“କି ସମ୍ପର୍କ ଦେଇ ଆରମ୍ଭ କରିବି ଭାବିତ ପାରୁନି କିଛି
ତମେ ତମେ ବୋଲି ସମ୍ବୋଧନ ଦେଲି ତମେ ଏକ ପ୍ରଶ୍ନବାଚୀ?”
ଅମାନ୍ୟ କରିହେବନି-ପ୍ରେମ ଯୁଗେ ଯୁଗେ ପବିତ୍ର। କିନ୍ତୁ ସ୍ବୀକାରଯୋଗ୍ୟ ନୁହେଁ ଯେ, ପ୍ରେମ ଚୀରଦିନ ନିଷ୍କଳଙ୍କ। ସ୍ବଚ୍ଛ ଚନ୍ଦ୍ର ଦେହରେ କାଳୀମା ପରି କଳଙ୍କ ସଦୃଶ ପ୍ରେମ ଭିତରେ ମଧ୍ୟ ଛଳନା ଭଳି କଳଙ୍କ ଭରି ରହିଛି। ତଥାପି…. ଦୂର ଆକାଶର ଚାନ୍ଦ ଆଉ ଦୂର ଦିଗ୍ବଳୟର ପାହାଡ଼ ସଦୃଶ ଏହି ପ୍ରେମ ଦେଖିବାକୁ ଖୁବ୍ ସୁନ୍ଦର। ଏହି ସୌନ୍ଦର୍ଯ୍ୟର ଲାଳସା ପଛରେ ଗୋଡ଼ାଇବା ଯାହା, ଜଳ ମନେକରି ମରୁଦ୍ୟାନର ମରିଚୀକା ପଛରେ ଧାଇଁବା ତାହା। କିନ୍ତୁ…. ଲାଭ କିଛି ନାହିଁ, କେବଳ ଦୁଃଖ, ଯନ୍ତ୍ରଣା ଆଉ ହାହାକାର…। ଯେମିତି ଗୋଲାପର ସୌନ୍ଦର୍ଯ୍ୟତା ଲାଭ କରିବାକୁ ଯାଇ ତା ତୀକ୍ଷ୍ଣ କଣ୍ଟାଘାତରେ ବିଷାକ୍ତ ଯନ୍ତ୍ରଣା ପାଇଲା ଭଳି ଏହି ପ୍ରେମ ଭିତରେ ମଧ୍ୟ ବିଶ୍ବାସର ସତ୍ୟତା ଖୋଜିବାକୁ ଯାଇ ତା’ଠାରୁ ମିଳିଥାଏ ମିଥ୍ୟାର ବିଶ୍ବାସଘାତକତା।
ତା’ହେଲେ ସତରେ କ’ଣ ତମ ଭଳି ନାରୀମାନେ ହସ ଛଡ଼ା ଅଶ୍ରୁର ଅର୍ଥ କ’ଣ ବୁଝି ପାରନ୍ତିନି। ବୋଧ ହୁଏ ନା…. ହୁଏତ ହୋଇଥାଇପାରେ ସେମାନଙ୍କ ହୃଦୟ ପାଷାଣରେ ତିଆରି…. ସତେ ଯେମିତି ସେମାନେ ଗୋଟିଏ ଗୋଟିଏ ପାଷାଣୀ ଅହଲ୍ୟା। ମୁଁ ଅହଲ୍ୟାର ସ୍ବାମୀ ଭଳି ତମକୁ ଅଭିଶାପ ଦେବି ନା ଆଶୀର୍ବାଦ କରିବି?
ଠିକ୍ ଏଇ ଭଳି ତମେ ଦିନେ ବରଷାର ବିଜୁଳି ହୋଇ ମାୟା ସୃଷ୍ଟିକରି ଚାଲିଆସିଥିଲ ମୋ ନିକଟକୁ। ମୁଁ ବି ତମରି ହସ୍ତାଙ୍ଗୁଳିକୁ ସାଥୀ ମନେକରି ପାଦ ପକାଇଥିଲି ତମ ସହିତ। ଶେଷରେ ଅନେକ ଦୂର ପର୍ଯ୍ୟନ୍ତ ତମ ପଛରେ ଧାଇଁ ଦେଖିଲି ତ ତମେ ରହିଗଲ ଦୂରଦିଗ୍ବଳୟର ସେ ପାରିରେ। ଯେତେ ଚେଷ୍ଟା କଲେବି ମୁଁ ପହଞ୍ଚି ପାରିଲିନି ତମ ନିକଟରେ। ଛୁଇଁ ପାରିଲିନି ତମରି ସେଇ ହସ୍ତାଙ୍ଗୁଳିକୁ। ବୁଝି ପାରିଲିନି ଏହା ତମର ପ୍ରେମ ନା ପ୍ରତାରଣା। ସତ କହିବାକୁ ଗଲେ ତମଭଳି ନାରୀମାନେ ହିଁ ହେଉଛନ୍ତି ସମସ୍ତ ଦୁଃଖର ଏକମାତ୍ର କାରଣ। ଏଇ ନାରୀ ପାଇଁ ଦିନେ ସ୍ବର୍ଣ୍ଣମୟୀ ଲଙ୍କା ଶ୍ମଶାନରେ ପରିଣତ ହୋଇଥିଲା। ଭାଇ ଭାଇ ମଧ୍ୟରେ ମହାଭାରତ ଯୁଦ୍ଧର ସୃଷ୍ଟି ଘଟିଥିଲା। ତା’ହେଲେ ସତରେ କ’ଣ ତମ ଭଳି ନାରୀମାନେ ହସ ଛଡ଼ା ଅଶ୍ରୁର ଅର୍ଥ କ’ଣ ବୁଝି ପାରନ୍ତିନି। ବୋଧ ହୁଏ ନା… ହୁଏତ ହୋଇଥାଇପାରେ ସେମାନଙ୍କ ହୃଦୟ ପାଷାଣରେ ତିଆରି… ସତେ ଯେମିତି ସେମାନେ ଗୋଟିଏ ଗୋଟିଏ ପାଷାଣୀ ଅହଲ୍ୟା। ମୁଁ ଅହଲ୍ୟାର ସ୍ବାମୀ ଭଳି ତମକୁ ଅଭିଶାପ ଦେବି ନା ଆଶୀର୍ବାଦ କରିବି?
ତମେ ଟିକିଏ ସ୍ମରଣ କରିପାରିବ ଅତୀତର ସେଇ ଘଟଣାବଳୀକୁ। ଯେଉଁ ଦିନ ତମେ ମୋତେ ମିଥ୍ୟା ପ୍ରେମର ମାୟାରେ ମାୟାୟିତ କରି କଳନାର ଅଭିନୟରେ ନେଇ ଯାଇଥିଲ କେଉଁ ଏକ ଅଜଣା ରାଇଜର ଅଚିହ୍ନା ପାର୍କକୁ। ମୁଁ କିନ୍ତୁ ଭାବି ପାରିଲିନି ଯେ, ପାର୍କର ପରିସରଟା ପ୍ରେମ ନାଟକର ପ୍ରଥମ ଦୃଶ୍ୟ ନା ଅନ୍ତିମ ଦୃଶ୍ୟ। କିଛି ସମୟ ପରେ ତମେ ମୋ ପାଇଁ ଆଣିଲ ସ୍ନେହଭରା ମିଷ୍ଟାନ୍ନ ପରିବର୍ତ୍ତେ ବିଷବୋଳା ମିଷ୍ଟାନ୍ନର ମଧୁ ପିଆଲା। ଠିକ୍ ଯେମିତି ମାୟା ନାରୀ ପୁତନା ନିଜ ସ୍ତନରେ ବିଷ ଭରି ଆସିଥିଲା ଶ୍ରୀକୃଷ୍ଣଙ୍କ ନିକଟକୁ। ତମେ ସେହିପରି ମୋ ସମ୍ମୁଖକୁ ଆସି ପରସି ଦେଲ ସେଇ ବିଷରୂପୀ ପିୟୂଷ। ମତେ ଭୋଜନାର୍ଥେ ଆଦେଶ ଦେଇ ତମେ ଚାଲିଗଲ ତମ ସଙ୍ଗ ଗହଣକୁ। ତମେ ତ ଚାଲିଗଲ ହେଲେ ମୁଁ….
ତା’ପରଦିନ ତମେ ଜଣେ ଦର୍ଶକର ମନୋବୃତ୍ତି ନେଇ ପୁଣି ଚାଲି ଆସିଥିଲ ସେଇ ପାର୍କକୁ ଦେଖିବାକୁ ମୋର ଅକାଳ ମୃତ୍ୟୁର ତାଣ୍ଡବଲୀଳା। କିଛି ଦୂରରୁ ଥାଇ ଦେଖିଲ ପାର୍କର ଜନଗହଳି ଭିତରେ ପଡ଼ିଥିଲା ଏକ ଶବ। ତମ ଆଖି କୋଣରୁ ବହିଯାଇଥିଲା କେଇଧାର ଲୁହର ଝରଣା। କିଏ ଜାଣେ ସେଇ ଲୁହ ଧାର ତ୍ରିବେଣୀର ନା ଛଳନାର। ଏଇ କେଇ ଟୋପା ଲୁହ ଝରାଇ ଅନ୍ତର ହେଇ ଯାଇଥିଲ ସେଇ ଅଜଣା ରାଇଜର ଅଚିହ୍ନା ପାର୍କର ପାଦ ଦେଶରୁ। କିନ୍ତୁ ଜାଣିବାକୁ ସାମାନ୍ୟ ଚେଷ୍ଟାଟିଏ ମଧ୍ୟ କଲନାହିଁ ଯେ, ସେ ଶବଟା କାହାର ? ତମେ ବୋଧେ ଭୁଲିଯାଇଥିଲ ଯେ, ମାୟାପୁତନାର କୁହୁକ ମାୟାରୁ ଶ୍ରୀକୃଷ୍ଣଙ୍କ ଜୀବନ ଅନ୍ତ ହୋଇଥିଲା ନା ଅନନ୍ତ ହୋଇରହିଥିଲା।
ମୋ ଜୀବନ ନାଟକ ସହିତ ଅଭିନୟ କରି ତଥାପି ମଧ୍ୟ ତମେ ହୋଇଗଲ ଜଣେ ବ୍ୟର୍ଥ ଅଭିନେତ୍ରୀ| ତମର ଅଭିନୟ ଭିତରେ ରହିଯାଇଥିଲା କିଛି ତୃଟି ଆଉ ଯେଉଁ ତୃଟି ଲକ୍ଷ୍ୟକରି ସାରା ବିଶ୍ବବ୍ରହ୍ମାଣ୍ଡର ଅନ୍ତର୍ଯ୍ୟାମୀ ଶ୍ରୀ ନାରାୟଣ ବଦଳାଇ ଦେଇଥିଲେ ତମ ମନଗଢ଼ା କାହାଣୀର କଳ୍ପିତ ଦୃଶ୍ୟାବଳୀକୁ। ଆଉ ସେଇ ଦୃଶ୍ୟ ମୁଁ ମଧ୍ୟ ଉପଭୋଗ କରୁଥିଲି ସେଇ ପାର୍କରେ ଥାଇ କିନ୍ତୁ ଶବ ହିସାବରେ ନୁହେଁ ଠିକ୍ ତମଭଳି ଜଣେ ଦର୍ଶକ ହିସାବରେ କାରଣ ମୁଁ ସେ ପର୍ଯ୍ୟନ୍ତ ଜାଣି ନ ଥିଲି ଯେ, ମୋ ଭୂମିକାରେ ଅନୂରୂପ ଅଭିନୟ କରି ମୋ ସ୍ଥାନରେ ମୃତ୍ୟୁବରଣ କଲା ଆଉ ଜଣେ କିଏ? ତା’ହେଲେ ସେ ଶବଟି କାହାରି? ମୁଁ କେବଳ ଏତକି ଜାଣେ ଯେ, ତମେ ମୋତେ ମିଷ୍ଟାନ୍ନ ଖାଇବାକୁ ଦେଇ ଚାଲି ଯାଇଥିଲ ଅନ୍ୟ କେଉଁଠିକୁ। ମୁଁ ଅପେକ୍ଷା କଲି ତମ ଫେରନ୍ତା ପଥକୁ କିନ୍ତୁ ଜାଗ୍ରତ ନୁହେଁ ସୁପ୍ତ ଅବସ୍ଥାରେ। ହଠାତ୍ ଉଠି ଦେଖେତ ସେଠାରେ ତମେ ନ ଥିଲ ଅଥଚ଼ ବିଷ ମିଷ୍ଟାନ୍ନକୁ ଖାଇ ମୃତ୍ୟୁର ସମାଧି କୋଳରେ ଶୋଇ ରହିଥିଲା ଆଉ ଜଣେ। ଏହା ସ୍ବପ୍ନ ନା ସତ୍ୟ। ବୁଝି ପାରିଲି ତମ ଛଳନା, ତମ ପ୍ରତାରଣା, ଜାଣିପାରିଲି ତମ ପ୍ରେମ କେତେଦୂର ସତ୍ୟ, କେତେଦୂର ମିଥ୍ୟା। ସତରେ ନାରୀମାନେ କ’ଣ ପ୍ରକୃତରେ ଏଭଳି ନିଖୂଣ ଅଭିନୟ କରିପାରନ୍ତି। ତା’ହେଲେ ପୁରୁଷମାନେ କ’ଣ ନାରୀମାନଙ୍କ ହାତରେ ଗୋଟିଏ ଗୋଟିଏ ମାଟିର କଣ୍ଢେଇ? ସେମାନେ ଯେତେବେଳେ ଚାହିଁବେ ତାକୁ ଭାଙ୍ଗି ପକେଇବେ। କିନ୍ତୁ ମୁଁ ଥିଲି ସରଳ, ଯେହେତୁ ମୁଁ ଛଳନା କରି ଜାଣି ନ ଥିଲି।
ମଥାରେ ଅବଗୁଣ୍ଠନ ତଥା ସୀମନ୍ତରେ ସିନ୍ଦୁର ଲଗାଇ ସମସ୍ତ ନାରୀ କ’ଣ ବଧୂ ହୋଇପାରନ୍ତି। ହିନ୍ଦୁ ଶାସ୍ତ୍ରାନୁସାରେ ବଧୂହେବା ନିମନ୍ତେ ପବିତ୍ର ମନ ଆବଶ୍ୟକ। ଆଉ ସତ କହିବାକୁ ଗଲେ ବିବାହ କରିବା ପୂର୍ବରୁ ତମ ମନ କ’ଣ ଅପବିତ୍ର ହୋଇନାହିଁ। ମୁଁ ଜାଣେନା ତମ ହୃଦୟରେ ମୋ ପାଇଁ କିଛି ସ୍ଥାନ ଅଛି କି ନା! କିନ୍ତୁ ସେ ଯାହାବି ହେଉନା କାହିଁକି ତୁମେ ଆଜି ବହୁତ ଦୂରରେ। ନିଜକୁ ଖୁସି କରିବା ନିମନ୍ତେ ତୁମେ ମୋ ନାମରେ ଅନେକ ଅପପ୍ରଚାର ଚଳାଇଛ। ଯେତେବେଳେ ତୁମ ସାଥୀମାନେ ମୋ ବିଷୟରେ ପ୍ରଶ୍ନ କରନ୍ତି। ତୁମେ ତାଙ୍କ ଉତ୍ତରରେ ଭରି ଦେଉଛ ମୁଁ ଏକ ଚରିତ୍ରହୀନ ବେକାର ବ୍ୟକ୍ତି ବୋଲି। ହେଲେ ମୁଁ ପ୍ରତିଜ୍ଞା କରୁଛି ତୁମପରି ମୋ ଜୀବନକୁ ସୁଖମୟ କରିବାକୁ, ତମ ଜୀବନରେ କେବେ ଦୁଃଖର ଝରଣା ବୋଳିବାକୁ ଦେବି ନାହିଁ। ତୁମେ ମନେ ମନେ ଭାବୁଥିବ ଯେ, ମୁଁ ତମ ପ୍ରେମର ଶିକାର ହୋଇ ଆଜି ମଧ୍ୟ ତମ ବିଚ୍ଛେଦ ନିଆଁରେ ଜଳି ଜଳି ଅନୁତାପ କରୁଛି। ହେଲେ ତମ ସହିତ ଅନେକ ଦିନ ଏକତ୍ର ମିଳିମିଶି ରହିଥିଲେ ମଧ୍ୟ ତମ ଦେହକୁ ସୁଦ୍ଧା ସ୍ପର୍ଶ କରିନାହିଁ। କାହିଁକି ନା ମୁଁ ଜଣେ ନାରୀମାସଂ ଲୋଭି ଋପ କାଙ୍ଗାଳ ନଥିଲି କାରଣ ମୁଁ ତୁମର ମନକୁ ଭଲ ପାଉଥିଲି, ଯେହେତୁ ଋପର ମୃତ୍ୟୁ ଅଛି।
++ ++ ++ ++
ହଁ…. ମୁଁ ଆଜି ତମ ପାଇଁ କେହି ନୁହେଁ। ପ୍ରକୃତରେ ମୁଁ ଆଜି ତମ ପ୍ରେମ ଯୁଦ୍ଧର ପରାଜିତ ସୈନିକ। ତମେ ମୋତେ ଭୁଲି ଯାଇଛ ସତ, ମୁଁ କିନ୍ତୁ ଭୁଲି ପାରିବିନି ବିଶ୍ବାସଘାତରେ ବିଷ ଦେଇଥିବା ତମ ଛଳନା ଭରା ଅସତ୍ୟ ପ୍ରେମକୁ ତଥା ଏ ମହାନ ଆଘାତକୁ କାରଣ-
“ରୋହତେ ସାୟକୈ ବିଦ୍ବଂ ବନଂ ପରଶୁନାହତମ୍
ବାଚା ଦୂଋକ୍ତଂ ବିଭତ୍ସଂ ନ ସଂରୋହତ ବାକ୍ଷତମ୍।”
ମତେ ଗପ ପଢ଼ିବାକୁ ଭଲଲାଗେ
ଏହି ଗପଟି ବହୁତ ସରଳ ଓ ସୁନ୍ଦର।
ଧନ୍ୟବାଦ