ଗାଁ ମୁଣ୍ଡରୁ ବାହାରି ଅଙ୍କାବଙ୍କା ରାସ୍ତାଟି ଯେଉଁଠି ଉତ୍ତରପଟକୁ ବୁଲିଯାଇଛି, ଠିକ୍ ସେଇଠି ପୂର୍ବପଟେ ରାସ୍ତାକୁ ଲାଗି ଗୋଟାଏ ବିରାଟ ଦଣ୍ଡା। ବର୍ଷାଦିନେ ଗାଁର ଗୋରୁଗାଈ ସେଇଠି ଚରନ୍ତି। ଦଣ୍ଡାର ଗୋଟାଏ ପଟେ ପ୍ରକାଣ୍ଡ ବରଗଛ। ସେହି ବରଗଛର ବଡ଼ବଡ଼ ଓହଳରେ ଗାଁ ପିଲାମାନେ ଡାଳିମାଙ୍କୁଡ଼ି ଖେଳନ୍ତି। ଗାଈଆଳ ପିଲାମାନେ ଖରାବେଳେ ବରଗଛ ଛାଇରେ ଗାଈପଲକୁ ରଖି ବିଶ୍ରାମ କରନ୍ତି। କେତେବେଳେ କିଏ ଜଣେ ସେହି ଗଛମୂଳେ ଜହର ଖାଇ ମରିଯାଇଥିଲା। ସେହିଦିନୁ ଲୋକମାନେ ତାକୁ କହନ୍ତି ଜହରଖିଆ ବରଗଛ। ଗାଁଠାରୁ ଟିକିଏ ଦୂର ବୋଲି ସଞ୍ଜ ହେଲେ ଆଉ ସେଠାକୁ କେହି ଯାଆନ୍ତିନାହିଁ। ବରଫଳ ଖାଇବାକୁ ବାହୁଡ଼ାମାନେ ଆସି ଫଡ୍‌ଫଡ୍‌ ହୋଇ ଏ ଡାଳରୁ ସେ ଡାଳ ହୁଅନ୍ତି। ଟିକିଏ ଅନ୍ଧାରୁଆ ହୋଇଗଲେ ଗଛ ମୂଳ ହୋଇଯାଏ ଶୂନ୍‌ଶାନ୍‌। କିଏ ବା କାହିଁକି ସେଠାକୁ ଆସିବ? ବୁଢ଼ାମାନେ କହନ୍ତି-ବେଳେ ବେଳେ ସେ ଗଛରୁ ଭୂତ ବାହାରେ। ଭୂତ ଭୟରେ ସଞ୍ଜ ହେଲେ ଆଉ ସେଠାକୁ କେହି ଯାଆନ୍ତିନାହିଁ।

ମୁହଁ ଅନ୍ଧାର ହୋଇଆସିଲାଣି। ସେହି ଗଛ ମୂଳେ ଗଛକୁ ଆଉଜି ଏକୁଟିଆ ବସିଛି ସର। ଆଖି ବୁଜି ସେ ତାର ଅତୀତକୁ ଭାବିଚାଲିଛି। ଜଗୁ ସ୍ବାଇଁର ସେ ଏକମାତ୍ର ଝିଅ। ବାପ-ମା’ ନାଁ ଦେଇଥିଲେ ସରୀତା, କିନ୍ତୁ ଶ୍ରଦ୍ଧାରେ ତାକୁ ସମସ୍ତେ ଡାକନ୍ତି ସର। ସରକୁ ଯେତେବେଳେ ପାଞ୍ଚବର୍ଷ ମା’ କୁନ୍ତଳା ଆଖି ବୁଜିଲା। କ’ଣ ରୋଗ ହେଲା ଯେ, ଆଉ ସେ ଭଲ ହେଲାନି। ବାପ ତ ଗରିବ ଦିନ ମଜୁରିଆ, କୁଆଡ଼ୁ ବା ପଇସା ଆଣି କଟକ ନେଇ ରୋଗ ଭଲ କରିଥାନ୍ତା? ତଥାପି ସେ ପାରୁପର୍ଯ୍ୟନ୍ତେ ଚେଷ୍ଟା କରିଛି। ହେଲେ ସେ ରହିଲାନି, ଗଲାବେଳେ ଏତିକି କହିଥିଲା-‘ମୋ ଝିଅ ତୁମକୁ ଲାଗିଲା’, ତାକୁ ହତାଦର କରିବନାହିଁ।’

ଜଗୁ ମଧ୍ୟ କୁନ୍ତଳାର କଥାକୁ ଅକ୍ଷରେ ଅକ୍ଷରେ ପାଳିଥିଲା। କରତ କଳରେ କାମ କରି ଯାହା ଆଣେ ବାପଝିଅ ଚଳିଯାଆନ୍ତି। ରୋଷେଇବାସରେ ସାନଭାଇର ପିଲାମାନେ ଟିକେ ସାହାଯ୍ୟ କରିଦିଅନ୍ତି। ଏହିଭଳି ବର୍ଷ ଗୋଟାଏ କଟିଛି କି ନାହିଁ, ଦିନେ କରତ କଳରେ ଦୁର୍ଘଟଣା ଘଟି ଜଗୁ ସେପାରିକୁ ଚାଲିଗଲା। ମା’ ଯାଇଥିଲା। ବାପ ବି ଚାଲିଗଲା। ବିଚାରି ସର କାନ୍ଥକୁ ଆଉଜି ଖାଲି କାନ୍ଦୁଥାଏ। ଫୁଲଟିଏ ଫୁଟିବା ଆଗରୁ ତାର କଢି ଯଦି ପ୍ରଚଣ୍ଡ ଆଘାତ ପାଏ- ସେ କଣ ମନ ଖୁସି ଫୁଟିପାରିବ?

ସର ଏବେ ଏକା। ଦିଗହଜା ସମୁଦ୍ର ଭିତରେ ନାବିକହୀନ ନୌକା ଭଳି ସେ ଭାସିଚାଲିଛି। କେମିତି କୂଳରେ ଲାଗିବ କେଜାଣି? ଆହା! ବୋଲି କହିବାକୁ କେହି ନାହିଁ। ଏହାକୁ ହିଁ କହନ୍ତି ଭାଗ୍ୟର ବିଡ଼ମ୍ବନା! ସଂସାରରେ ବାପ-ମା’ଙ୍କୁ ହରାଇଛି-ତା ପାଇଁ ସବୁ ଅନ୍ଧାର। ସବୁ ଶୂନ୍ୟ।
ବାପର ଶୁଦ୍ଧିଘର ସରିଲା। ବନ୍ଧୁବାନ୍ଧବ, ସାହିଭାଇ ବସିଲେ। ସରକୁ ଦାଦିଖୁଡ଼ୀଙ୍କ ଜିମା ଦେଲେ। ସମସ୍ତେ ବୁଝେଇଦେଲେ-ଡାଳ ଭାଙ୍ଗିଲେ ମୂଳରେ। କିଛି ନ ଥିଲେ ବି ଜଗୁର ଅଧଗୁଣ୍ଠେ ଘରଡିହ ତ ଅଛି? ଇଏ ଝିଅ ପିଲାଟା, ଅଳିଆ ଗଦା। ପାଞ୍ଚ ତିନି ବରଷ ଗଲେ ପର ଘରକୁ ଚାଲିଯିବ। ପରହାଣ୍ଡି ଧୋଇ ଖାଇବ। ଘରଡିହଟାକୁ ତ ତୋରି ପିଲାମାନେ ଭୋଗିବେ। ସର କ’ଣ ଘରଡିହ ମୁଣ୍ଡେଇନେଇଯିବ? ଆରେ ଝିଅ କିଏ ଝିଆରୀ କିଏ? କ’ଣ ମାଧିଆ କହୁନୁ? ସାହିଭାଇଙ୍କ କଥାରେ ମାଧିଆ ରାଜି ହେଲା। ସରକୁ ନିଜ ପାଖରେ ରଖିଲା।

ସର ରୂପରେ ଯେପରି ଗୁଣରେ ମଧ୍ୟ ସେପରି। ଗାଁରେ ସମସ୍ତେ ତା’ ବ୍ୟବହାରରେ ଖୁସି। ବାପମା’ ଛେଉଣ୍ଡ ପିଲାଟିଏ ବୋଲି ସମସ୍ତେ ତାକୁ ଶ୍ରଦ୍ଧା କରନ୍ତି। କାହା ଘରେ ଭଲମନ୍ଦ, ପୁନିଅଁପରବ ହେଲେ ସମସ୍ତେ ସରକୁ ଡାକନ୍ତି। ହେଲେ ସର, ଖୁଡ଼ୀ ନ କହିଲେ ଯାଏନାହଁ। ଘରକୁ କିଏ ପିଠାପଣା ପଠେଇଲେ ଖୁଡ଼ୀର ମନ ହେଲେ କେବେ ଖଣ୍ଡେ ସରକୁ ଦିଏ, ନହେଲେ ନାହିଁ। ସର କିନ୍ତୁ ମନ ଦୁଃଖ କରେନି। ଗୁଣ୍ଡାଏ ଦେଲେ ଖୁନ୍ଦାଏ ମାରିବେ। ସମସ୍ତେ ତ ମା’ ନୁହନ୍ତି। ଦାଦି ମାଧିଆ ସବୁବେଳେ କାମଧନ୍ଦାରେ ଯାଏ। ଘରେ ସବୁ କଥା ଖୁଡୀ ବୁଝାବୁଝି କରେ। ସବୁବେଳେ ସେ ସର ଉପରେ ଗରଗର ହେଉଥାଏ। ଖୁଡୀର କଥାରେ ସର ମନେମନେ ବହୁତ କାନ୍ଦେ। କିନ୍ତୁ କାହାକୁ କିଛି କହେନାହିଁ। କହିଲେ ବା କିଏ କ’ଣ କରିବ? ତାର ବା ଆଉ କିଏ ଅଛି। ସଞ୍ଜବେଳେ ଦାଦି ଘରକୁ ଆସିଲେ ସରକୁ ଡାକି ସୁବିଧା ଅସୁବିଧା କଥା ପଚାରେ। କିନ୍ତୁ ସର କିଛି କହେନାହିଁ। ଦାଦିର କଥାରେ ସ୍ନେହ ଥାଏ, ଆନ୍ତରିକତା ଥାଏ, ଯେତେହେଲେ ତ ବାପର ଭାଇ ଖୁଡ଼ୁତା।

ଗାଁ ସେ ମୁଣ୍ଡରେ ସାଗରର ଘର। ଧନୀଘର ପୁଅ ସେ। ପାଠଶାଠ ପଢିଛି। ଗାଁରେ ମଧ୍ୟ ସମସ୍ତେ ତାକୁ ଖାତିର କରନ୍ତି। ଅଭାବ ଅସୁବିଧାରେ ସେ ସମସ୍ତଙ୍କ ପାଖରେ ଠିଆ ହୁଏ। ଶ୍ରାଦ୍ଧମଉଳା, ବାହାପୁଆଣୀରେ କାହାର କିଛି ଅସୁବିଧା ହେଲେ ସାଗର ଯଥା ସମ୍ଭବ ସାହାଯ୍ୟ କରିଥାଏ। ଗାଁରେ କାହାର ରୋଗବୈରାଗ ହେଲେ ସାଗର ଆସି ଠିଆ ହୋଇଯାଏ। ଡାକ୍ତରଖାନା ଯିବାଠାରୁ ଔଷଧପତ୍ର ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ସାଗର କରିଦିଏ। ଗାଁ ଲୋକେ କହନ୍ତି ସାଗରବାବୁ ମଣିଷ ନୁହଁନ୍ତି, ଦେବତା।

ଜଗୁ ସ୍ବାଇଁ ଘର ସହିତ ପାରିବାରିକ ସମ୍ପର୍କ ବହୁ ଆଗରୁ ଅଛି। ଜଗୁର ସ୍ତ୍ରୀ କୁନ୍ତଳା ସାଗରର ଦୂର ସମ୍ପର୍କୀୟ ପିଉସୀ ଲାଗେ। ସାଗର ବେଳେବେଳେ ସର ଘରଆଡ଼େ ବୁଲିଆସେ। ଭଲବନ୍ଦ ବୁଝେ। ସର ସାଙ୍ଗରେ ହସଖୁସି ହୁଏ, ଥଟାମଜା କରେ, ପୁଣି ତା ଘରକୁ ଚାଲିଯାଏ। ଖୁଡୀର ଟାଉଁଟାଉଁ କଥାରେ ସେ ଯେତିକି ଆଘାତ ପାଇଥାଏ-ସାଗର ଭାଇ ସାଙ୍ଗେ କଥାବାର୍ତ୍ତା ହେଲେ ସେତକ ଭୁଲିଯାଏ। ସର ମାମୁଁ ଘରେ କେହି ନ ଥିଲେ ବୋଲି କୁନ୍ତଳା ମରିବା ପରେ ସାଗର ଘରୁ ସରକୁ ପ୍ରଥମାଷ୍ଟମୀ ଦିଅନ୍ତି। ରଜ ଦୋଳପୂର୍ଣ୍ଣମୀରେ ବି କାଟନ୍ତି ନାହିଁ। ମାମୁଁ ଘର ନାହିଁ ବୋଲି ସର କେବେ ଭାବିନାହିଁ।

ରଜ, କୁଆଁର ପୁନେଇଁ, ଖୁଦୁରୁକୁଣୀରେ ଗାଁ ଝିଅମାନେ କେତେ ମଜା କରନ୍ତି। ଚାନ୍ଦାଭେଦା କରି ଭୋଜିଭାତ କରନ୍ତି। ସର ସେଥିରେ ଭାଗ ନେଇପାରେନାହିଁ। ଖୁଡ଼ୀ ତ ପଇସାଟିଏ ଦେବନି ଇଏ କାହିଁକି ସେଠିକି ଯିବ? ସାଗର ଜାଣିବା ପରେ ଗାଁ’ ପିଲାଙ୍କୁ ସର ଭାଗର ଚାନ୍ଦାଟା ଦେଇଦିଏ। ଏକଥା ଖୁଡ଼ୀ ଜାଣେନି। ଗାଁ ଝିଅ ମାନେ କହନ୍ତି ସରଦେଇ କ’ଣ ବା ଦବ? ତା’ର କିଏ ଅଛି? ସେ ସେମିତି ଆମ ପାଖେ ବସିଲେ କାହିଁରେ କ’ଣ।

ଘରର ଯାବତୀୟ କାମ କରେ ସର। ଖୁଡ଼ୀ ପାନ ଖିଲେ କଳରେ ଜାକି ଖାଲି ଟହଲ ମାରୁଥାଏ। ଗାଁ ମାଇପିଙ୍କ ସଙ୍ଗେ ଖୁସିଗପ କରେ। ସର ଯଦି କେବେ ଦାଣ୍ଡ ଦୁଆରେ ଟିକେ ଠିଆ ହୋଇଯାଏ ଖୁଡ଼ୀ ଟାଉଁଟାଉଁ କରି କହେ-ଭୁଆଷୁଣୀ ଝିଅଟା କ’ଣ ବା ଏଠି ଠିଆ ହୋଇଛୁ? ସର କିଛି ନ କହି ଘର ଭିତରକୁ ଚାଲିଆସେ। ଗୁହାଳ ଗୋବର, ଲିପାପୋଛା ସବୁ କାମ କରେ । ସମସ୍ତେ ଖାଇପିଇ ଶୋଇଲେ କ’ଣ ଦି’ଟା ଖାଇଦେଇ ସର ଶୋଇବାକୁ ଯାଏ। ଦାଦି ଯେତେବେଳେ ପଚାରେ- ମା’ ସର କିଛି ଅସୁବିଧା ହେଉନି ତ? ଆଲୋ ମା’ ଖାଇଲୁଣି? ସେତେବେଳେ କ’ଣ ଗୋଟାଏ କହି ଖୁଡ଼ୀ କଥାଟାକୁ ଅନ୍ୟଆଡେ ନେଇଯାଏ। ସର ଆଖିର ଲୁହ ଆଖିରେ ମରେ।

ଓଷାପୂନିଅଁରେ ସାଗର ସର ଘରକୁ ଆସେ। ପଇସାପତ୍ର ଦର୍କାର ଥିଲେ ଦେଇଯାଏ। ପର୍ବପର୍ବାଣୀରେ ସରକୁ ନିଜ ଘରକୁ ମଧ୍ୟ ଡାକି ନିଏ। ଅନ୍ୟ କାହା କଥା ହେଲେ ଖୁଡ଼ୀ ହୁଏତ କ’ଣ କହନ୍ତା। କିନ୍ତୁ ସାଗରକୁ କିଛି କହିପାରେନାହିଁ। ସର ତାଙ୍କ ଘରକୁ ଯାଏ। ଖୁଡ଼ୀ ତାଗିଦ କରି କହିଥାଏ-ସଞ୍ଜବେଳକୁ ଛାଡ଼ିଦେବ। କେତେବେଳେ କେମିତି ଶାଢ଼ୀ ଖଣ୍ଡେ ସରକୁ ସାଗର ଦେଇଥାଏ, ଖୁଡ଼ୀ କିନ୍ତୁ ସେ ଖଣ୍ଡକୁ ପିନ୍ଧି ପୁରୁଣା ଖଣ୍ଡେ ସରକୁ ଦେଇଦିଏ। ସର କିନ୍ତୁ କିଛି ଭାବେନି। ଖୁଡ଼ୀ ଦେଇଛି ବୋଲି ଖୁସି ହୁଏ।

ଦିଲୁ ଠିକାଦାର। କୋଉଠାର କେଜାଣି? ଗାଁରେ ଆସ୍ଥାନ ଜମେଇଛି, ବହୁତ ପଇସା ବାଲା ସେ। ଗାଁରେ ତାକୁ ସମସ୍ତେ ଡରନ୍ତି। ଲୋକମାନଙ୍କୁ ଚଢା ସୁଧରେ ଟଙ୍କା କରଜ ଦିଏ। ସୁଧ ଠିକ୍ ବେଳେ ନ ଦେଲେ କ’ଣ ବୋଲି କ’ଣ କରିଦିଏ। ଶେଷକୁ ଜମିବାଡ଼ି, ଘରଦ୍ବାର ସବୁ ନେଇଯାଏ। ତା ଜାଲରେ ଯିଏ ଥରେ ପଡିଛି ମୁକୁଳିବା କଷ୍ଟ। ମାଧିଆ ତାଠାରୁ କିଛି ଟଙ୍କା ଆଣିଥିଲା ଘର ତୋଳିବାକୁ। ଇନ୍ଦିରା ଆବାସ ଟଙ୍କା ମିଳିଲେ ଦେଇଦେବାକୁ ଭାବିଥିଲା। କିନ୍ତୁ ଇନ୍ଦିରା ଆବାସ ବିଲ୍ ମିଳିଲାନି। ଟଙ୍କାଟା ଫେରାଇବା ସମ୍ଭବ ହେଲାନି।

ଦିନେ ମାଧିଆକୁ ଦିଲୁ ଠିକାଦାର ଟଙ୍କା ମାଗିଲା। ମାଧିଆ ବହୁତ ନଇଁ ନମସ୍ତି ହୋଇ କହିଲା -ବାବୁ ଟଙ୍କା ମିଳିନି। ସରକାରୀ ଘର କଥା। ଆମ ସରପଞ୍ଚ ବାବୁ କହୁଥିଲେ ଏବେ ମିଳିଯିବ। ମୁଁ ପାଇଲା ମାତ୍ରେ ଆଗ ଆପଣଙ୍କୁ ଦେଇଦେବି। କ’ଣ କରିବି ଆଜ୍ଞା, ଆପଣ ଚାହିଁ ନ ଥିଲେ ଘର ଖଣ୍ଡକ ହୋଇପାରି ନ ଥାନ୍ତା। ଟଙ୍କା ମାଗିବାକୁ କେତେଥର ଠିକାଦାର ମାଧିଆ ଘରକୁ ଯାଇଛି। ମାଧିଆ ଝିଆରୀ ସରକୁ ସେ ଦେଖିଛି। ଗରିବ ଘରର ଝିଅ ହେଲେ କ’ଣ ହେଲା ଗୋଟିଏ ଚାଉଳରେ ଗଢ଼ା। ଖତଗଦାରେ ପଦ୍ମ! ଠିକାଦାରକୁ ଦେଖିଲେ ସର ଭିତରକୁ ଚାଲିଯାଏ ସତ, କିନ୍ତୁ ଠିକାଦାରର ପାପ ଆଖି ସତେ ଯେମିତି ସର ପାଖେ ଥାଏ।

ଦିନେ ଠିକାଦାର ସରର ଖୁଡ଼ୀକୁ କହିଲା-କିଲୋ ବନି, ମାଧିଆ ତ ଟଙ୍କା ଦେଲାନି। ନିଜ ଲୋକ ବୋଲି କିଛି କହିପାରୁନି। ଟଙ୍କା ବା ସେ କୋଉଠୁ ଦେବ? ଜମିବାଡ଼ି ତ କିଛି ନାହିଁ। ବରଂ କାମଧନ୍ଦା କରି ପଇସାଟା ଶୁଝୁ। ଏଇ ସରକୁ ଟିକେ ମୋ ଅଫିସ ଆଡ଼େ ଛାଡୁନୁ। ଘର ଟିକେ ଝାଡ଼ୁ କରିଦେବ, ଛୋଟମୋଟ କାମ ଯାହା ଥିବ କରିଦେଇଆସିବ। ସେଥିପାଇଁ ମୁଁ କ’ଣ କିଛି ଦେବିନି? କିଛି ନ ଦେଲେ ତୁମ ଟଙ୍କାଟା ଧିରେ ଧିରେ ଶୁଝିଯିବ।

ବନି ମନକୁ ଠିକାଦାର କଥାଟା ପାଇଗଲା। ସେ କହିଲା-ଠିକ୍ ଅଛି ବାବୁ, ତା ଦାଦି ଆସିଲେ ଟିକିଏ ପଚାରି କାଲିଆଡ଼କୁ ପଠାଇବି। ଠିକାଦାର କହିଲା – ହଁ ପାଞ୍ଚଟା ବେଳକୁ ପଠାଇବୁ। ଘରକାମ କରି ମୁଠାଏ ଖାଇଦେଇଆସିବ। ଯଦି ନ ଆସିପାରିବ-ତେବେ କ’ଣ ଘର ଅଭାବ ଅଛି? ରାତିରେ ରହିଯିବ। କେତେ ଲୋକ ତ ରହୁଛନ୍ତି। ତାର କ’ଣ ଅସୁବିଧା? ଠିକାଦାର ହସିହସି କହିଲା। ଠିକାଦାରର କଥାଗୁଡ଼ାକ ସର ଦେହରେ ଛୁରୀ ଭୂଷିଲା ଭଳି ଲାଗୁଥିଲା। ସର ମୁଣ୍ଡରେ ବଜ୍ର ପଡିଲା। ସର ଠିକ୍ ବୁଝିପାରିଲା ଖୁଡ଼ୀର ମନ୍ଦ ଉଦ୍ଦେଶ୍ୟ। ଠିକାଦାରର ପାପ ଲାଳସାର ଗନ୍ଧ ବେଶ୍ ବାରିହୋଇଯାଉଥିଲା।

ରାତି ପାହି ସକାଳ ହେଲା। କିନ୍ତୁ ସର ଆଖିକୁ ଯେମିତି ଘନ ଅନ୍ଧାର ମାଡ଼ିଆସୁଥାଏ। କ’ଣ କରିବ ସେ, କାହାକୁ କହିବ ତା ଦୁଃଖ? ସାଗର ଭାଇ କଟକ ଯାଇଛନ୍ତି। କୋଉ ଗୋଟେ ରୋଗୀ କଥା ବୁଝିବାକୁ। ସେ ହେଲେ ଗାଁରେ ଥାଆନ୍ତେ କି! ସଞ୍ଜ ହେବା ଆଗରୁ ଖୁଡ଼ୀ ଠିକାଦାରର କାମ କରିବାକୁ ତାଗିଦ କଲା। ବହୁତ ବାଧ୍ୟ କଲା। ସର କିନ୍ତୁ ଦେହ ଖରାପ ଥିବାର ବାହାନା କରି ଘୋଡ଼ିହୋଇ ଶୋଇଲା। ଖୁଡ଼ୀକୁ ନେହୁରା ହୋଇ କହିଲା- ମୋ ଦେହ ଆଜି ଭୀଷଣ ଖରାପ, ତୁ ଖବର ଦେଇଦେ, ମୁଁ କାଲିକୁ ଯିବି।

ସକାଳ ହେଲା। ସୂର୍ଯ୍ୟ ଉଇଁଲେ। ସର କିନ୍ତୁ ଦେଖୁଥିଲା, ଭୀଷଣ କୁହୁଡ଼ିରେ କେମିତି ଲୁଚିଯାଉଛି ସୂର୍ଯ୍ୟର ଛବି। ତା’ ପାଇଁ ଆଜି ପରୀକ୍ଷାର ଦିନ। କାଲି ସିନା ଦେହ ଖରାପର ବାହାନା କରି ରହିଗଲା ହେଲେ ଆଜି କ’ଣ କହିବ? ଖୁଡ଼ୀ ଆଜି ଯେମିତି ହେଲେ ସରକୁ ପଠାଇବ। ଠିକାଦାର କାଲି ଧମକ ଦେଇଛି- ଏଥର ନ ଗଲେ ଟାଣିଟାଣି ନେବ। ଦୁଇଦିନ ହେଲାଣି ସାଗର ଭାଇଙ୍କର ଦେଖାନାହିଁ। କାହାକୁ କହିବ ସେ ମନ କଥା। ବେଳ ଦି’ଘଡ଼ି ଅଛି ଖୁଡ଼ୀର ତାଗିଦ-ଶିଘ୍ର ବାହାର, ଠିକାଦାର ଘରକୁ ଯିବୁ। ନହେଲେ ଠିକାଦାର ଆଜି ରାଗିବ। କାମ କରିବାକୁ ତା’ର କେହି ନାହିଁ। ଆମକୁ ଯେମିତି ହେଲେ ତାର ଋଣ ଶୁଝିବାକୁ ହବ। ସର ସବୁ ଶୁଣି ନୀରବ ରହିଲା। ଗୋଡହାତ ଧୋଇବାକୁ ବାଡ଼ିପଟ ଗାଡ଼ିଆକୁ ଗଲା ସର।

ଖୁଡ଼ୀ କହୁଥାଏ – ଗୋଡ଼ହାତ ଧୋଇ ଶୀଘ୍ର ଆ। ସଞ୍ଜ ନଇଁ ଆସୁଥାଏ। ଆଗକୁ ପଛକୁ ଚାହିଁ ସର ଏକମୁହାଁ ଚାଲିଲା। କେତେବେଳେ ସେ ଆସି ଜହରଖିଆ ବରଗଛ ମୂଳେ ପହଁଞ୍ଚି ଯାଇଛି ତାକୁ ଜଣାନାହିଁ। ଲଥକିନା ସେଇ ବରଗଛ ମୂଳେ ବସିପଡ଼ିଲା। ବରଗଛକୁ ଆଉଜି ଆଖି ବୁଜିଦେଲା ସେ। ଆଖିରୁ ତାର ବହିଯାଉଥାଏ ଧାର ଧାର ଲୁହ। ରାତି ମାଡ଼ି ଆସିଲାଣି। ଏଠି ପରା ଭୂତ ବାହାରନ୍ତି। ଭୂତ ଆସି ମୋତେ ମାରିଦିଅନ୍ତା ନି! ସମସ୍ତେ ତ ମଲେ, ମୁଁ ଏକା ଜୀଇଁ କାହିଁକି ହନ୍ତସନ୍ତ ହେଉଛି। ଏ ହୀନିମାନିଆ ଜୀବନ ମୋର ଯାଉନି କାହିଁକି? ଦଉଡ଼ି ଦେବି? ନାଁ ମୋ ଦାଦିର ବଦନାମ ହେବ। କିଛି ସ୍ଥିର କରିପାରୁନି ସେ। ଜୁଳୁଜୁଳା ପୋକଗୁଡାକ ଚିକ୍‌ଚିକ୍‌ କରି ବୁଲୁଛନ୍ତି। ବାଦୁଡ଼ିଗୁଡ଼ାକର ଚେଁ ଚାଁ ଫଡ୍‌ଫାଡ୍‌ ଶବ୍ଦ ନିର୍ଜନ ରାତିକୁ ଗମ୍ଭୀର କରି

ଦେଉଛି। ବରଗଛ ଫାଙ୍କରେ ଜହ୍ନ ଆଲୁଅ ପଡି ସୁନ୍ଦର ଗାଲିଚା ଭଳି ଦେଖାଯାଉଛି।
ହଠାତ୍ କାହାର ହାତ ସର ମୁଣ୍ଡରେ ଲାଗିଲା। ଚମକିପଡିଲା ସର। ଚିତ୍କାର କଲା – ନାଁ ନାଁ ମୁଁ ସେଠାକୁ ଯିବିନି। ମରିଯିବି ପଛେ ଯିବିନି।
ତୁ କୁଆଡ଼େ ଯିବୁନି ସର। ତୁ ମୋ ସାଙ୍ଗରେ ଯିବୁ ଆମ ଘରକୁ।

କିଏ ସାଗର ଭାଇ?
ହଁ ମୁଁ ତୋ ସାଗର ଭାଇ।

ଅତଳ ଜଳରେ ବୁଡ଼ିଯାଉଥିବା ଲୋକ ସାହାରା ଟିକେ ପାଇଗଲା ଯେପରି। ସାଗର ଛାତିରେ ମୁଣ୍ଡ ରଖି କଇଁକଇଁ ହୋଇ କାନ୍ଦିଉଠିଲା ସର। ସାଗର ସରର ମୁଣ୍ଡକୁ ଆଉଁଷିଦେଉଦେଉ କହିଲା – କଟକରୁ ଆସି ସବୁ ଶୁଣି ତୋତେ ଖୋଜିଖୋଜି ଆସି ଏଠି ପହଞ୍ଚିଲି। ଯାହା ହେଉ ପଛେ କିଛି ଅଘଟଣ ଘଟିବା ପୂର୍ବରୁ ତତେ ପାଇଗଲି। କାଲିକି ସେମାନଙ୍କ ଖବର ବୁଝାଯିବ। ଆଜିଠାରୁ ସବୁଦିନ ପାଇଁ ତୁ ମୋର ହୋଇ ଆମ ଘରେ ରହିବୁ। ସାଗର ଛାତିରେ ମୁଣ୍ଡ ରଖି କାନ୍ଦୁଥିଲା ସର। ଆଖିରୁ ତାର ଅପସରିଯାଉଥିଲା କଳାବାଦଲ। ସର ଦେଖୁଥିଲା ଏକ ନୂଆ ସ୍ବପ୍ନ .. ସାଗର ବକ୍ଷରେ ଶୋଇରହି।