ଜଙ୍ଗଲ ସବୁଜ, ଘଞ୍ଚ ଓ ନିରାପତ୍ତାଶୂନ୍ୟ। ଗାଡ଼ି ପଥୁରିଆ ରାସ୍ତାରେ ଯେତିକି ଆଗକୁ ଯାଉଥିଲା, ମୁଁ ଦେଖିପାରୁଥିଲି ଉଚ୍ଚା ଉଚ୍ଚା ଶାଳଗଛ ମୂଳରେ ଅଳ୍ପ ଅଳ୍ପ ଅନ୍ଧାର, ଭୟଭୀତ ଶାଳିଆପତନି, କଦବା କ୍ବଚିତ ଧୂର୍ତ୍ତ ଶିଆଳ।
ସୂର୍ଯ୍ୟାସ୍ତର ହଳଦିଆ ଆଲୁଅରେ ସବୁ ଅସ୍ପଷ୍ଟ, ମଳିନ।

ଗଛଗୁଡ଼ିକର ଛାଇ ଆଉ ଅନ୍ଧାର ସୂଚେଇଦେଉଥିଲା, ସମୟ ଅତିକ୍ରାନ୍ତ। ଅବଶ୍ୟ ସେଥିପାଇଁ ଡ୍ରାଇଭରକୁ ଦୋଷ ଦେଇ ଲାଭ ନାହିଁ। ବାହାରିବା ବେଳକୁ ପ୍ରବଳ ବର୍ଷା। ଆଉ ବର୍ଷା ଥମିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେଲା ଗଣ୍ଡମୁଣ୍ଡା ଗାଁରେ। କାମାକ୍ଷାନଗରରୁ ଷୋହଳ ସତର କିଲୋମିଟର ଦୂର। ପାହାଡ଼ ଉପରେ। ସମ୍ଭବତଃ ଅପ୍ରତ୍ୟାଶିତ ବର୍ଷା ଏତିକି ଚାହିଁଥିଲା।
କାହିଁକି କେଜାଣି ଗାଡ଼ିଟି ଗଡ଼ାଣିଆ ନାଳ ଦେଇ ଯାଉଥିବା ବେଳେ ଡ୍ରାଇଭରକୁ ଅତି ଧୀରେ ପଚାରିଲି, ‘ଏଠି ବାଘ ଅଛନ୍ତି?’

ହସିଲା ସେ, ହଳଦିଆ ଦାନ୍ତ ଦେଖାଇ। ତାକୁ ନିଶା ଟିକେ ହୋଇଯାଇଥିଲା ବୋଧେ। ଗଣ୍ଡମୁଣ୍ଡା ଗାଁରେ ହାଣ୍ଡିଆ ପିଇ। ମଥା ହଲାଇ କହିଲା, ‘ନାଇଁ ଆଜ୍ଞା, ଏଠି ବାଘଫାଘ କୁଆଡ଼ୁ ଆସିବେ? ଆଗେ କିନ୍ତୁ ଭାଲୁଗୁଡ଼ାଏ ଥିଲେ। ଏଇ ଆଦିବାସୀମାନେ ତୀର ମାରି ସବୁ ମାରିଦେଲେ। ଏବେ ଜଙ୍ଗଲ ଫାଙ୍କା।’

ତା’ର ବକ୍ତବ୍ୟ ଏତିକିରେ ଶେଷ ହେଲା ନାହିଁ। ଅବଶ୍ୟ ସେ ଅଟକିଗଲା କିଛି ସମୟ ପାଇଁ। କୌଣସି କଥାକୁ ମନେ ପକାଉଥିବାର ସମ୍ଭାବନା ତା’ ଭିତରେ ଉଙ୍କିମାରିଲା। ପୁଣି କହିଲା, ‘ଏଇ ବାଟେ ଯାଉଥିଲି। ହେଲାଣି ଗୁଡ଼ାଏ ଦିନ। ଆଉ ଟିକେ ଫର୍ଚ୍ଚା ଥିଲା। ଶିଆଳ ଗୋଟେ କୁଆଡୁ ଧାଇଁ ଆସି ମାଡ଼ିବସିଲା ଛେଳିଟାକୁ। ଏଇ ବୁଦୁବୁଦିଆ ରାସ୍ତା କଡ଼ରେ। ଗାଡ଼ି ଅଟକାଇ ଦେଇ ଡେଇଁପଡ଼ିଲି। ମୋ’ ସାଙ୍ଗରେ ଆଉ ଜଣେ ଥିଲା। ଜଗ୍‌ ରଡ୍‌ ନେଇ ଦୁହେଁ ଗୋଡ଼ାଇଲୁ। ଛାଡ଼ି ପଳାଇଲା ଶିଆଳ। ଆମେ କାନ୍ଧରେ ଛେଳିକୁ ବୋହିଆଣିଲୁ। ଓଜନ ପାଞ୍ଚ ସାତ କିଲେ ହେବ। ଗାଡ଼ିରେ ପକେଇ ନେଇଗଲୁ। ଆଉ ଗାଁରେ ସେଦିନ ଭୋଜି।’

ତା’ କଥା ଶୁଣିବାବେଳେ ମୋର ବୋଧ ହେଲା ଘଟଣାଟି କିଛି ସମୟ ପୂର୍ବରୁ ହିଁ ଘଟିଛି। ରାସ୍ତା ଉପରେ ଝରିପଡ଼ିଛି ଟୋପା ଟୋପା ରକ୍ତ। ଛେଳି ଦେହରୁ। ଏବଂ ଆତଙ୍କିତ ମୁହୂର୍ତ୍ତଟି ସେଇଠି କୋଉଠି ଲୁଚିରହିଛି।
ଆହୁରି ନଇଁଆସିଲା ଅନ୍ଧାର। ପତ୍ର ଦେହରେ ବୋଳିହୋଇଗଲା ଥରଥର ଭାବ। ପବନ ନାହିଁ। ଅଥଚ ଟପ୍‌ଟପ୍‌ ହୋଇ ଖସିପଡ଼ିଲା କେତୋଟି ପାଣି ଟୋପା। ଜଙ୍ଗଲ ଭିତରଟି ମନେହେଲା ଅଧିକ ଅନ୍ଧାର ଆତଙ୍କିତ ଶାଳଗଛ ଭିତରେ।

ରାସ୍ତା ଭିଡ଼ିମୋଡ଼ି ହେଉଥାଏ ସରୀସୃପ ପରି। ଗୋଟେ ବୁଲାଣିରେ ଡ୍ରାଇଭର କହିଲା, ‘ଏଇ ସେପଟେ ସୁଆଗିନାଳି ଗାଁ। ସେଠି କେତେଜଣଙ୍କୁ କୃଷି ଋଣ ଦିଆଯାଇଛି।’
ଶାଳଗଛ ଉହାଡ଼ରେ ସେଇ ଆଡ଼କୁ ଚାହିଁବାବେଳେ ଝାପ୍‌ସା ହୋଇ କାହା ମୁହଁ ଝଲସିଉଠିଲା। ଚେପ୍‌ଟା ନାକ। ଚକ୍‌ଚକ୍‌ ଆଖି। ବାଙ୍ଗରା। ସବୁବେଳେ ନିଜ ଭିତରେ ସେ ନିଜେ ହଜିଯାଉଥିଲା, ତାହା କେହି ଜାଣିପାରୁ ନ ଥିଲେ। କିଏ ସେହି? ଆରେ, ହଁ। ସେହି ଜଣକ ହେଉଛି ବାଘ ପଧାନ। ମୋ’ ସାଥିରେ ପଢୁଥିଲା ଢେଙ୍କାନାଳରେ। ଅବଶ୍ୟ ପଢ଼ାପଢ଼ି ତା’ର ସେତେ ଭଲ ହେଉ ନ ଥିଲା। ମାତ୍ର ଖେଳରେ ହେଉଥିଲା ପ୍ରଥମ। ଦୌଡ଼ିବା, ଡେଇଁବାରେ ତା’ର ସମକକ୍ଷ କେହି ନ ଥିଲେ। ଲୁହା ପରି ଟାଣ ତା’ ହାତମୁଠା। ଗୋଟିଏ ବିଧାରେ ନଡ଼ିଆ ଭାଙ୍ଗି ଦି’ ଫାଳ କରିଦେଉଥିଲା। ଅହେତୁକ ଜିଦ୍‌ ଥିଲା ତା’ ଭିତରେ। ଦିନେ ସନ୍ଧ୍ୟାବେଳେ ମୋ’ଠାରୁ ସାଇକେଲ ମାଗିନେଇଥିଲା। ଆଉ ଫେରାଇଲା ତା’ ପରଦିନ ସକାଳ ଆଠଟାରେ। କୁଆଡ଼େ ଯାଇଥିଲୁ ବୋଲି ପଚାରିବାରୁ ସେ ଠୋସ୍‌ କରି ଉତ୍ତର ଯାହା ଦେଇଥିଲା ତାହା ବିଶ୍ବାସ କରିପାରି ନ ଥିଲି। ତା’ ନିଦା ଦେହକୁ ଥରେ ଚାହିଁ ନଜର ଫେରାଇନେଇଥିଲି ପାଣି ଓହଳା ପାହାଡ଼ ଆଡ଼କୁ। ବାଘ ପଧାନ ମୋତେ ଲାଗିଥିଲା ଆଉ ଏକ ପାହାଡ଼ ଯେମିତି।

ସେ ଚାଲିଯିବା ପରେ ବୁଝିଥିଲି, କିଛି ସମୟ ପୂର୍ବରୁ ସେ ଯାହା କହିଥିଲା ତାହା ସତ। ବାଘନାଚ ଦେଖିବା ପାଇଁ ସେ କଟକ ଯାଇଥିଲା। କେହି ଜଣେ ତାକୁ କହିଥିଲା, ବାଲିଯାତ୍ରାରେ ବାଘନାଚ ହେଉଚି। ବାଘନାଚ ଦେଖିବା ପ୍ରତି ତା’ ଆଗ୍ରହ ତାକୁ ପାଖାପାଖି ଦେଢ଼ଶହ କିଲୋମିଟର ଗୋଟେ ରାତି ଭିତରେ ଅତିକ୍ରମ କରାଇଦେଇଚି, ତାହା ବିଶ୍ବାସଯୋଗ୍ୟ ହୋଇ ନ ଥିଲେ ହେଁ ଆପାତତଃ ସତ।

କିଛିଦିନ ପରେ ମୁଁ ଦେଖିଥିଲି, ତା’ ଚାଲିଚଳନରେ କିଛିଟା ପରିବର୍ତ୍ତନ ଘଟିଛି। ଏକା ଏକା ଥିଲାବେଳେ ସେ ବାଘ ପରି ପାହୁଣ୍ଡ ପକାଇ ଚାଲୁଚି। ଆଖି ଡ଼ୋଳା ନଚଉଚି। କାନ୍ଧକୁ ଅଳ୍ପ ଟେକୁଚି। ନହେଲେ ଟିକେ ପଛକୁ ଘୁଞ୍ଚିଆସି ପୁଣି ଆକ୍ରମଣ କରିବା ଢଙ୍ଗରେ ଲମ୍ଫ ପ୍ରଦାନ କରୁଚି। ମନେହେଲା, ବାଘ ପଧାନ ଆଉ ମଣିଷ ନୁହେଁ, ବରଂ ସତକୁ ସତ ଗୋଟେ ବାଘ।
ତା’ ପରେ? ପାଠ ଅଧାରୁ ଛାଡ଼ି ସେ ଚାଲିଗଲା କୁଆଡ଼େ? ମୁଁ ଆଉ ତା’ ଖବର ଜାଣିପାରି ନାହିଁ। ଏତିକି ଜାଣିପାରିଥିଲି, ଟଙ୍କାପଇସା ଅଭାବରୁ ସେ ଆଉ ଆଗକୁ ପଢ଼ିପାରି ନ ଥିଲା। ଏହା ପଛରେ ତା’ ବାପାଙ୍କର ଅକାଳ ବିୟୋଗ ଏକ କାରଣ ବୋଲି ମୁଁ ଗ୍ରହଣ କରିନେଇଥିଲି।

ସୁଆଗିନାଳି ହେଉଚି ବାଘ ପଧାନର ଗାଁ। ଶାଳଗଛ କଡ଼ରେ ତା’ ମୁହଁ ସ୍ପଷ୍ଟ ହୋଇ ଦିଶିଲା ଯେମିତି। କିପରି ଅଛି ସେ? ନାଳ, ପଥର, ପାହାଡ଼କୁ ଅତିକ୍ରମ କରି ଚଢୁଥିବା ଗୋଟେ ଜିଦ୍‌ରେ ନିଶ୍ଚେ। ମହୁଲି ନିଶାରେ ନାଚୁଥିବ ବାଘ ପରି। କେହି ଜଣେ ଡାକିଲା ସେଇ ଗାଁ ଭିତରୁ ସତେ ଯେପରି। ସେ ସ୍ବର କାହାର? ବାଘ ପଧାନର ନୁହଁ ତ! ଗୋଟେ ବ୍ୟାକୁଳତା ମୋତେ ଅଣନିଶ୍ବାସୀ କରିପକାଇଲା ସୁଆଗିନାଳି ହେଉଚି ବାଘ ପଧାନର ଗାଁ। ଶାଳଗଛ କଡ଼ରେ ତା’ ମୁହଁ ସ୍ପଷ୍ଟ ହୋଇ ଦିଶିଲା ଯେମିତି। କିପରି ଅଛି ସେ ? ନାଳ, ପଥର, ପାହାଡ଼କୁ ଅତିକ୍ରମ କରି ଚଢୁଥିବା ଗୋଟେ ଜିଦ୍‌ରେ ନିଶ୍ଚେ। ମହୁଲି ନିଶାରେ ନାଚୁଥିବ ବାଘ ପରି। ଦୁଇ ବଖରା ଘର। ପଛଆଡ଼କୁ ବାରି। କଣ୍ଟା ବାଡ଼ରେ ସୁରକ୍ଷିତ। ତା’ ଭିତରେ ସୁମ୍ଭାବନାମୟ ପରିପୂର୍ଣ୍ଣ ଫସଲ। ବାଇଗଣ, ଝୁଡ଼ଙ୍ଗ, କଲରା, ଲଙ୍କା ଆଉ କାଙ୍କଡ଼ରେ ଭରା ଟୋକେଇ ଧରି ଯାଉଥିବ ବାଘ ପଧାନ। ସ୍ତ୍ରୀ ବସିଥିବ ପିଣ୍ଡା ଉପରେ। ସମ୍ଭବତଃ ଲେମ୍ବୁଗଛରେ ଝୁଲିଥିବା ପ୍ରତ୍ୟାଶାର ପାଚିଲା ଲେମ୍ବୁକୁ ଚାହିଁରହି। ଆଉ ତା’ ପାଖରେ ପିଲାଟି ଖେଳୁଥିବ। ଧୂଳିରେ ବୋଳିହୋଇ।
ଏ କଥା ଭାବିବାବେଳେ ଗୋଟେ ଖୁସି ସଂସାରର ଚିତ୍ର ଆଙ୍କିହୋଇଗଲା ମୋ’ ମନ ଭିତରେ। ସତ କହୁଚି, ଏଇ ଚିତ୍ରଟି କେବଳ ବାଘ ପଧାନ ଯୋଗୁ ହିଁ ଆଙ୍କି ହୋଇଯାଇଥିଲା। ବିଶ୍ବାସ ଓ ପ୍ରେମର ରଙ୍ଗର ସମ୍ମିଶ୍ରଣରେ। ସେହି ସଂସାରକୁ ଟିକେ ଦେଖିବା ପାଇଁ ଡ୍ରାଇଭରକୁ କହିଲି, ‘ଚାଲ, ଗାଁ ଭିତରକୁ।’

ଗାଡ଼ି ବୁଲିଲା। ନାଲି ଗୋଡ଼ି ରାସ୍ତା ଟପି ଗାଆଁ ମଝିରେ ଗାଡ଼ି ଅଟକିଗଲାବେଳେ ଆକାଶ ଦେଖାଗଲା ନାହିଁ ମେଘୁଆ, ବରଂ ମେଘୁଆ ଦେଖାଗଲା ସମୁଦାୟ ଘର ଓ ଗାଁ ଲୋକଙ୍କ ଭବିଷ୍ୟତ। ପିଣ୍ଡା ଉପରେ ବସିଥିବା ଲୋକ କେତୋଟି ଦେଖାଗଲେ ମଳିନ, ରୁଗ୍‌ଣ। ଡ୍ରାଇଭର ଡାକିବାରୁ ସେମାନେ ଗାଡ଼ି ପାଖକୁ ଆସିଲେ। ସେମାନଙ୍କ ସହ କଥା ହେଲି। ଚାଷବାସ ଓ ଋଣର କଥା। ସେମାନଙ୍କ କଥାରୁ ବୁଝିଲି ଋଣ ଶୁଝିବା ସକାଶେ ସମସ୍ତେ ଅସମର୍ଥ। ଚାଷରୁ ଯାହା ମିଳୁଚି ସେଥିରେ ଗୁଜୁରାଣ ମେଣ୍ଟିବା ଯଥେଷ୍ଟ ନୁହେଁ। କଥା ଶେଷରେ ବାଘ ପଧାନର ଘର କେଉଁଠି ପଚାରିବାରୁ ଜଣେ ଲୋକ ଦେଖାଇଦେଲା ଭାଙ୍ଗିପଡ଼ିଥିବା କାନ୍ଥ ଆଡ଼କୁ। ବର୍ଷାମାଡ଼ରେ ମାଟି ଖସିପଡ଼ିଥିବା ଘରଟି ନିଜ ବୋଝ ଧରିରଖିବା ପାଇଁ ଏବେ କ୍ଳାନ୍ତ, ଅସମର୍ଥ।
ସେହି ଘର ଭିତରୁ ଜଣେ ଦୁର୍ବଳ ସ୍ତ୍ରୀଲୋକ ବାହାରିଆସି ନିଜର ପରିଚୟ ଦେବା ଯୋଗୁଁ ହିଁ ଜାଣିଲି, ସେ ହେଉଛନ୍ତି ବାଘ ପଧାନର ମାଆ। ବାଘ ପଧାନ ସେଠି ରହୁନାହିଁ। ରହୁଚି ପଚାଶ କିଲୋମିଟର ଦୂରରେ, ଏକ ମଠରେ। ତାଙ୍କ କଥାକୁ ବିଶ୍ବାସ କରିପାରିଲି ନାହିଁ। ବାଘ ପଧାନର ମାଆ ବି ବିଶେଷ କିଛି କହିବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ ବୋଧେ। ପଦେ ଅଧେ କଥା କହି ସେ ସେଠୁ ପଳାଇଗଲେ। ସମୁଦାୟ ପରିବେଶ ମୋତେ ଲାଗିଲା ରହସ୍ୟମୟ।

ଫେରିଆସିଲି କ୍ଳାନ୍ତି ଓ ଅନିଶ୍ଚିତତା ଭିତରେ। ବାଟସାରା ଯେତେ ଚେଷ୍ଟା କଲେ ବି ସମୁଚିତ ଉତ୍ତରଟିଏ ମୋତେ ମିଳିଲା ନାହିଁ।
ଶେଷରେ ମନେ ମନେ ସ୍ଥିର କଲି ସେଇ ମଠକୁ ଯିବାକୁ ହେବ ମୋତେ। ସେଠି ପାଇବି ସମୁଚିତ ଉତ୍ତର। ଶାଳ ଜଙ୍ଗଲ ଘେରା ଗାଁଆଟି ଭିତରେ ଲୁଚିରହିଥିବା ରହସ୍ୟମୟ କଥାଟିର ଖିଅ ମୋତେ ମିଳିଯିବ ନିଶ୍ଚେ।

ସେଠିକୁ ଯିବି ଯିବି ବୋଲି ଯାଇପାରିଲି ନାହିଁ। ବ୍ୟାଙ୍କ୍ କାର୍ଯ୍ୟରେ ବ୍ୟସ୍ତ ରହିବାରୁ ବିତିଗଲା କିଛିଦିନ। ମୋ’ ମନ ଭିତରୁ ବାଘ ପଧାନ ମୁହଁଟି ଅସ୍ପଷ୍ଟ ହୋଇଆସିବା ପୂର୍ବରୁ ହଠାତ୍‌ ଦିନେ ପହଞ୍ଚିଗଲା ସେ। ବ୍ୟାଙ୍କରେ। ସମୟ ବାରଟା ପାଖାପାଖି। ଡୋର୍‌ ଠେଲି ଗେରୁଆ ଲୁଗା ଆଉ ଚାଦର ପରିହିତ ବ୍ୟକ୍ତି ଜଣକ ବାଘ ପଧାନ ବୋଲି ଚିହ୍ନିବାରେ ମୋତେ ଅଳ୍ପ ସମୟ ଲାଗିଥିଲା। ଅବଶ୍ୟ ତା’ ମୁହଁରେ ଥିବା ବହଳିଆ ଦାଢ଼ି ତାକୁ ଅଚିହ୍ନା କରିଦେବାରେ ସହାୟକ ହେଇଥିଲା। ମାତ୍ର ତା’ ଚକ୍‌ଚକ୍‌ ଆଖି ଦୁଇଟିକୁ ଦେଖି ମୁଁ ତାକୁ ଚିହ୍ନିପାରିଲି।
ସେ ଗମ୍ଭୀର ସ୍ବରରେ କହିଲା, ‘ଆରେ ଚାହିଁରହିଚୁ କ’ଣ? ମୁଁ ହେଉଛି ବାଘ ପଧାନ। ମୋ’ ଘର ସୁଆଗିନାଳି। ଯେଉଁ ଗାଆଁକୁ ଯାଇ ତୁ ମୋତେ ଖୋଜିଆସିଚୁ। ଜାଣିଚୁ, ସାଧୁସନ୍ନ୍ୟାସୀ ନିଜ ପରିଚୟ ସହ ଗାଁ କେଉଁଠି କହନ୍ତି ନାହିଁ, ମାତ୍ର ମୁଁ ତୋତେ କହିଲି। ମୋ’ ନିଜ ପରିଚୟ ଦେଲି। କାରଣ ମୁଁ ସନ୍ନ୍ୟାସୀ ନୁହେଁ।’

ତା’ପରେ ଅସ୍ବାଭାବିକ ଭାବେ ସେ ହସିଉଠିଲା। ତା’ କଥା ଆଉ ତା’ର ପୋଷାକ ମୋତେ ବିସ୍ମିତ କରିଦେଲା। ତାକୁ ବସିବାକୁ କହିଲି। ସେ ବସିଲା ସିଧା ହୋଇ। ଏକ ଅପୂର୍ବ ଠାଣିରେ। ବୋଧେ ବାଘ ବସିବା ପରି ଥିଲା ସେଇ ଠାଣି।
କିଛି ସମୟ ନୀରବ ରହିବା ପରେ ପଚାରିଲି, ‘ତୁ ସନ୍ନ୍ୟାସୀ ନୁହଁ, ତେବେ ଏ ପୋଷାକ ପିନ୍ଧିଚୁ କାହିଁକି?’
ମୋ’ ପ୍ରଶ୍ନ ଶୁଣି ସେ ବୋଧେ ଅଣନିଶ୍ବାସୀ ହୋଇଉଠିଲା। ଗୋଟେ ତୀକ୍ଷ୍ଣ ଛୁରୀ ଯେପରି ଖଣ୍ଡ ଖଣ୍ଡ କରିଦେଲା ତା’ ଭିତର ସତ୍ତାକୁ।

କାନ୍ଥ ଆଡ଼କୁ ଚାହିଁ କହିଲା, ‘ମୋ’ ବାପାଙ୍କ ପାଇଁ। ପିଲାଦିନେ କ’ଣ ଗୋଟେ ରୋଗ ଧରିଥିଲା ଯେ ସେଇ ରୋଗରେ ମୁଁ କୁଆଡ଼େ ମରିଯାଇଥାଆନ୍ତି। ତେଣୁ ସେ ମଠକୁ ନେଇ ମୋତେ ଗୋଟେ ସନ୍ନ୍ୟାସୀକୁ ଦାନ କରିଦେଲେ। ଆଉ ମୁଁ ବଞ୍ଚିଗଲି। ବାହାଘର ପ୍ରସ୍ତାବ ଯେତେବେଳେ ଆସିଲା ସେଇ କଥାଟିକୁ ମୋତେ ବୋଉ ମନେ ପକାଇଦେଲା। ଆଉ ତା’ ସହ ମଠକୁ ଯାଇ ଅନୁମତି ଆଣିବା ପାଇଁ ଚେତେଇଦେଲା। ସେଠିକି ଗଲି। ଯାହାକୁ ବାପା ମୋତେ ଦାନ କରିଦେଇଥିଲେ ସେ ମୋତେ ମୁକୁଳାଇଦେବା ନିମନ୍ତେ ଗୋଟେ ଚିଠା ଧରାଇଦେଲେ। ସେଇ ଚିଠାରେ କ’ଣ ଲେଖାଯାଇଥିଲା ଜାଣିଚୁ? ଶହେ ସନ୍ନ୍ୟାସୀଙ୍କୁ ଖାଇବାକୁ ଦେବାକୁହେବ। ସେମାନଙ୍କ ପାଇଁ ନୂଆ ଲୁଗା ଆଉ ଦକ୍ଷିଣା। ଦକ୍ଷିଣା ବି କମ୍‌ ନୁହେଁ ରେ। ଦଶ ହଜାର ଟଙ୍କା। ଯଦି ଏତକ ନ ଦିଏ ତେବେ ବର୍ଷଟିଏ ମଠରେ ରହି ତାଙ୍କର ସେବା କରିବି। ତା’ ପରେ ସେ ଯାହା ବିଚାର କରିବେ। ମୁଁ ଆଉ କ’ଣ କରିଥାନ୍ତି? ତାଙ୍କରି ସେବା ଏବେ କରୁଚି ସେଇ ମଠରେ ରହି। ଗେରୁଆ ପୋଷାକ ପିନ୍ଧି।’

କଥା ସରିବା ପରେ ତା’ର ଦୀର୍ଘଶ୍ବାସ କମ୍ପିଉଠିଲା। ବୋଧେ ହୃଦୟ ଭିତରେ ହୋଇଥିବା କ୍ଷତରେ ଅସହ୍ୟ ଯନ୍ତ୍ରଣା। ପୁଣି ରହି ରହି କହିଲା, ‘ମୋ’ ଭାଗ୍ୟ ଛୋଟ। ସେଦିନ ମୁଁ ରୋଗରେ ମରିଯାଇଥିଲେ ଭଲ ହୋଇଥାଆନ୍ତା। ହେଲେ, ମୋ’ ପାଇଁ କେବଳ ଦୁଃଖ ଅଛି। ପାଠ ପଢ଼ିପାରିଲ ନାହିଁ ଟଙ୍କା ଅଭାବରୁ। ଖେଳୁଥିଲି ଯେ, ତାହା ବି ଭଲ ଭାବରେ ଖେଳିପାରିଲି ନାହିଁ। ଗୋଟେ ଝିଅକୁ ଭଲ ପାଉଚି ଯେ ତାକୁ ବାହା ହୋଇପାରୁ ନାହିଁ। ଜାଣିଛୁ, ବାହାଘର ପ୍ରସ୍ତାବଟି ମୋ’ ପ୍ରରୋଚନାରେ ତା’ ବାପା ଆମ ଘରକୁ ନେଇ ଆସିଥିଲେ। ମାତ୍ର ସେ କେତେଦିନ ଅପେକ୍ଷା କରିବେ ବଢ଼ିଲା ଝିଅକୁ ଘରେ ରଖି?’

କିଛି ସମୟ ନିସ୍ତବ୍ଧ। ମୋର କ’ଣ କହିବା ପାଇଁ ଅଛି ବାଘ ପଧାନକୁ ମନେ ମନେ ଭାବିଲି। ଅନୁଭବ କଲି, ତା’ଭିତରେ ଥିବା କୋମଳ, ସୁକୁମାର ଜିନିଷଟି ମରି ହଜିଯାଉଚି। ଗୋଟେ ଅନ୍ଧବିଶ୍ବାସର ଶିକାର ହୋଇଚି ସେ। ଏହା ଛଡ଼ା ଆଉ କିଛି ନୁହେଁ। ଦୋଛକିରେ ଛିଡ଼ା ହୋଇଥିବା ମଣିଷଟି ଯେ ବାଟବଣା ହେବାର ଉଦାହରଣ ଅନେକ ରହିଛି ସେ କଥା କହି ତାକୁ ବୁଝାଇବା ସକାଶେ ଚେଷ୍ଟା କରି ନାହିଁ। ବରଂ ପଚାରିଲି, ‘ହଇରେ, ଯାହାକୁ ଭଲ ପାଉଛୁ, ସେ ଦେଖିବାକୁ କେମିତି?’

ଚହଲିଗଲା ହଠାତ୍‌ ସେ। କ’ଣ ଉତ୍ତର ଦେବ ତାହା ଚିନ୍ତା କରିପାରିଲା ନାହିଁ ବୋଧେ। ଟାଣ ଦିଶୁଥିବା ଲାଜଲାଜ ଦିଶିଲା। ବେକର ମାଂସପେଶୀ କୋହଳ ହୋଇଗଲା। ଗୋଟେ ଚମତ୍କାର ହସ ଖେଳିଗଲା ତା’ ମୁହଁରେ। ଝୁଲାମୁଣିରୁ ବାହାର କଲା ଫଟୋ। ମୋ’ ଆଡ଼କୁ ବଢ଼ାଇ କହିଲା, ‘ତୁ କହ, କର୍ପୂରୀ ସୁନ୍ଦରୀ ନା ଅସୁନ୍ଦରୀ।’
ଫଟୋଟିକୁ ତା’ ହାତରୁ ନେଲି। ସବୁ ସୁଖ ଭରିରଖିଥିବା ଗୋଟେ ଝିଅର ସୁନ୍ଦର ରୂପ। ଝଲସିଗଲା ଆକାଶରେ ଚିତ୍ରମୟ ଇନ୍ଦ୍ରଧନୁ ପରି। କେଉଁଠି ସୁଖ ଅଛି ପଚାରିଲେ ଯେ କେହି କହିଦେବ ସଙ୍କୋଚହୀନ ଭାବରେ ସେଇ ଝିଅଟି ଭିତରେ। ଅଳ୍ପ ହସିଦେଲି। କହିଲି, ‘ଏମିତି ସୁନ୍ଦରୀ ଝିଅକୁ ଭଲ ପାଇ କେହି କେବେ ସନ୍ନ୍ୟାସୀ ହୋଇପାରେ?’

ବାଘ ପଧାନର ବେକର ଶିରାପ୍ରଶିରା ଟାଣିହୋଇଗଲା ହଠାତ୍‌। ହାତମୁଠା ଶକ୍ତ ହୋଇଗଲା ତା’ ଅଜାଣତରେ। ମୋ’ ହାତରୁ ଫଟୋଟିକୁ ନେଇ କହିଲା, ‘ତୁ ଯାହା କହୁଚୁ, ତାହା ଠିକ୍‌। ମୁଁ ଚାହେଁ ସୁଖମୟ ହେଉ ମୋ’ ସଂସାର। ପିଲାଦିନଟି କେମିତି କଟିଚି, ତୁ ତାହା ଜାଣିଚୁ। ଖାଲି ଦୁଃଖ। ଦୁଃଖ ଛଡ଼ା ଆଉ କାହାକୁ ଭେଟିନି। ଏବେ ଟିକିଏ ସୁଖ ଆସିଲା ଯେ ସନ୍ନ୍ୟାସୀଟା ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଚି। ଖାଲି ମୋ ବୋଉ ପାଇଁ। ତା’ ସୁଁସୁଁ କାନ୍ଦ ପାଇଁ ଆଜି ଏତେ କଥା। ଆଉ ପୁଣି ଆମ ଜାତି କଥା ଅଛି। ବାଛନ୍ଦ ହୋଇଯିବାର ଭୟରେ ମୁଁ କିଛି ପଦକ୍ଷେପ ନେଇପାରୁନି। ଜାଣିଚୁ, ଆଉ ପନ୍ଦର ଦିନ ଅଛି, ବର୍ଷଟିଏ ପୂରିବାକୁ। ସେ କ’ଣ ବିଚାର କରିବେ ତାହା ଅପେକ୍ଷାରେ…’

କଥା ଶେଷ ହେବାବେଳକୁ ଅଟକିଗଲା ବାଘ ପଧାନ। ବୋଧେ ଆଉ କିଛି ତା’ର କରିବାର ନ ଥିଲା। ତା’ ଆଡ଼କୁ ଚାହିଁଲା। ଫଟୋଟିକୁ ନେଇ ପୁଣି ଝୁଲାମୁଣିରେ ପୂରାଇଲା। ସେଇ ହାତଟି ପଦାକୁ ବାହାରିଯିବାବେଳକୁ ଅଙ୍ଗୁଳିରେ ନଖଗୁଡ଼ିକ ବାଘ ନଖ ପରି ମୋତେ ଦିଶିଲା। କଳା ଓ ହଳଦିଆ ରଙ୍ଗର ଲୋମ ଗଜୁରିଉଠିଥାଏ ସେଥିରେ। ଗୋଟେ ହିଂସ୍ର ବାଘର ପଞ୍ଝା ପାଲଟିଯାଇଥିଲା ତା’ ହାତ ବୋଧେ। ଚମକିପଡ଼ିଲି ମୁଁ। ତା’ ମୁହଁକୁ ଚାହିଁବା ପାଇଁ ମୋର ସାହସ ହେଲା ନାହିଁ। ସେ ଉଠିପଡ଼ିଲା ହଠାତ୍‌। ଯେମିତି ଆସିଥିଲା ସେମିତି ସେ ଚାଲିଗଲା।
ଧୀରସ୍ଥିର ହୋଇ ମୁଁ ତା’ ଯିବା ବାଟକୁ ଚାହିଁ ରହିଲି। ନୀରବରେ, ଧୈର୍ଯ୍ୟର ସହିତ। ଏତେ ଦୁଃଖ ସତ୍ତ୍ବେ ସେ ବଦଳି ନାହିଁ ଜମା। ଗୋଟେ ବିଧାରେ ନଡ଼ିଆ ଭାଙ୍ଗି ଦେବାର ସାମର୍ଥ୍ୟ ରଖିଥିବା ବାଘ ପଧାନ ବିଚାର ଅପେକ୍ଷାରେ ଅଛି ନା, ତା’ ପାଇଁ ବିଚାର ଅପେକ୍ଷା କରିଛି, ତାହା ମୁଁ ଜାଣିପାରିଲି ନାହିଁ। ମାତ୍ର ଅନୁଭବ କଲି, ମୋ’ ଦେହ ଭିତରେ କମ୍ପନଟିଏ ସୃଷ୍ଟି ହେଲା ଏବଂ ତାହାର ତରଙ୍ଗ ବ୍ୟାପିଗଲା ମୋ’ ସାରା ଶରୀରରେ। ଏହା କାହିଁକି ହେଲା? ଏମିତି କଥା ଭାବିଲାବେଳକୁ ଗୋଟେ ମୁହଁ ମୋ’ ଆଖି ଆଗରେ ଭାସିଉଠିଲା। କିଛି ସମୟ ପୂର୍ବରୁ ଯେଉଁ ଫଟୋଟିକୁ ବାଘ ପଧାନକୁ ଫେରାଇଦେଇଥିଲି, ଏଇ ମୁହଁଟି ସେଇ ଝିଅର। ଢଳଢଳ ଆଖି, ପୂରିଲା ଓଠ ସହ ଭରପୁର ଦେହ। ସେଇ ଆଖିରେ ଦେଖାଗଲା ଲୁହ। ସେଇ ଓଠରୁ ଶୁଣାଗଲା ଦରଦ କଥା। ଆଉ ଦେହ କଥା ପଚାରନା। ଗୋଟେ କୋହରେ ଥରିଗଲା ସାରା ଦେହ।

ଦେଖ, କେତେଦିନ ଅପେକ୍ଷା କରିରହିବି ତାଙ୍କୁ। ଏଠି, ଏକା ଏକା। ସନ୍ନ୍ୟାସୀର ଚେଲା ହୋଇ ସେ ମଠରେ ରହିବେ ଆଉ ମୁଁ ଏକା ଏକା ସାରା ଜୀବନ କେମିତି କାଟିବି? ମୁଁ ତ ପାଷାଣୀ ଅହଲ୍ୟା ନୁହେଁ, ସବୁ କିଛି ସହିନେବି। ମୋ’ ଦେହର ତ ଗୋଟେ ଦାବୀ ଅଛି!
ପୋତିହୋଇଗଲି ଯେମିତି ଗୋଟେ ବ୍ୟାକୁଳତାରେ। ଏଇ ବ୍ୟାକୁଳତା ଗୋଟେ ଝିଅର ନୁହେଁ, ବରଂ ସମଗ୍ର ନାରୀ ଜାତିର। ମୋ’ ଭିତର ନୀରବତା ଆଚ୍ଛନ୍ନ କରିଦେଲା ସେଇ କୋଠରିକୁ। ମାତ୍ର ମୁଁ ଧୀରେ ଧୀରେ ବିଚଳିତ ହୋଇପଡ଼ିଛି। ଏଇ କଥା କିପରି ବୁଝିପାରୁ ନାହାନ୍ତି ବାଘ ପଧାନର ଗୁରୁଜଣଙ୍କ? ମୋହମାୟାର ଊର୍ଦ୍ଧ୍ବରେ ରହି ସଂସାରତ୍ୟାଗୀ ସନ୍ନ୍ୟାସୀଜଣଙ୍କର ହୃଦୟ କ’ଣ ନାହିଁ? ଖାଲି ମିଛରେ ସନ୍ନ୍ୟାସୀର ପୋଷାକ ପିନ୍ଧିଛନ୍ତି। ଯେମିତି ଗେରୁଆ ପୋଷାକ ପିନ୍ଧିଛି ବାଘ ପଧାନ।

ଏଇ ସଙ୍କଟର ସମାଧାନର ସୂତ୍ର ଖୋଜିବାବେଳେ ମୁଁ ବାଟବଣା ହୋଇଗଲି। ଜଙ୍ଗଲ ଭିତରେ ଉଚ୍ଚା ଉଚ୍ଚା ଶାଳଗଛ ମଝିରେ ବାଟ ଖୋଜି ପାଉ ନ ଥିବା ବ୍ୟକ୍ତିଜଣକ କେବଳ ମୁଁ। ମୋ’ ଛଡ଼ା ଆଉ କେହି ନୁହେଁ ବୋଲି ଜାଣିବା ପରେ ଭୟ ଓ ଆଶଙ୍କାରେ ଜଡ଼ସଡ଼ ହୋଇଗଲି ଏବଂ ଘଟଣାଟି ତା’ ବାଟରେ ଯାଉ ଭାବିନେଇ ସବୁକିଛି ବାଘ ପଧାନ ଉପରେ ଛାଡ଼ିଦେଲି।
ସେଇ ମୁହୂର୍ତ୍ତରେ ମୁଁ ମୁକ୍ତ ହେଲି ଚାପା ଉତ୍ତେଜନାରୁ। ବ୍ୟାଙ୍କ୍‌ କାର୍ଯ୍ୟରେ ବ୍ୟସ୍ତ ରହିଲି। ବାଘ ପଧାନ ଦିନେ ଆସି ତା’ କାହାଣୀର ଶେଷ ଭାଗ ଶୁଣାଇବ, ତାହା ଭୁଲିଗଲି। ଅନେକଥର ଗଣ୍ଡମୁଣ୍ଡା ଯାଇଥିଲେ ବି ମୁଁ ଆଉ କେବେ ଗଲି ନାହିଁ ସୁଆଗିନାଳି। ସେଇ ଗାଁରେ ବାଘ ପଧାନର ଘର ଅଛି ବୋଲି ମନେ ପକାଇଲି ନାହିଁ।

ଭୁଲିଗଲି ସବୁ କିଛି। କୃତଜ୍ଞ ହୋଇପଡ଼ିଲି ସମୟ ପ୍ରତି। ମାତ୍ର ଏହି ସମୟ ହିଁ ଅକୃତଜ୍ଞ ହୋଇଗଲା। ପୁଣି ଥରେ ଭେଟ କରାଇଲା ମୋତେ ବାଘ ପଧାନ ସହ। ହାଟ ଭିତରେ। ମୋତେ ସେ ଦେଖି ତରତର ହୋଇ କିଛି ଜିନିଷ ତା’ ଝୁଲାରେ ପୂରାଇଦେଲା। ଗେରୁଆ ରଙ୍ଗର ଝୁଲାରେ ଲାଗିଗଲା ହଳଦିଆ ରଙ୍ଗରୁ ମେଞ୍ଚାଏ। ମୁଁ କିଛି ପଚାରିବା ପୂର୍ବରୁ ସେ ଦଉଡ଼ିଲା ଭଳି ଚାଲିଗଲା। ଚାଲିଗଲାନି ତ ମୋତେ ଲାଗିଲା ସେ ଉଡ଼ିଗଲା ଉଦ୍‌ଭ୍ରାନ୍ତ ପକ୍ଷୀ ପରି।

ଏତିକିବେଳେ ଡ୍ରାଇଭର କହିଲା, ‘ସୁଆଗିନାଳି ଗାଁର ଜଣେ ଲୋକ ସହ ମୋର ଭେଟ ହୋଇଥିଲା। ବାଘ ପଧାନ କଥା ତାକୁ ପଚାରିବୁଝୁଥିଲି। ସେ ସେଇ ମଠରେ ଅଛି। ସେଇ ସନ୍ନ୍ୟାସୀଜଣକ ତାକୁ ଛାଡ଼ି ନାହାନ୍ତି। ଆଉ ବର୍ଷେ ତାଙ୍କ ପାଖରେ ରହିବା ସକାଶେ କଥା ସ୍ଥିର ହୋଇଛି। ସେ ଏତେ ସହଜରେ ତାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି। ତାଙ୍କର ଯୁକ୍ତି ହେଉଚି, ପୁଅ ହେଇଥିଲେ ତାଙ୍କୁ ସେ ସାରା ଜୀବନ ପୋଷିଥାନ୍ତା। ସାରା ଜୀବନ ପୋଷିବାରେ ଯାହା ଖର୍ଚ୍ଚ ହୋଇଥାନ୍ତା ତାଠାରୁ ତାଙ୍କର ଦାବି କ’ଣ କମ୍‌ ନୁହେଁ? ନିଶ୍ଚୟ କମ୍‌ ଅଟେ।’
ନିଜ ପ୍ରଶ୍ନର ଉତ୍ତର ଦେଇ ଡ୍ରାଇଭର ସନ୍ତୁଷ୍ଟ ଦେଖାଗଲା। ମାତ୍ର ମୁଁ ଚାହିଁଥିଲି ଜନଗହଳି ଭିତରେ ହଜିଯାଇଥିବା ବାଘ ପଧାନ ଆଡ଼କୁ। ସେ ଏବେ କେଉଁଠି? ଜନଗହଳି ଟପି କେଉଁ ରାସ୍ତାରେ ସେ ଏବେ ଚାଲିଥିବ? ସୁଆଗିନାଳି, ଯେଉଁଠି ତା’ ପ୍ରେମିକା ଅପେକ୍ଷା କରିଥିବା ନା ପଚାଶ କିଲୋମିଟର ଦୂରରେ ଥିବା ମଠକୁ, ଯେଉଁଠି ପହଞ୍ଚି ସେ ଋଣମୁକ୍ତ ହେବ?
ପ୍ରକୃତରେ ମୁଁ କୌଣସି ନିଶ୍ଚିତ ଉତ୍ତର ପାଇବାରେ ସଫଳ ହେଲି ନାହିଁ ଏବଂ ବାଘ ପଧାନକୁ ତା’ ଦୁର୍ଦ୍ଦଶା ସମୟରେ କିଛି ଟଙ୍କା ନ ଦେଇଥିବାରୁ ମୁଁ ନିଜକୁ କ୍ଷମା କରିପାରିଲି ନାହିଁ।
କ’ଣ କରିବି କିଛି ଚିନ୍ତା କରି ନ ପାରି ପରଦିନ ସକାଳେ ତା’ ଗାଁରେ ପହଞ୍ଚିଥିଲି। ଗାଁ ସାରା ନିସ୍ତବ୍ଧ। ଝଡ଼ ବହିଯାଇଚି ଯେମିତି କିଛି ସମୟ ପୂର୍ବରୁ। ବିପର୍ଯ୍ୟସ୍ତ ଦିଶୁଚି ଆମ୍ବଗଛ। ଘରଦ୍ବାର ଛିନ୍ନଛତ୍ର ହୋଇପଡ଼ିଛି। ଫାଟିଯାଇଚି ମାଟି କାନ୍ଥ। ସମସ୍ତଙ୍କ ମୁହଁରେ ସ୍ପଷ୍ଟ ହୋଇ ଥିଲା ଦୁଃଖ ଓ ଯନ୍ତ୍ରଣା। ମୁଁ ଆପାତତଃ ସଙ୍କୁଚିତ ହୋଇପଡ଼ିଲି। କାହାକୁ କିଛି ପଚାରିବା ପାଇଁ ସାହସ ହେଲା ନାହିଁ। ଏତିକିବେଳେ ଜଣେ ବୟସ୍କ ଲୋକ ମୋ’ ସାମନାକୁ ଆସିଲେ। ଥରଥର ସ୍ବରରେ କହିଲେ, ‘ଗତକାଲି ରାତିରେ ବାଘ ପଧାନ ଆସି ଏଇ ପଥର ଉପରେ ବସିରହିଲା। ତାକୁ ଯେତେ ଯିଏ କହିଲେ ଘରକୁ ଯିବା ପାଇଁ, ସେ ମନା କରିଦେଲା। ଶେଷରେ କର୍ପୂରୀ ଆସିଥିଲା। ତା’ କଥା ବି ସେ ଶୁଣିଲା ନାହିଁ। ଝୁଲାରେ ଆଣିଥିବା ରଙ୍ଗରେ ନିଜ ଦେହକୁ ରଙ୍ଗେଇଦେଲା। ମୁହଁରେ ପିନ୍ଧିଲା ବାଘ ମୁଖା। ଆଉ ବହେ ନାଚିଲା ଏଠିସେଠି। ତା’ ନାଚରେ ଥରିଉଠିଲା ସାରା ଗାଁ। ଏଇ ଦେଖୁନା, ହଳଦିଆ ଆଉ କଳାରଙ୍ଗ କେମିତି ପଡ଼ିଚି ଚଟାଣ ଉପରେ। ତା’ ଆଖିରୁ ନିଆଁ ବାହାରୁଥିଲା। ଆମେ ଜଳକା ହୋଇ ଚାହିଁରହିଥିଲୁ। ସେ ସତକୁସତ ବାଘ ପାଲଟିଗଲା। ଆଉ ହେଣ୍ଟାଳିଲା। ତା’ ହେଣ୍ଟାଳରେ ଗାଁ ଫଟାଇଦେଲା।

ଆମେ ଭୟରେ ତାଟିକବାଟ ଦେଇଦେଲୁ। ସେ ଲାଞ୍ଜ ପିଟି ଜଙ୍ଗଲ ଭିତରକୁ ପଳାଇଲା। ଆଉ ଆଜି…।’
ବିସ୍ମିତ ହେଲି। ପଚାରିଲି, କ’ଣ ହେଲା ଆଜି?
ଆହୁରି ଥରିଉଠିଲା ସେଇ ଲୋକର କଣ୍ଠସ୍ବର। ଛେପ ଢୋକି କହିଲା, ‘ଘଣ୍ଟାଏ ତଳେ ଖବର ପାଇଲୁ ଗୋଟେ ବାଘ ମଠରେ ଥିବା ସନ୍ନ୍ୟାସୀର ତଣ୍ଟିକୁ କଣା କରି ମାରିଦେଇଚି।’
ମନେ ମନେ ଭାବିଲି, ବାଘ ପଧାନର ଗେରୁଆ ରଙ୍ଗର ଝୁଲାରେ ହଳଦିଆ ରଙ୍ଗ ସହ କଳା ରଙ୍ଗ ନିଶ୍ଚେ ଲାଗିଥିବ। ହେଲେ, ତାହା ମୋ’ ନଜରକୁ ଏଡ଼ାଇଦେଲା କିପରି? ମୋ’ ନଜରକୁ ତ ଏଡ଼ାଇଗଲା ଅଥଚ କର୍ପୂରୀର ନଜରରେ ତ ତାହା ଧରାପଡ଼ିଥାନ୍ତା! ସେ କ’ଣ ଚାହିଁଥିବ ଏତେ ଭଲ ପାଇଥିବା ମଣିଷଟି ତା’ ଅଜାଣତରେ ବାଘ ପାଲଟିଯାଉ! କେବେ ନୁହେଁ। ଏହା ନିର୍ମମ ଓ ଆକସ୍ମିକ ଘଟଣା ତା’ ପାଇଁ ନିଶ୍ଚେ।

ଗାଡ଼ି ପାଖକୁ ଫେରି ଆସିବାବେଳେ ନଜର ପଡ଼ିଲା ମଥା ନୁଆଁଇ ବସିଥିବା ଝିଅଟି ଉପରେ। ହଠାତ୍‌ ଅନୁଭବ କଲି ଏକ ଶିହରଣ ସଞ୍ଚରିଯାଉଚି ମୋ’ ରକ୍ତକଣିକାରେ। ହାଡ଼ର ମଞ୍ଜ ଭିତରେ। ଚିହ୍ନିଲି ସେଇ ଝିଅକୁ। ସେ ହେଉଚି, କର୍ପୂରୀ। ବାଘ ପଧାନର ପ୍ରେମିକା। ତା’ ମୁହଁରେ ଖେଳୁଚି ମୁଗ୍ଧ ହସର ବିହ୍ବଳିତ ରେଖା। ଆଉ ତା’ ହାତ ପାପୁଲି ଜୁଡୁବୁଡୁ ହୋଇଚି କଳା ରଙ୍ଗରେ।
ଆଞ୍ଜୁଳାଏ ପବନ ବିଞ୍ଚିହୋଇଗଲା ମୋ’ କାନ ପାଖରେ। ଶୁଣିଲି, କେହି ଜଣେ ଫୁସ୍‌ଫୁସ୍‌ କରି କହୁଚି, ଭୋକ ନୁହେଁ, ବରଂ ଭଲ ପାଇବା ହିଁ ମଣିଷକୁ ବାଘ କରିଦିଏ। ସତସତିକା ବାଘ।