ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଧର୍ମର ଭୟ
କ୍ଷମତାର ଭୟ
ଜୀବନର ଭୟ
ପ୍ରତିବାଦର ଭୟ!
ଭୟ! ଭୟ!
ସମଗ୍ର ଜାତିର ରକ୍ତକଣିକା
ଖାଲି ଭୟର ବୀଜାଣୁରେ ଭରପୁର
ଆଃ
କେଡ଼େ ବ୍ୟାଧିଗ୍ରସ୍ତ ଏ ଜାତିଟା
ତା’ର ମାଦଳ ଠାକୁର ପରି,
କେଡ଼େ ନିର୍ବୋଧ ଏ ଲୋକମାନେ
ଭୋକରେ ବି ନିଦ୍ରା ଯାଇପାରନ୍ତି
କର୍ମକୁ ଆଦରି।
ମୁହଁରୁ ଦାନା ଛଡ଼େଇ ନେଇ ଯାଉଥିବା
ନିର୍ଦ୍ଦୟ ବ୍ୟକ୍ତିଟି ସାମ୍ନାରେ ବି
ପ୍ରତିବାଦହୀନ ଗୁଡ଼ାଏ ପଥରମୂର୍ତ୍ତି ।
ଉଡ୍ଡିୟାନର ଆତ୍ମା
ଏବେ ବି ଶୋଇରହିଛି ଅନ୍ଧାରରେ
ଯେମିତି ଏ ଜାତିର ବୀରତ୍ୱକୁ
ପୋତି ଦିଆଯାଇଛି ନଈବାଲିରେ
କେଉଁ ଜୀବନ ଲୋଭି କବିର
କଲମ ଚାତୁରୀରେ
ଏବଂ ଏ ଜାତିର ଇତିହାସକୁ ବିକଳାଙ୍ଗ କରି
ଉପସ୍ଥାପନ କରାଯାଉଛି ସିଂହ ଶାବକକୁ ।
ଯେଉଁଦିନ ଭୟର ଭୂତ
ହଟି ଯିବ ଆକାଶରୁ
ଆଉ ନଈବାଲିରୁ ପାଇକମାନେ
ଫେରି ଆସିବେ ଆପଣାର ଭୁଲ ବୁଝି
ସେଇ ଦିନ
ମାଦଳ ଠାକୁରର ହାତ ଗୋଡ଼ରେ
କଅଁଳି ଉଠିବ ମାଂସ
ନଇଁଯାଉଥିବା ମେରୁଦଣ୍ଡକୁ ସିଧା କରି
ଠିଆ ହେବ ଏ ଜାତି
ସାମ୍ନା କରିବ ସୂର୍ଯ୍ୟକୁ
ବିଶ୍ୱ ଦରବାରରେ
ସଦର୍ପେ ଘୋଷଣା କରି କହିବ
ମୁଁ ଓଡ଼ିଆ ମୁଁ ଓଡ଼ିଆ ।
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ମନ୍ମଥ କୁମାର ଦଳେଇ | ସେପ୍ଟେମ୍ବର୍ ୧୫, ୨୦୧୬ - ୬:୪୬ ପୂର୍ବାହ୍ନ
ଅତ୍ୟନ୍ତ ହ୍ରୁଦୟସ୍ପର୍ଶୀ କଥାସବୁ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । ପଢି ଖୁଶି ଲାଗିଲା ।