ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଖଲିକୋଟର ଦୁଇଲକ୍ଷ ଲୋକଙ୍କ ଭିତରେ ପ୍ରତିଦିନ ଯିବା ଆସିବା ଚାଲିଛି କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି ଏ ଖବର ରଖୁଛନ୍ତି ଗୃହ-ପରିବାର ବା ସାଇପଡ଼ିଶାର ଲୋକେ କିନ୍ତୁ ଯେଉଁଦିନ ମାଗୁଣି ଏ ସଂସାର ଛାଡ଼ି ଚାଲିଗଲା, ସେଦିନ ଖବବରଟା ଖଲିକୋଟର ପୁରପଲ୍ଲୀ ସବୁଆଡ଼େ ବ୍ୟାପିଗଲା ଯେ ଶୁଣିଲା ସେ ମୁହୂର୍ତ୍ତେ ହେଲେ ନୀରବ ରହି ଦୁଃଖରେ କହିଲା, “ମାଗୁଣି ଚାଲିଗଲା ? ଆହା-ବିଚରା ଚାଲିଗଲା”
ମାଗୁଣି କିଏ ? ଖଲିକୋଟର ସେ ରାଜା ନୁହେଁ, ଏ କଥା ନିଶ୍ଚୟ ସେ ରାଜ୍ୟର ରଜା ନୁହେଁ, ଏ କଥା ସମସ୍ତେ କହିବେ ସେ କର୍ମୀ ନୁହେଁ, ଏ କଥା ସମସ୍ତେ ଜାଣନ୍ତି ସେ କେବେ ସତ୍ୟାଗ୍ରହରେ ଯୋଗ ଦେଇନାହିଁ କି ରଜାକୁ ଖଜଣା ଦେଇନାହିଁ ତା ବେକରେ କିଏ ଫୁଲମାଳ ଲମ୍ବାଇନାହିଁ କି ସେ କାହା ଗଳାରେ ମାଳା ଲମ୍ବାଇଦେବା ଦରକାର ପଡ଼ିନାହିଁ ଜନସମୁଦ୍ର ଭିତରେ କରତାଳି ଗହଳରେ ବକ୍ତୃତା ଦେଇନାହିଁ ସେ କେବଳ କରିଛି ଗୋଟିଏ କାମ-ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନପଥରେ ଲଢ଼େଇ କରିଛି ସେ ଲଢ଼େଇ ଦେଶ ପାଇଁ ନୁହେଁ, ଜାତି ପାଇଁ ନୁହେଁ, ତାହା ନିଜର ପେଟ ଚାଖଣ୍ଡକ ପାଇଁ ତଥାପି ମାଗୁଣିର ମୃତ୍ୟୁଖବର ପାଇ ସମସ୍ତେ କହିଲେ, “ଆହା-ବିଚରା ଚାଲିଗଲା”
ଗଡ଼ରେ ପଚାରିଲେ ସମସ୍ତେ କହିବେ ମାଗୁଣି କିଏ, ଦୂର ଜଙ୍ଗଲ ତଳ ପଲ୍ଲୀଗାଁରେ ମଧ୍ୟ ତାର ପରିଚୟ ମିଳିପାରିବ ମାଗୁଣି ଖଲିକୋଟର କେହି ନୁହେଁ- ସେ ଜଣେ ଶଗଡ଼ିଆ, ଦୁଇଟା ବଳଦ ଓ ସେ- ଏ ତିନି ମିଶି ଗୋଟାଏ ସଂଘ ଗଢ଼ିଥିଲା, ଯାହା କି ଦୁଇଲକ୍ଷ ଲୋକଙ୍କ ମନକୁ ଛୁଇଁଗଲା
ପ୍ରତିଦିନ ଖଲିକୋଟ ଗଡ଼ରେ ସୂର୍ଯ୍ୟ ଉଏଁ ଓ ସୂର୍ଯ୍ୟ ଅସ୍ତ ହୁଏ ଘନଘୋର ବର୍ଷାଦିନେ ଲୋକେ ସୂର୍ଯ୍ୟ ନ ଦେଖି ମାଗୁଣିକି ଦେଖି ବେଳ ଜାଣନ୍ତି ମାଘ ମାସର ଜାଡ଼ରେ ପିଣ୍ଡାରେ ଘୋଡ଼ିଘାଡ଼ି ହୋଇ ଲୋକେ ବସିଥିବାବେଳେ ମାଗୁଣି ନିଜ ପରିଚିତ ସାଙ୍ଗ ଦୁଇଟିକୁ ଶଗଡ଼ରେ ଯୋଚି ପାହାଡ଼ତଳେ ଗୀତ ବୋଲି ଚାଲିଯାଏ ଲୋକେ କହନ୍ତି ମାଗୁଣି ସେମାନଙ୍କର ଗୋଟାଏ ଘଣ୍ଟା ବର୍ଷାଦିନେ ବର୍ଷା ଘୁଞ୍ଚିଯାଇ ପାରେ, ଖରାଦିନେ ଖରା ତାତି ଊଣା ହୋଇପାରେ, କିନ୍ତୁ ମାଗୁଣିର ଶଗଡ଼ ଦିନେ ହେଲେ ବନ୍ଦ ହୁଏ ନାହିଁ ସେ କହେ ରଜାଘରେ ଯୋଡ଼ା ମୋଟରକାର୍ ଅଛି ସତ, କିନ୍ତୁ ତା ପରି ଇଞ୍ଜିନିୟର ନାହାନ୍ତି ତା ଶଗଡ଼ ରଜାଘର ମୋଟରଠୁଁ ବଳେ ବାରବର୍ଷର ଅତି ପରିଚିତ ସାଥୀ କାଳିଆ ଓ କଷରା, ବଳଦ ଉପରେ ସେ ହାତ ମାରି ଆଉଁସିଦେଲେ ତା ଗାଡ଼ିରେ ପକ୍ଷ ଦିଆହୁଏ ଯେତେବେଳେ ସେ ଶଗଡ଼ ଉପରେ ହସି ଗୀତ ପଦେ ବୋଲିଦିଏ, “ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି”, ତାର ମୋଟର ଚାଲେ ସେତେବେଳେ ଶ୍ୟାମଳ ତରୁ ପତ୍ରତଳେ, ଗିରି କନ୍ଦରା ଭିତରେ ପ୍ରତିଧ୍ବନି ଉଠେ ଅର୍ଦ୍ଧସୁପ୍ତ କୁକ୍କୁଟ କୁମ୍ଭାଟୁଆ ତାକୁ ଉତ୍ତର ଦିଅନ୍ତି, ପଲ୍ଲୀର ବୁଲା କୁକୁରଦଳ ଚମକି ଉଠି ଗାଁରେ ଚହଳ ପକାଇଦିଅନ୍ତି ଘଡ଼ ଘଡ଼ ଶବ୍ଦରେ ଶଗଡ଼ ଚାଲିଯାଏ ଷ୍ଟେସନ ଅଭିମୁଖେ
ପଚାଶ ବର୍ଷର ମାଗୁଣି ବାରବର୍ଷର ସାଥୀ ବଳଦଙ୍କୁ ଧରି ଯେତେବେଳେ ଭଡ଼ା ବୋହି ଚାଲେ, ସତୁରି ଅଶୀବର୍ଷ ତଳର କାହାଣୀ ପରି ବହିଯାଏ ସେ କହେ ଆଗ ତା ନିଜ କଥା-ତାର କେବେ ବାପାମା’ ଥିଲେ, ସେ କେବେ ସୁଖରେ ବଢ଼ି ଖଟରେ ଶୋଉଥିଲା, ସେ କେବେ ଘରେ ବସି ଦୁଇଓଳି ପେଟ ପୂରାଇ ଖାଉଥିଲା, ଆଉ ଜଣଙ୍କର ମଧୁର ବଚନ ଶୁଣି ଜୀବନର ସକଳ ଦୁଃଖ ଭୁଲିଯାଇଥିଲା ସେ ଗଢ଼ିଥିଲା ଗୋଟେ ସ୍ବପ୍ନରାଜ୍ୟ ସେ ରାଜ୍ୟରେ ସେ ଥିଲା ରାଜା ରାଣୀ କରି ଯାହାକୁ ଆଣିଥିଲା, ଜୀବନଟାକୁ ସେ ହସାଇ ହସାଇ ନଚାଉଥିଲା ତାର ଅଧର ତଳେ ସେ ଅମୃତ ପିଉଥିଲା, ତାର ଚାହାଣୀ ଭିତରେ ସେ ଜଗତ ଦେଖୁଥିଲା, ତାର ନିଃଶ୍ବାସରେ ସେ ସୁବାସ ବାରୁଥିଲା ଓ ତାର ପାଦ ତଳେ ସେ ଫୁଲ ଫୁଟିବାର ଦେଖୁଥିଲା କିନ୍ତୁ ସେ ସ୍ବପ୍ନ ତାର ବେଶି ଦିନ ରହିଲା ନାହିଁ ସ୍ବପ୍ନମୟୀ ହସି ହସି ଚାଲିଗଲା ଏ ସଂସାରର ସେପାଖକୁ ଏପାଖେ ଏ ଦୁଇଟି ବଳଦ ଗାଁରୁ ଷ୍ଟେସନକୁ ଓ ଷ୍ଟେସନରୁ ଗାଁକୁ ଦିନକେ ଦୁଇଥର ଯାଇ ତାକୁ ଆର ଜନ୍ମରେ ଭେଟିବାକୁ ଚେଷ୍ଟା କରୁଥିଲା
ଶଗଡ଼ ବୋହିଲାବେଳେ ଏ କଥା ସେ ସମସ୍ତଙ୍କୁ ଶୁଣାଇ କନ୍ଦାଇ ପକାଏ, ନିଜେ ଦୁଇଟୋପା ଲୁହ ନିଜର ଚିରା କାନିରେ ପୋଛିଦେଇ ବଳଦ ଉପରେ ହାତ ମାରି ପୁଣି କହେ ଆଉ ଗୋଟାଏ ଗଳ୍ପ ଲୋକଙ୍କ ବାଟ ସରିଯାଏ, କିନ୍ତୁ ତାର ଗଳ୍ପ ସରେ ନାହିଁ ସେ କହେ ତା ଶଗଡ଼ରେ ନ ବସିଚି କିଏ ? ବସି ନ ଥିଲେ, ବସି ନ ଥିବେ ଖଲିକୋଟର ରାଜା କିନ୍ତୁ ଦେବାନ୍ କହ, ମ୍ୟାନେଜର୍ କହ, ଓକିଲ କହ, ମହାଜନ କହ, ଏପରି କି ମହାତ୍ମାଙ୍କ ଭକ୍ତ ପର୍ଯ୍ୟନ୍ତ କହ ସମସ୍ତେ ବସିଛନ୍ତି ତା ଶଗଡ଼ରେ ଏସବୁ କଥା କହିଲାବେଳେ ସେ ଏଡ଼େ ଉତ୍ସାହରେ କହେ ଯେ, ବେଳେବେଳେ ବଳଦ ଦୁଇଟା ଠିଆ ହୋଇଗଲେ ମଧ୍ୟ ସେମାନଙ୍କୁ ଅଡ଼ାଏ ନାହିଁ ଜାଣି ପାରିଲେ କହେ-ଏ ପଶୁଗୁଡ଼ାକ ମଧ୍ୟ ଏ କଥା ଶୁଣିବାକୁ କାନଉଛନ୍ତି
ମାଗୁଣିର ଶଗଡ଼ ଓ ବଳଦ ଖଲିକୋଟର ଗୋଟିଏ ବିରାଟ ଇତିହାସ ନ ହେଲେ ମଧ୍ୟ ସେ ଇତିହାସର କେତେଟା ପୃଷ୍ଠା ସେ ଇତିହାସ କହେ, ଏ ଶଗଡ଼ ରାଜ୍ୟର ସମସ୍ତିଙ୍କି ଚିହ୍ନିଛି କେତେ ବାଳବିଧବା ଏହାରି ଉପରେ ବସି ଶାଶୁଘରୁ ବାପଘରକୁ ଫେରିଛନ୍ତି କେତେ ସୁହାସିନୀ କୁଳବଧୂ ବାପଘରକୁ ଶାଶୁଘରକୁ ମଧ୍ୟ ଯାଇଛନ୍ତି ଖଜଣା ଗଣ୍ଡାକ ଦେଇ ନ ପାରି ଯେଉଁଦିନ ମଣ୍ଡଳ ଗାଁର ଗଦା ରାଉଳ ଜେଲ୍ ଗଲା, ସେଇଦିନ ତା ଘରର ଛାଞ୍ଚୁଣିମୁଣ୍ଡା ଆଦି ଏଇ ଶଗଡ଼ରେ ବୁହାହୋଇ ଆସି ରଜାଘର କଚିରି ଦୁଆରେ ଜମା ହୋଇଥିଲା ଯେଉଁଦିନ ବେନ୍ଦାଳିଆ ଗାଆଁର ମଧୁ ରଥେ ନରହତ୍ୟା ଅପରାଧରେ ଧରାହେଲେ, ସେଦିନ ସେ ଏଇ ଗାଡ଼ିରେ ବସି ଯାଇଥିଲେ ଏଇ ଗାଡ଼ିରେ ବସି ଓକିଲ ଆସି ରଜାଘର ପକ୍ଷ ନେଇଛନ୍ତି ଏଇ ଗାଡ଼ିରେ ରଇତ ନେତାଏ ହାତକଡ଼ା ପଡ଼ି କଚିରିକି ଯାଇଛନ୍ତି ଏଇ ଗାଡ଼ି ସୁଖ ଦେଖିଛି-ଦୁଃଖ ଦେଖିଛି ଲୁହ ବୋହି ଏଇ ଗାଡ଼ିର ଶୁଖିଲା ପାଳର ଗଦି ଓଦା ହୋଇଯାଇଛି, ହସରୋଳରେ ଏଇ ଗାଡ଼ି କେତେ କମ୍ପିଛି
ଏଇସବୁ କଥା କହି ମାଗୁଣି ଯେତେବେଳେ ଗାଡ଼ି ଚଳାଏ, ମନେହୁଏ ମାଗୁଣି ଗୋଟାଏ ଜୀବନ୍ତ ଇତିହାସ ଏପରି ଦଶ ପାଞ୍ଚଟା ଇତିହାସକୁ ଏକାଠି କଲେ ଓଡ଼ିଶାର ଗୋଟାଏ କୋଣାର୍କ ତିଆରି ହୁଅନ୍ତା
ଦିନେ ମାଗୁଣି ଶୁଣିଲା, ତା ଗାଡ଼ିରେ ଆଉ ଲୋକେ ବସିବେ ନାହିଁ; କାରଣ ସିଂହଘର ଗୋଟାଏ ମୋଟର ବାସ୍ ଆଣୁଛନ୍ତି ଶୁଣିଲାମାତ୍ରେ ସେ ହସି ହସି ଆକାଶ ଫଟାଇ ଦେଲା କହିଲା- “ମୋଟର ବାସ୍ ! ତା କଣ ମୋ କାଳିଆ କଷରାକୁ ଟପି ଯିବ ?” ଭଲ କରି ଆହାର ଦେଇ ଯେତେବେଳେ ହାତ ମାରିଦେବି ଲୋକେ କଣ ମୋ ଗାଡ଼ି ଛାଡ଼ି ସେ ଗାଡ଼ିକି ଯିବେ ? ଏ କଥା ଶୁଣି ସମସ୍ତେ ହସିଲେ ସତ, ମାତ୍ର ସେ ଖାତିରି କଲା ନାହିଁ ଦୁଇ ଚାରି ଦିନ ଗଲା ଦେଖୁ ଦେଖୁ ଗଡ଼ରେ ମୋଟର ବାସ୍ ପହଞ୍ଚିଲା ଲୋକେ କହିଲେ- ଏଥର ମାଗୁଣିର ବ୍ୟବସାୟ ବୁଡ଼ିଲା ଏକାବେଳେ କୋଡ଼ିଏ ଜଣଙ୍କୁ ଧରି ଘଣ୍ଟାକେ ଚାଳିଶ ମାଇଲ ଯିବ ମାଗୁଣି କି ତାକୁ ବଳିଯିବ ?
କଥା ସତ ଦୈତ୍ୟଦାନବ ପରି ଗଡ଼ରେ ମୋଟର ବସ୍ଟାକୁ ଦେଖି ମାଗୁଣିର ମନରେ ଛନକା ପଶିଗଲା ସେ କାନ୍ଦି ପାରିଲା ନାହିଁ ସତ, କିନ୍ତୁ କାନ୍ଦ କାନ୍ଦ ହୋଇ ଭାବିଲା- ସେଦିନ ଯାଇଥିଲି କୋଦଳା ସଭାକୁ କିଏ କହୁଥିଲେ- କଳ ଜିନିଷଠୁଁ ହାତଜିନିଷ ଭଲ ତାହେଲେ ମୋଟର କଳଠୁଁ କ’ଣ ମୋ ଶଗଡ଼ ଭଲ ନୁହେଁ ? ଏତେ ଲୋକ ତ ସଭାରେ ବସି ଶୁଣୁଥିଲେ, ସେମାନେ କ’ଣ ମୋର ଦୁଃଖ ବୁଝିବେ ନାହିଁ ? କର୍ମୀ ନ ବୁଝିଲେ ଯିବି ଗାନ୍ଧିଙ୍କ ପାଖକୁ ଦରିଦ୍ରର ସାଥୀ ସେ, ଗରିବଙ୍କ ବନ୍ଧୁ ସେ ସେ କଣ କହିବେ ମାଗୁଣି ମରିଯାଉ, ଆଉ ଏ ସିଂହେ ବଞ୍ଚନ୍ତୁ ?
ଷ୍ଟେସନରୁ ଗଡ଼କୁ ସିଂହଙ୍କ ବସ୍ ଚାଲିଲା ମାଗୁଣିର ଶଗଡ଼ ମଧ୍ୟ ଚାଲିଲା କିନ୍ତୁ ବସ୍ ପୂର୍ଣ୍ଣ, ଶଗଡ଼ ଖାଲି ମାଗୁଣି ଯେତେ ଆଗରୁ ରାତିଅଧରୁ ଉଠି ଷ୍ଟେସନରେ ଶଗଡ଼ ହାଜର କଲେ ମଧ୍ୟ ଲୋକେ ଗଲେ ବସ୍ରେ ଯେତେ ନୂଆ ଅଖାର ଗଦି ପକାଇଲେ ମଧ୍ୟ ଲୋକେ ଧାଇଁଲେ ବସ୍ ମୁହଁକୁ ଯେତେ ହାତ ଧରି ଡାକିଲେ ମଧ୍ୟ ଲୋକେ ଚାହିଁଲେ ବସ୍ ଆଡ଼କୁ ଦିନେ ଗଲା, ଦୁଇ ଦିନ ଗଲା ସେ ଦୁଇଓଳି ଖାଇକରି ଆସୁଥିଲା, ଓଳିଏ ଖାଇ ଆସିଲା ସେ ଭାତ ଖାଇ ଆସୁଥିଲା, ତୋରାଣି ପିଇ ଆସିଲା ସେ ଦୁଇ ଓଳିରେ ଥରେ ପିଇ ଆସୁଥିଲା- କ୍ରମେ ତିନି ଓଳି ଚୁଲି ଲାଗିଲା ନାହିଁ କାଳିଆ-କଷରା ଛାତି ହାଡ଼ ଦିଶିଲା ସେମାନଙ୍କୁ ଧରି ଯେତେବେଳେ କାନ୍ଦିଲା- କିଏ କହିଲା ପାଗଳ, କିଏ କହିଲା ବାୟା
ତା ପରେ ଯେଉଁ ଦିନ ମାଗୁଣିର କୁଡ଼ିଆ ଦୁଆର ଭାଙ୍ଗି ଗାଁଲୋକେ ତା ଶବ କାଢ଼ିଲେ, ଦେଖିଲେ ଛିଣ୍ଡା କତରା ତଳେ ପାଞ୍ଚଣ ବାଡ଼ି ଖଣ୍ଡିକ ଶୁଆଇଦେଇ ମାଗୁଣି ଆଖି ବୁଜିଦେଇଛି ମଶାଣିରେ ନିଆଁ ଜଳିଲା, ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ ପୃଥିବୀର ଦୁଇଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ- “ଆହା, ମାଗୁଣି ଚାଲିଗଲା !”
ମତାମତ ସଂଖ୍ୟା - ୧୯ ଆପଣଙ୍କ ମତାମତ ?
୧. ପୂର୍ଣ୍ଣ ଚନ୍ଦ୍ର ରଥ | ଅକ୍ଟୋବର୍ ୧୩, ୨୦୧୧ - ୬:୧୨ ପୂର୍ବାହ୍ନ
ମୋ ଗାଁ ଖଲ୍ଲିକୋଟର ଗୋଟିଏ ସତ୍ୟ କାହାଣୀ ପୁଣି ପଢି ଭାବାନ୍ତର ସୃଷ୍ଟି ହେଲା ଗୋଦାବରୀଶ ମହାପାତ୍ରଙ୍କ ଅଧିକାଂଶ କାହାଣୀ ସତ୍ୟ ଉପରେ ପର୍ଯ୍ୟବେଷିତ ଥିଲା ଏଥିରେ ବର୍ଣିତ ସିଂହ ହେଉଛନ୍ତି ଲୋକନାଥ୍ଗ ସିଂହ ଦିଲିପ୍ କୁମାରଙ୍କ ନୟା ଦୌର୍ ସିନେମା ପ୍ରସ୍ତୁତ ହେବାର ବହୁ ପୂର୍ବରୁ ଏହି କାହାଣୀ ଲେଖା ହୋଇଥିଲା ସିଂହ ଘର ବସ୍ ଟି କୋଇଲାରେ ଚାଲୁଥିଲା ସେହି ବସ୍ ର୍ କିଛି ଭଗ୍ନଯନ୍ତ୍ରାଂଶ ଏବେ ମଧ୍ୟ ସିଂହ ଘରେ ଅଛି
୨. ସୁରେନ୍ଦ୍ର କୁମର ମିସ୍ର | ଅକ୍ଟୋବର୍ ୧୪, ୨୦୧୧ - ୮:୩୩ ପୂର୍ବାହ୍ନ
DanyaBad Odia Sahitya…………………………
୩. ତନ୍ମୟ ମିଶ୍ର | ଅକ୍ଟୋବର୍ ୧୪, ୨୦୧୧ - ୮:୩୫ ପୂର୍ବାହ୍ନ
ଏକ ଅତି ଉତ୍ତମ ପରିପ୍ରକାଶ, ଏହି ଗପଟି ପଢିବାକୁ ବହୁତ ଦିନରୁ ଇଚ୍ଛା ଥିଲା, ଆଜି ପୂରଣ ହେଲା, ବହୁତ ଧନ୍ୟବାଦ
୪. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା | ଅକ୍ଟୋବର୍ ୧୫, ୨୦୧୧ - ୩:୪୦ ପୂର୍ବାହ୍ନ
ଧନ୍ଯବାଦ୍ , ଭଲ ଲାଗିଲା
୫. ସୁଦାମବଂଧୁ ଭଟ୍ଟମିଶ୍ର | ଅକ୍ଟୋବର୍ ୨୬, ୨୦୧୧ - ୧୨:୫୯ ପୂର୍ବାହ୍ନ
ମାଗୁଣିର ଶଗଡ଼, ଓଡ଼ିଆ ଗଳ୍ପ ସାହିତ୍ୟର କ୍ଳାସିକ୍ ଏମିତି ଆହୁରି କିଛି ବଛା ବଛା ଗପ ଦିଅନ୍ତୁ ଖୁବ୍ ଭଲ ଲାଗିଲା
୬. BIBHU DUTTA PADHY | ନଭେମ୍ବର୍ ୭, ୨୦୧୧ - ୧୧:୧୪ ଅପରାହ୍ନ
A HEART TOUCHING STORY INDEED
୭. Abhimanyu Rout | ନଭେମ୍ବର୍ ୧୪, ୨୦୧୧ - ୬:୪୫ ପୂର୍ବାହ୍ନ
ଗ୍ଲପ ବହୁତ୍ ଭଲ ଲାଗିଲା ,ଏମିତି ଆହୁରି କିଛି ବଛା ବଛା ଗପ ଦିଅନ୍ତୁ
୮. Santosh Kumar Panda | ଜୁଲାଇ ୨୧, ୨୦୧୨ - ୭:୦୨ ପୂର୍ବାହ୍ନ
Truely a heart touching story & tears in the eyes….salute to the master writer…
୯. Trilochan Das | ଡିସେମ୍ବର୍ ୨୦, ୨୦୧୨ - ୩:୧୩ ପୂର୍ବାହ୍ନ
Gapa ti oriya sahitya ra eka amulya ratna.
୧୦. Dilip kumar Acharya | ଏପ୍ରିଲ୍ ୧୮, ୨୦୧୩ - ୧୧:୨୭ ଅପରାହ୍ନ
ବହୁତ ଭଲ ଲାଗିଲା
୧୧. ଧିରେନ୍ ମାଟିଆରୀ, ସାହେବୀ,ସମ୍ବଲ ପୁର | ଜାନୁଆରୀ ୨୨, ୨୦୧୬ - ୪:୨୫ ପୂର୍ବାହ୍ନ
ଗଳ୍ପକୁ ପଡ଼ି ମତେ ବହୁତ ଭଲ ଲାଗିଲା।Mo ହୃଦୟରେ ଦୁଃଖ ଖେଳିଗଲା।
୧୨. ସୁଶାନ୍ତ ସାହୁ, ତାଳପଡା ଖଲିକୋଟ | ଜୁଲାଇ ୧୧, ୨୦୧୬ - ୪:୫୭ ପୂର୍ବାହ୍ନ
ମାଗୁଣୀ ର ଶଗଡ ଗପ ବହୁତ ଭଲଲାଗିଲା
୧୩. ରବିନାରାୟଣ ପାଣିଗ୍ରାହୀ, ବାଲେଶ୍ୱର | ଜୁଲାଇ ୮, ୨୦୧୭ - ୫:୧୮ ପୂର୍ବାହ୍ନ
ଗଳ୍ପଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଈଛି। ପଢିଲା ବେଳେ ଶରୀର ରୋମାଞ୍ଚିତ ହୋଇଗଲା।
୧୪. ଦିଵାକର ମଢୁଆଳ, ବାଲେଶ୍ବର | ସେପ୍ଟେମ୍ବର୍ ୧୧, ୨୦୧୮ - ୮:୩୪ ପୂର୍ବାହ୍ନ
ବହୁତ ଦିନ ର ଇଚ୍ଛା ପୁରଣ ହେଲା।ପିଲା ଦିନେ ପଢି ଥିଲି।
୧୫. ସୁଶାନ୍ତ କୁମାର ଦାଶ, ରାଉରକେଲା ,ସୁନ୍ଦରଗଡ଼ ,ଓଡିଶା | ଜାନୁଆରୀ ୩୧, ୨୦୧୯ - ୮:୧୨ ପୂର୍ବାହ୍ନ
ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା ମାଗୁଣୀ ଓ ତାର ଦୁଇ ପ୍ରାଣୀ କାଳିଆ କସରାକୁ ମୃତ୍ୟୁ ମୁଖକୁ ଠେଲି ଦେଇଛି । ମାଗୁଣି ଚରିତ୍ରରେ ଗାଳ୍ପିକ ଗୋଦାବରୀଶ ମହାପାତ୍ର ପ୍ରାଚୀନ ଜ୍ଞାନ କୌଶଳ ଆଧୁନିକ ଯନ୍ତ୍ର କୌଶଳ ମଧ୍ୟରେ ସଂଘର୍ଷର ଚିତ୍ର ଦେଖାଇଛନ୍ତି
୧୬. ଝରଣା ମହାରଣା, ଖୋର୍ଦ୍ଧା, ପାଣିଛତ୍ର | ମାର୍ଚ୍ଚ୍ ୨୩, ୨୦୧୯ - ୭:୨୦ ପୂର୍ବାହ୍ନ
‘ମାଗୁଣିର ଶଗଡ଼’ ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ….ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର କୌଶଳରେ ଗଢା ଯାନବାହାନ ମଧ୍ୟରେ ଯେଉଁ ପ୍ରଭେଦ ଦେଖାଇଛନ୍ତି ତାହା ଗ୍ରହଣୀୟ।
୧୭. Dilip Kumar Misra, Carmel, New York, USA | ମାର୍ଚ୍ଚ୍ ୩୦, ୨୦୨୦ - ୧୨:୦୫ ଅପରାହ୍ନ
I am now nearing 80 years. I have seen Sri Godabarish Mohapatra in my childhood. He was know to my respected and loving father Dr. Ramakant Misra. I remember seeing Godabarish Babu visiting our house in Rousulkonda, present name Bhanjanagar, in 1950. My father, who was posted there as Assistant Surgeon invited him for dinner. I have also met him many times in Cuttack, in his “Niakhunta” press. He was publisher and editor of the most critical monthly magazine with the same name as the press.
I love his writing very much. Till this late age and a migrated Odia, I frequently recite in loud voice his famous poem “Utha kankaka” which was in our matriculation course.
I bow my head in respect to the great personality of my loved Odisha.
Dilip Misra
Carmel, New York, USA
୧୮. Dilip Kumar Misra, Carmel, New York, USA | ମାର୍ଚ୍ଚ୍ ୩୦, ୨୦୨୦ - ୧୨:୨୩ ଅପରାହ୍ନ
Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing through google search, I came across Godabarish Babu’s writing and went through in one breath. My childhood memories flashed back.
I very much appreciate the endeavors of circulating such wonderful Odia literatures.
God bless for such work of keeping our glorious literatures live.
Dilip Misra
Carmel, New York, USA
http://www.mysoreoriya.org
୧୯. ଦିବାକର ମଢୁଆଳ, ବାଲେଶ୍ୱର, ଓଡିଶା | ଅକ୍ଟୋବର୍ ୧୫, ୨୦୨୦ - ୯:୨୮ ପୂର୍ବାହ୍ନ
ଗୋଦାବରୀଶ ଙ୍କ ର ମାଗୁଣି ର ଶଗଡ଼ ଏକ କାଳଜୟୀ ସୃଷ୍ଟି, ଏହା ମୁଁ ଅନେକ ଥର ପଢ଼ିଛି. କିନ୍ତୁ ଏହାକୁ ଯେତେ ପଢିଲେ ବି ମନ ବୁଝେନାହିଁ. ଆହୁରି ପଢିବାକୁ ଇଛାହୁଏ. ବହୁତ ଧନ୍ୟବାଦ ଯେ ଆଜି ଯେତେବେଳେ ଇଛା ପଢି ହଉଛି. ଆହୁରି ପୁରୁଣା ଗଳ୍ପ ଓ କବିତା upload କରିବାକୁ ଅନୁରୋଧ, ଯଥା -ସୁଅ ମୁଁହରେ ପତର ଇତ୍ୟାଦି