବଣ ପାହାଡ଼ ଲୋ,
ଅନାଇ ଦେଖନ୍ତା ଝିଅ
ଘଣ୍ଟଶିଳା ଶିଖେ ଚାହିଁ ସେ କହନ୍ତା-
‘ଦିଅରେ ମେଲାଣି ମୋତେ;
ଭେଟ ଆଉ ଦିନେ ନୋହିବ ଜୀବନେ,
ଯାଉଛି ଘୋର ବନସ୍ତେ ’
ଶାଳିଆ ନଈ ତା’ ନିତିଦିନ ସାଥୀ,
ସୁଖେ ସେ ବୁଲଇ କୂଳେ;
ବେଳେ ସୁଏ ତା’ର ସ୍ନାହାନ ସାରି ଲୋ,
ହସି ଲେଉଟଇ ଘରେ
କାଳିଅନ୍ଧାରୁଁ ସେ ଚାଲି ଯେ ଅଇଲା,
ଦେଖି ତ ନାହିଁଛି ତାକୁ;
ଭାରି ଖ୍ୟାତ ନଈ, ନାଆଁଟି ତା’ର ଲୋ,
ତିନି କୋଡ଼ି କୋଶେ ଡାକୁ
ମାଆ ଭଗବତୀ ପୀଠ କୂଳେ ତା’ର,
‘ଜଗତତାରିଣୀ’ ନାଆଁ,
ଡାକି କହିଥାନ୍ତି, ନୋହିଲା ଆଉ ଲୋ,
‘ସାହା ମୋ ଥିବୁଟି, ମାଆ !’
ନାଆ ଆସି ହେଲା ଦଣ୍ଡକେ ପ୍ରବେଶ
ଚଢ଼େଇହଗା ପାହାଡ଼େ,
ଘଣ୍ଟଶିଳା ଆଉ ନ ଦିଶେ, ଲୁଚି ଲୋ,
ରହିଲା ଶାଳିଆ ଦୂରେ
ଚାହୁଁ ଚାହୁଁ ଆସି ଛୁଇଁଲା ତ ନାଆ
ଗଣ୍ଡ ତଡ଼ କଳା ପାଣି;
ଝରେ ଝିଅ ଦୁଇ ଆଖିରୁ ଲୁହ ଲୋ,
ତିନ୍ତେ ପିନ୍ଧା ଛିଟ କାନି
Calendar
M | T | W | T | F | S | S |
---|---|---|---|---|---|---|
1 | 2 | 3 | 4 | 5 | 6 | |
7 | 8 | 9 | 10 | 11 | 12 | 13 |
14 | 15 | 16 | 17 | 18 | 19 | 20 |
21 | 22 | 23 | 24 | 25 | 26 | 27 |
28 | 29 | 30 | 31 |
Leave a Reply
You must be logged in to post a comment.