ଆଜିକାଲି ବହୁତ ଡେ ପାଳନ କରାଯାଉଛି। ଫାଦରସ୍‌ ଡେ, ମଦରସ୍‌ ଡେ, ଡକ୍ଟରସ୍‌ ଡେ, ଚିଲ୍‌ଡ୍ରେନ୍‌ସ ଡେ, ଭ୍ୟାଲେଣ୍ଟାଇନ୍‌ ଡେ। ପୁଣି ପରିବେଶ ଦିବସ, ସ୍ବାସ୍ଥ୍ୟ ଦିବସ, ସମ୍ପ୍ରୀତି ଦିବସ ଇତ୍ୟାଦି। ବର୍ଷର ଆଉ ବେଶୀ ଦିନ ଖାଲି ନାହିଁ, ସବୁଦିନ କିଛି ନା କିଛି ଡେ। ଏ ଡେ ରୁ ଅଧିକାଂଶ ଫିରିଙ୍ଗିମାନେ ଆମ ଉପରେ ଲଦି ଦେଇଛନ୍ତି। ତ ଆମ୍ଭେ ଆଉ କେତେକ ଡେ ଆଉ ନାଇଟ୍‌ (ସବୁ କଥାରେ ଖାଲି ଦିବସ କାହିଁକି ହେବ, ରଜନୀ କିଆଁ ନହେବ!) ଆରମ୍ଭ କରିବାକୁ ଚାହୁଁଛୁ। ଏଗୁଡିକ ଏଠି ପାଳିତ ହୋଇ ପପୁଲାର ହେଲାପରେ ତାକୁ ଫିରିଙ୍ଗିମାନଙ୍କ ଉପରେ ଲଦିଦେବାକୁ ଚାହୁଁଛୁ। କି କି ଡେ ପାଳନ କରାଯାଇପାରେ, ଏ ବିଷୟରେ ବଙ୍ଗଳାର ଏକ ନମ୍ବର ଖବର କାଗଜ ‘ଆନନ୍ଦ ବଜାର ପତ୍ରିକା’ ବି ପାଠକମାନଙ୍କଠୁଁ ପରାମର୍ଶ ମାଗିଥିଲେ। ପାଠକମାନେ କେତେକ ପରାମର୍ଶ ଦେଇଥିଲେ। ସେଥିରୁ କିଛି ବି ଏଥିରେ ସାମିଲ କରିଦେଇଛି। ଆରମ୍ଭ କରିବା ଦାରିଦ୍ର୍ୟ ବୃଦ୍ଧିକରଣ ଦିବସରୁ।

ଦାରିଦ୍ର୍ୟ ଦୂରୀକରଣକୁ ନେଇ ବର୍ଷରେ ଅନେକ ଦିବସ ପାଳନ କରାଯାଏ। ଭାବି ଦେଖନ୍ତୁ ବନ୍ଧୁଗଣ, ଦାରିଦ୍ର୍ୟ ଆମର ସ୍ବାଭାବିକ ସ୍ଥିତି। ଆମର ସଂସ୍କୃତି। ଗୀତ ଅଛି-କିଛି ମାଗୁନାହିଁ ତୋତେ, ଧନ ମାଗୁନାହିଁ, ଜନ ମାଗୁ ନାହିଁ, ମାଗୁଛି ଶରଧା ବାଲିରୁ ହାତେ। ଶାସ୍ତ୍ର ପୁରାଣ ଦେଖନ୍ତୁ। ଲେଖାହୋଇଛି, ଈଶ୍ବର ଦରିଦ୍ରର ବନ୍ଧୁ। ଶାସ୍ତ୍ରପୁରାଣ ଛାଡ଼ି, ପ୍ରାକ୍‌ଟିକାଲ ଲାଇଫ୍‌ରେ ଦେଖନ୍ତୁ, ଦାରିଦ୍ର୍ୟ ଦୂର ହୋଇଗଲେ ଆମର କେତେ ଅସୁବିଧା ହେବ।

ଦାରିଦ୍ର୍ୟ ଅଛି ବୋଲି ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକ ଅଛି। ସେଥିରେ କେତେ ଲୋକ ଓ ସ୍ବେଚ୍ଛାସେବୀ ସଂସ୍ଥାମାନେ ସାମିଲ ଅଛନ୍ତି। ସେମାନଙ୍କ ଅନ୍ନସଂସ୍ଥାନ ହେଉଛି। ସେମାନେ ସହରରେ କାର୍ଯ୍ୟାଳୟ ଖୋଲି, ଥଣ୍ଡାଗାଡ଼ି ମଟରରେ ବୁଲି ବୁଲି ଦାରିଦ୍ର୍ୟ ଦୂର କରନ୍ତି- ସେସବୁ କ’ଣ ହେବ? ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ସେଥିରେ କେତେ ବୁଦ୍ଧିଜୀବି ଯୋଗ ଦେଇ ଏ ବିଷୟରେ ମୁଣ୍ଡ ଖେଳାଉଛନ୍ତି। ଦାରିଦ୍ର୍ୟ କେମିତି ଦୂର ହେବ ସେ ସମ୍ପର୍କରେ ପଞ୍ଚତାରକା ହୋଟେଲମାନଙ୍କରେ କେତେ କର୍ମଶାଳା, ସେମିନାର ଆଦି ଆୟୋଜନ ହେଉଛି। ଦାରିଦ୍ର୍ୟ ଦୂର ହୋଇଗଲେ ହୋଟେଲମାନଙ୍କ କାରବାର କମିଯିବ। ଦେଶର ଅର୍ଥନୀତି ଉପରେ ଏହାର କେତେ କୁପ୍ରଭାବ ପଡ଼ିବ ଥରେ ଚିନ୍ତା କରନ୍ତୁ। ଦରିଦ୍ରମାନଙ୍କୁ ନେଇ କେତେ ଗଳ୍ପ କବିତା ଉପନ୍ୟାସ ଲେଖାହେଉଛି। ଦାରିଦ୍ର୍ୟ ଦୂର ହୋଇଗଲେ ସେ ଲେଖକମାନଙ୍କର କ’ଣ ହେବ? ସେମାନେ କ’ଣ ଲେଖିବେ? ଦାରିଦ୍ର୍ୟକୁ ନେଇ କେତେ ରାଜନୀତି ହେଉଛି। ଦାରିଦ୍ର୍ୟ ଦୂର ହୋଇଗଲେ ସେ ରାଜନୀତି କରୁଥିବା ଲୋକମାନଙ୍କର କ’ଣ ହେବ? ଦାରିଦ୍ର୍ୟ ଦୂର ହୋଇଗଲେ ଅଳ୍ପଟଙ୍କାରେ ମୂଲ ଲାଗିବାକୁ, ବାସନ ମାଜିବାକୁ, ରିକ୍ସା ଟାଣିବାକୁ ଲୋକ କେଉଁଠୁ ମିଳିବେ? ଗଣମାଧ୍ୟମରେ ପିଲାବିକ୍ରି, ଅନାହାର ମୃତ୍ୟୁର ଖବର କେମିତି ମିଳିବ? ବିଧାନସଭା, ସଂସଦରେ ତୁମ୍ବିତୋଫାନ କେମିତି ହେବ?

ତେଣୁ ଦାରିଦ୍ର୍ୟ ଦୂରୀକରଣ ନୁହେଁ, ଦାରିଦ୍ର୍ୟ ବଢ଼େଇବା ଦରକାର। ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ପାଳନ କରାଯିବ ଦାରିଦ୍ର୍ୟ ବୃଦ୍ଧିକରଣ ଦିବସ। ଏହି ଦିନ ବୁଦ୍ଧିଜୀବି, ସ୍ବେଚ୍ଛାସେବୀମାନେ ବସି ଚିନ୍ତା କରିବେ ଏ ଦେଶରେ ଦାରିଦ୍ର୍ୟ ବଢ଼ାଯିବ କେମିତି?