ଜଡ଼ାକୁ ଖବର ମିଳିଲା ଖନା ବୁଢା ମରିଗଲା ବୋଲି।
କୁଞ୍ଜ କହିଲା, ‘ ଆବେ ଜଡ଼ା… ତୋ ବାଆ ମରିଗଲା। ’ ସବୁଦିନ ପରି ଗାଈ ଚରାରୁ ଫେରି, ଜଡ଼ା ଶୌଚ ହେବା ପାଇଁ ଗଛ ଉପରକୁ ଚଢି ପାଣି ଭିତରକୁ ମାଙ୍କଡ ପରି ପ୍ରଥମ ଡିଆଁ ମାରିଥିଲା। ମାତ୍ର, ଏମିତିକା ଖବର ଶୁଣି ଅତର୍ଚ୍ଛାରେ ଘରକୁ ଧାଇଁଲା। ଗାଆଁ ମୁଣ୍ଡରେ ତାଙ୍କର କୁଡ଼ିଆ। ପୋଖରୀ ତୁଠରୁ ଘର ଡାକେ ବାଟ। ଧଇଁ ସଇଁ ହୋଇ ଜଡ଼ା ଧାଇଁଥିଲା। ତାକୁ ଲାଗୁଥିଲା ଯେମିତି ବାଟଟା ଅନେକ କୋଶ ଲମ୍ୱି ଯାଇଛି ଅଚାନକ। ଅଣନିଶ୍ୱାସୀ ସହିତ ଓଠ ତଣ୍ଟି ଶୁଖି ଅଠା ହୋଇଯିବା ପରି ଲାଗୁଥିଲା। ଆଖିରୁ ଜୁଳୁ ଜୁଳିଆ ପୋକ ବାହାରି ପଡୁଥିଲା। ଗାଆଁ ଦାଣ୍ଡରେ ଲୋକ ପଚାରୁଥିଲେ, ‘ କଣ ହେଲା କିରେ ଜଡ଼ା, …?’
ବଖୁରିକିଆ ଘରର ମାଟି ଲିପା ଝାଟିମାଟି କବାଟ ଅଧା ଖୋଲା ଥିଲା। ଛୋଟ ଝରକାଟିରୁ ଆସୁଥିଲା କ୍ଷୀଣ ଆଲୋକ। ଜଡ଼ା ଯାହା ଦେଖିଲା, ତା ହୋସ୍ ଉଡ଼ିଗଲା ପରି ଲାଗିଲା। ଲାଗିଲା, ପାଦ ତଳୁ ମାଟି ଅତଡା ଖସୁଛି। ବାଆ ଚିତ୍ ହୋଇ ଶୋଇଥିଲା। ଦେହରେ ଅଣ୍ଟା ପାଖରେ କେବଳ ଥିଲା ମଳିଚିଆ ଲୁଗାଖଣ୍ଡେ। ପବନରେ ସେଇଟା ବି ଉଡ଼ିଆସି ତା ପେଟ ଉପରେ ପଡ଼ିଥିଲା। ଗୁପ୍ତାଙ୍ଗରୁ ଅଧା ଦେଖାଯାଉଥିଲା। ତା’ ଛାତିର ପଞ୍ଜରା ହାଡ଼ ଗୁଡ଼ାକ ଭିତରକୁ ପଶି ଯାଇଥିଲା। ଛାତି ଉପରର ଧଳା ଫୁରୁଫୁରୁ ବାଳ ପବନରେ ଉଡୁଥିଲା। ବୁଢା ଜିଭ କାମୁଡ଼ି ଦେଇଥିଲା। ତା ପାନ ଖିଆ ଅଧା ପାକୁଆ ପାଟିଟା କେମିତି ବିଚିତ୍ର ଦେଖା ଯାଉଥିଲା। ପାଟି ଭିତରୁ ରକ୍ତ ଧାରେ ନିଗିଡ଼ି ଯାଇଥିଲା ଗାଲ ଉପରେ। ମୁଣ୍ଡ ତଳେ ମୁଚୁଳା ହୋଇ ରହିଥିଲା ଗାମୁଛା। ଜଡ଼ା ତଳେ କଚାଡ଼ି ହୋଇ ପଡ଼ିବା ପୂର୍ବରୁ ବଡ଼ ପାଟିରେ କାନ୍ଦିବା ଆରମ୍ଭ କଲା, ‘ ବାଆ, ବାଆ…. ବାଆଲୋ……..।’
ତା ପିଠିରେ ବସିଲା ଶକ୍ତ ଚାପଡ଼ାଟାଏ। ଉଠି ଦେଖିଲା ତା ବାଆ ତା ପାଖରେ ବସି ପାକୁଆ ପାଟି ମେଲେଇ କପଟିଆଙ୍କ ପରି ହସୁଥିଲା। ‘ କହିଲା, ଶଶୁର ପୁଅ, ଏତେ ବେଳ ହେଲାଣି, ସକାଳୁ କିଛି ଖାଇନୁ, କୁଆଡ଼େ ଯାଇଥିଲୁ, ମୋ ମଲା ଖବର ଶୁଣି ଧାଇଁ ଆସିଲୁ? ମୁଁ ମଲେ ତ ତୋର ଖୁସି…!’ ଖନା ବୁଢା ତା ପାଟି କଳରୁ ବୋହି ଯାଇଥିବା ପାନ ଛେପକୁ ଗାମୁଛାରେ ପୋଛିବାକୁ ଲାଗିଲା। ମାଡ଼ ଖାଇ ରାଗିକରି ବୁଢାକୁ ଦି ବିଧା କଷିବା ବଦଳରେ ଜଡ଼ାକୁ କାନ୍ଦ ମାଡିଲା। ବୁଢାର ହାଡୁଆ ଦେହଟାକୁ ଜାବୁଡିଧରି ଖୁବ୍ ଯୋରରେ କାନ୍ଦିବାକୁ ଲାଗିଲା। କହିଲା, ‘ବାଆଲୋ… ତତେ ମରଣ ହଉନି…ଯଦି ସତରେ ତୁ ମରିଯାଇଥାନ୍ତୁ !’
ଜଡ଼ା କହିଲା, ‘ ଏମିତିକା ନାଟକ କଲୁଯେ, ଅଧା ଗାଧୁଆରୁ ଧାଇଁଛି ମୁଁ। ତୋ ପାଇଁ ଦି’ଟା ତୋଡ଼ୀ ଆଉ ବନ୍ଶୀ ଖଡ଼ାରେ ଆଠ ଦଶଟା କରାଣ୍ଡି ଧରିକି ଆଣିଥିଲି। ସେଗୁଡ଼ାକ ପୋଖରୀ ତୁଠରେ ଗାଞ୍ଜିଆରେ ଥୋଇ ଦେଇ ଆସିଛି, ବିଲେଇ ନେଇ ଯାଇଥିବ କି କଣ…।’ ଆଜି ବାଆ ଆଉ ପାଖରେ ନାହିଁ। ଦୂରରେ ଅଛି। ଯୋଜନ ଯୋଜନ ଦୂରରେ। କଳନା କରିହୁଏ ନାହିଁ ସେ ଦୂରତା। ବାପା ମାଆଙ୍କୁ ପିଲା ବେଳୁ ଦେଖିନି। ଆଖି ଖୋଲିବା ଦିନଠାରୁ କେବଳ ବାଆକୁ ଦେଖିଛି। ଗାଆଁ ମୁଣ୍ଡରେ କୁଡ଼ିଆ କରି ଜେଜେ ଓ ନାତି ଦୁହେଁ ରହନ୍ତି। ବାଆ ଜିଦ୍ କରି ତାକୁ ସହରକୁ ପଠେଇ ଦେଇଛି। ଆଜି ଦୁଃଖ ବେଳାରେ ତାର ସେହି ହସ ହସ ମାୟାବୀ ମୁହଁଟା ଆଖି ଆଗରେ ନାଚି ଯାଉଛି। ତା’ କଥା ଶୁଣା ଯାଉଛି, ‘ ବାଇଆଟା କିରେ…’
ଜଡ଼ା ମନେ ମନେ କାନ୍ଦିଲା, ‘ ବାଆଲୋ….।’ ପୁଣି ଭାବିଲା, ମନେ ମନେ କାହିଁକି କାନ୍ଦିବ ମଁ ? କିଏ ଅଛି ଯେ ଅନ୍ଧାରକୁ ଡରି ଦରବୁଢା ଟୋକାଟା କାନ୍ଦୁଛି ବୋଲି ଦେଖି ହସିବ ? ରାସ୍ତା ତ ଶୂନ୍ଶାନ୍। ଅନ୍ଧାର ଲମ୍ୱିଛି ଚାରିଆଡ଼େ। ବଡ଼ ପାଟିରେ କାନ୍ଦିଲେ, ଠାକୁର କାଳେ ଶୁଣିବେ। କାହାକୁ ପଠେଇଦେବେ ସାହାଜ୍ୟ ପାଇଁ। ଜଡ଼ା ଉଚ୍ଚ ସ୍ୱରରେ କାନ୍ଦିବାକୁ ଆରମ୍ଭ କଲା। ଚାରିଆଡ଼କୁ ଦେଖିଲା। କେହି ନାହାଁନ୍ତି ତ’? କାଳେ କିଏ ଥିବେ।
ଆଜି ତାର ଏ ଦୁର୍ଦ୍ଦିନ ପାଇଁ ବାଆ ଦାୟୀ। କହିଲା, ‘ ମୁଁ ତ ମଲା ଗଲା ଲୋକ। ଯମ ଡାକରା ଆସିଲାଣି। କେତେ ଦିନ ବଞ୍ଚିବି ଯେ, ପରଘରେ ପାଇଟି କରି ତତେ ଖୁଏଇବି! ତୁ କଣ ମୋ ସାଙ୍ଗରେ ମରିବୁ ? ଉପରକୁ ଗଲେ ତୋ ବାପା ବୋଉକୁ ମୁଁ କି ଜବାବ ଦେବି ? ଯାଃ…. କୁସିଆ ସାଙ୍ଗରେ ସହରକୁ ଯା। ମେହେନତ କରି ଶିଖ୍। ଦି ପଇସା ରୋଜଗାର କରି ଶିଖ୍। ବାହା ହେଇକି ଘରକୁ ଗୋଟାଏ ଜାଡ଼ି ଆଣିବୁ କି ନାଇଁ ? ’ ବୁଢାର ଯୁକ୍ତି ତାକୁ ଠିକ୍ ଲାଗିବାରୁ, ସେଦିନ ହୁର୍ଷିଆନାର ହାତ ଧରି ସହରକୁ ଆସିଥିଲା।
ବାଆ କହେ ‘ ସହର ହେଉଛି ଦିଲ୍ଲୀକା ଲଡ୍ଡୁ। ଯୋ ଖାୟା ୱ ପସ୍ତାୟା। ଯୋ ନହିଁ ଖାୟା ୱ ଭି ପସ୍ତାୟା।’ ବୁଢାର ବି ସହରୀ ଲଡ଼ୁ ଖାଇବାକୁ ମନ ହେଲା। ଆସିଥିଲା ଦିନାକାତେ। ଦି ଦିନ ରହିଲା। ମନ ଘର ଧରିଗଲା। କୁସିଆନାକୁ କହିଲା, ‘ ପୁଅରେ ମତେ ଟିକେ ବସ୍ରେ ବସେଇ ଦିଅନ୍ତୁ ନାହିଁ ?’ ତା’ ପରେ ବସ୍ ରେ ଗାଆଁକୁ ପଳେଇଲା। ଜଡ଼ା ତାକୁ ଧରି କାନ୍ଦିଲା ବେଳକୁ, ବୁଢା କହିଲା, ‘ ବାଇଆଟା କିରେ ….। ନାକ କାନ୍ଦୁରା….କାନ୍ଦୁଛୁ କାହିଁକି ? ଏ ସନ ମାଘ ପୁର୍ଣ୍ଣମୀକୁ ତତେ ଚଉଦ ପୁରି ପନ୍ଦର ଚାଲିବ। ତା’ ଆର ବର୍ଷକୁ ଷୋହଳ। ମୁଁ ତ ଷୋହଳ ବର୍ଷରେ ବାହା ହେଇଥିଲି। ତତେ ବି ଷୋହଳ ବର୍ଷରେ ବାହା କରେଇ ଦେବି। ମୁଁ ଗାଆଁକୁ ଯାଉଛି। ତୋ ପାଇଁ ଜାଡ଼ି ଖୋଜିବି…।’ ବୁଢାର କଥା ଗୁଡାକ ଭାରି ମାୟାବୀ। ତା କଥା ରେ ଜଡ଼ା ଥୟ ପଡ଼ିଲା।
ବାଆର କଥା ମନେ ପଡ଼ିବାରୁ ଜଡ଼ା ନିଜକୁ ନିଜେ ବୁଝେଇଲା, ‘ ଏ ସନ ପନ୍ଦର ପୁରି ଷୋହଳ ଚାଲିବ ତତେ। ନରଣପୁରର ଷଣ୍ଢ ମାର୍କା ଟୋକା। ଡରିକି କାନ୍ଦୁଛୁ? ଛି.. ଛି, ଲାଜ ନାହିଁ ତୋ ମୁହଁକୁ…! ତୋ ବାଆ ଗାଆଁରେ କନିଆଁ ଖୋଜୁଛି। କାଲି ହାତକୁ ଦି ହାତ ହେଲେ, ପଅର ଦିନକୁ ହେଂସେ ଛୁଆ…। ତୁ ପୁଣି ଡରିକି କାନ୍ଦୁଛୁ!’ ନିଜକୁ ନିଜେ ସାହସ ଦେଲା ଜଡ଼ା।
ଯେତେ ବୁଝେଇଲେ ବି ଅନ୍ଧାରକୁ ଦେଖିଲେ ଡର ମାଡିବା କଥା ମାଡ଼ୁଛି। ଗାଆଁରେ ଥିବା ବେଳେ ବାଆକୁ କୁଣ୍ଢେଇ, ତା ପେଟ ଉପରେ ଗୋଡ଼ ରଖି ଶୁଏ। ନିଦ ଆସିଗଲେ ହେଲା। ମଝିରେ ସ୍ୱପ୍ନ ଦେଖି ବାଉଳି ହେଲେ, ନିଦ ଭାଙ୍ଗିଗଲେ ପୁଣି ବାଆକୁ ଜାକି ଧରି ଶୁଏ। ଅନ୍ଧାରକୁ ଭାରି ଡର। ଦିନ ବେଳା ସାପ ଗାତରେ ହାତ ପୁରେଇ ସାପକୁ ଟାଣି ଆଣି ପାରିବ। ମାଢୁଆ କଙ୍କଡ଼ାକୁ ଅନାୟସରେ ମାଡ଼ି ବସିବ। ହେଲେ, ସନ୍ଧ୍ୟା ହେଲେ ବାଆର ପାଖେ ପାଖେ ରହେ, ଅନ୍ଧାରକୁ ଡର ମାଡ଼େ ବୋଲି।
ସିଏ ଯେଉଁ ଲାଇଟ୍ ଖମ୍ୱ ତଳେ ପଙ୍କ୍ଚର୍ ସାଇକେଲ ଓ ହାତରେ କିରୋସିନ ଡବାଟାଏ ଧରି ଠିଆ ହୋଇଥିଲା, ସେଇଟା ଥିଲା ପୀର ବାବା ଛକ। ସହରର ଶେଷ ଲାଇଟ୍ ଖମ୍ୱ। ତା’ ସେପାଖକୁ ବୁଦୁ ବୁଦୁକିଆ ଜଙ୍ଗଲ ଆରମ୍ଭ। ଅଧା କିଲୋମିଟର ରାସ୍ତା ପରେ ପଡ଼େ କବର ଖାନା। କବର ଖାନା ପରେ ଗୋଟାଏ ବେଲ ଗଛ। ସମସ୍ତେ କହନ୍ତି ସେଇଠି ରହେ ବ୍ରହ୍ମ ରାକ୍ଷସ। ତା ପାଖରେ ପହଞ୍ଚିଲେ, ଗଛକୁ ଜୋର କରି ହଲାଏ। କେତେ ଲୋକ ସେଠି ସେ ରାକ୍ଷସକୁ ଭେଟଣା ହୋଇଛନ୍ତି। ବେଲ ଗଛ ସେ ପାଖକୁ ଶ୍ମଶାନ..।
ଏମିତି ନୁହେଁ ଯେ ସେ ରାସ୍ତାରେ ଆଜି ସେ ଏକୁଟିଆ ପ୍ରଥମ ଥର ପାଇଁ ଯାଉଛି। ସେ ରାସ୍ତାରେ ଅନେକବାର ସେ ଆଗରୁ ଯାଇଛି। ରାତି ଆଠଟା ପର୍ଯ୍ୟନ୍ତ ଲୋକଙ୍କ ଯିବା ଆସିବା ଲାଗି ରହିଥାଏ। ଡେରି ରାତିରେ ଯେତେଥର ଯାଇଛି , କୁସିଆନାର ସାଇକେକେଲରେ ଯାଇଛି। କୁସିଆନା ସାଇକେକେଲରେ ଅଛି ଡାଇନାମୋ। ଯୋର୍ରେ ଚାଲିଲେ ଡୁମ୍ ଜଳେ। ରାସ୍ତା ଉପରେ ବିଛାଡ଼ି ହୋଇପଡ଼େ ଲାଇଟ୍। ରାସ୍ତା କଡ଼ରେ ସିଏ ଘୁଷୁରୀ ହେଉ କି , ବାଛୁରୀ, ଷଣ୍ଢ ହେଉ କି ମଣିଷ, ଯେଉଁ ବେଶରେ ସାଇକେଲ ସାଙ୍ଗରେ ରେସ୍ ଲଗେଇଲେ ବି ଠାକୁରଙ୍କ ନାଆଁ ନେଇ ଗୀତ ଗାଇ ଗାଇ ପେଡାଲ୍କୁ ଯୋର୍ ଯୋର୍ କରି ମାରିଲେ କୋଉ ଶଳା ଭୂତ ପାଖ ପଶିବ ମଁ ?
ହେଲେ, ଆଜିର କଥା ତ ଅଲଗା। କୁସିଆନାର ସାଇକେଲ୍ ତ ଅଛି। ହେଲେ, ସେ ଆଉ ଦୌଡ଼ି ପାରିବନି। ତା’ ପଛ ଚକରେ କଣ୍ଟାଟାଏ ଫୁଟିଯାଇଛି। ନିଜ ବିକଳିଆ ପଣରୁ ଏମିତି ହେଲା ସିନା। ଟ୍ରେନରେ କୁସିଆନାକୁ ବସେଇବା ବେଳକୁ ରାତି ଅନେକ ହୋଇଯାଇଥିଲା। ମନରେ ଡର ବାନ୍ଧିବା ଆରମ୍ଭ କରୁଥିଲା। ଭାବୁଥିଲା ନିଛାଟିଆ ରାସ୍ତାଟା କେମିତି ସୁରୁଖୁରରେ ପାର୍ ହେବ। ଆଗରେ ଯାଉଥିଲା ଅଟୋଟାଏ। ସେ ଅଟୋକୁ ଖଟାଲ୍ ରାସ୍ତାରେ ଆଗରୁ କେତେଥର ଦେଖିଥିଲା ବୋଲି ଜଡ଼ା ଭାବିଲା, ଯୋର୍ରେ ଯୋର୍ରେ ଅଟୋ ପଛରେ ଗଲେ ଅନ୍ଧାର ରାସ୍ତାର ତିନି କିଲୋମିଟର ପାର୍ ହୋଇଯିବ। ସେଥିପାଇଁ ଯୋର୍ରେ ଯୋର୍ରେ ପେଡାଲ୍ ମାରୁଥିଲା। ଅଟୋ ପଛେ ପଛେ ଧପାଳିଥିଲା। ଭଲ ରାସ୍ତା ଛାଡ଼ି ଅଟୋଟା ଗଳି ରାସ୍ତାରେ ପଶିବା ଆରମ୍ଭ କଲା। ଜଡ଼ା ବି ତା ପଛେ ପଛେ ସେହି ରାସ୍ତାରେ ଚାଲିଲା। ତା ରାସ୍ତାରେ ଯେ କଣ୍ଟାଟାଏ ପଡିଥିବ ଆଉ ସେଇ ଗୋଟାକ କୁସିଆନାର ସାଇକେଲ ଚକରେ ଫୁଟିଯିବ, ସେ କଥା, ସେ ବା ଜାଣିଥାନ୍ତା କେମିତି। ଖଦଡ଼ା ରାସ୍ତାରେ ଅଟୋ ପଡ଼ି ଉଠି ଦୌଡ଼ି ପଳେଇଗଲା। ଜଡ଼ା ରହିଗଲା ଅଧା ବାଟରେ। ରାତି ଦଶଟାରୁ ଅଧିକ ହେଲାଣି। ସହର ବଜାର ବନ୍ଦ ହୋଇ ଗଲାଣି। ସହର ଭିତରେ ରାସ୍ତାରେ ଲାଇଟ୍ ଜଳୁଛି। ସେଥିପାଇଁ ସେ ଖଣ୍ଡକ ରାସ୍ତା ପାଇଁ ଚିନ୍ତା ନ ଥିଲା।
ହୁର୍ଷିଆନା କହିଲା, ‘ ଚାଲ୍ ମତେ ନେଇ ଟ୍ରେନରେ ବସେଇ ଦେଇ ଆସିବୁ। ମୁଁ ଏଇକ୍ଷଣି ଗାଆଁକୁ ଯିବି।’ ଦି ଭାଇଙ୍କ ଝଗଡା ମଝିରେ ବିଚରା ଜଡ଼ା ଫସି ଯାଇଛି। ୟ୍ୟା କଥା ନ ମାନିଲେ ମଲା। ତା କଥା ନ ମାନିଲେ ବି ମଲା। କରିବ କଣ? ଦି ଭାଇଙ୍କ ଭିତରେ ଏ ତ ନୂଆ ଝଗଡ଼ା ନୁହେଁ। ମଝିରେ ମଝିରେ ଝଗଡ଼ା କରନ୍ତି। ହାତାହାତି ହୁଅନ୍ତି। ପାଖ ପଡ଼ିଶା ଆସି ଝଗଡ଼ା ମଝିରେ ପଶି ଶାନ୍ତ କରାନ୍ତି। ପଡ଼ିଶାଙ୍କୁ ଦେଖା ଦେଖି ଜଡ଼ାବି ଦିନେ ଭଦ୍ର ଲୋକ ସାଜି ଝଗଡ଼ା ମଝିରେ ପଶିଗଲା। ହୁର୍ଷିଆନାର ହାତ ଧରି ଶାନ୍ତ କରିବାକୁ ଚେଷ୍ଟା କଲାବେଳକୁ ସିଏ ଏମିତି ହାତ ଛାଟି ଦେଲାଯେ , ତା କହୁଣୀ ମାଡ଼ରେ ଜଡ଼ାର ନାକ ଫାଟି ଧାର ଧାର ରକ୍ତ ବୋହିଲା। କୁସିଆନା ପାଟି କରି କହିଲା, ‘ ହଇବେ, ତୋର ତ ଭାରି ପୀତ ହେଇଗଲାଣି। ତା ପଟିଆ ହେଇଗଲୁଣି କେବେଠାରୁ? ‘ବାସ୍, ଜଡ଼ାର ଭଦ୍ରଲୋକୀ ଶେଷ। କାନ ମୋଡ଼ି ଗାଲରେ ଚଟକଣି ମାରି ଶପଥ କଲା, ଦୁଇ ଭାଇଙ୍କ କଳିରେ ସିଏ ମୁଣ୍ଡ ପୁରେଇବନି।
କଳିରେ ମୁଣ୍ଡ ନ ପୁରେଇଲେ କଣ ହେଲା ? ଗୋଟାଏ ଘରେ ତ ରହୁଛି। ସେମାନେ କଥା କଟା କଟି ହେଲେ, ସେ ସବୁ ତା ଦେହରେ ତ’ ବାଜିବ। ଦୁହେଁ ଦୁହିଁଙ୍କଠାରୁ କଳିରେ ହାରିବା ପରେ ରାଗ ଶୁଝାନ୍ତି ଜଡ଼ା ଉପରେ। ଆଜିର କଳିରେ କୁସିଆ ନନା ଠିକ୍ କହିଲା। ହୁର୍ଷିଆନା ଜୁଆ ଖେଳି ତାର ପଇସା ଉଡ଼େଇ ଦଉଛି। ହୁର୍ଷିଆନା ବି ଠିକ୍ କଥା କହୁଛି, ‘ କାଇଁକି ମୁଁ କଣ ରୋଜଗାର କରୁନି? ମନ ଖୁସି କରିବାକୁ ସାଙ୍ଗ ସାଥିରେ ଦିନେ ଅଧେ ଜୁଆ ଖେଳିଲେ କଣ ମାରା ହେଇଗଲା? ଯେଉଁଦିନ ଜୁଆରେ ଟଙ୍କା ଜିତିକି ଆଣୁଛି, ସେ ଦିନ ତ ଭାଉଜକୁ ଟଙ୍କା ଦଉଛି। ସେତେବେଳକୁ ମନା କରୁନୁ ଯେ, ଜୁଆ ଟଙ୍କା ମୁଁ ନେବିନି ?’ ଦି’ଜଣ ମିଶିକି ତ ରୋଜଗାର କରୁଛେ। ‘ତୁ କାହିଁକି ଭାଉଜ ନାଆଁରେ ଜମି କିଣି ଦେଲୁ ଗାଆଁରେ?’
କୁସିଆନା କହିଲା, ‘ ମୁଁ ଅଧିକ ମେହନତ କରୁଛି। ଦିନସାରା ବସି ଚୁଲି ଜାଳୁଛି। ଚା କରୁଛି। ପକୁଡ଼ି, ବରା ପିଆଜି ଛାଣୁଛି। ତୋ ଭାଉଜ ବି ଘରର ସବୁ କାମ କରିବା ସହିତ ଦୋକାନ କଥା ବି ବୁଝୁଛି। ତା ନାଆଁରେ ଜମି ଦି ଗୁଣ୍ଠ କିଣିଦେଲି ଯେ ବେଦ କଣ ଅଶୁଦ୍ଧ ହୋଇଗଲା?’
ହୁର୍ଷିଆନା ନ କହିବା କଥାଟା କହି ଦେବାରୁ ମାମଲା ବିଗିଡ଼ି ଗଲା। ସିଏ କହିଲା, ‘ ହୁଃ, ଭାଉଜ କଣ କରୁଛି ମଁ। ଯାହା କରୁଛି, ଏଇ ଜଡ଼ା କରୁଛି। ଗାଆଁରୁ ଆସିବା ବେଳକୁ ଭାଲୁ ଭଳିଆ ଦିଶୁଥିଲା। ଭାଉଜ ତାକୁ ଖଟେଇ ଖଟେଇ ବିଲୁଆ ଭଳିଆ କରି ସାରିଲାଣି।’ ଏଥର ଭାଉଜକୁ ଆଉ ସମ୍ଭାଳେ କିଏ। ଭାଉଜ ବର୍ଷି ଗଲା।
…………….।