ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ବା ଅନବସର ସମୟରେ ବ୍ରହ୍ମଗିରିସ୍ଥ ଶ୍ରୀ ଅଲାରନାଥ ଦେବଙ୍କ କଥା ସମସ୍ତଙ୍କର ମନେପଡ଼େ। ଏପରିକି ବୈଷ୍ଣବଧର୍ମର ପ୍ରଚାରକ ଶ୍ରୀ ଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଚାଲି ଚାଲି ଯାଇ ବ୍ରହ୍ମଗିରିରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇ ଆନନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ଯାହାର ନିଦର୍ଶନ ସ୍ବରୂପ ସେଠାରେ ଶ୍ରୀ ଚୈତନ୍ୟଙ୍କ ମନ୍ଦିର ନିର୍ମାଣ କରାଯାଇଛି। କଥିତ ଅଛି ଅଣସର ସମୟରେ ଗୋଟିଏ ଦିନ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ସମାନ ଏବଂ କୋଟିପୂଣ୍ୟ ଫଳ ଅର୍ଜନ କରାଯାଇଥାଏ। ସ୍ନାନ ପୂର୍ଣିମା ପରଠାରୁ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ଶ୍ରୀ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ମିଳେନାହିଁ। ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀ ଅଲାରନାଥଙ୍କ ଦର୍ଶନ କରିଥାନ୍ତି। କାରଣ ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସମଫଳ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ଦର୍ଶନରୁ ମିଳିଥାଏ।

ପୁରୀର ନରେନ୍ଦ୍ର ପୁଷ୍କରଣୀର ଜଟିଆ ବାବା ଛକଠାରୁ ୨୦ କି.ମି. ପୁରୀ-ସାତପଡ଼ା ରାସ୍ତାରେ ଗଲେ ପଡ଼େ ବ୍ରହ୍ମଗିରିର ଗୋପଛକ। ଶ୍ରୀ ଅଲାରନାଥ ମନ୍ଦିର ଯିବା ପାଇଁ ସେଠାରେ ଏକ ସଦୃଶ ତୋରଣ ବିଦ୍ୟମାନ। ଶ୍ରୀ ଅଲାରନାଥଙ୍କ ପୀଠ ଚାରି ପାଖରେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଭକ୍ତମାନଙ୍କୁ ଆକର୍ଷିତ କରିଥାଏ। ଏଠାକାର ବଉଳ ଫୁଲର ବାସନା, କେତକୀ ଫୁଲର ମହକ ସମଗ୍ର ଅଞ୍ଚଳକୁ ଏକ ଭାବପୂର୍ଣ୍ଣ ପରିବେଷରେ ସୃଷ୍ଟି କରିଥାଏ। ଶ୍ରୀ ଅଲାରନାଥଙ୍କ ସେବକମାନେ ଗୋପ ଗ୍ରାମରେ ରୁହନ୍ତି। ଅଣସରର ଶେଷ ୫ ଦିନ ଏଠାରେ ପ୍ରବଳ ଭିଡ଼ ହୁଏ। ପାଲା, ଦାସକାଠିଆ, ଭଜନ, ସଂକୀର୍ତ୍ତନରେ କମ୍ପିଉଠେ ଶ୍ରୀ ଅଲାରନାଥ ମନ୍ଦିର। ଏହି ମନ୍ଦିରକୁ କିଏ କେବେ ନିର୍ମାଣ କରିଥିଲା ତାହା ଏବେ ମଧ୍ୟ ଅଗୋଚର। ତେବେ ମନ୍ଦିରର କାରୁକାର୍ଯ୍ୟରୁ ଏହା ଅଷ୍ଟମ ଶତାବ୍ଦୀର ବୋଲି ଜଣାପଡ଼େ। ମନ୍ଦିରର ଉଚ୍ଚତା ମାତ୍ର ୫୦ ଫୁଟ।

ଶ୍ରୀ ଅଲାରନାଥଙ୍କ ନାମକରଣ ମଧ୍ୟ ଏକ ରହସ୍ୟମୟ କଥାମୃତ। ଦାକ୍ଷିଣାତ୍ୟର ଆଲବର ସମ୍ପ୍ରଦାୟମାନେ ଏଠାରେ ଚତୁର୍ଦ୍ଧାମୂର୍ତ୍ତୀ ସ୍ଥାପନ କରି ପୂଜା କରୁଥିଲେ। ତାଙ୍କର ଠାକୁରଙ୍କୁ ଆଲବରନାଥ ଓ ପରେ ଅଲାରନାଥ ନାମକରଣ ହୋଇଥିବା କଥିତ ଅଛି। ପୁରୁଷୋତ୍ତମ ଚନ୍ଦ୍ରିକାରୁ ଜଣାପଡ଼େ ଅଲବନ୍ଦ ଆଚାର୍ଯ୍ୟ ନାମକ ଏକ ତାନ୍ତ୍ରିକ ବ୍ରାହ୍ମଣ, ଅନବସର ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ବର୍ଗଦ୍ବାର ନିକଟ ସୋଲାଖିଆ ବଟବୃକ୍ଷରେ ମହୂମାଛି ହୋଇ ଶ୍ରୀ ମନ୍ଦିରକୁ ଯାଆନ୍ତେ ସେଠାରେ ବାଧାପ୍ରାପ୍ତ ହୋଇ ସମୁଦ୍ରରେ ଝାସ ଦେବାକୁ ଯିବା ସମୟରେ ଏକ ମର୍କଟ ବାଧାଦେବାରୁ ସେ ଶ୍ରୀ ଅଲାରନାଥଙ୍କ ପୀଠରେ ଆସି ପଡ଼ିଲେ। ଅଲବନ୍ଦାରନାଥଙ୍କ ଠାକୁରଙ୍କୁ କାଳକ୍ରମେ ଶ୍ରୀ ଅଲାରନାଥ ଭାବେ ପୂଜା ହେଉଥିବା କୁହାଯାଏ।

ଶ୍ରୀ ଅଲାରନାଥଙ୍କ ବିଗ୍ରହମୂର୍ତ୍ତି କଳାମୁଗୁନି ପଥରରେ ନିର୍ମିତ। ମୂର୍ତ୍ତି ଚାରିପଟେ ତୋରଣ ଅଛି। ତୋରଣ ତଳେ ପାର୍ଶ୍ବଦେବୀ ଶ୍ରୀଦେବୀ, ଭୂଦେବୀ ବିଦ୍ୟମାନ କରୁଛନ୍ତି। ପଦଯୁଗ ତଳେ ଗରୁଡ଼ ପ୍ରାର୍ଥନାରତ। ଶ୍ରୀ ଜୀଉଙ୍କ ଊର୍ଦ୍ଧ୍ୱ ବାମ ହସ୍ତରେ ଶଙ୍ଖ, ଡାହଣ ହାସ୍ତରେ ଚକ୍ରଚିହ୍ନ ଅଛି। ନିମ୍ନ ବାମ ହାସ୍ତରେ ଗଦା ଓ ଡାହାଣ ହସ୍ତରେ ପଦ୍ମ ଚିହ୍ନ ବିଦ୍ୟମାନ। ଏଣୁ ଶ୍ରୀ ଅଲାରନାଥଙ୍କୁ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ କୁହାଯାଏ। ଏହି କମନୀୟ ମୂର୍ତ୍ତିକୁ ଦର୍ଶନ କରିବା ମାତ୍ରେ ଭକ୍ତ ବିମୋହିତ ହୋଇଯାଏ। ଏବେ ମୁଦ୍ରିତ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ବହୁଳ ପ୍ରଚାର ଯୋଗୁଁ ଶ୍ରୀ ଅଲାରନାଥଙ୍କୁ ପ୍ରତିଦିନ ଶହ ଶହ ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି।

ଶ୍ରୀ ଅଲାରନାଥଙ୍କ ବାରମାସରେ ତେର ଯାତ ଅନୁଷ୍ଠିତ ହୁଏ। ଶ୍ରୀ ଜଗନ୍ନାଥଙ୍କ ପରି ଶ୍ରୀ ଅଲାରନାଥଙ୍କର ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ବେଶ କରାଯାଏ। ଅନବସର ସମୟରେ ଅନବସର ବେଶ, ଚନ୍ଦନ ଯାତ୍ରା ସମୟରେ ଚନ୍ଦନ ବେଶ, କାର୍ତ୍ତିକ ମାସରେ ରାଧା ଦାମୋଦର ବେଶ, ହଶହରା ଦିନ ରାଜବେଶ, ବସନ୍ତ ପଞ୍ଚମୀ ଦିନ ଘୋଡ଼ାଲିଗି ବେଶ ଓ ଅନ୍ୟାନ୍ୟ ବେଶ କରାଯାଏ। ସେହିଭଳି ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ଅନବସର ଉତ୍ସବ, ଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣିମା, କୁମାର ପୂର୍ଣିମା, ବିଜୟା ଦଶମୀ, ଦେବ ଦୀପାବଳୀ, ଧନୁ ସଂକ୍ରାନ୍ତି, ପହିଲି ଭୋଗ, ମକର ସଂକ୍ରାନ୍ତି, ବକୁଳ ଅମାବାସ୍ୟା, ବସନ୍ତ ପଞ୍ଚମୀ, ଦୋଳପୂର୍ଣ୍ଣମୀ, ପୁଷ୍ୟାଭିଷେକ, ପଣାସଂକ୍ରାନ୍ତି, ଚନ୍ଦନ ଯାତ୍ରା ଆଦି ଅନୁଷ୍ଠିତ ହୁଏ। ଶ୍ରୀ ମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ। ସକାଳ ଆଠଟାରେ ବାଳଭୋଗ, ସକାଳ ଧୂପରେ ଅଣ୍ଡି, ଖେଚେଡ଼ି, ଡାଲି ଓ ତରକାରୀ ଭୋଗ କରାଯାଏ। ମାଧ୍ୟାହ୍ନରେ କ୍ଷୀର ଭୋଗ କରାଯାଇ ପହୁଡ଼ ପଡ଼େ। ରାତିରେ ଦହି ପଖାଳ ଓ ଭଜା ଭୋଗ କରାଯାଏ।

ଶ୍ରୀ ଅଲାରନାଥଙ୍କ କ୍ଷୀରି ଭୋଗ ଏଠାରେ ପ୍ରସିଦ୍ଧ। ବ୍ରହ୍ମଗିରି ଓ ଏହାର ଆଖ ପାଖ ଅଞ୍ଚଳରେ ବହୁଳ ପରିମାଣରେ ଦୁଗ୍ଧ ଉପଲବ୍ଧ ହୋଇଥାଏ। ଏଠାରୁ ପୁରୀକୁ ପ୍ରତିଦିନ ଶହ ଶହ ଲିଟର ଦୁଗ୍ଧ ପଠାଯାଇଥାଏ। ଶ୍ରୀ ଅଲାରନାଥଙ୍କ ମୁଖ୍ୟମନ୍ଦିର ବ୍ୟତୀତ ନାଟମନ୍ଦିର, ଚୈତନ୍ୟ ମନ୍ଦିର, ଭଜନ ଚକଡ଼ା, ରୋଷଶାଳା, ନବଗ୍ରହ ପ୍ରସ୍ଥର, ଯଜ୍ଞମଣ୍ଡପ ଅଛି। ବାହାରେ ଭକ୍ତମାନେ ପଦଧୌତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।