ତା’ ବିଷୟରେ ଏବେ ଲେଖିବସି ଭାବୁଛି, ଏ ମୋ’ ପକ୍ଷରେ ଠିକ୍ ହେଲା ନାହିଁ। ତା’ ବିଷୟରେ ମୁଁ କ’ଣ ବା ନ ଜାଣେ? ଏଇ ବିଗତ ପଚିଶ ବର୍ଷ ଧରି ସେ କେଉଁଠି ଅଛି, କିପରି, ମୋଟଉପରେ ସେ ବଞ୍ଚିଛି କି ନାହିଁ, ମୁଁ ଜାଣେନା। ମୋ ପକ୍ଷରେ ତା’ ବିଷୟରେ ଲେଖିବା କେତେଦୂର ସମୀଚୀନ, ଯେତେବେଳେ ତାର ମୋର ପରିଚୟ ମାତ୍ର ଗୋଟିଏ ବର୍ଷର; ଆଉ ଯେତେବେଳେ ଆମ ଦୁହିଁଙ୍କର ବୟସ ଥିଲା ମାତ୍ର ପନ୍ଦର ବର୍ଷ। ମୁଁ ବୋଧହୁଏ ତାଠାରୁ ସାମାନ୍ୟ ବଡ଼ ଥିଲି-ଏଇ ଦୁଇ, ଚାରି ମାସର ପାର୍ଥକ୍ୟ ମାତ୍ର।
ତଥାପି ମୁଁ ଲେଖିବସିଛି। ସେଦିନର କଥା ମୋର ଅବିକଳ ମନେ ନାହିଁ; ସେଇ ପୁରୁଣା ପରିତ୍ୟକ୍ତ ସହରର ରୂପ ମଧ୍ୟ ମନେ ନାହିଁ ଠିକ୍ ଭାବରେ। କିଛି ଅନୁମାନ, କିଛିଟା ଧାରଣା।
କିନ୍ତୁ, ତା’ ମୁହଁଟା ମୋର ଠିକ୍ ମନେ ଅଛି- ଏଇ ଏବେ ମଧ୍ୟ ମୋ ଆଖି ସାମନାରେ ସେଇ ମୁହଁଟି ଦେଖାଯାଉଛି। ଗହଳ କଳା ମଥାଏ ବାବୁରି ବାଳ, ଉଚ୍ଚ କପାଳ, ଲମ୍ବା ନାକ, ଗୋରା ସୁନ୍ଦର ସୁଢ଼ଳ ଗୋଟିଏ ମୁହଁ।
ତା’ ନାମଟା କହି ନାହିଁ ଯେ-ତା’ ନାମ ସୁମନ୍ୟୁ।
ବାଲେଶ୍ବରରୁ ବାପାଙ୍କର ବଦଳି ହେଲା କେନ୍ଦୁଝର। ସେଇ କେନ୍ଦୁଝର ଗିବ୍ସନ୍ ହାଇସ୍କୁଲରେ ମୁଁ ନାମ ଲେଖାଇଲି, ଏକାଦଶ ଶ୍ରେଣୀରେ। ସେ ବର୍ଷ ମାଟ୍ରିକ ପରୀକ୍ଷା ଦେବି।
ସେଇ ସ୍କୁଲରେ ମୋର ତା’ ସହିତ ପରିଚୟ।
ନୂଆକରି ମୁଁ ସେଦିନ କ୍ଲାସ୍କୁ ଆସି ବଡ଼ କୁଣ୍ଠିତ ହୋଇପଡ଼ିଥିଲି; ଲଜ୍ଜା ଠିକ୍ ନ ଥିଲେ ବି ସଙ୍କୋଚ ମୋର ଥିଲା ଖୁବ୍। ଶ୍ରେଣୀରେ ପଛ ବେଞ୍ଚରେ ଯାଇ ବସିଥିଲି।
ଯେଉଁଠି ବସିଲି, ସେଠାରେ ସବୁ ସିଟ୍ ଶୂନ୍ୟ, ଜଣେ କେବଳ ବସିଥିଲା ଏକାକୀ-ନିଜକୁ ଅନ୍ୟଠାରୁ ଦୂରେଇନେବା ପରି, ସେ ସୁମନ୍ୟୁ।
ଉଚ୍ଚତାରେ ସେ ଏମିତି ବେଶି କିଛି ନୁହେଁ, ତଥାପି ସେ ବସିଥିଲା ପଛରେ। କାହିଁକି, ସେକଥା ମୁଁ ବୁଝିଥିଲି ପରେ।
ଏବେ କିନ୍ତୁ ମୋ ସାମନାରେ ଇନ୍ଦୁ। ସେ ଗେଟ୍ ସେପଟରୁ ଧୀର ପାଦରେ ବାହାରିଆସିଲା। ଛପି ଛପି ଅତି ସନ୍ତର୍ପଣରେ। ସାମନାରେ ଇନ୍ଦୁକୁ ଦେଖି ସୁମନ୍ୟୁ ଥମକି ଠିଆ ହୋଇପଡ଼ିଲା। କିନ୍ତୁ କିଛି ସେ କହିବା ପୂର୍ବରୁ ଶୁଣାଗଲା ଇନ୍ଦୁର ବାଷ୍ପରୁଦ୍ଧ ଆବେଗ କମ୍ପିତ ସ୍ବର।
– ସୁମନ୍ୟୁ, ମୁଁ ତୁମକୁ ଭଲପାଏ।
ସେଇ ପଛ ବେଞ୍ଚରେ ତା’ର ମୋର ପରିଚୟ। ପ୍ରଥମେ ସେ ଚୋରେଇ ଚୋରେଇ ମୋ ଖାତାରେ ଲେଖାଥିବା ନାମକୁ ପଢ଼ିଲା। ମୋ ମୁହଁକୁ ଚାହିଁଲା। ମୁଁ ମଧ୍ୟ ତା’ ଖାତାକୁ ଚାହିଁଲି-ତା’ ନାମ ଜାଣିବା ଅଭିପ୍ରାୟରେ। କିନ୍ତୁ ଖାତା ଉପରେ କିଛି ନାମ ଲେଖା ନ ଥିଲା। ତେଣୁ ପଚାରିଲି, ତୁମ ନାଆଁ କଅଣ?
‘- ସୁମନ୍ୟୁ’। ଅତି ଚାପା, କ୍ଷୀଣ ତା’ର କଣ୍ଠ। ପନ୍ଦର ବର୍ଷ ବୟସରେ କଣ୍ଠସ୍ବରରେ ଏକ ଆପାତ କର୍କଶତା ଥାଏ, କିନ୍ତୁ ସେପରି କର୍କଶତା ତା’ ସ୍ବରରେ ନ ଥିଲା।
ମୋ ନାମ ଦୀପକ। ଦୀପକ ପଟ୍ଟନାୟକ।
ସେ ମୁଣ୍ଡ ହଲାଇ ଆସ୍ତେ ହସିଲା। ତା’ ଅର୍ଥ ମୁଁ ଜାଣେ।
ତା’ପରେ କଥାବାର୍ତ୍ତାରେ ଖିଅ ବଢ଼ିଲା।
ବୟସ ପନ୍ଦର ବର୍ଷ, ପଢୁଛୁ ଏକାଦଶ ଶ୍ରେଣୀରେ, ଆଉ ଦଶ ମାସ ପରେ ମାଟ୍ରିକୁଲେସନ୍ ପରୀକ୍ଷା ଦେବୁ। ଏଣୁ ଯାହା କଥାବାର୍ତ୍ତା ହେବାର କଥା-ପଢ଼ାପଢ଼ି କେତେ ଆଗେଇଛି, କୋଉ ସାର୍ କେମିତି ପଢ଼ାନ୍ତି।
ତୁମର ପୋଜିସନ୍ କ୍ଲାସ୍ରେ କ’ଣ ଥିଲା? ମୁଁ ପଚାରିଲି। ମୋର ଉଦ୍ଦେଶ୍ୟ ଥିଲା ସ୍ପଷ୍ଟ। ସେ କହିଲା ମୁଁ ଶ୍ରେଣୀରେ ସେକେଣ୍ଡ ହୁଏ।
ମୁଁ ମନେ ମନେ ସତର୍କ ହୋଇଗଲି। ଏ ତେବେ ମୋର ଜଣେ ପ୍ରତିଦ୍ବନ୍ଦ୍ବୀ ହେବ ଏଥରକ।
-ଟୋଟାଲ ମାର୍କ କେତେ ଥିଲା?
-ଚାରିଶହ ସତୁରୀ।
ମୁଁ ଅଶ୍ବସ୍ତ ହେଲି। ମୋ ମନ ଭିତରର ଆଶଙ୍କା କ୍ଷୀଣ ଓ କ୍ଷୟିଷ୍ଣୁ ହୋଇ ଲୋପ ପାଇଗଲା।
-ତମର ଏଗ୍ରିଗେଟ୍ କେତେ ଥିଲା? ସେ ପଚାରିଲା।
-ମୋର ଥିଲା ପାଞ୍ଚଶହ ସତାଅଶୀ। ମୁଁ ଗାମ୍ଭୀର୍ଯ୍ୟ ରକ୍ଷା କରି କହିଲି।
ସେ ମୋ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା। ଏତେ ବଡ଼ ଗୋଟାଏ ସଂଖ୍ୟା ସେ ମୋ’ଠାରୁ ଶୁଣିବାକୁ ଚାହିଁ ନ ଥିଲା ନିଶ୍ଚୟ। ମନେ ମନେ ଟିକିଏ ସଙ୍କୁଚିତ ହୋଇଉଠିଥିବ ହୁଏତ। ସେଇ ସଙ୍କୋଚ ମନରେ ରଖି କହିଲା-ତୁମେ ସେଠି ଫାଷ୍ଟ ହେଉଥିଲ?
ମୁଁ ମୁଣ୍ଡ ହଲାଇଲି।
ସୁମନ୍ୟୁ ଆଉ କିଛି କହିଲା ନାହିଁ। ଚୁପ୍ ରହିଲା।
-ଏଠି ଫାଷ୍ଟ ହୁଏ କିଏ? ମୁଁ ପଚାରିବସିଲି।
-ଇନ୍ଦୁ।
ଏତେବେଳ ଯାଏଁ ମୋର ଦୃଷ୍ଟିରେ ସେ ପଡ଼ି ନ ଥିଲା। କିନ୍ତୁ ଏଥର ଦେଖିବାକୁ ପାଇଲି, କ୍ଲାସର ସବା ଆଗ ଧାଡ଼ିରେ ଅଲଗା, ଏକୁଟିଆ ଗୋଟିଏ ସିଟ୍ରେ ଗୋଟିଏ ଝିଅ। ସୁମନ୍ୟୁର କଥା ଅନୁସାରେ, ଇନ୍ଦୁ।
-ଏଇ?
ସୁମନ୍ୟୁ ମୁଣ୍ଡ ହଲାଇଲା। ସ୍ବୀକୃତି ସୂଚକ। ମୁଁ ଲକ୍ଷ୍ୟ କଲି, ଆପାତତଃ ଏଇ ମୋର ପ୍ରତିଦ୍ବନ୍ଦ୍ବୀ। ମୋତେ ବେଶ୍ ଭଲ ଲାଗିଲା, ମୋ ବୟସର ଗୋଟିଏ ଝିଅକୁ ପ୍ରତିଦ୍ବନ୍ଦ୍ବୀ ମନେକରି।
ଦେଖିବାକୁ ବେଶ୍ ସୁନ୍ଦର, ପିନ୍ଧିବା ପୋଷାକରୁ ମନେ ହେଲା ଯେମିତି ଅତି ଧନୀ ଘରର ଝିଅ। ମୁଁ ମନେ ମନେ ଉତ୍ସାହିତ ବୋଧ କଲି।
କେତେ ନମ୍ବର ଥିଲା?
ସେ ଦିନ ପ୍ରଥମ ସାକ୍ଷାତ। ତେଣୁ ମୁଁ ଲକ୍ଷ୍ୟ କରିପାରି ନ ଥିଲି, କି ଏକ ଅଦ୍ଭୁତ ଉଜ୍ଜ୍ବଳ ସମ୍ଭ୍ରମବୋଧ ସୁମନ୍ୟୁ ମୁହଁରେ ଫୁଟିଉଠିଥିଲା। ଏକ ପ୍ରଚ୍ଛନ୍ନ ଗୌରବବୋଧ ତା’ ସହିତ; କିନ୍ତୁ କ୍ଷଣିକରେ ସେ ଅଭିବ୍ୟକ୍ତି ତା’ ମୁହଁରୁ ଲିଭିଯାଇଥିବ, କାରଣ ସେ କହିଲା- ଏଠାରେ ବଡ଼ ଷ୍ଟ୍ରିକ୍ଟ୍ ମାର୍କିଂ ହୁଏ। ବେଶି ନମ୍ବର ମିଳେ ନାହିଁ। ସେମିତି ନମ୍ବର ମିଳୁଥିଲେ ତ ସେ ଛଅଶହଠୁ କମ୍ ନମ୍ବର ପାଆନ୍ତେ ନାହିଁ। ତୁମେ ଜାଣି ନାହଁ, ସେ ବଡ଼ ବ୍ରିଲିଆଣ୍ଟ୍, ବଡ଼ …
ସୁମନ୍ୟୁର କଥାଟା ଅସମ୍ପୂର୍ଣ୍ଣ ରହିଲା, କାରଣ ସେ କହେ ଅତି ସଂକ୍ଷେପରେ, ଗୋଟିଏ ଦୁଇଟି ଶବ୍ଦରେ ସବୁ କିଛି କହିଦେବାକୁ ଚାହେଁ। କିନ୍ତୁ ଏଇଠି ସେ ପାରିଲା ନାହିଁ। ରହିଗଲା।
ସେ ବଡ଼ ବ୍ରିଲିଆଣ୍ଟ୍। ଅତି ଭଲ ପଢ଼ନ୍ତି। ତୁମେ ନୂଆ ଆସିଛ, ଜାଣିପାରିବ ନାହିଁ।
ତେବେ- ମୁଁ ସଂଖ୍ୟାଟି ଜାଣିବାକୁ ଚାହିଁଲି, କାରଣ ସେହି ସଂଖ୍ୟାଟି ଉପରେ ମୋର ଅନେକ କିଛି ନିର୍ଭର କରୁଥିଲା-କେତେ ରଖିଥିଲା ସେ ଝିଅଟି?
ମୁଁ ସେଦିନ ଜାଣିପାରି ନ ଥିଲି ମୋ ସ୍ବରରେ କିଭଳି ଉପେକ୍ଷା ଓ ଅବଜ୍ଞା ଫୁଟିଉଠିଥିଲା, ସେ ଝିଅଟା କହିବା ଭିତରେ-ମୁଁ ଜାଣିପାରି ନ ଥିଲି। ସୁମନ୍ୟୁ ମନେ ମନେ ଏଥିରେ ମୋ ଉପରେ ବଡ଼ ଅସନ୍ତୁଷ୍ଟ ହୋଇଥିବ ନିଶ୍ଚୟ; କାରଣ ପରେ ବନ୍ଧୁତା ଜମିଉଠିବା ପରେ ମୁଁ ସୁମନ୍ୟୁକୁ ଅଧିକ ଚିହ୍ନିବାର ସୁଯୋଗ ପାଇଥିଲି ତ!
ସୁମନ୍ୟୁ ଶେଷକୁ ମତେ ନମ୍ବରଟି କହିଥିଲା। ପାଞ୍ଚଶହ ସତେଇଶି, ମୋ’ଠାରୁ ଷାଠିଏ ନମ୍ବର କମ୍। ମୁଁ ମନେ ମନେ ଆଶାନ୍ବିତ ହେଲି। ଝିଅଟିକୁ ଚାହିଁ ଦେଖିଲି ମୋର ପନ୍ଦର ବର୍ଷ ବୟସର କିଶୋର ପ୍ରାଣରେ ପୁଲକ ସଞ୍ଚରିଗଲା।
ସେଇ ସଞ୍ଚରିତ ପୁଲକକୁ ମଁ ଅନୁଭବ କଲି ଆସିବାର ପ୍ରଥମ ଦିନ- ଥରେ ନୁହେଁ ଦୁଇଥର। ଗଣିତ ଶିକ୍ଷକ ଦୁଃଖୀଶ୍ୟାମ ବାବୁ କ୍ଲାସ୍ରେ ଉପସ୍ଥାନ ନେଇସାରି, ଶେଷରେ ଲେଖାଥିବା ମୋର ନାମ ପଢ଼ିଲେ ଓ ପଚାରିଲେ, ‘ତୁମେ ତ ସେଇ- ବାଲେଶ୍ବରରୁ ଆସିଛ? ‘
ମୁଁ ଠିଆ ହୋଇ ହିଁ ଭରିଲି।
-କ୍ଲାସ୍ରେ ଫାଷ୍ଟ୍ ହେଉଥିଲ? କେତେ ଥିଲା ଏଥର ପରୀକ୍ଷାରେ?
ଇନ୍ଦୁ ଆଡ଼କୁ ମୁଁ ଥରେ ଚାହିଁ ଦେଇଥିଲି ଏ ଭିତରେ। ସେ ଚୁପ୍ଚାପ୍ ଡେସ୍କ ଉପରର ଗୋଟିଏ ବହିକୁ ଚାହିଁରହିଥିଲା। କିନ୍ତୁ ଗଣିତ ଶିକ୍ଷକଙ୍କ ଦ୍ବିତୀୟ ପ୍ରଶ୍ନ ଶୁଣି ସେ ଥରେ ମୋ ଆଡ଼କୁ ଚାହିଁଲା, ସମାନ୍ୟ ଏକ ମୁହୂର୍ତ୍ତ ପାଇଁ।
ମୁଁ ମୋ ନମ୍ବର କହିଲି। ପାଞ୍ଚଶହ ସତାଅଶି। କ୍ଲାସ୍ର ସବୁ ପିଲା ଫେରି ମତେ ଚାହିଁଥିଲେ, ନୂଆ ଏକ ମେଧାବୀ ଛାତ୍ରକୁ ଚିହ୍ନିବା ପାଇଁ। ମୁଁ ପୁଲକିତ ହୋଇଉଠିଥିଲି। ସେଠି ଆମର ବଏଜ୍ ସ୍କୁଲ। କିନ୍ତୁ ଏଠି ତାହା ନୁହେଁ, ଯାହା ସଦ୍ୟ ବିକାଶପ୍ରାୟ ଗୋଟିଏ କିଶୋର ପାଇଁ ଗୋଟିଏ ଅନବଦ୍ୟ ବ୍ୟାପାର। ପୁଣି ଯେଉଁଠି ପ୍ରତିଦ୍ବନ୍ଦିନୀ ଜଣେ ବାଳିକା, ଏକା ବୟସର।
ଇନ୍ଦୁ ଯେତେବେଳେ ମୋ ଆଡ଼କୁ ଚାହିଁଲା, ଏକ ଚଞ୍ଚଳ ଶିହରଣ ଖେଳିଗଲା ମୋ ଭିତରେ, ମୁଁ ତା’ଆଡୁ ଆଖି ଫେରାଇ ଆଣି ଗମ୍ଭୀର ହେବାକୁ ଚେଷ୍ଟା କଲି।
ଗଣିତରେ ତୁମର କେତେ ଥିଲା? ସାର୍ ପଚାରିଲେ।
କମ୍ପଲସରୀରେ ଶହେ, ଅପ୍ସନାଲ୍ରେ ଅନେଶତ।
ଦୁଃଖୀଶ୍ୟାମ ସାର୍ ସେଦିନ ଭାରି ଖୁସି ହୋଇଉଠିଥିଲେ। ଆହୁରି ଅନେକ କଥା ବି ପଚାରିଥିଲେ।
ତେବେ ପ୍ରଥମରୁ ହିଁ ମୋର ସନ୍ଦେହ ହୋଇଥିଲା, ସୁମନ୍ୟୁ ନାମକ ପତଳା, ସ୍ବାସ୍ଥ୍ୟହୀନ କିନ୍ତୁ ସୁନ୍ଦର ବାଳକଟି ମୋର ଏ ପ୍ରକାର ସମ୍ବର୍ଦ୍ଧନାରେ ସନ୍ତୁଷ୍ଟ ହୋଇପାରି ନ ଥିଲା।
ତଥାପି-ସୁମନ୍ୟୁ ସହିତ ମୋର ସାକ୍ଷାତ୍ ହୋଇଥିଲା ସବୁଠାରୁ ପ୍ରଗାଢ଼। ଯଦିଓ ମାତ୍ର ଗୋଟିଏ ବର୍ଷ ପାଇଁ ତଥାପି ଏତେ ଶୀଘ୍ର ସେ ମୋର ନିକଟ ହୋଇଆସିଥିଲା, ଏତେ ଅନ୍ତରଙ୍ଗ ହୋଇଉଠିଥିଲା, ତାହା ମତେ ଏବେ ମଧ୍ୟ ଅଭିଭୂତ କରିଦିଏ।
ତେବେ ପ୍ରଥମରୁ ହିଁ ସେ କହିଥିଲା, ତୁମେ ତାଙ୍କଠାରୁ ବେଶି ନମ୍ବର ରଖିଛ ସତ, ହେଲେ ସେ ଭାରି ଭଲ ପଢ଼ନ୍ତି। ସେ ଭଲ। ସେ ଖୁବ୍ ଭଲ। ତୁମେ ନୂଆ ଆସିଚ, କିଛି ଜାଣି ନାହଁ। ସତ କହୁଚି, ସୁମନ୍ୟୁର ଏକ ଅବରୁଦ୍ଧ ଅସନ୍ତୋଷ ଓ ବିରୁଦ୍ଧ ଭାବ ମତେ ବେଶ୍ ଭଲ ଲାଗିଥିଲା। କାରଣ ତ ସ୍ପଷ୍ଟ।
ସୁମନ୍ୟୁ ପଚାରିଥିଲା-ତୁମର ହବି କଅଣ? ତୁମକୁ କ’ଣ ଭଲ ଲାଗେ?
-କ୍ରିକେଟ୍।
ସୁମନ୍ୟୁ ମୋ ଉତ୍ତର ପାଇ ସନ୍ତୁଷ୍ଟ ହେଲା ବୋଲି ମୋର ମନେ ହେଲା ନାହିଁ। ମୋର କୌତୂହଳ ହେଲା, ପଚାରିଲି- ତମର ପ୍ରିୟ ଖେଳ କ’ଣ?
-ମତେ ଖେଳିବାକୁ ଭଲ ଲାଗେ ନାହିଁ। ଧୀରେ, ଶାନ୍ତ ଭାବରେ ଉତ୍ତର ଦେଲା ସୁମନ୍ୟୁ। ମୋ ହବି କଥା ଯଦି ପଚାରୁଚ, ତେବେ….
ସେମାନେ ଜଣେ ଜଣେ ଥାଆନ୍ତି। ଆମ ଭିତରେ। ଆମର ଅତି ନିକଟରେ। ଅଥଚ ଆମେ କେହି ଚିହ୍ନିପାରୁନା ସେମାନଙ୍କୁ। କ୍ଲାସ୍ରେ ସବୁଠାରୁ ପଛ ବେଞ୍ଚରେ ବସୁଥିବା ଏବଂ ଶ୍ରେଣୀରେ କେବେ ଦ୍ବିତୀୟ, କେବେ ଚତୁର୍ଥ ସ୍ଥାନ ଅଧିକାର କରୁଥିବା ସେଇ ପିଲାମାନଙ୍କୁ ଆମେ ଜାଣିପାରୁ ନାହିଁ। ସେମାନେ ଥାଆନ୍ତି ନିଃଶବ୍ଦ, ଚାପା। ଯଦିଓ ଆମର ଆଖି ସାମନାରେ। ମାତ୍ର ଆମେ ସେମାନଙ୍କ ଉପସ୍ଥିତି ଜାଣିପାରୁନା, ଉପଲବ୍ଧି କରିପାରୁନା।
ସୁମନ୍ୟୁ କହିଥିଲା-ମୋ ହବି କ’ଣ ମୁଁ ତୁମକୁ କହିବି ନାହିଁ। ତୁମେ ସେକଥା ବୁଝିପାରିବ ନାହିଁ।
ସତରେ, ସେତେବେଳେ ମୁଁ ଠିକ୍ ବୁଝିପାରି ନ ଥିଲି ତେବେ ଅଭିଭୂତ ଯେ ହୋଇପଡ଼ିଥିଲି, ଏ କଥା ଠିକ୍। ନହେଲେ ଆଜି, ସେଇ ଦିନ ସବୁ ବିତିବାର ପଚିଶ ବର୍ଷ ପରେ, ତାକୁ ହଠାତ୍ ମନେ ପକାଇପାରି ନଥାନ୍ତି- ଆଉ ଏକ ନିରୁପାୟ ବ୍ୟାକୁଳତା ମୋ ଭିତରେ ଛାଟିପିଟି ହୁଅନ୍ତା ନାହିଁ।
-ମୋ ହବି ତୁମେ ବୁଝିବ ନାହିଁ, ମୋଟେ ବୁଝିପାରିବ ନାହିଁ। ସେ ମୃଦୁ ସ୍ବରରେ କହିଥିଲା।
-ତେବେ? ମୁଁ ଆଗ୍ରହର ସହିତ ପ୍ରଶ୍ନ କରିଥିଲି, ତୁମକୁ କଣ ଭଲ ଲାଗେ, ସେକଥା ମୁଁ ବୁଝିପାରିବି ନାହିଁ?
-ନା-
ସୁମନ୍ୟୁ କିନ୍ତୁ ଶେଷ ପର୍ଯ୍ୟନ୍ତ କହିଥିଲା- ‘ମତେ ଭାବିବାକୁ ଭଲ ଲାଗେ। ଚୁପ୍ଚାପ୍ ବସି ଭାବିବା ପାଇଁ ଭାରି ଭଲ ଲାଗେ।’
ଏ ପୁଣି କି ପ୍ରକାରର ହବି? ଭାବିବା ଓ ଭାବିବା ପାଇଁ ଭଲ ପାଇବା ମତେ ବଡ଼ ଆଶ୍ଚର୍ଯ୍ୟ ଲାଗିଥିଲା।
-ମୁଁ ବସି ବସି ଭାବେ ରାତିରେ ଶୋଇବା ଆଗରୁ, ଘଣ୍ଟା ଘଣ୍ଟା ଧରି ଭାବେ। ଅନେକ କଥା, ଅନେକ ଲୋକଙ୍କ କଥା। ମତେ ଭଲ ଲାଗେ।
-ଭାବିବାକୁ ଭଲ ଲାଗେ? ଭାବି ଭାବି ତୁମ ମୁଣ୍ଡ ବଥାଏ ନାହିଁ?
ସୁମନ୍ୟୁ ହସିଥିଲା।
ରିସେସ୍ ଆୱାରରେ ଅଧଘଣ୍ଟା ପାଇଁ ଛୁଟି ମିଳେ। ପଡ଼ିଆରେ ଖେଳକସରତ, ଧାଁଦଉଡ଼ ଚାଲେ। କିନ୍ତୁ ସୁମନ୍ୟୁ ଚାଲିଯାଏ ସେଇ ଗହଳି ଓ ପାଟିତୁଣ୍ଡଠାରୁ ଦୂରକୁ। ସେଠାରେ ଅନେକ ଗଛର ଛାଇ। ଚୂପ୍ଚାପ୍ ସେଇଠି ବସେ ସେ। ଯେତେବେଳେ ଦେଖେ ପଡ଼ିଆରୁ ପିଲାଏ ଚାଲିଯାଉଛନ୍ତି, ସେ ଉଠେ। ଛୁଟି ସରିଲା।
ମୁଁ ତା’ ସହିତ ସେଇ ଗଛ ଛାଇ ତଳର ଶୂନ୍ୟ ନିର୍ଜନ ସମାଧିକୁ କେତେଥର ଆସିଥିଲି। ପ୍ରଥମେ ପ୍ରଥମେ କେବେ କେମିତି, ଯାଚି ହୋଇ। କିନ୍ତୁ ତା’ପରେ ଦୁହେଁ ସାଙ୍ଗ ହୋଇ ଆସୁ।
-ଆଚ୍ଛା, ତୁମେ କ’ଣ ସବୁ ଭାବ ବସି କହିଲ? ମୁଁ ଦିନେ ପଚାରିଦେଲି।
ମୋର ଏମିତି ପ୍ରଶ୍ନ ଶୁଣି ସେ ହସିଲା। କହିଲା- ସେ କଥା ତମେ ବୁଝିପାରିବ ନାହିଁ। ସେ ନିହାତି ବାଜେ କଥା-ଭାବି ଲାଭ ନାହିଁ।
ମୁଁ ତା ମୁହଁକୁ ଆଶ୍ଚର୍ଯ୍ୟ ହୋଇ କିଛି ସମୟ ଚାହିଁରହିଲି। ପଚାରିଲି, ‘ତମେ କବିତା ଲେଖ ସୁମନ୍ୟୁ?
ଏମିତି ଧାରଣା ଗୋଟିଏ ଆସିବା ସ୍ବାଭାବିକ। ଏଇ ପ୍ରକାର ପିଲାଙ୍କଠାରୁ ଏମିତି କିଛି ଯେ ଆଶା କରାଯାଏ, ସେ କଥା ମୁଁ ଜାଣିଥିଲି।
ସୁମନ୍ୟୁ ହସି ଦେଇଥିଲା, ଯେମିତି ସେ ଲୁଚାଛପା କିଛି ଗୋଟାଏ ଅପ୍ରିୟ କାମ କେଉଁଠି କରୁଥିଲା, ଧରା ପଡ଼ିଯାଇଛି, ଆଉ ମୁକୁଳି ଯାଇପାରିବ ନାହିଁ।
-ସତେ? ତୁମେ କବିତା ଲେଖ? ଗପ ଲେଖ?
ସେ ଜଣେ କବି। କଥାଟା ଆବିଷ୍କାର କରିବା ମାତ୍ରେ ମୋ ମନ ଭିତରେ ଗୋଟାଏ ଅଦ୍ଭୁତ କୌତୂହଳର ଝଲକ ଖେଳିଗଲା।
-କଅଣ ସବୁ ଲେଖ ତୁମେ? କିପରି? କିମିତିକା କବିତା ଲେଖିଛ ତୁମେ? ମତେ ଦିନେ ଦେଖାଇବ।
କବିତା ମୁଁ କିଛି ପଢିଥିଲି, ଜଣେ ଅଧେ କବିଙ୍କୁ ମଧ୍ୟ ଦେଖିଥିଲି। ଜଣେ ବଡ଼ କବି ଆସିଥିଲେ ମୁଁ ବାଲେଶ୍ବରରେ ପଢୁଥିବା ସ୍କୁଲର ବାର୍ଷିକ-ଉତ୍ସବରେ ଯୋଗ ଦେବା ପାଇଁ। ଦେଖିବାକୁ କି କୁତ୍ସିତ, କଦାକାର। ଲୁଗାପଟା ପିନ୍ଧାରେ ଗୋଟାଏ ଅଦ୍ଭୁତ ଅସୁନ୍ଦର ଢଙ୍ଗ। ହାତ ଦୁଇଟା ଲୋମଶ, ଶିରାବହୁଳ। ଯେତେବେଳେ ଭାଷଣ ଦେଇଥିଲେ ବଡ଼ ଚିଡ଼ି ଲାଗୁଥିଲା ଶୁଣିବା ପାଇଁ। ସ୍ବରଟା ତାଙ୍କର ବଡ଼ କର୍କଶ। ଉଚ୍ଚାରଣ ମଧ୍ୟ ଅସ୍ପଷ୍ଟ।
ମୋ’ ପନ୍ଦର ବର୍ଷ ବୟସର ଅଭିଜ୍ଞତାରେ କବି ଥିଲେ ଏଇମିତି ଜଣେ। କିନ୍ତୁ ସୁମନ୍ୟୁକୁ ଦେଖି, ସର୍ବପ୍ରଥମେ ମୋ ମନରେ ଧାରଣା ଆସିଲା, ଯେଉଁ ଭାବରେ କବି ଓ କବିତାକୁ ମୁଁ ବୁଝିଛି, ତାହା ଠିକ୍ ନୁହେଁ ହୁଏତ। ଏଇ ସୁମନ୍ୟୁ ହିଁ ଜଣେ କବି। ତା’ର ପ୍ରତିଟି ଭାଷା, ପ୍ରତିଟି ହାବଭାବ ଏକ ପଙ୍କ୍ତି।
ଯେତେବେଳେ ମୁଁ ଜାଣିଲି ସୁମନ୍ୟୁ କବିତା ଲେଖେ, ମୋର ତା’ ପ୍ରତି ଗଭୀର ଅନୁରକ୍ତି ଆସିଗଲା। ମୁଁ ତାକୁ ନୂଆ ରୂପରେ ଦେଖିବାକୁ ଚେଷ୍ଟା କଲି। ତା’ କଥା, ହାବଭାବରୁ ନୂଆ ଅର୍ଥ ଓ ନୂଆ ପ୍ରତୀକ ଖୋଜିବାକୁ ଚେଷ୍ଟା କଲି।
ଆଉ ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା ତା’ର ଅଦ୍ଭୁତ ଲଜ୍ଜାଶୀଳତା, ଯାହା ସେ ଏକ କଠିନ ଗାମ୍ଭୀର୍ଯ୍ୟ ଭିତରେ ଛପାଇ ରଖିବାକୁ ବିପନ୍ନ ପ୍ରୟାସ କରେ।
କିନ୍ତୁ ସେ ବେଳେବେଳେ ବାଙ୍ମୟ ହୋଇଉଠେ, ଅସ୍ବାଭାବିକ ଭାବରେ ପ୍ରଗଳ୍ଭ। ମୁଁ ଚୁପ୍ଚାପ୍ ତାକୁ ଅନାଏ, ତା’ ମୁହଁର ବଦଳୁଥିବା ଅଭିବ୍ୟକ୍ତିକୁ ଲକ୍ଷ୍ୟ କରେ, କଥା ଶୁଣେ।
-ତମେ ବଡ଼ ହେଲେ କ’ଣ ହେବ ବୋଲି ଭାବିଛ? କଥା କହୁ କହୁ ରହିଯାଇ ଥରେ ସେ ମତେ ଏକଥା ପଚାରିଲା। ମୁଁ ଚଟ୍ପଟ୍ ଜବାବ ଦେଇଥିଲି।
-ସାଇଣ୍ଟିଷ୍ଟ! ମତେ ସାଇନ୍ସ ଭାରି ଭଲ ଲାଗେ, ମୁଁ ସାଇଣ୍ଟିଷ୍ଟ ହେବି, ତମେ? ତମେ କ’ଣ ହେବ!
ମୋ’ ପ୍ରଶ୍ନର କିଛି ଉତ୍ତର ଦେଲା ନାହିଁ ସେ, ଯେମିତିକା ମୋ’ କଥା ସେ ଶୁଣିପାରି ନାହିଁ, ଆପଣାର ବିମୃଷ୍ଟ ଚିନ୍ତାରେ ହଜିଯାଇଛି।
ଟିକିଏ ପରେ, ମୋ’ ପ୍ରଶ୍ନର ପୁନରାବୃତ୍ତି ପରେ ସେ କହିଲା, ଧୀରେ ଧୀରେ, ମନକୁ ମନ ଭାବିହେଲା ପରି ।
ମୁଁ ଜାଣିପାରୁନି, ମୁଁ କ’ଣ ହେବି। ମୋର କ’ଣ ହେବା ଉଚିତ। ତେବେ ମୋର ଇଚ୍ଛା, ମୁଁ ଏମିତି କିଛି ହେବି, ଏମିତି କିଛି କରିବି, ଯାହା ଫଳରେ ମୁଁ ମରିବା ସମୟରେ ମୋର ଦୁଃଖ ହେବ ନାହିଁ ଯେ, ମୋ ଜୀବନଟା ବ୍ୟର୍ଥ ହୋଇଯାଇ ନାହିଁ। ମତେ ଲାଗିବ, ମୋର ମୃତ୍ୟୁ ପରେ ବି ମୁଁ ବଞ୍ଚିଛି ।
କିଶୋର ଜୀବନରେ ଏ କାମନା ଅତି ଅସାଧାରଣ ନୁହେଁ ଅବଶ୍ୟ। ଅମର ହେବାର ଅଭିଳାଷ ଏଇ ବୟସରେ ହିଁ ରୂପ ନେଇଥାଏ। ମୃତ୍ୟୁକୁ ଜୟ କରି ସମୟ ସହିତ ସାଲିସ୍ ନ କରି, ଅମର ଜୀବନ ପାଇବାର ଇଚ୍ଛା-ଏଇ ତ ଏ ବୟସର ଗୁଣ।
ମୁଁ ଠିକ୍ ଜାଣେ ନାହିଁ, ସୁମନ୍ୟୁର କବିତା ଲେଖିବାର ସ୍ପୃହା ଏଇ ଅମର ହେବାର ଅଭିଳାଷରୁ ଜାତ କି ନା। ତେବେ ସେ ଲେଖୁଥିଲା ବେଶ୍ ଭଲ। ସାହିତ୍ୟରେ ମୁଁ ଭଲ ନମ୍ବର ରଖୁଥିଲେ ମଧ୍ୟ ଏ କଥା ମତେ ମାନିବାକୁ ହେବ, ଏପରି ଲେଖାଲେଖି ମୋ’ଦ୍ବାରା ଆଦୌ ସମ୍ଭବ ନୁହେଁ।
ସୁମନ୍ୟୁର କବିତା ବି ମୁଁ ଠିକ ରୂପେ ବୁଝିପାରୁ ନ ଥିଲି। ଦୁର୍ବୋଧ୍ୟ ପଦଗୁଡ଼ିକ ଦେଖାଇ ମୁଁ ପଚାରେ, ଏଇ ଧାଡ଼ିର ମାନେ କ’ଣ କହିଲ?
ସେ ମତେ ବୁଝାଇବାକୁ ଚେଷ୍ଟା କରେ।
କିନ୍ତୁ ଗୋଟାଏ କବିତା ପଢି ମୁଁ ଚମକିଉଠିଥିଲି। ମୋର ଗଣିତ-ସର୍ବସ୍ବ ମନରେ ବି ତାହା ଗାର ଟାଣିଦେଇଥିଲା କିଛି ସମୟ ପାଇଁ।
-ଏଇ କବିତାଟି ତୁମେ ତା’କୁ ନେଇ ଲେଖିଛ !
ସୁମନ୍ୟୁର ଗୋଟିଏ ଭୀଷଣ ଅପରାଧ ଯେମିତି ମୋ’ ଆଖିରେ ଧରା ପଡ଼ିଯାଇଛି। ସେ ଲଜ୍ଜିତ ଭାବରେ ତଳକୁ ମୁହଁ ପୋତିଦେଲା। କିଛି କହିଲା ନାହିଁ।
କିନ୍ତୁ ଏ କିପରି ସମ୍ଭବ? ଯାହା ସହିତ ସେ କେବେ ଦିନେ କଥାବାର୍ତ୍ତା ବି କରି ନାହଁ, ଯାହା ସାମନାରେ ପହଞ୍ଚିଗଲେ ସେ ପଳାଇଯିବାକୁ ବାଟ ପାଏ ନାହିଁ, ତା’କୁ ନେଇ ସେ କବିତା ଲେଖିବ!
ସୁମନ୍ୟୁ ମତେ ଭୟ ଆଖିରେ ଚାହିଁଲା। ଡରିଲା ସ୍ବରରେ କହିଲା-ଏକଥା କାହାକୁ କହିବ ନାହିଁ, ତୁମ ବିଦ୍ୟା ରାଣ।
-ନା, ମୁଁ କାହାକୁ କହିବି ନାହିଁ। ମୁଁ ଆଶ୍ବାସନା ଦେଇ କହିଲି। କିନ୍ତୁ ତା’ ସହିତ ମୋର କୌତୂହଳ ମଧ୍ୟ ଆସିଲା, ପଚାରିଲି, ଇନ୍ଦୁକୁ ତୁମେ ଏଇ କବିତାଟି ଦେଖାଇଛ?
ଆତଙ୍କିତ ହୋଇଉଠି ସୁମନ୍ୟୁ କହିଲା; ନା, ନା- ମୁଁ କେବେ ଦେଖାଇବି ନାହିଁ।
ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। ଯାହା ଉଦ୍ଦେଶ୍ୟରେ ତା’ର ଏଇ କବିତାଟି ଲେଖା, ତା’କୁ ସେଇଟି ଲୁଚାଇରଖିବାର ଏତେ ଚେଷ୍ଟା କାହିଁକି?
କିଛି ସମୟ ଚୁପ୍ ରହି ସୁମନ୍ୟୁ କହିଥିଲା, ଏ କବିତା ମୁଁ ତାଙ୍କୁ କେଭେ ଦେଖାଇବି ନାହିଁ। କେବେ ନୁହେଁ। ଯଦି ସେ ଜାଣିପାରନ୍ତି… ଯଦି ସେ ଜାଣିପାରନ୍ତି… ଯେ ମୁଁ ତାଙ୍କୁ ନେଇ କବିତା ଲେଖିଛି, ତେବେ…
-ତେବେ ହେବ କ’ଣ? ମୁଁ ବୁଝିପାରିଲି ନାହିଁ ।
-ତେବେ ସତ କହୁଚି ମୁଁ ଆଉ ବଞ୍ଚିବି ନାହିଁ। ସତ କହୁଚି ମୁଁ ଆତ୍ମହତ୍ୟା କରିଦେବି।
ତା’ପରେ ସେ ମୋ ହାତରୁ ସେଇ କବିତା ଖଣ୍ଡିକ ଛଡ଼ାଇନେଇଗଲା। କାଗଜଟି ଅତି ଯତ୍ନରେ ଭାଙ୍ଗି ପକେଟରେ ପୂରାଇଲା।
ଏଇ ଘଟଣାଟି ଘଟିବାର କିଛି ଦିନ ପରେ ସେ ମତେ ଚୁପିଚୁପି ଗୋଟିଏ କଥା ପଚାରିଲା। ପ୍ରଶ୍ନଟିର ସେମିତି କିଛି ଗଭୀରତା ହୁଏତ ନାହିଁ, କିନ୍ତୁ ସେଇ ବୟସରେ ଏଇ ପ୍ରଶ୍ନଟି ଏକାନ୍ତ ମାରାତ୍ମକ।
ସେ ପଚାରିଲା-ଏଇଟା କ’ଣ ନିହାତି ପାପକଥା?
-କୋଉ କଥାଟା?
-ଏଇ…ମାନେ…ତୁମେ ଖରାପ ଭାବିବ…କିନ୍ତୁ-
ମୁଁ ସୁମନ୍ୟୁର କୁଣ୍ଠା ଦେଖି ଟିକିଏ ଭରସା ଦେବା ପରି କହିଲି-କୁହ! ମୁଁ ଆଦୌ ଖରାପ ଭାବିବି ନାହିଁ।
ରହି ରହି ଚାପା ଓ ମ୍ରିୟମାଣ ସ୍ବରରେ ସୁମନ୍ୟୁ ପଚାରିଲା-
-ଏଇ…ମୁଁ ଯେ- ମୁଁ ଯେ- ମନେ ମନେ ଇନ୍ଦୁକୁ ଲଭ୍ କରୁଛି, ଏଇଟା…କ’ଣ…ନିହାତି ପାପ କଥା?
-ଇସ୍, ପାପ ନୁହେଁ! ପାପ ନୁହେଁ ତ ତେବେ କ’ଣ? ଏ ନିହାତି ଖରାପ କଥା।
ମୁଁ ଯେଉଁ ସ୍ବରରେ କଥା କହିଲି, ତାହା ମୋର ନିଜସ୍ବ ସ୍ବର ନୁହେଁ। ଅଭିଭାବକଙ୍କୁ ଅନୁକରଣ କରିଥିବା ଗମ୍ଭୀର ଗଳା।
ସୁମନ୍ୟୁ ତଳକୁ ମୁହଁ ପୋତି କିଛି କ୍ଷଣ ବସିରହିଲା। ମୋ ଠାରୁ ସେ ଟିକିଏ ପ୍ରଶ୍ରୟପୂର୍ଣ୍ଣ କଥା ଶୁଣିବାକୁ ଆଶା କରିଥିଲା ହୁଏତ, ମୁଁ କିନ୍ତୁ ସେତକ ପ୍ରଶ୍ରୟ ଦେଇପାରିଲି ନାହିଁ। ଝିଅଙ୍କ ସମ୍ପର୍କରେ ମୋର ଯେତେ କିଛି କୌତୂହଳ ଓ ଆଗ୍ରହ ଥିଲେ ମଧ୍ୟ, ଗୁରୁଜନଙ୍କ ତୀକ୍ଷ୍ଣ ନଜର ଓ କଠିନ ଶାସନ ଭିତରେ ଗଢି୍ଉଠିଥିବା ଏକ ଅକାଳ ପରିପକ୍ବ ବିବେକ ଭିତରୁ ଏତିକି ଭାଷା ହିଁ ଉଚ୍ଚାରିତ ହେଲା। ନିଜକୁ ନିଜେ ଶାସନ କଲାପରି- ନା- ଝିଅମାନଙ୍କ କଥା ଭାବିବା ଭଲ ନୁହେଁ। ସେମାନେ ଅଲଗା, ଆମେ ଅଲଗା। ସେମାନଙ୍କ ସହିତ ଆମର କି ସମ୍ପର୍କ ଅଛି!
ସୁମନ୍ୟୁ କିନ୍ତୁ ନିରସ୍ତ୍ର ହେଲା ନାହିଁ। ମତେ ପଚାରିଲା- ଆଚ୍ଛା, ସତ କୁହ ତ… ଇନ୍ଦୁକୁ ଦେଖିଲେ ତୁମକୁ କେମିତି ଲାଗେ?
ଇନ୍ଦୁକୁ ଦେଖିଲେ ମତେ କିପରି ଲାଗେ, ସେ କଥା ମୋର ଏବେ ସ୍ପଷ୍ଟ ମନେ ଅଛି। ଏବେ ମଧ୍ୟ ମୋ ମନ ଭିତରେ ଏକ ଚଞ୍ଚଳ ଶିହରିତ ଆବେଗ ଚହଟିଉଠେ। ତା’ର ସେହି ପନ୍ଦର ବର୍ଷ ବୟସର କୁମାରୀ ରୂପ ମୁଁ ଭୁଲିପାରି ନାହିଁ। ମଥାରେ ଗହଳ କଳା ବାଳ, ଯାହା ବେଶ୍ ଲମ୍ବା ଓ ସୁନ୍ଦର, ଗାଢ କଳା ଭୁରୁ ତଳେ ଉଜ୍ଜଳ ଗଭୀର ଦୁଇ ଆଖି, ନରମ ଓଠ ଓ ଧଳା ଧଳା ମୁକ୍ତା ପରି ସଜଡ଼ା ଦାନ୍ତ-ସବୁ ମିଶି ସେ କେବଳ ସୁନ୍ଦର ଦେଖାଯାଏ ନାହିଁ, ମହିମାନ୍ବିତ ମନେ ହୁଏ। ଖୁବ୍ ଶାନ୍ତ ଧୀର ସ୍ବଭାବର ଝିଅ ଥିଲା ସେ, ସ୍କୁଲର ସବୁଠାରୁ ଦୁର୍ଦ୍ଦାନ୍ତ ଛାତ୍ର ବି ତାକୁ ଚିଡ଼େଇବା ପାଇଁ ସାହସ ପାଏ ନାହିଁ।
ମୁଁ ଏତେ କଥା ଲେଖି ମଧ୍ୟ ଯେତିକି ବୁଝାଇପାରୁ ନାହିଁ, ସେତକ ସୁମନ୍ୟୁ ଖୁବ୍ ସଂକ୍ଷପରେ ମତେ ସେଦିନ ବୁଝାଇଦେଇପାରିଥିଲା। ମୋର ଛୋଟିଆ ‘ବେଶ୍ ଭଲ ଝିଅଟିଏ’ ମନ୍ତବ୍ୟ ଶୁଣିବା ପରେ ଟିକିଏ ଚୁପ୍ ରହି, ଚାପା ଦୀର୍ଘନିଃଶ୍ବାସ ଛାଡ଼ି ସେ କହିଥିଲା-
ତାକୁ ଦେଖିଲେ ମତେ କେମିତି ଲାଗେ ମୁଁ ଆଦୌ ବୁଝାଇପାରିବି ନାହିଁ, ଦୀପକ। ତାକୁ କ୍ଲାସରେ ଦେଖିଲେ ମୋର ମନେ ହୁଏ ମୋ ଜୀବନରେ ଆଉ କିଛି ଲୋଡ଼ା ନାହିଁ, ଏ ଜୀବନରେ ମୁଁ ଆଉ କିଛି ଚାହେଁ ନାହିଁ। ମୁଁ ଏବେ ଏଇଠି ମରିଗଲେ ମଧ୍ୟ ମୋର କିଛି ଦୁଃଖ ନାହିଁ। ମୁଁ ସୁଖୀ। ମୁଁ ଧନ୍ୟ।
କେବଳ ଦୂରରୁ ପଲକଟିଏ ଦେଖିପାରିବାର ଏ ଯେଉଁ ସନ୍ତୋଷ, ସେ କଥା ବୋଧହୁଏ କେତେକଙ୍କୁ ଅଦ୍ଭୁତ ମନେ ହେବ। ପଦେ ବି କଥା ନ କହି, ନିକଟ ସାନ୍ନିଧ୍ୟର କୌଣସି ଲାଳସା ନ ରଖି, ଏତିକିରେ ପରିତୃପ୍ତ ହେବାର ଦୃଷ୍ଟାନ୍ତ ବୋଧହୁଏ ବହୁତ ବେଶି ନାହିଁ।
ସୁମନ୍ୟୁ କିନ୍ତୁ ସେହିପରି ଜଣେ।
ମୁଁ କହିଲି- ମତେ ସେଇ କବିତାଟି ଟିକିଏ ଦିଅ। ମୁଁ ଆଉ ଥରେ ଭଲକରି ପଢ଼ିବି।
କବିତାଟି ମୁଁ ସେହିଦିନ ତା’ଠାରୁ ନେଇ ପାଖରେ ରଖିଥିଲି। କେଉଁ ଦୁର୍ବୁଦ୍ଧିର ବଶବର୍ତ୍ତୀ ହୋଇ ଏପରି କାମଟିଏ ମୁଁ କରିଥିଲି, ତାହା ମୁଁ ଆଜି ପର୍ଯ୍ୟନ୍ତ ଠିକ୍ ରୂପେ ବୁଝିପାରି ନାହିଁ। ଏହା ପ୍ରକୃତିରେ ଏକ ଦୁଃସାହସପୂର୍ଣ୍ଣ କାମ-ଅନ୍ତତଃ ମୋ’ ପକ୍ଷରେ। ଏପରି ଦୁଷ୍ଟାମି (ହଁ, ଦୁଷ୍ଟାମି ନୁହେଁ ତ ଆଉ କ’ଣ?) ମୁଁ ମୋ’ ଜୀବନରେ ପୂର୍ବରୁ କେବେ କରି ନଥିଲି। ପରେ କେବେ କରିବାକୁ ସାହସ ମଧ୍ୟ କରିନାହିଁ। ସେଇ ମୋର ପ୍ରଥମ ଓ ଶେଷ କଳୁଷିତ ଅପରାଧ।
ନା-କଳୁଷିତ ବୋଲି ମୁଁ କହିବି ନାହିଁ। ଏହା ପାପ-ଏହା ମଧ୍ୟ ମୁଁ ସ୍ବୀକାର କରେ ନାହିଁ। ତେବେ, ଅପରାଧ ନିଶ୍ଚୟ-ପ୍ରଚଳିତ ସାମାଜିକ ମୂଲ୍ୟବୋଧ ହିସାବରେ।
କିନ୍ତୁ ମୋର ସେହି ଅପରାଧର ପ୍ରାୟଶ୍ଚିତ୍ତ ମୁଁ କଲି ନାହିଁ। ଯେ କଲା, ସେ ସୁମନ୍ୟୁ। ତା’ ଆଖିରୁ ସେତେବେଳେ ଧାରଧାର ଲୁହ ନିଗିଡ଼ିପଡ଼ୁଥିଲା, ସେଇ ଲୁହ ଓ ଉଦ୍ଗତ କୋହ ଭିତରେ ଥରି ଥରି ସେ ମତେ କହିଲା…
ଯାହା କହିଲା ସେ ତ ପରର କାହାଣୀ। ତା’ ପୂର୍ବରୁ ଯାହା ଘଟିଲା, ତାହା ପ୍ରଥମେ କହୁଛି।
ସୁମନ୍ୟୁଠାରୁ କବିତାଟି ମୁଁ ନେବାର ଦୁଇଦିନ ପରେ ଇନ୍ଦୁର ବାପା ଆମ ସ୍କୁଲକୁ ଆସିଥିଲେ। ବଡ଼ ଗମ୍ଭୀର, ଥମଥମ। ସେ ଜଣେ ବଡ଼ ଅଫିସର। ତାଙ୍କୁ ଆମ ସ୍କୁଲରେ ସମସ୍ତେ ଚିହ୍ନନ୍ତି। ତାଙ୍କ ସୁନ୍ଦର ଘରଟି ମଧ୍ୟ ଆମ ସମସ୍ତେ ଦେଖିଛୁ।
ଇନ୍ଦୁର ବାପା ସ୍କୁଲକୁ ଆସି ହେଡ଼୍ମାଷ୍ଟରଙ୍କ ସହିତ କ’ଣ କଥାବାର୍ତ୍ତା ହେଲେ। ତା’ପରେ ଚାଲିଗଲେ। ସେ ଚାଲିଯିବା ଠିକ୍ ପରେ ପରେ ଆମ କ୍ଲାସକୁ ହେଡ୍ସାର୍ ଆସିଲେ। ହାତରେ ଗୋଟିଏ ଲମ୍ବା ବେତ-ସେହି ବେତର କରାମତି ଆମର କାହାରିକୁ ଅଜଣା ନୁହେଁ।
କ୍ଲାସରେ ପହଞ୍ଚି ସେ ଗମ୍ଭୀର ସ୍ବରରେ ଡାକିଲେ-ସୁମନ୍ୟୁ।
ସୁମନ୍ୟୁ କ୍ଲାସ୍ରେ ଅନ୍ୟମନସ୍କ ହୋଇ ବସିରହିଥିଲା; ଯେମିତି ସେ ଅଧିକାଂଶ ସମୟରେ ବସିରହିଥାଏ। ନିଜ ନାମ ଡକାହେବା ଶୁଣି ସେ ଠିଆ ହୋଇପଡ଼ିଲା।
-ଏଠିକି ଆସ।
ସୁମନ୍ୟୁ ଟେବୁଲ୍ ପାଖକୁ ଗଲା।
ହେଡ଼୍ସାର ତାଙ୍କ ହାତରେ ଧରିଥିବା ଗୋଟିଏ କାଗଜ ତା’କୁ ଦେଖାଇଲେ। ଏଇଟା ତୁମେ ଲେଖିଚ?
ସୁମନ୍ୟୁ କାଗଜଟି ଦେଖିଲା। ଚିହ୍ନିପାରିଲା। ଏକ ଶିହରିତ ବିସ୍ମୟ ଖେଳିଗଲା ତା’ ଭିତରେ। ଏଇ କାଗଜଟି ହେଡ଼ସାର୍ଙ୍କ ହାତକୁ ଆସିଲା କିପରି?
ମୁଁ ବି ଚମକିଉଠିଲି। କିନ୍ତୁ ମୋର ଚମକିବାର କି କାରଣ ଥିଲା? ଦୁଇଦିନ ତଳେ ମୁଁ ନିଜେ ତ ଏଇ କବିତାଟିର ତଳେ ସୁମନ୍ୟୁ ମିଶ୍ର ନାମ ଲେଖି ଡାକରେ ପଠାଇଦେଇଥିଲି। ଇନ୍ଦୁର ଘର ଠିକଣାରେ। ତା’ ଘର ଠିକଣା ଆମ ସ୍କୁଲରେ ନ ଜାଣେ କିଏ।
ଏମିତି ମୁଁ କାହିଁକି କରିଥିଲି? କାହିଁକି? ନା- ମୁଁ ନିଜେ ମଧ୍ୟ ଜାଣେ ନାହିଁ। ଭଗବାନଙ୍କ ଦ୍ବାହି, ମୁଁ ଜାଣେ ନାହିଁ। କିନ୍ତୁ ପଠାଇଦେଇଥିଲି। ଆଜି ଇନ୍ଦୁର ବାପା ଆମ ସ୍କୁଲକୁ ଆସିଥିଲେ। ବର୍ତ୍ତମାନ ହେଡ଼୍ସାରଙ୍କ ହାତରେ ସେଇ ଅଭିଶପ୍ତ କାଗଜଖଣ୍ଡିକ। ମୋ ଆଖି ଆଗରେ ଏବେ ସଂପୂର୍ଣ୍ଣ ଚିତ୍ରଟି ସ୍ପଷ୍ଟ-ଦିନ ଆଲୁଅ ପରି।
ସୁମନ୍ୟୁର ଓଠରୁ ଏକ ନିରୁକ୍ତ ଯନ୍ତ୍ରଣାର ଭାଷା ବାହାରିଆସିଲା। ତା’ ଉପରେ ସପାସପ ବେତ ଚାଲିଛି। ହେଡ଼୍ସାର ଅତି ରାଗୀ ଲୋକ। ପୁଣି ତାଙ୍କର ନୀତିନିୟମ ଜ୍ଞାନ ଅତି ବେଶି। ସୁମନ୍ୟୁର ଯେ ଆଜି ନିସ୍ତାର ନାହିଁ ସେ କଥା ବୁଝିପାରି କମ୍ପିଉଠିଲି ମନ ଭିତରେ।
ହେଡ଼୍ମାଷ୍ଟରଙ୍କ ବେତ-ସାପର ଲହଲହ ଜିଭ ସୁମନ୍ୟୁର ନରମ ଦୁର୍ବଳ ଦେହକୁ ଚାଟିଯାଉଥାଏ। ସେଇ ବିଷାକ୍ତ ଜ୍ବାଳାରେ ସୁମନ୍ୟୁ ତଳେ ବସିପଡ଼ିଲା-ଦୁଇ ହାତରେ ମୁଁହଁକୁ ଘୋଡ଼ାଇରଖି, ଉଦ୍ଗତ ଲୁହର ଧାରାଶ୍ରାବଣକୁ ଲୁଚାଇରଖି। କିନ୍ତୁ ତା’ କୋହ ତ ଲୁଚି ରହିପାରିଲା ନାହିଁ।
ସୁମନ୍ୟୁ ଦେହରେ ନୋଳା ବସିଯାଇଥାଏ।
ଦଣ୍ଡ ଦେଇସାରି ହେଡ଼୍ସାର ଗୋଟିଏ ଛୋଟ ଭାଷଣ ଦେଇଥିଲେ ଆମକୁ। ମଣିଷ ଜୀବନରେ ଚରିତ୍ର ହିଁ ସବୁଠାରୁ ବଡ଼କଥା। ଯାହାର ଚରିତ୍ର ନାହିଁ ସେ ପଶୁ, ସେ ସତରେ କଳ୍ପନା କରିପାରି ନ ଥିଲେ ଯେ ସୁମନ୍ୟୁ ନାମକ ଏକ ମେଧାବୀ ଛାତ୍ର ଏପରି ନୀଚ କାମଟିଏ କରିବ। ଯେଉଁ ଆର୍ଯ୍ୟଭୂମି ଭାରତବର୍ଷରେ ମହାତ୍ମାଗାନ୍ଧୀ ଓ ବୁଦ୍ଧଙ୍କ ପରି ମହାମାନବ ଜନ୍ମ ହୋଇଛନ୍ତି…. ଇତ୍ୟାଦି, ଇତ୍ୟାଦି।
ହେଡ଼୍ସାରଙ୍କ ଭାଷଣ ଆହୁରି ବଢିଥାଆନ୍ତା ବୋଧହୁଏ, କିନ୍ତୁ ଖେଳଛୁଟିର ଘଣ୍ଟା ବାଜିଉଠିଲା। ସେ ବିଦାୟ ନେଲେ।
ଏଇ ଆକସ୍ମିକ ଘଟଣାରେ ହତବାକ୍ ଓ ବିମୂଢ ଅନ୍ୟାନ୍ୟ ସବୁ ଛାତ୍ରମାନେ ମଧ୍ୟ ସାଙ୍ଗେ ସାଙ୍ଗେ କ୍ଲାସ୍ ଛାଡ଼ି ଚାଲିଗଲେ- ବୋଧହୁଏ ଟିକିଏ ଅଧିକ ତରତର ହୋଇ।
କ୍ଲାସ ନିର୍ଜନ ହୋଇଯିବା ପରେ ମୁଁ ସୁମନ୍ୟୁ ପାଖକୁ ଗଲି। ସୁମନ୍ୟୁ ଟେବୁଲ ପାଖରେ ସେମିତି ଆଣ୍ଠୁ ମାଡ଼ି ବସି ଆଖି ଲୁହ ପୋଛୁଥାଏ।
-ସୁମନ୍ୟୁ…. ମୁଁ ଭୀତ ସ୍ବରରେ ଡାକିଲି। ତା’ର ଆହତ ଦେହରେ ହାତ ଦେବାପାଇଁ ମୋର ସାହସ ହେଉ ନ ଥାଏ।
ସେ ମୋ ଡାକ ଶୁଣିଲା ନାହିଁ।
ସୁମନ୍ୟୁ, ଭାଇ… ମୋର ଦୋଷ ହୋଇଛି। ମୁଁ ତୁମକୁ ନ କହି…
ମୋ ଭିତରେ କେଉଁଠି ଏତେ ଲୁହ, ଏତେ ଦୁଃଖ, ଏତେ ଅନୁତାପ ଜମିରହିଥିଲା କେଜାଣି, ମୁଁ ଭୋ ଭୋ କାନ୍ଦିଉଠିଲି। ତା’ର ଗୋଟିଏ ହାତକୁ ମୋର ମୁହଁରେ ଚାପିରଖି।
ସୁମନ୍ୟୁ ତା ହାତଟି ମୋ ହାତରୁ ଛଡ଼ାଇନେଇଗଲା। ମୁଁ ତା’ ପାଖରେ ବସି ସେମିତି କାନ୍ଦିଲାଗିଲି। ତା’ ଆଖି ଏବେ ଶୁଖିଲା କିନ୍ତୁ ମୋ ଆଖିରୁ ଧାରଧାର ଲୁହ ବହିଲାଗିଲା। ମୁଁ ବିକଳ ହୋଇ କହିଲି-ମତେ କ୍ଷମା କର ସୁମନ୍ୟୁ- ମୁଁ ଜାଣି ନ ଥିଲି…ଜାଣି ନ ଥିଲି…
ସୁମନ୍ୟୁର ହାତ ଏଥର ମୋ ଆଡ଼କୁ ଲମ୍ବିଆସିଲା। ମୋ ପିଠି ଉପରେ ହାତ ରଖି, ସେ ଅଶ୍ରୁସଜଳ କଣ୍ଠରେ କହିଲା-ମୁଁ ତୁମର କି ଦୋଷ କରିଥିଲି, ଦୀପକ-ତୁମେ ମତେ ଏମିତି….
ମୋର ଦୋଷ ହୋଇଛି ସୁମନ୍ୟୁ। ମୋତେ କ୍ଷମା କର।
ମୁଁ ଏବେ-ମୁଁ ଏବେ ମୁହଁ ଦେଖେଇବି କାହାକୁ? ମୁଁ ବଞ୍ଚିବି କିପରି।
ସେ ଦିନର ବର୍ଣ୍ଣନା ଆଉ ଦୀର୍ଘ କରିବା ମୋର ଅଭିପ୍ରାୟ ନୁହେଁ। ତେବେ ଏତିକି ଲେଖିଲେ ଯଥେଷ୍ଟ ହେବ ଯେ ସେଦିନ ସୁମନ୍ୟୁ ପଛ ସିଟ୍ରେ ବସିରହି ନିଃଶବ୍ଦରେ କାନ୍ଦୁଥିଲା ଓ ମୁଁ ଅନ୍ୟର ଅଲକ୍ଷ୍ୟରେ ତା’ ପିଠି ଆଉଁସିଦେଉଥିଲି। କ୍ଲାସ ଶେଷ ହେବା ପରେ, ହେଡ଼୍ସାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଡିଟେଣ୍ଡ୍ ରହିଥିଲା ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ। ମୁଁ ସ୍କୁଲ ଗେଟ୍ ପାଖରେ ଠିଆ ହୋଇ ଅଧୀର ଭାବରେ ତାକୁ ଅପେକ୍ଷା କରିରହିଥିଲି।
ସନ୍ଧ୍ୟା ଛଅଟା ବେଳେ, ବିଷର୍ଣ୍ଣ ମ୍ରିୟମାଣ ଗୋଟିଏ କିଶୋର କ୍ଲାସ-ରୁମ୍ ଛାଡ଼ି ବାହାରିଆସିଥିଲା। ସାରାଦିନର ଶାରୀରିକ ନିର୍ଯ୍ୟାତନା ଓ ମାନସିକ ଯନ୍ତ୍ରଣାରେ ସେ ନଇଁପଡ଼ିଛି ଆଗକୁ। ମୁଣ୍ଡବାଳ ଅବିନ୍ୟସ୍ତ। ଆଖି ଲାଲ୍। ଓଠ କମ୍ପୁଛି।
ସେ ଗେଟ୍ ପାଖକୁ ଆସିବା କ୍ଷଣି, ମୁଁ ଆଗେଇଯାଇଥିଲି। ମୁଁ ଜାଣେ, ସୁମନ୍ୟୁ ମୋ ଅପରାଧକୁ କ୍ଷମା ଦେବ ନାହିଁ। ମୁଁ ତା’ର ଏଇ ବିପର୍ଯ୍ୟୟର ଏକମାତ୍ର କାରଣ। ଆଜି ମୋତେ ଏଇ ଦଣ୍ଡ ଦିଆଯିବା ଉଚିତ ଥିଲା। କିନ୍ତୁ ମୁଁ ଦଣ୍ଡ ପାଇଲି ନାହିଁ। ଯେ ଦଣ୍ଡ ପାଇଲା ସେ ସୁମନ୍ୟୁ। କେହି ଜାଣିଲେ ନାହିଁ ଯେ ମୁଁ ଦୋଷୀ-ସୁମନ୍ୟୁ ନିର୍ଦ୍ଦୋଷ।
ଏକଥା ଭାବି ଭାବି ଆଗେଇ ଯାଉଯାଉ ମୁଁ ହଠାତ୍ ରହିଗଲି। ଦେଖିବାକୁ ପାଇଲି-ଗେଟ୍ ସେ ପାଖରୁ ଆଉ ଜଣେ ବାହାରିଆସୁଛି। ଅଶରୀରୀ ଛାୟା ପରି।
ସନ୍ଧ୍ୟାର ଛାୟାନ୍ଧକାର ଭିତରେ ସେ ପଟୁ ଯିଏ ବାହାରିଆସିଲା, ତାକୁ ମୁଁ ଚିହ୍ନିପାରିଲି। ସେ ଇନ୍ଦୁ।
ଇନ୍ଦୁ କଥା ମୁଁ ଏ ଯାଏ କିଛି କହିନାହିଁ। ହେଲେ ତା’ ସମ୍ପର୍କରେ ଆଉ କହିବାର ବା ଥିଲା କ’ଣ? ସେ ଦିନସାରା ଅତି ଗମ୍ଭୀର ହୋଇ ନିଜ ସ୍ଥାନରେ ବସିରହିଥିଲା-ସୁମନ୍ୟୁ ଯେବେ ବେତମାଡ଼ ଖାଇ କାନ୍ଦୁଥିଲା, ହେଡ଼୍ସାର ଯେତେବେଳେ ଚରିତ୍ର ଉପରେ ଭାଷଣ ଦେଉଥିଲେ, ଯେତେବେଳେ ପିଅନ ନୋଟିସ୍ ନେଇ ଆସିଲା ଯେ ସୁମନ୍ୟୁ ଆଜି ଛଅଟା ଯାଏ ଡିଟେଣ୍ଡ ରହିବ, ସାରା ସମୟ ଇନ୍ଦୁ ଥିଲା ନୀରବ, ନିଶ୍ଚଳ। ଯେମିତି ତା’ ଦେହରେ ପ୍ରାଣ ନାହିଁ। ସେ ପଥର ପାଲଟିଯାଇଛି।
ଏବେ କିନ୍ତୁ ମୋ ସାମନାରେ ଇନ୍ଦୁ-ସେ ଗେଟ୍ ସେପଟରୁ ଧୀର ପାଦରେ ବାହାରିଆସିଲା। ଛପି ଛପି ଅତି ସନ୍ତର୍ପଣରେ। ସାମନାରେ ଇନ୍ଦୁକୁ ଦେଖି ସୁମନ୍ୟୁ ଥମକି ଠିଆ ହୋଇପଡ଼ିଲା। କିନ୍ତୁ କିଛି ସେ କହିବା ପୂର୍ବରୁ ଶୁଣାଗଲା ଇନ୍ଦୁର ବାଷ୍ପରୁଦ୍ଧ ଆବେଗ କମ୍ପିତ ସ୍ବର।
-ସୁମନ୍ୟୁ, ମୁଁ ତୁମକୁ ଭଲପାଏ।
ନୀରବ ନିର୍ଜନ ସେତେବେଳେ ସାରା ପୃଥିବୀ ଯେପରି। ଆକାଶରେ ସନ୍ଧ୍ୟାରେ ବିଷର୍ଣ୍ଣ ଅନ୍ଧାର। ପବନର ଗତି ନାହିଁ। ସାରା ପରିବେଶ ଶୂନ୍ୟ ଓ ନିର୍ଜନ। ସେହି ପରିବେଶ ଭିତରେ ଏ ସ୍ବୀକାରୋକ୍ତି ଶୁଣାଗଲା। ଅଦ୍ଭୁତ ଅସହାୟ ଓ ବିଦୀର୍ଣ୍ଣ। ମୋର ମନେ ହେଲା ଯେମିତି ସେଇ ସ୍ବରଟି ନିଃଶବ୍ଦରେ ବ୍ୟାପିଯାଇ ସାରା ଆକାଶ ଓ ଅନ୍ଧକାରକୁ ଆଚ୍ଛନ୍ନ କରିଦେଲା। ମୁମୂର୍ଷୁ ପବନରେ ପ୍ରାଣସ୍ପନ୍ଦନ ସଞ୍ଚାରିଦେଲା।
ତା’ପରେ ଇନ୍ଦୁ ସୁମନ୍ୟୁର ଅତି ନିକଟକୁ ଚାଲିଆସିଲା। କହିଲା-ସୁମନ୍ୟୁ, ମୁଁ ତୁମକୁ ସତରେ ଭଲପାଏ।
ଗଭୀର ବେଦନା ଓ ଅଶ୍ରୁରେ ଇନ୍ଦୁର ସ୍ବର ସଜଳ ହୋଇଉଠିଲା। ତା’ର ନିଃଶ୍ବାସର ଗତି ଦ୍ରୁତ ହୋଇଉଠିଲା ଯେମିତି। ସେ ଦୁଇ ହାତରେ ସୁମନ୍ୟୁକୁ ନିଜ ଛାତିରେ ଚାପିଧରିଲା। ଗଭୀର ରୁପେ ତା’ ଓଠରେ ଚୁମ୍ବନ ଦେଲା। ତା’ପରେ ଗୋଟିଏ ଝଟକାରେ ନିଜକୁ ମୁକ୍ତ କରିନେଇ, କେଉଁ ଅନ୍ଧାରରେ ମିଶିଗଲା।
ଏବଂ ସୁମନ୍ୟୁ ଏକ ବଜ୍ରାହତ ବୃକ୍ଷ ପରି କିଛି ସମୟ ନୀରବରେ ସେଇଠି ଠିଆ ହୋଇରହିଲା, ତଳକୁ ମୁଣ୍ଡ ପୋତି। ସ୍ଥିର, ନିଶ୍ଚଳ। ଯେମିତି ତା ଛାତି ହଠାତ୍ ନିଷ୍ପନ୍ଦ ହୋଇଯାଇଛି। ନିଃଶ୍ବାସ ଯାଉନାହିଁ। ଦେହରେ ପ୍ରାଣ ନାହିଁ।
ତା’ପରେ ଟିକିଏ କମ୍ପିଉଠିଲା ତା’ ଦେହ-ସେ ଧୀର ପାଦରେ ଚାଲିବାକୁ ଲାଗିଲା। ପ୍ରେତାୟିତ ଗତି ପରି ନିରୁଦ୍ଦିଷ୍ଟ।
ମୁଁ ମୋର ଲୁଚିବା ସ୍ଥାନରେ ହିଁ ଆପଣାକୁ ଗୋପନ କରି ରଖିଲି। ପଦାକୁ ବାହାରିଲି ନାହିଁ ବହୁତ ସମୟ ଧରି। ତା’ପରେ ଆକାଶର ଅସଂଖ୍ୟ ତାରା ମତେ ଚାହିଁ ମିଟିମିଟି ହସିବା ପରେ, ଗୋଟିଏ ଆହତ ପଶୁ ପରି ମୁଁ ବାହାରିଆସିଲି।
ପରଦିନଠାରୁ କିନ୍ତୁ ଆଉ ସୁମନ୍ୟୁର ଦେଖା ମିଳିଲା ନାହିଁ। ନା-ତା’ ପରଦିନ ବି ନୁହେଁ। କ୍ରମଶଃ ଗୋଟିଏ ଗୁଜବ ରଟିଲା କ୍ଲାସରେ-ସୁମନ୍ୟୁ ଘର ଛାଡ଼ି କୁଆଡ଼େ ଚାଲିଯାଇଛି। କାହାକୁ କିଛି ନ କହି, ନ ଶୁଣି। ଠିକ୍ ସେହି ଦିନ ରାତିରେ ହିଁ।
ଅବଶିଷ୍ଟ ଯେତେ ଦିନ ମୁଁ ସେ ସହରରେ ଥିଲି, ସୁମନ୍ୟୁର କୌଣସି ଖବର ଆଉ ମତେ ମିଳିନାହିଁ। ମୁଁ ସ୍କୁଲ ପାସ୍ କରି କଟକକୁ ଆସି କଲେଜରେ ନାମ ଲେଖାଇଛି। ତା’ ପରେ ମୋ ଜୀବନର ପଚିଶ ବର୍ଷ ପାଣି ପରି ବହିଯାଇଛି। କିନ୍ତୁ ମୁଁ ତା’ ଖବର ଆଉ ପାଇନାହିଁ।
ମୁଁ ଜାଣେନାହିଁ, ସୁମନ୍ୟୁ ଏବେ କେଉଁଠି ଅଛି। ମୁଁ ଜାଣେ ନାହିଁ, ସେ ବଞ୍ଚିଛି କି ନାହିଁ। ହୁଏତ ସେ ଏଇଠି କେଉଁଠି ଅଛି। ଆମ ଭିତରେ। ହୁଏତ ସେ ମୋର ଏଇ ଗପଟି ପଢିବ। ପଢି ହସି ଦେବ। ‘କାପୁରୁଷ-ଭୀରୁ’-ଏତିକି ସେ କହିବ ମତେ ମନେ ମନେ।
ମୁଁ କାପୁରୁଷ ନିଶ୍ଚୟ। ଭୀରୁ ନିଶ୍ଚୟ। ନହେଲେ ସେଦିନର ସେଇ ଘଟଣାଟି ପରେ ମୁଁ ମୋର ଅପରାଧକୁ ଏମିତି ନୀଚ ଭାବରେ ଲୁଚାଇରଖିଥାଆନ୍ତି କିପରି? ମୋର କ’ଣ ଏତିକି ସତ୍ସାହସ ଥିଲା ଯେ ମୁଁ ଯାଇ କହିଥାଆନ୍ତି ଏଇ କବିତାଟି ସୁମନ୍ୟୁ ପଠାଇନାହିଁ। ମୁଁ ପଠାଇଛି ଇନ୍ଦୁ ପାଖକୁ। ମତେ କି ଦଣ୍ଡ ଦେଉଛନ୍ତି ଦିଅନ୍ତୁ।
ନା-ସେକଥା ମୁଁ କହିପାରିଲି ନାହିଁ। ତା’ର କାରଣ ମୁଁ ଇନ୍ଦୁକୁ କେବେ ହୃଦୟ ଦେଇ ଭଲ ପାଇନାହିଁ। କେବଳ ତା’ ରୂପକୁ ଦେଖି ମୁଗ୍ଧ ଓ ସନ୍ତୁଷ୍ଟ ହୋଇଛି ମାତ୍ର। ତା’ରି ଆକର୍ଷଣ କରିବା ହିଁ ଥିଲା ମୋର ମୁଗ୍ଧ ସନ୍ତୁଷ୍ଟ ମନର କାମନା। ସେଇଥିପାଇଁ ଏକ କାପୁରୁଷ ପରି, ଏକ ଭୀରୁ ପରି ମୁଁ ଆତ୍ମଗୋପନ କରିଗଲି। କିନ୍ତୁ ସୁମନ୍ୟୁ- ଆଖିର ଲୁହ ଓ ହୃଦୟର ଯନ୍ତ୍ରଣା ନେଇ ସେ ଚାଲିଗଲା। ବୋଧହୁଏ ଖୁବ୍ ଦୂରକୁ। ଯେଉଁ ଦୂରତ୍ବ ଅତିକ୍ରମ କଲେ ପାଇବା ଓ ନ ପାଇବାର ଅର୍ଥ ଏକ ହୋଇଯାଏ। ଆନନ୍ଦ ଓ ବେଦନାର ପାର୍ଥକ୍ୟ ଦୂର ହୋଇଯାଏ।
ସେହି ଦୂରତ୍ବ ବୋଧହୁଏ ସମସ୍ତେ ଅତିକ୍ରମ କରିପାରନ୍ତି ନାହିଁ।