ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଉଡ଼ିଯା’ରେ ଜୀବପକ୍ଷୀ
 |- ହରପ୍ରସାଦ ପରିଚ୍ଛା ପଟ୍ଟନାୟକ
 
 
ତା: ଫେବୃଆରୀ ୧୮, ୨୦୨୨  
 

ଯା’ ଯା’ରେ ଜୀବପକ୍ଷୀ
ଉଡ଼ିଯା’ ଉଡ଼ିଯା’
ହାଉଲେ, ହାଉଲେ ନୁହେଁ
ଡେଣା ତେନ୍ତାରୀ ଉଡ଼ିଯା’।

କାହିଁ ଦୂର ଆକାଶରେ
ଆଲୁଅ ନଥିବା ଦୂର ଆକାଶରେ
ଆଖି ପାଉନି ଜାଣିପାରୁଛି
ଗୋଟିଏ ଜୀବବୃକ୍ଷ ଘୂରି ବୁଲୁଛି
କ’ଣ ତାର ନାଁ?
ଯା’, ସେଠିକି ଉଡ଼ି ଯା’

ଅମରଣର ଅଭିଶାପରେ
ଅଙ୍କୁରିତ ସେ ଅଦୃଶ୍ୟ ବୃକ୍ଷ
ଏବେ ମାଡ଼ି ବସିଛି ଆଖପାଖ
ମରୁଭୂମି, ମାଟି ଓ ସମୁଦ୍ର
ପୁଣି ପୂରା ଆକାଶ।
ଗୋଟିଏ ଅଦୃଶ୍ୟ ଭୟ
ଯେପରି ଗୋଡ଼ାଇ ଆସୁଛି
ନିଃଶ୍ୱାସ ପ୍ରଶ୍ୱାସରେ, ଛୁଇଁଦେଲେ
ଛାତି ଭିତରେ ଯେପରି ପଶିଯାଉଛି
ଶୋଷି ନେଉଛି ରକ୍ତ,
ଏ ଖୋଲା ମେଲା ମଣିଷ ବଞ୍ଚିବ କିପରି?

ଛାଇ ତାର ଏପରି ଯେ
ହିମାଳୟ ମାଗିବ କମ୍ବଳ
ବେଳେ ବେଲେ ସବୁ ନଦୀ ଶୁଖିଯିବେ
ତା ଶୋଷରେ, ଶୁଖିଯିବେ।

କେତେବେଳେ ସେ ଭୟ ବୃକ୍ଷଟିଏ
ହୋଇଯାଏ। ସାରିଦିଏ ସମସ୍ତଙ୍କୁ
ଏପରି ବୃକ୍ଷକୁ କେବେ ଜାଣିଥିଲୁ?
ଅକସ୍ମାତ ଦେଖାହେଲେ ତାକୁ
ସେ ଡାକିବ ତତେ
ଓ ତୋର ବେଗ ହୋଇଯିବ
ଶତ ସହସ୍ର କୋଶ,
ତାର ବି ତୋଠାରୁ ଅଧିକ।

ଜାଣିଛୁ? ସେ ବୃକ୍ଷରୁ ପତ୍ର ଝଡ଼େ ନାହିଁ
ଫୁଲ, ଫଳ ଖସେ ନାହିଁ
ଡାଳ, ଗଣ୍ଡି ଶୁଖେ ନାହିଁ;
ସିଏ ଡାକୁଛି ତ! ଯା’ ଉଡ଼ିଯା’
ତାର ଅନ୍ତରାତ୍ମା ହୋଇଯା’।

ସେଠି ମୃତ୍ୟୁ ନାହିଁ କି
ପୂନର୍ଜନ୍ମ ନାହିଁ। ଖାଲି ହତାଶା

ଚାଲ ଆମେ ଭସ୍ମ କି ଭୂତାଣୁ ଭୟରୁ
ଏକାକିତ୍ୱର ଭୟରୁ ମୁକ୍ତି ପାଇଁ ଉଡ଼ିଯିବା
ସେଇ ଗଛକୁ ଯେଉଁଠି ଜୀବନ ନ ଥାଇପାରେ,
ମୃତ୍ୟୁ ବି ନ ଥାଇପାରେ।
ଥାଏ ଖାଲି ଆକସ୍ମିକ ଆଶ୍ଚର୍ଯ୍ୟ।

ମାନବୀୟ ଚେତନା ଓ ମାନବିକ ସମ୍ବେଦନାର ଏକ ଅନନ୍ୟ ପ୍ରତିଭାବାନ କବି ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କର ଦେହାନ୍ତ ହୋଇଯାଇଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ଫେବ୍ରୁଆରୀ ମାସ ୧୬ ତାରିଖ ଦିନ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ ପାଇଁ ଅତିଥି ସମ୍ପାଦକଭାବେ କିଛି ବର୍ଷ କାର୍ଯ୍ୟ କରିଥିବା ସ୍ୱର୍ଗତ ହରପ୍ରସାଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ରଚିତ କବିତା ‘ଉଡ଼ିଯାରେ ଜୀବପକ୍ଷୀ’। ତାଙ୍କ ରଚିତ କବିତା ‘ଦୁଲ୍‌ ମିଆଁ ପ୍ରତି କୁକୁଡ଼ାର ଉକ୍ତି’ ଖୁବ୍ ଚର୍ଚ୍ଚିତ ହୋଇଥିଲା। ସେହି କବିତାର କିଛି ଅଂଶ ଏହିଭଳି ;

‘‘ଧୀରେ ଧୀରେ କରି ବେକ କାଟିବୁରେ ଦୁଲ୍‌ମିଆଁ, ଦୁଲ୍‌ମିଆଁ
ମାଇପି ଲୁହରେ ବନ୍ୟା ହୋଇଲେ, ମେଦିନୀ ଥରିବ ବୁଡ଼ିଯିବ ଯେତେ କୋଠାଘର ସବୁ,
ଅପଦସ୍ତ ହେବ ମାଲିକ ତୋହର ବିଧାନ ସଭାରେ ଜଳିବ ନିଆଁ,
ଦୁଲ୍‌ମିଆଁ, ଦୁଲ୍‌ମିଆଁ୤’’

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ହରପ୍ରସାଦ ପରିଚ୍ଛା ପଟ୍ଟନାୟକ
ହରପ୍ରସାଦ ପରିଚ୍ଛା ପଟ୍ଟନାୟକ
ଇଂରାଜୀ ଭାଷା ସାହିତ୍ୟର ପ୍ରାଧ୍ୟାପକ ଏବଂ ପ୍ରବୀଣ ଅନୁବାଦକ-ସମାଲୋଚକ ହରପ୍ରସାଦଙ୍କ ଜନ୍ମ ୧୯ ଅକ୍ଟୋବର ୧୯୫୩ରେ ଗଞ୍ଜାମ ଜିଲ୍ଲାର ବିକ୍ରମପୁର ଗାଁରେ ହୋଇଥିଲା। ୧୯୭୫ରୁ ଇଂରାଜୀ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରି ସେ ସୁନ୍ଦରଗଡ଼ ସରକାରୀ ମହିବିଦ୍ୟାଳୟ ଓ ବିଜେବି କଲେଜ ସମେତ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ‌େର ଶିକ୍ଷାଦାନ କରିଥିଲେ। ସେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଲେଖାଲେଖି କରୁଥିଲେ। ସେ ଇଂରାଜୀ ପତ୍ରିକା ‘ପ୍ରୋବିଟାସ୍’ ଓ ‘ଭର୍ଟେକ୍ସ’ ଏବଂ ସାହିତ୍ୟ ପତ୍ରିକା ‘ଆବର୍ତ୍ତ’ର ସଂପାଦନା କରିଥିଲେ। ମାନବିକ ସମ୍ବେଦନଶୀଳତା... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤