ଆମ ସମ୍ପର୍କରେ
ଭାଷାକୁ ଭିତ୍ତି କରି ପ୍ରଦେଶ ଗଠନ ପ୍ରକ୍ରିୟାରେ ପ୍ରଥମ ରାଜ୍ୟ ଭାବେ, ୧୯୩୬ ମସିହାରେ ଗଠିତ, ଆମ ଓଡ଼ିଶା ଅନ୍ୟ ପ୍ରଦେଶମାନଙ୍କ ପାଇଁ ଉଦାହରଣ ପାଲଟିଥିଲା ଏବଂ ଓଡ଼ିଆ ଭାବେ ଆମେ ଏହି ଗୌରବର ଅଧିକାରୀ ସେହିପରି, ଆଜି ସମଗ୍ର ପୃଥିବୀରେ ବ୍ୟବହାର କରାଯାଉଥିବା ପ୍ରାୟ ୫୦୦୦ ଭାଷା ମଧ୍ୟରେ ଓଡ଼ିଆ ଭାଷାର ସ୍ଥାନ ୩୧ ଭାରତୀୟ ସାହିତ୍ୟ ପରିପ୍ରେକ୍ଷୀରେ ମଧ୍ୟ ଓଡ଼ିଆ ସାହିତ୍ୟର ସ୍ଥାନ ବେଶ୍ ଉଚ୍ଚରେ ପ୍ରତିଭାଧର ଓଡ଼ିଆ ସାହିତ୍ୟିକଗଣ ରାଷ୍ଟ୍ରପତିଙ୍କ ପଦ୍ମ ସମ୍ମାନଠାରୁ ଆରମ୍ଭ କରି ସରସ୍ବତୀ ସମ୍ମାନ, ଜ୍ଞାନପୀଠ ପୁରସ୍କାର, ମୂର୍ତ୍ତିଦେବୀ ଓ କବୀର ସମ୍ମାନ ତଥା ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଭଳି ବହୁ ମର୍ଯ୍ୟାଦାଜନକ ପୁରସ୍କାରରେ ଅଳଙ୍କୃତ ତେବେ ପ୍ରଶ୍ନ ଆସୁଛି, ଓଡ଼ିଆ ଭାଷାର ଏହି ଗରିମାମୟ ଐତିହ୍ୟ ସତ୍ତ୍ବେ ସାମାଜିକ ଅର୍ଥନୈତିକ ଦୃଷ୍ଟିକୋଣରୁ ଆମେ ପଛରେ କାହିଁକି?
ଶାସ୍ତ୍ରରେ କଥାଟିଏ ଅଛି ଯେ, ଛାତ ଉପରକୁ ଉଠିଗଲା ପରେ ନିଶୁଣୀକୁ ଭୁଲିଯାଉଥିବା ବ୍ୟକ୍ତି କେବେ ଜୀବନରେ ଅଗ୍ରଗତି କରିପାରେନା ବାସ୍ତବରେ କିଛିଟା ସେହିଭଳି ଆମ ଅବସ୍ଥା ପୃଥିବୀ ସାରା ସମସ୍ତେ ନିଜ ନିଜର ଭାଷାକୁ ନେଇ ଗର୍ବରେ ବଞ୍ଚୁଥିବା ବେଳେ ଯେଉଁ ଭାଷାକୁ ନେଇ, ଯେଉଁ ମାଟି, ପାଣି, ପବନ, ଆକାଶକୁ ନେଇ ଆମେ ଓ ଆମର ପ୍ରିୟ ରାଜ୍ୟ ଓଡ଼ିଶା, ସେହି ଓଡ଼ିଶାର ଭୌଗଳିକ ସୀମା ମଧ୍ୟରେ ହିଁ ଆଜି ଓଡ଼ିଆ ଭାଷା ଅବହେଳିତ ଓ ସଙ୍କଟଗ୍ରସ୍ତ ଓଡ଼ିଆ ଭାଷାର ଅବମାନନା ଓ ଭାଷା ବ୍ୟବହାରରେ ଉଦାସୀନତା ଆମକୁ ଏକ ସ୍ବାଭିମାନହୀନ ସ୍ଥିତି ତଥା ହୀନମନ୍ୟତା ଭିତରକୁ ଠେଲିନେଉଥିବା ସୁସ୍ପଷ୍ଟ
ସାମାଜିକ ପରିବର୍ତ୍ତନ ପାଇଁ ସାହିତ୍ୟ ଦ୍ବାରା ସୃଷ୍ଟି ବୈଦ୍ଧିକ ଭିତ୍ତିଭୂମି ଏବଂ ଓଡ଼ିଶା ପରି ଏକ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଓଡିଆ ସାହିତ୍ୟର ଯେଉଁ ଭୂମିକା ରହିଛି, ସେହି ଦିଗ ପ୍ରତି ଆମେ ଶିକ୍ଷିତ ଓଡ଼ିଆମାନେ କେତେ ଦୂର ସଚେତନ ? ସାଧାରଣ ଓଡ଼ିଆ ଜୀବନରେ ଆଲୋଡ଼ନ ସୃଷ୍ଟି କରିବାରେ ଓଡ଼ିଆ ସାହିତ୍ୟ ସଫଳ ହୋଇଛି କି ? ସର୍ବୋପରି, ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଆମେ ଓଡ଼ିଆମାନେ କେତେ ଯତ୍ନବାନ
ଏମିତି କିଛି ପ୍ରଶ୍ନର ଭିଡ଼ ଭିତରୁ ମୁକୁଳି ନ ପାରି ଏ.ପି. ଇନଫୋଆର୍ଟ୍ସ୍ ପ୍ରା:ଲି: ପକ୍ଷରୁ ପରିକଳ୍ପନା କରାଗଲା ଓଡ଼ିଆ ସାହିତ୍ୟ ଡଟ୍ କମ୍ ଏବଂ ସୂତ୍ରପାତ ହେଲା ଏ ମାଟି ପାଇଁ ଆଉ ଏକ ବିପ୍ଳବର ଅୟମାରମ୍ଭ ଇଣ୍ଟର୍ନେଟ୍ ମାଧ୍ୟମରେ ସମଗ୍ର ବିଶ୍ବ ଉଦ୍ଦେଶ୍ୟରେ ଓଡ଼ିଆ ସାହିତ୍ୟ ଡଟ୍ କମ୍ର ଲୋକାର୍ପଣ ଅବସରରେ ଆମେ ନିଜକୁ ଗୌରବାନ୍ବିତ ମନେ କରୁଛୁ ଏହି ପରିପ୍ରେକ୍ଷୀରେ ଆମେ ସଚେତନ ଯେ, ଏହା ଏକ କଷ୍ଟକର ଉଦ୍ୟମ ଏବଂ ଏହାର ସଫଳ କାର୍ଯ୍ୟକାରିତା ପାଇଁ ଅନେକ ନିଷ୍ଠାର ଅପେକ୍ଷା ରହିଛି ତେବେ ଆପଣମାନଙ୍କ ପରି ସହୃଦୟ ସାହିତ୍ୟାନୁରାଗୀ ପାଠକମାନଙ୍କ ଉପରେ ହିଁ ନିର୍ଭରଶୀଳ ଏହି ୱେବ୍ସାଇଟ୍ର ଭବିଷ୍ୟତ ଯେ ଉଜ୍ଜ୍ବଳ ସେଥିରେ ଆମେ ନିଃସନ୍ଦେହ
ସମଗ୍ର ଭାରତ ବର୍ଷରେ ଓଡ଼ିଶା ସର୍ବପ୍ରଥମ ସ୍ବତନ୍ତ୍ରପ୍ରଦେଶର ମାନ୍ୟତା ପାଇ ଯେଭଳି ଅନ୍ୟ ଭାଷାଭାଷୀମାନଙ୍କ ପାଇଁ ଏକ ସମ୍ଭାବନାର ଉଦାହରଣ ହୋଇ ଉଭା ହୋଇଥିଲା, ଠିକ୍ ସେହିପରି ଓଡ଼ିଆ ସାହିତ୍ୟ ଡଟ୍ କମ୍ ମଧ୍ୟ ସମଗ୍ର ବିଶ୍ବର ଭାଷା ଓ ସାହିତ୍ୟ ପାଇଁ ଏକ ପ୍ରେରଣାର ଉତ୍ସ ହେଉ, ଏହା ହିଁ କାମନା
– ପ୍ରଶାନ୍ତ କୁମାର ସାହୁ
ମୁଖ୍ୟ ସମ୍ପାଦକ
Calendar
M | T | W | T | F | S | S |
---|---|---|---|---|---|---|
1 | 2 | 3 | 4 | 5 | 6 | |
7 | 8 | 9 | 10 | 11 | 12 | 13 |
14 | 15 | 16 | 17 | 18 | 19 | 20 |
21 | 22 | 23 | 24 | 25 | 26 | 27 |
28 | 29 | 30 | 31 |