ଗୋଟେ ବୁଢ଼ୀ ଗାଈର କଙ୍କାଳ ପରି
ଏବେ ପଡ଼ିଚି ବଗିଚା !
ଗାଈ :
ଯା’ର କ୍ଷୀରରୁ ତିଆରି
ଦହି, ଛେନା, ଲହୁଣି ଓ ଘିଅ ଖାଇ
ବଢ଼ିଚି ଆମର ଫୁଟାଣି
ସେଇ ଗାଈଟି
ବୁଢ଼ୀ ହେଲାପରେ
ଆମର ନଗାନାଇଁ କି ପଘାନାଇଁ !
ଏବେ ସେଇ ବଗିଚାର
ନୁଖୁରା ଚର୍ମର ବାଡ଼ ଡେଇଁ
ମାଡ଼ିଆସେ ମରୀଚିକା
ମଲାଘାସରେ ଘର କରିବାକୁ
ଦଳଦଳ ଊଈ ଓ ଧୂଳିଜନ୍ଦା !
କାମରୁ ଫେରିଲାବେଳେ
ଅଣ୍ଟିରେ ଭୁଜା, ଚୁଡ଼ା ନଥିଲେ
ଭୋକିଲା ପିଲାଙ୍କ ଆଗରେ
ଯେମିତି ଦୋଷୀଟେ ପରି ଛିଡ଼ାହୁଏ
ଗୋଟେ ଗରିବ ମାଆ
ସେମିତି ଦିଶୁଚି ଏବେ ସାରାଟା ବଗିଚା
ସତେ କି ଘୂର୍ଣ୍ଣି ମୁହଁରେ
ଗୋଟେ ସାତସିଆଁ ଦିହଲୁଗା !
କେଜାଣି, କୁଆଡ଼େଗଲେ
ସେ ତରକା ପ୍ରଜାପତିମାନେ ?
କୁଆଡ଼େଗଲେ
କାଉ, କୋଇଲି, କଜଳପାତି
ଫୁଲମାନଙ୍କୁ ଗେଲ କରିବାକୁ ଆସୁଥିବା
ଇନ୍ଦ୍ରଧନୁମାନେ ?
କୁଆଡ଼େ ବାଟ ହୁଡ଼ିଲେ
ନାଲି ଗୁଲୁଗୁଲୁ ସାଧବ ବୋହୂମାନେ ??
ଏବେ ଯୋଉ ଗଛକୁ
ଟେକିବ ଭୂଇଁରୁ
ସବୁଯାକ ଚେର ଦଇଛିଣ୍ଡା…
ମୂଳରୁ ଉପୁଡ଼ା !
ଗଣଗଣ ହେଉଥିବା
ୟେ’ କେଇଟା ଗୁହ ମାଛିଙ୍କ ଉପରେ
କି ଭରସା ?
ନା ସେମାନେ ବଗିଚାରେ
ଭରିପାରିବେ ମିଠା କାକଳି
ନା ଗଛରେ ବାନ୍ଧିପାରିବେ ମହୁଫେଣା !
ଘରର ଭେଣ୍ଡିଆ ପୁଅମାନେ
ଯେ’ ଯୁଆଡ଼େ ଦୂରେଇ ରହିଲେ
ରୁଗୁରୁଗୁ ହୋଇ ପୋଡ଼ିଉଠେ
ବୁଢ଼ାବୁଢ଼ୀଙ୍କ ଛାତି ତଳର
ଯେଉଁ ଅଦେଖା ଜାଗା
ତା’ରି ନାଆଁତ ବଗିଚା !
(ସେନାପତି ପ୍ରଦ୍ୟୁମ୍ନ କେଶରୀ, କଟକ)
ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ସେନାପତି ପ୍ରଦ୍ୟୁମ୍ନ କେଶରୀ ଜଣେ କବି ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟରୁ କବିତା ଲେଖା ଉପରେ ନିବନ୍ଧ ଲେଖି ନିଜର ପିଏଚ୍ଡି ହାସଲ କରିଥିବା ପ୍ରଦ୍ୟୁମ୍ନ କେଶରୀଙ୍କ ଏଯାବତ୍ ଏକାଧିକ କବିତା ସଙ୍କଳନ ପ୍ରକାଶିତ ହୋଇ ପାଠକୀୟ ଆଦୃତି ହାସଲ କରିଛି ଏକାଧିକ ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଥିବା ଶ୍ରୀ ସେନାପତିଙ୍କ ଲେଖାରେ ମୁଖ୍ୟତଃ ସାମାଜିକ ବ୍ୟବସ୍ଥା ଉପରେ ଅନୁଶୀଳନ ପ୍ରତିଫଳିତ ହୋଇଥାଏ
Calendar
M | T | W | T | F | S | S |
---|---|---|---|---|---|---|
1 | 2 | 3 | 4 | 5 | 6 | |
7 | 8 | 9 | 10 | 11 | 12 | 13 |
14 | 15 | 16 | 17 | 18 | 19 | 20 |
21 | 22 | 23 | 24 | 25 | 26 | 27 |
28 | 29 | 30 | 31 |
Leave a Reply
You must be logged in to post a comment.