ଶ୍ୟାମଳୀର ଦୁଃଖସୁଖର ଜୀବନ ଲାଗିଥାଏ। ଯେତିକି ବର୍ଷା ବତୁରାଇ ଦେଉଥାଏ, ସେତିକିକୁ ଖରା ଶୁଖାଇ ଦେଉଥାଏ। ଭଲ ଲାଗୁଥାଏ ଜୀବନ। ସବୁବେଳେ ତା’ସହ ଜଡ଼ିତ ଥାଏ ଶ୍ବେତାମ୍ବର। ଜୀବନରେ ଏତେ ଖୁସି ଥାଏ ଯାହାର ମାପି ହେଉ ନ ଥାଏ ଦୂରତା, ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓ ଓଜନ। ସୁଖଭରା ଜୀବନରେ ଫୁଲଫୁଲିଆ ଦୁଃଖ ବି ରହୁଥାଏ। ଏମିତି ଜୀବନର ପରମାୟୁ ଥାଏ ମାତ୍ର ଦି’ ବର୍ଷ। ବିବାହର ଦି’ଟା ବର୍ଷ ପରେ ଜୀବନକୁ ଆସ୍ତେଆସ୍ତେ ଘେରିଆସେ ଅସନ୍ତୋଷ, ଦୁଃଖ, ସନ୍ତାପ, ଜ୍ବାଳା, ଅପମାନ ଓ ଲାଞ୍ଛନା। ଶ୍ୟାମଳୀ ସହୁଥାଏ। ସହିପାରୁଥାଏ ବୋଲି ତା’ ମୁହଁ ଉପରେ ହିଁ ଶ୍ବେତାମ୍ବର ବହୁତ କିଛି କରିଚାଲିଥାଏ। ଦେଖେଇ ଦେଖେଇ କରୁଥାଏ ପାପ। ଯେତେ ଯେତେ କୁକର୍ମ କରିଚାଲିଥାଏ, ଶ୍ୟାମଳୀ ପ୍ରତିବାଦ କରୁ ନ ଥାଏ। ଶ୍ବେତାମ୍ବରର ସବୁ କୁକର୍ମ ତା’ ମନ-ବନରେ ବୁଲୁଥାଏ। ସେ କାନ୍ଦୁଥାଏ। ଆଖି ଲୁହ ଆଖିରେ ମାରୁଥାଏ।

ଶେଷକୁ ଆଉ ସହି ହେଲାନାହିଁ ଜୀବନ। ସବୁ ସହିବା ଦିନଠୁ ସରିଗଲା, ଯେଉଁଦିନ ଶ୍ବେତାମ୍ବର ଚରିତ୍ରହୀନାର ଦୋଷ ଲେଖିଲା ଶ୍ୟାମଳୀର କପାଳରେ। ନାରୀ ପେଟକଷ୍ଟ ସହିଯାଏ, ଦେହକଷ୍ଟ ସହିଯାଏ, ମନର କଷ୍ଟକୁ ବି ସହିଯାଏ; ତେବେ ତା’ ଚରିତ୍ରକୁ ଛିଡ଼େଇଦେଲେ ଫୁଲ ପରି ସେ ଶୁଖିଯାଏ ଓ ମରିଯାଏ। ସେ ଆଉ କେତେ ସହନ୍ତା? ଆଉ ହେଲାନାହିଁ। ତା’ ଜୀବନ ତାକୁ ଧିକ୍ ଲାଗିଲା। ଜୀବନ ହାରିଦେବାକୁ ସ୍ଥିର ନିଶ୍ଚିତ କଲା। ସେ ଭାବିନେଲା ତା’ ମୃତ୍ୟୁ ହିଁ ସବୁର ସମାଧନ। ତେବେ ତା’ ମୃତ୍ୟୁଲଗ୍ନ ଫିଟୁ ନ ଥିଲା।

ଶ୍ବେତାମ୍ବର ଆଜି ଗୋଇଠା ମାରିଲା ଶ୍ୟାମଳୀର ମରମକୁ। ଯେଉଁଠୁ ଆରମ୍ଭ ଜୀବନ, ସେଇଠି ଥିଲା ସେ ପ୍ରହାର। ସବୁ ଭାଙ୍ଗିଗଲା। ଏଥର ଶ୍ୟାମଳୀ ନିର୍ଦ୍ଦିଷ୍ଟ ହେଇଗଲା ମୃତ୍ୟୁ ନିକଟରେ। ମୃତ୍ୟୁଲଗ୍ନ ଫିଟିଗଲା। ସେ ମରଣମୁଖୀ ହେଲା। କୌଣସି ଏକ ନିକାଞ୍ଚନ ସ୍ଥାନ, ନୀରବ ମୁହୂର୍ତ୍ତ ଓ କିଛି ଅନ୍ଧାର ତା’ସନ୍ଧାନରେ ଥିଲା।

ଶ୍ୟାମଳୀ ଚାଲିଥିଲା। ବାଟ ଲମ୍ବଥିଲା। ଅନ୍ଧାର ତଥାପି ଆସିବାକୁ ବାକି ଥିଲା। କନ୍ଦରକେଲାରୁ ବାଟଟା ବୁଦୁବୁଦିଆ ଜଙ୍ଗଲ ଦେଇ ଲମ୍ବି ଯାଇଥିଲା। ସେ ଚାଲିଚାଲି ଯାଉଛି, ମନର ସବୁ ଅବସୋସ୍ ତାକୁ ଖାଇ ଖାଇ ଯାଉଛି। ସେ ମନରେ ମରିମରି ଯାଉଛି। ଏତିକିବେଳେ ଟାଟା ସୁମୋଟେ ତା’ ପାଖରେ ବ୍ରେକ୍ ଦେଲା। ଛ’ଜଣ ଓହ୍ଲେଇପଡ଼ିଲେ ଧଡ଼ଧାଡ଼। ତାକୁ ଘେରିଗଲେ। ସେମାନଙ୍କୁ ଦେଖି ଶ୍ୟାମଳୀର ମୃତ୍ୟୁମନସ୍ଥ ମନରେ ହଠାତ୍ କିଛି ପଶୁ ନ ଥିଲା। ସେ ସେମାନଙ୍କୁ କେବଳ ଚାହିଁଥିଲା, ଟିକିଏ ମାତ୍ର ସମୟ। ତା’ପରେ ସ୍ପଷ୍ଟ ହେଇଗଲା। ସେ ସେମାନଙ୍କ ମୁହଁରେ ଦେଖିଲା ଦୁଷ୍ଟ ଲୋଭ। ଯାହା ଟହଟହ ଦିଶୁଥିଲା। ତା’ ମନ ଭାଙ୍ଗିଯିବାକୁ ବେଳ ନେଇ ନ ଥିଲା। ତା’ ବିଭକ୍ତ ମନ ଏଥର ବୁଝିବାକୁ ଲାଗିଲା ଲୋକଗୁଡ଼ାଙ୍କ ଉଦ୍ଦେଶ୍ୟ। ଆଖିଗୁଡ଼ା ଯେମିତି ତାକୁ ଖାଇ ଯାଉଥିଲା। ସେମାନେ ଶ୍ୟାମଳୀକୁ ଧରିପକାଇଲେ। ପଣ୍ୟ ପରି ଗାଡ଼ିକୁ ଉଠାଇନେଲେ। ମୃତ୍ୟୁର ବସାଘର ଭାଙ୍ଗିଯାଇଥିଲା। ଶ୍ୟାମଳୀର ମନ ଓହ୍ଲାଇ ଯାଇଥିଲା ନର୍ଦ୍ଦମାକୁ। ଯେଉଁଠି ପୋକ ପରି ତା’ ଜୀବନ ଲହଲହ ହେଉଥିଲା। ଢେର ଦୂରଯାଏ ସେ ଯାତ୍ରା ଥିଲା।

ସେମାନେ ବ୍ରେକ୍ କରି ଗାଡ଼ି, ଠିଆକଲେ। ଏଣେ ତେଣେ ଅନେଇଲେ। କୁହାକୁହି ହେଲେ-ଏଇଟା ଠିକ୍ ଜାଗା। ଏଇଠି ଠିକ୍ ହେବ। ସ୍ଥାନଟା ନିର୍ଜନ ଥିଲା। ଯେଉଁଠି ପତିତ ମନ୍ଦିରଟିଏ ନିକାଞ୍ଚନରେ ଆଶ୍ରୟ ପରି ଠିଆ ହୋଇଥିଲା। ଯାହାକୁ ଆଶ୍ରୟ କରି କିଏ କିଏ ରହୁଥିବାର ଜଣାଯାଉଥିଲା। କାରଣ ମନ୍ଦିର ବେଢ଼ା କିଛିଟା ପରିଚ୍ଛନ୍ନ ଥିଲା। ସେମାନେ ଓହ୍ଲାଇଗଲେ। ଶ୍ୟାମଳୀକୁ ଓହ୍ଲାଇଲେ। ଗାଡ଼ିରେ ବାନ୍ଧିଥିବା ତା’ ଆଖି ଓ ପାଟିର ପଟି ସେମିତି ବନ୍ଧା ଥିଲା। ଟିକିଏ ସମୟ ସମସ୍ତେ ଠିଆ ହୋଇଗଲେ। ଏଣେତେଣେ ଆଉଥରେ ଅନେଇଲେ। ଜଣେ ଦେଖିଦେଲା। କହିଲା-ଶଳା ଏଠି ଗୋଟେ ବାବା ବେ। ଏ ଜାଗା ଠିକ୍ ନୁହେଁ। ଅନ୍ୟ ଆଡ଼େ ଚାଲ। ଆଉ ଜଣେ ପ୍ରତିବାଦ କଲା-ଶଳାଟା ଆମର ତାଡ଼ିବ? ହୁଟ୍। କଥା ଖେଳିଗଲା। ବାବା ଜଣକ ମୁହଁ ବୁଲାଇଲେ ଓ ଅନ୍ୟଜଣେ ମନ୍ଦିରରୁ ବାହାରି ପଡ଼ିଲେ।

ଜଣେ କହିଲା-ଏ ଶଳାଗୁଡ଼ା ଦି’ଟା ବେ। ଏ ଶଳା ଦି’ଟାକୁ ହାଣିଦିଅ। କାମ ତମାମ କର। ପ୍ରତିବାଦ କଲା ଜଣେ-ଶଳା ଫାଲତୁ ବକ୍ ନା। ଦେଖ୍ ଶଳାର ବୁଦ୍ଧି। ମାଲ୍‌ରେ ଲାଲ୍‌ରଙ୍ଗ କ’ଣ ଚଳେ କି ବେ?

ଟିକିଏ ବୟସ୍କ ହଡ଼ାବଳଦ ଭଳି ଦିଶୁଥିବା ବୁଢ଼ାଳିଆ ଟୋକାଟେ କହିଲା- ଶଳାଗୁଡ଼ାଙ୍କୁ ଯାଇ ଭୁଜାଲି ଦେଖା। ସେମିତି ହେଲା। ଏଠୁ ଝପଟିଗଲେ ଦି’ଜଣ। କାବୁ କରିଦେଲେ ବାବା ଦି’ଜଣଙ୍କୁ। କଥା ଛିଡ଼ିଲା-ପାଳିକରି ଜଗ, ପାଳିକରି ଆସ।

ସେମିତି ହେଲା। ନୀରବ ମାଂସ କଣ୍ଢେଇ ହେଇ ହାତରେ ଝୁଲୁଥିବା ଶ୍ୟାମଳୀକୁ ତଳେ ଥୁଆହେଲା। ତା’ ନୀରବତା ଉପରେ କୁକଥା କୁହାଗଲା। ବେଶ୍ୟାର ଆରୋପ ଦିଆଗଲା ଓ ବିବସନା କରାଗଲା। ଟିକିଏ ବି ପ୍ରତିରୋଧ କରୁ ନ ଥିଲା ଶ୍ୟାମଳୀ। ତା’ପରେ ପୁରୁଷ ପରେ ପୁରୁଷ। ଗୋଟିଏ ପୁରୁଷର ପୁରୁଷାକାର ଗୁଡ଼ାଏ ଆବର୍ଜନାରେ ପରିଣତ ହେଇଯିବାକୁ ଯେତିକି ସମୟ ଗଲା, ସେତିକି ବା ତା’ଠୁ କମ୍ ସମୟ ବ୍ୟବଧାନରେ ଜଣେ ପରେ ଜଣେ ପୁରୁଷ ଆବର୍ଜନା ପାଲଟୁଥିଲେ। ଶ୍ୟାମଳୀ ପ୍ରତିଥର ଛେପ ଫିଙ୍ଗୁଥିଲା ମାଟିକୁ। ଏମିତି ଫିଙ୍ଗୁଥିଲା ଯେମିତି ସେ ଛେପ ଫିଙ୍ଗୁଥିଲା ସେମାନଙ୍କ ମୁହଁକୁ। କିଛି ସମୟ ଏକୁଟିଆ ରହିଲା ଶ୍ୟାମଳୀ। ଭାବିଲା ସବୁଗୁଡ଼ା ମରିଗଲେ ବୋଧହୁଏ। ଶ୍ୟାମଳୀ ଉପରେ ଗଡ଼ି ଗଡ଼ି ଚାଲିଯାଇଥିଲା ସମୟ। ଗୋଟାଏ ପୁରୁଷଠାରୁ ବଞ୍ଚିବା ପାଇଁ ସେ ଚାହିଁଥିଲା ମୃତ୍ୟୁ। ଏବେ ତା’ ସାମ୍ନାରେ ଅନେକ ପୁରୁଷ। ପୁରୁଷର ହାଇ ତା’ଉପରେ ମାଡ଼ିଗଲା। ସେ ଘୃଣାରେ ଅପମାନରେ ଛିଞ୍ଚାଡ଼ି ଦେଲା ତା’ ମନକୁ। ସେ ଧଡ୍‌ କରି ଉଠିଲା। ବିହ୍ବଳ ପୁରୁଷଗୁଡ଼ା ପ୍ରସ୍ତୁତ ହେଇଥିଲେ ଚାଲିଯିବାକୁ। ଶ୍ୟାମଳୀ ସେମାନଙ୍କୁ ଚାହିଁଲା। ସବୁରି ମୁହଁରେ ବିଜୟ ଭେରୀ। ଆଖିରେ ପୁରୁଷର ମିଛ ଗୌରବ। ସେ ସହିପାରିଲା ନାହିଁ। ତା’ ଆଖି ମାଡ଼ିଧରିଲା ପୁରୁଷଗୁଡ଼ାଙ୍କୁ। ଯେପରି ପୁରୁଷର ବଳ ମାଡ଼ିବସେ ନିରୀହଙ୍କୁ।

ଏଥର ଠିଆହେଲା ଶ୍ୟାମଳୀ। ତା’ ଉଲଗ୍ନ ଦେହକୁ ଆଖି କଲେ ବିଜୟୀ ପୁରୁଷଗଣ। ସେ ମୁକ୍ତହେଇ ସାରିଥିଲା ନିଜ ଭିତରେ। ପଡ଼ିଥିବା ଭୁଜାଲିଟାକୁ ସେ ଉଠେଇ ଧରିଲା। ସେମାନେ ଦେଖୁଥିଲେ ଏ ଦୃଶ୍ୟ। ହସି ଉଡ଼େଇଦେଲେ ଏ ଦୃଶ୍ୟକୁ। ନିସ୍ତେଜ ପରି ପଡ଼ିରହିଥିବା ଦେହକୁ ବିଦାରିଥିବା ପୁରୁଷଗୁଡ଼ା କାହିଁକି ବା ଭୟ କରନ୍ତେ ତା’ର ଏ ରୂପକୁ? ସମସ୍ତେ ଭୋଗ କରୁଥିଲେ ଦୃଶ୍ୟ। ଶ୍ୟାମଳୀ ଏଥର ଆଗେଇଗଲା ତିନି ପାଦ। ପିନ୍ଧିବାକୁ ଆରମ୍ଭ କରିଥିବା ଜଣେ ପୁରୁଷର ଚୁଟି ଧରିନେଲା। ହାଣିଲା ଚୋଟେ। ଦି’ଗଡ଼ ହେଇଗଲା ଗୋଟେ ଲଙ୍ଗଳା ଦେହ। ରକ୍ତ ପିଚିକି ପଡ଼ିଲା। ଯେଉଁ ରଙ୍ଗ ରଙ୍ଗେଇଦେଲା ଶ୍ୟାମଳୀର ମୁହଁ ଓ ଦେହ। ତା’ ରକ୍ତମୁହାଁ ଆଖି, ତା’ ରକ୍ତଓଦା ମୁହଁ ଖୁବ୍ ଭୟଙ୍କର ଦିଶୁଥିଲା। ଭୟରେ କାତର ଅନ୍ୟ ପୁରୁଷମାନେ ଦୌଡ଼ିବାକୁ ଲାଗିଲେ।

ଏଥର ଶ୍ୟାମଳୀ ଆଖି ବାବାଙ୍କ ଉପରେ। ଯେଉଁ ଆଖିରୁ ନିଆଁ ବର୍ଷୁଥିଲା, ସେଇ ଆଖିରେ ବାବାମାନେ ପଡ଼ିଗଲେ, ଜଳିଗଲେ, ଭସ୍ମିଭୂତ ହୋଇଗଲେ। ତଥାପି ଅନ୍ଧାର ଆସି ନ ଥିଲା। ଅନ୍ଧାର ଯାଏଁ ବ୍ୟାପିରହିଥିବା ସମୟ ଉପରେ ଧୀର ପବନ ବହୁଥିଲା। ଶ୍ୟାମଳୀର ମୃତ୍ୟୁଲଗ୍ନ ଫିଟି ନ ଥିଲା।