ଆଗରୁ ପୂଜା ସିଜନ ଆସିଲେ ମଜା ଲାଗୁଥିଲା। ମନ ଫୁର୍ତ୍ତି ଲାଗୁଥିଲା। ମନରେ ଆନନ୍ଦ ଆସୁଥିଲା। ଆଜିକାଲି ପୂଜା ସିଜନ ଆସିଗଲେ କିଛି ମଜା ଲାଗୁନି, ବରଂ ସଜା ପାଇଲା ଭଳି ଲାଗୁଛି। ଆପଣ ପଚାରିବେ ତାହା କେମନ୍ତ? କହୁଛି।

ପ୍ରଥମେ ତ ଘର ଲୋକମାନଙ୍କ ନୂଆ ଲୁଗାପଟା କିଣିକିଣି ମୁଁ ଚନ୍ଦା ହେବା ଅବସ୍ଥାରେ। ପୂଜାରେ ନୂଆ ଲୁଗାପଟା ହେବ-ଏ ନୀତିଟି କିଏ ଆରମ୍ଭ କରିଛନ୍ତି ମୁଁ ଜାଣିପାରିଲେ ତାଙ୍କ ତଣ୍ଟି କଣା କରି ଦିଅନ୍ତି। ପୂଜାବେଳେ ପୁଣି ଦୋକାନୀମାନେ ନୂଆ ନୂଆ ଫେସନ୍‌ର ପୋଷାକପତ୍ରର ସମ୍ଭାର କ୍ରେତାମାନଙ୍କ ଆଗରେ ଢାଳିଦିଅନ୍ତି। ବାସ୍‌, ମୁଁ ଚନ୍ଦା।
ମୋତେ ଆହୁରି ଚନ୍ଦା କରିବା ପାଇଁ ଏଇ ସମୟରେ ଆସି ପହଞ୍ଚି ଯାଇଛନ୍ତି ଚାନ୍ଦାବାଲାମାନେ। ହାତରେ ସେମାନଙ୍କର ରସିଦ୍‌ ବହି। କେତେକେ ସେତକ ବି ଆଣୁନାହାଁନ୍ତି। କଳା ଚଷମା ଉହାଡୁ ଆପଣଙ୍କ ଔକାତ୍‌ ମାପି ଫରମାନ ଜାରି କରିଦେଉଛନ୍ତି; ଆପଣଙ୍କ ଚାନ୍ଦା ଏତିକି। ପ୍ରତିବାଦ କଲେ ଚାନ୍ଦା ପରିମାଣ ବଢ଼ି ବଢ଼ି ଯାଏ। ନ ଦେଲେ ଆପଣଙ୍କ ଘରର ଫୁଲକୁଣ୍ଡଗୁଡ଼ିକ ଭାଙ୍ଗିବ। ଘର ସାମ୍ନାରେ ବୋଲୁଅ ପଡ଼ିବ। ଆହୁରି କଣ କଣ ହୋଇପାରେ। ତେଣୁ ଭଦ୍ରଲୋକମାନେ ଚାନ୍ଦା ଦେଇଦିଅନ୍ତି। ମୁଁ ବି ଦେଇଦିଏ।

ଚାନ୍ଦାବାଲାମାନେ ଚାଲିଗଲା ପରେ ଆସିଯାଉଛନ୍ତି ବଖ୍‌ସିସ୍‌ ପ୍ରତ୍ୟାଶୀମାନେ। ସେମାନେ କୁଆଡ଼େ ବର୍ଷସାରା ମୋତେ ସର୍ଭିସ୍‌ ଦେଇଛନ୍ତି। ବର୍ଷସାରା ଏତେ ଲୋକ ମୋ’ ସେବାରେ ଥାଆନ୍ତି ତାହା ମୁଁ ପୂଜା ବେଳେ ହିଁ ଅନୁଭବ କରେ। ବଖ୍‌ସିସ-ଲୋକ ନିଜ ମର୍ଜିରେ ଯାହା ଖୁସି ଦେବା କଥା। କିନ୍ତୁ ଆଜିକାଲି ସେମିତି ଆଉ ହେଉନି। ବିଜୁଳିବାଲା ଆସି କହନ୍ତି-ବର୍ଷସାରା ଆଜ୍ଞା ଆପଣଙ୍କ ଘରେ ଲାଇନ୍‌ ଦେଲୁ, ବଖ୍‌ସିସ୍ ଦେଲାବେଳକୁ କୋଡ଼ିଏ ଟଙ୍କା ଦେଉଛନ୍ତି। ଅନ୍ତତଃ ପଚାଶ ଟଙ୍କା ନ ଦେଲେ ଆପଣଙ୍କ ଇଜ୍ଜତ୍‌ ରହୁଛି ନା ଆମ ଇଜ୍ଜତ୍ ରହୁଛି! ଆପଣଙ୍କ ଇଜ୍ଜତ୍ ଆପଣ ନ ଜଗିଲେ ନାଇଁ, ଆମ ଇଜ୍ଜତ୍‌ ଆମେ ନିଶ୍ଚୟ ରକ୍ଷା କରିବୁ। ପଚାଶ ତଳକୁ ଆମେ ବଖ୍‌ସିସ୍‌ ନବୁନି। ବର୍ଷସାରା ଯେତେବେଳେ ଟେଲିଫୋନ୍‌ ଖରାପ ହେଲେ, ଟେଲିଫୋନ୍‌ ବାଲାଙ୍କୁ କମ୍‌ପ୍ଲେନ୍‌ ଦେଇ ଦେଇ ଥକିଯାଉ, ସେମାନଙ୍କ ଦେଖା ମିଳେନି, ପୂଜା ବେଳକୁ ସେମାନେ ଆସିଯାଆନ୍ତି ଆଉ କହନ୍ତି ମୋବାଇଲ୍‌ ହେଲା ପରେ ଆଉ ଆପଣ ଆମକୁ ଖୋଜୁନାହାନ୍ତି ଆଜ୍ଞା। ହେଲେ ଆମ ସମ୍ପର୍କ କଣ ଏତେ ଶୀଘ୍ର ତୁଟିଯିବ! ବଖ୍‌ସିସ୍‌ଟା ଦିଅନ୍ତୁ। ତାପରେ ସେଲୁନବାଲା, ଧୋବା ଏପରିକି ଭୁସାମାଲ ଯେଉଁଠୁ ଆସେ, ସେ ଦୋକାନର ପିଲାଟି ମଧ୍ୟ କହିଲା, ସାର୍‌ ମୋ ବଖ୍‌ସିସଟା ?
-ତୋର କି ବଖ୍‌ସିସ୍?
-ବାଃ ! ଆପଣଙ୍କୁ ଜିନିଷପତ୍ର ଓଜନ କରି ଦେଉଛି କିଏ?
– ତୁ।
-ତାହେଲେ?
– ମାନେ? ବୁଝିପାରିଲିନି।
-ମୁଁ ଯଦି ଜିନିଷର ଓଜନ କମ୍‌ ଦେଇଦେବି, ଆପଣ କଣ ବୁଝି ପାରିବେ? ମୁଁ କହିଲି ନା। ହେଲେ ତା’ ସହିତ ବଖ୍‌ସିସ୍‌ର କଣ ସମ୍ପର୍କ ?
-ସମ୍ପର୍କ ଅଛି ନା ଆଜ୍ଞା। ଆପଣ ବଖ୍‌ସିସ୍‌ ନ ଦେଲେ ମୁଁ ସବୁବେଳେ ଆପଣଙ୍କ ଜିନିଷର ଓଜନ କମ୍‌ କରି ଦେବି। ଚିନ୍ତା କରି ଦେଖନ୍ତୁ ମୋତେ ବଖ୍‌ସିସ୍‌ ଦେଲେ ଆପଣଙ୍କ ଲାଭ।
-ତାହା କେମିତି?
-ମୋତେ ବଖ୍‌ସିସ୍‌ ଦେଲେ ମୁଁ ଆଉ ଆପଣଙ୍କ ଜିନିଷପତ୍ରର ଓଜନ କମ୍‌ କରିବିନି। ବରଂ ଟିକେ ଅଧିକା କରି ଦେଇଦେବି।
ବଖ୍‌ସିସ୍‌ ପର୍ବ ଅନ୍ତହୀନ ଭାବେ ଚାଲିଲା। ତା’ ଭିତରେ ପୂଜା ଆସିଗଲା। ପୂଜା ଆସିଲା ଯେ ମାଇକ୍‌ ନିର୍ଘୋସରେ ମୋର ନିଦର ସତ୍ୟାନାଶ ହୋଇଗଲା। ଦିବାରାତ୍ର କେତେ ଗୀତ ଶୁଣିବ ମଣିଷ! ଗୋରୀ ତୋ ଗଛର କୋଳି ଭାରି ଖଟା, ଓଢ଼ଣୀ ହଲେଇ ଦେଲି ଲୋ ଓଡ଼ିଶା ଦୋହଲି ଗଲା-ଜାତୀୟ ଗୀତ ଶୁଣି ଶୁଣି ମୋ କାନ ତାବ୍‌ଦା ହୋଇଗଲା। ମଝିରେ ମଝିରେ କାନ ଅଇଁଠା କଲାପରି ଗୀତ ବି ବାଜୁଥିଲା। ତାକୁ ଶୁଣି ନ-ଶୁଣିଲା ହେଲି। ବଜାରକୁ ବାହାରିଲି ଯେ ଭିଡ଼ରେ ଅବସ୍ଥା ଖରାପ। ଇଆଡ଼େ ସବୁ ଜିନିଷର ଦାମ ଅଧିକ। କଣ-ନା ଆଜ୍ଞା ପୂଜା ବଜାର।
-ପୂଜା ବଜାରରେ ଭେଣ୍ଡି ଦର କାହିଁକି ବଢ଼ିବ?
-ପୂଜା ବଜାରରେ ସମସ୍ତଙ୍କ ଭାଉ ବଢୁଛି ଆଜ୍ଞା। ଭେଣ୍ଡିର ବଢ଼ିବନି! ସମସ୍ତେ ଖୁସି ମେଜାଜରେ ଅଛନ୍ତି। ଆପଣ ଆଉ ଭେଣ୍ଡି ଦର ନେଇ ଝିକ୍‌ଝିକ୍‌ କରନ୍ତୁନି।
ବଜାରରୁ ଘରକୁ ଫେରିଲି ଯେ, ଦେଖିଲା ବେଳକୁ ଘରେ ଅନେକ କୁଣିଆମଇତ୍ର ଆସି ପହଞ୍ଚିଯାଇଛନ୍ତି। କଣ-ନା ପୂଜାରେ ବୁଲି ଆସିଲୁ। ନିଅ ଏବେ ଏମାନଙ୍କ ପାଇଁ ଜଳଖିଆ ଆଣ। ଏମାନଙ୍କ ଦିପହର ଖାଇବା ବ୍ୟବସ୍ଥା କର। କୁଣିଆମାନେ ସବୁବେଳେ ସ୍ପେଶାଲ୍‌ କିଛି ଖାଆନ୍ତି। ସେଥିପାଇଁ ମୋତେ ପୁଣି ବଜାର ଧାଇଁବାକୁ ପଡ଼ିଲା।
ପୂଜା ଅବସରରେ ମୋ ଘରଣୀ ଟିଭିରୁ ଯେଉଁ ରୋଷେଇ ଶିଖିଥିଲେ ତାକୁ କଲେ। କହିଲେ, ପୂଜା ବେଳେ ନୂଆ କିଛି ଖାଇବା। ସେ କଣ ରୋଷେଇ କରିଥିଲେ କହି ପାରିବିନି, ହେଲେ ତାକୁ ଖାଇ ମୋ ପେଟ ଗୋଳମାଳ ହୋଇଛି। ଏବେ ମୁଁ ଘରେ ଶୋଇଛି। ମୋ ଘର ଲୋକ ସମସ୍ତେ ପୂଜା ଦେଖିବାକୁ ଯାଇଛନ୍ତି। ଏବେ କୁହନ୍ତୁ ପୂଜା ମଜା ନା ସଜା?