ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଶମ୍ଭୁଚରଣ କବି ବନିଯିବା ଆମ ପାଖରେ ଯେତିକି ଆଶ୍ଚର୍ଯ୍ୟଜନକ ଘଟଣା ନଥିଲା, ତା’ଠୁ କାହିଁକି କେତେଗୁଣ ବିସ୍ମୟକର ଘଟଣା ଥିଲା ଶମ୍ଭୁଚରଣ ଦାତାକର୍ଣ୍ଣ ବନିଯିବା ଏମିତିରେ ବନ୍ଧୁ ମହଲରେ ଶମ୍ଭୁଚରଣର ଭାରି ଦୁର୍ନାମ, କୃପଣ ବୋଲି ପେଟ୍ରୋଲ ଖର୍ଚ୍ଚ ହେଇଯିବ ବୋଲି ସେ ଦିନେହେଲେ ସ୍କୁଟର୍ ଚଳେଇ ବି କୁଆଡ଼େ ଯିବାର କେହି ଦେଖିନି ଚାଲିଲେ ବ୍ୟାୟମ ହୁଏ ଓ ରକ୍ତସଂଚାଳନ ଭଲହୁଏ ବୋଲି ସେ କେବେ ବି ରିକ୍ସା କରେନାହିଁ ଅଫିସ୍ରେ କେବେ ଦିନେ ଚା’ କପେ କି ସିଗାରେଟ୍ ଖଣ୍ଡେ ପିଇବାର କି କାହାରିକୁ ଯାଚିବାର କେହି ଦେଖିନାହିଁ ହାଟକୁ ଗଲେ, ସେ ଦି’ଘଣ୍ଟା ସମୟ ନିଏ ପ୍ରଥମେ ସେ ହାଟର ଏମୁଣ୍ଡରୁ ସେ ମୁଣ୍ଡ ବୁଲିଯାଏ, ସବୁ ପରିବା’ର ଦାମ୍ ପଚାରି ପଚାରି ତା’ପରେ, (ଅଦ୍ଭୁତ ସ୍ମୃତି ଶକ୍ତି ତା’ର) ସେ ଫେରି ଆସେ ସବୁଠୁ କମ୍ ଦାମ୍ରେ ମିଳୁଥିବା ପରିବାବାଲାମାନଙ୍କ ପାଖକୁ ପରିବା କିଣିବା ବିଷୟରେ ତା’ର ନିଜସ୍ବ କେତୋଟି ପଦ୍ଧତି ସେ ଉଦ୍ଭାବନ କରିଛି ଯଥା: ଏକତ୍ର କିଲେ ବାଇଗଣ କିଣିଲେ ଯେତିକି ବାଇଗଣ ଆସିବ, ଯଦି ଅଢ଼େଇ ଶହ ଲେଖେଁ ଚାରିଥର କିଣାଯାଏ, ତା’ଠୁ ବହୁତ ବାଇଗଣ ବେଶି ମିଳିବ ଏମିତି ସେସବୁ ବାଇଗଣକୁ ତଉଲେଇଲେ ଦେଢ଼ କେଜି ବାଇଗଣ ହେଇଯିବ କାରଣ, ପ୍ରତିଥର ଓଜନ କଲାବେଳେ ଦଣ୍ଡି ଟିକିଏ ବେଶି ଝୁଲେଇକି ଦେବ ପରିବା ବାଲା ଓ ଚାରିଥର ଓଜନ କଲେ, ଦଣ୍ଡି ଝୁଲେଇଥିବା ବାଇଗଣ ସବୁ ଓଜନ ଅଧ କେଜିକ ସାଙ୍ଗରେ ସମାନ ହୋଇଥିବ ଦ୍ବିତୀୟ ପଦ୍ଧତିଟି ହେଲା, ଧରାଯାଉ ଶମ୍ଭୁଚରଣ ଅଢ଼େଇଶହ ବାଇଗଣ କିଣିଲା ପ୍ରଥମଥର ତା’ର ଦାମ୍ ହେଉଚି ଷାଠିଏ ପଇସା ଶମ୍ଭୁଚରଣ ପଚାଶ ପଇସା ଦେଲା ଓ କହିଲା ତା’ ପାଖରେ ଆଉ ରେଜା ନାଇଁ ପନ୍ଦର ମିନିଟ୍ ପରେ ପୁଣି ଥରେ ପଚାଶ ପଇସାରେ ଅଢ଼େଇ ଶହ ପୁଣି ପନ୍ଦର ମିନିଟ୍ ପରେ ପୁଣି ପଚାଶ ପଇସାରେ ଏମିତି କିଲେ ବାଇଗଣକୁ କିଣିଲା ସେ ଦୁଇଟଙ୍କାରେ ଅଥଚ ଏକାଥରେ କିଣିଲେ ସେ ଦେଇଥାନ୍ତି ଦୁଇଟଙ୍କା ଚାଳିଶି ପଇସା ପୁରା ଚାଳିଶି ପଇସାର ଲାଭ ଆହୁରି, ତା’ର ପ୍ରଥମ ଉପପାଦ୍ୟ ଅନୁଯାୟୀ ସେ ପାଉଛି ଦେଢ଼ କିଲୋ ବାଇଗଣ, ଯା’ର ଦାମ୍ ହେଉଚି ତିନିଟଙ୍କା ଷାଠିଏ ଏମିତିରେ ତା’ର ଲାଭ ହେଲା ଟଙ୍କାଏ ଷାଠିଏ
ଶମ୍ଭୁଚରଣର ଏସବୁ ଉଦ୍ଭାବନ ଆମ ପାଖରେ ଥିଲା ଅତୀବ କୌତୂହଳ ଓ ରହସ୍ୟର ବିଷୟ ଆମେ ତା’କୁ ଏ ସମ୍ପର୍କରେ ଥଟ୍ଟା କରିବାକୁ ଛାଡ଼ୁନଥିଲୁ ଓ ସେ ବିନା ବାକ୍ୟବ୍ୟୟରେ ଲାଜେଇକି ହସି ଦେଉଥିଲା ମାତ୍ର ଶମ୍ଭୁଚରଣର ଏଭଳି ଲାଜୁଆ ହସ ଓ ଅପ୍ରତିଭ ଚେହେରା ଆମ ପାଖରେ କୌତୁକର ଖୋରାକ୍ ଯୋଗାଉଥିଲେ ବି, କେଉଁଠି କେମିତି ଗୋଟେ ସ୍ନେହ, ଦୟା ଓ କରୁଣା ମିଶି ରହିଥିଲା
ଏଭଳି ଶମ୍ଭୁଚରଣ ତା’ର କିଛି ବନ୍ଧୁଙ୍କୁ ଡାକି ବରା ଓ ମିଠା ଖୁଆଇବା ଆରମ୍ଭ କରିଦେବ ହଠାତ୍ ଏଭଳି ଖବର ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦେବାକୁ ଯଥେଷ୍ଟ ନଥିଲା? ଦିନେ ମୋତେ ଭାଇନା ହୋଟେଲ୍କୁ ଡାକିନେଇ ଖାଲି ଯେ, ବରା ଖୁଆଇଲା ସେତିକି ନୁହେଁ ତା’ ଭାଉଜ ଓ ପୁତୁରା ଝିଆରୀଙ୍କ ପାଇଁ ଚାରୋଟି ରସଗୋଲା ଗୋଟେ ମାଟି ଠେକିରେ ‘ପାର୍ଶଲ୍’ କରିଦେବା ପାଇଁ ଅର୍ଡ଼ର୍ ଦେଲା ଯେତେବେଳେ, ମୋର ସନ୍ଦେହ କରିବାର ଆଉ ଅବକାଶ ରହିଲା ନାହିଁ ଯେ ସେ ନିର୍ଘାତ ପାଗଳ ହୋଇଯାଇଛି
ମୋର ସନ୍ଦେହ ତା’ ଆଗରେ ପ୍ରକାଶ କରନ୍ତେ, ସେ ଏମନ୍ତ ସଫେଇ ଦେଲା ଯେ, ନା’ ତା’ର ମୁଣ୍ଡ ଖରାପ ହେଇନାହିଁ ସେ କୌଣସି ଦାନ ଛତ୍ର ଖୋଲି ନାଇଁ ଯେ, ଅଫିସ୍ ସାରା ଲୋକଙ୍କୁ ବରା ଓ ମିଠା ଖୁଆଇବ ସେ କେବଳ ତା’ର ସମଧର୍ମୀ ମାନଙ୍କୁ ଖୁଆଉଛି, କାରଣ ସେ ଏକ ନୂଆ ଜଗତରେ ପାଦ ଦେଇଚି ଓ ସେଇ ଜଗତର ବାସିନ୍ଦାମାନଙ୍କ ସାଙ୍ଗରେ ଚିହ୍ନା ପରିଚୟ ହେବା ପାଇଁ ଏଭଳି ଖର୍ଚ୍ଚବାର୍ଚ୍ଚ କରିବାକୁ ପଡ଼ୁଛି
ନୂଆ ଜଗତ କ’ଣ? କିଏ ତା’ର ବାସିନ୍ଦାମାନେ? ନା, ଲାଜେଇକି, ମୁରୁକି ମୁରୁକି ହସି ସେ କହିଲା, ସେ ଏବେ ସାହିତ୍ୟ ଜଗତରେ ପାଦ ଦେବାକୁ ବସିଛି ଓ ସାହିତ୍ୟ ସୃଷ୍ଟି କରୁଛି, ଅର୍ଥାତ୍ ଶମ୍ଭୁଚରଣ କବି ବନିଯାଇଛି
ଏତେ ପ୍ରକାର କାମ ଥାଉ ଥାଉ ଏମିତି ବେକାର ଧନ୍ଦାଟି କାହିଁକି ଶମ୍ଭୁଚରଣ ମୁଣ୍ଡେଇ ନେଲା, ଭାବି ଆମେ ସବୁ ଆଶ୍ଚର୍ଯ୍ୟ ହେବାକୁ ଯାଉଛୁ, ସେତେବେଳେ ଶମ୍ଭୁଚରଣ ଆମ ଆଶଙ୍କାଗୁଡ଼ିକୁ ଗୁରୁତ୍ବ ନଦେଇ କହିଲା ଯେ, କବିତା ସେ ଲେଖୁନାହିଁ, ବରଂ କବିତା ତା’କୁ ନେଇ ଲେଖେଇ ହେଉଛି ଏସବୁ ଐଶ୍ବରିକ ଶକ୍ତି କାଳିସୀ ଲାଗିଲା ଭଳି ତା’କୁ କବିତା ଘାରୁଛି ଓ ସେଇ ସମୟରେ ତା’ପାଖରେ ସ୍ତ୍ରୀ, ପୁତ୍ର, କନ୍ୟା ପରିବାର, ଚାକିରି, ସଂସାର ସବୁ ତୁଚ୍ଛ ମନେ ହେଉଛି
ଶମ୍ଭୁଚରଣ ଅଚିରେ ଦାଢ଼ି ବଢ଼େଇବାକୁ ଲାଗିଲା, ଜିନ୍ ପ୍ୟାଣ୍ଟ ଓ ଖଦଡ଼ ପଞ୍ଜାବୀ ପିନ୍ଧିଲା କାନ୍ଧରେ କନାର ବ୍ୟାଗ୍ ଝୁଲେଇବା ଓ ପୁଅକୁ ଗଣିତ ପଢ଼େଇବା ଛାଡ଼ି ଦେଇ କବିତା ପାଠୋତ୍ସବରେ ଯୋଗଦେଇ କିମ୍ବା ଦୈନିକ ସମ୍ବାଦପତ୍ରମାନଙ୍କର ସାପ୍ତାହିକ ସାହିତ୍ୟ ବିଭାଗ ସମ୍ଭାଳୁଥିବା ସାମ୍ବାଦିକ-ସାହିତ୍ୟିକ-ସମ୍ପାଦକ ତଥା ଓଡ଼ିଆ ସାହିତ୍ୟର ନିଜେ ଭାଗ୍ୟ ବିଧାତା ବୋଲାଉଥିବା ଯୁବ ପ୍ରତିଭା ଏ ଗୁଲିଖଟି ଆଡ୍ଡାରେ ଗପସପ ଜମେଇ (ଅବଶ୍ୟ ବରା ଓ ମିଠା ଖୁଆଇ) ଫେରୁଥିବା ଶମ୍ଭୁଚରଣ ଯେ ପାଗଳ ହେଇଯାଇଛି, ସେ ସମ୍ପର୍କରେ ତା’ର ପରିବାରର କୌଣସି ସନ୍ଦେହ ନଥିଲା
ଥରେ ଶମ୍ଭୁଚରଣ ଘରକୁ ଗଲାବେଳେ ଦେଖିଲି ଶମ୍ଭୁଚରଣର ‘ପରିବାର’ ଉଗ୍ର ଚଣ୍ଡୀ ଭାବରେ ଘରର ଜିନିଷପତ୍ର ଫିଙ୍ଗାଫୋପଡ଼ା କରୁଛି କଥା କ’ଣ? ବୁଝୁବୁଝୁ କ’ଣ ନା-ପୁଅର ଗଣିତ ବହିରେ ଗୋଟେ ଅଙ୍କଥିଲା ଅଙ୍କଟି ଏଇଭଳି: ତିନୋଟି ଘଣ୍ଟା ଯଦି ୧୦, ୧୫, ୨୦ ମିନିଟ୍ ଅନ୍ତରରରେ ଥରେ ଚାଇଁ କରନ୍ତି ଓ ବାରଟା ପନ୍ଦର ମିନିଟ୍ରେ ସେମାନେ ଣେଷ ଥର ପାଇଁ ଏକାଠି ଚାଇଁ କରିଥିଲେ, ତେବେ କେତେ ସମୟ ପରେ ସେମାନେ ଆଉଥରେ ଏକାଠି ଚାଇଁ କରିବେ?
ଅଙ୍କଟି ବୁଝଉ ବୁଝଉ ଶମ୍ଭୁଚରଣ ଖୁବ୍ ଭାବାବେଗରେ ଆବେଶିତ ହେଇ ପଡ଼ିଥିଲା ପ୍ରତି ଦଶ ପନ୍ଦର ଓ କୋଡିଏ ମିନିଟ୍ରେ ଘଣ୍ଟା ଗୁଡ଼ିକ ଚାଇଁ କରିବାର ଅସହାୟତା, ବାଧ୍ୟବାଧକତା, କିଏ କଲା ଏ ନିୟମ? ହେ ନିଷ୍ଠୁର ବୈଜ୍ଞାନିକ, ଯାନ୍ତ୍ରିକ ଓ ଅଙ୍କ ବିଶାରଦମାନେ, କାହିଁକି ଏ ସିସିପସୀୟ ଯନ୍ତ୍ରଣା? ଘଣ୍ଟାମାନଙ୍କର କ’ଣ ମୁକ୍ତି ନାଇଁ ଆଉ? ପୁଅର ଅଙ୍କ ଖାତାରେ କବିତା ଲେଖି ପକେଇଥିଲା ଶମ୍ଭୁଚରଣ, ଯାହା ତା’ର ଆଲୁଳାୟିତ କେଶ, ସ୍ଖଳିତ ବସନମାଳା: ‘ପରିବାର’ର ତାଣ୍ଡବନୃତ୍ୟ ପାଇଁ ଯଥେଷ୍ଟ ଥିଲା
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ତରୁଣ, ଆଇ.ଆଇ.ଟି. ଦୀଲ୍ଲି | ସେପ୍ଟେମ୍ବର୍ ୧୨, ୨୦୧୪ - ୧୦:୪୬ ପୂର୍ବାହ୍ନ
ସୁନ୍ଦର ହୋଇଛି ଗପଟି
୨. rasmi, ନୋଇଡା | ମାର୍ଚ୍ଚ୍ ୧୯, ୨୦୧୫ - ୯:୦୬ ଅପରାହ୍ନ
ସ୍ୱର୍ଗତ ଜଗଦୀଶ ମହାଂତି ବହୁତ ଜଲ୍ଦି ଚାଲିଗଲେ..
୩. rasmi | ମାର୍ଚ୍ଚ୍ ୧୯, ୨୦୧୫ - ୯:୧୫ ଅପରାହ୍ନ
ଗଳ୍ପଟି ବହୁତ ଭଲ ଲାଗିଲା.. ଆଜି କାଲିର କବିର ପ୍ରକୃତ ସ୍ଥିତି ବି ଏମିତି (ଏ ଗପଟି ବୋଧେ କୋଡିଏ/ ତିରିଶ ବର୍ଷ ତଳେ ଲେଖାଯାଇଥିବ).. ..