ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ତୁମ ପରି ଛୋଟ ପିଲାଟିଏ
ଗାଆଁ ଚାହାଳୀର ଚାଟ ସିଏ
ଚେହେରାଟି ତାର ଡଉଲ ଡାଉଲ
ବୁଦ୍ଧିରେ ତାହାର ସରି କିଏ ?
ଛାଡ଼ି ଯାଇଥିଲା ଦିନେ ଝଡ଼ି
ବାହାରିଲା ସିଏ ପାଠ ପଢ଼ି
ବାଟେ ଯାଉଯାଉ ଖସିଗଲା ଗୋଡ଼
ମୁଁହମାଡ଼ି ତଳେ ଗଲା ପଡ଼ି ।
ଗୁରୁଜୀ ଦେଖିଲେ ଦେହ ତାର
ପାଣି କାଦୁଅରେ ସରସର
ତିଳେ ହେଁ ସେଥିକୁ ଖାତର ନକରି
ଆସିଅଛି ହୋଇ ତରବର।
ପଚାରିଲେ ଗୁରୁ ଏ’କି ହେଲା
ଏତେ ସରି ତୋତେ କିଏ କଲା
ପିଲାଟି କହିଲା ବେଗେ ଆସୁଆସୁ
କାଦୁଆରେ ଗୋଡ଼ ଖସିଗଲା ।
ହେଲା ଦଶହରା ଛୁଟିବେଳ
ପିଲାଟି ସଭିଙ୍କି କଲା ମେଳ
ମାଟି, ଗୋଡ଼ି, ବାଲି ପକାଇ ସଭିଏଁ
ଗାଆଁ ମାଟି କଲେ ସମତୁଲ ।
ଏହା ଦେଖି ଲୋକେ ହେଲେ କାବା
ଡକାଇଲେ ଗୁରୁ ଚାଟସଭା
କହିଲେ ଏଭଳି ଭଲକାମ କଲେ
ନିଶ୍ଚେ ଆମେ ଦିନେ ବଡ଼ହେବା।
ବଡ଼ ହେଲା ଦିନେ ସେହି ପିଲା
ମଧୁ ବାରିଷ୍ଟର ବୋଲାଇଲା
ଦେଶ ପାଇଁ କେତେ କାମ କରି ସିଏ
କାଳ କାଳ ଯଶ ରଖିଗଲା।
କହିଲା ଜାତିର କାନେ କାନେ
ଉଠିବୁ ଆଉ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ମହିମା
ପଡୁନାହିଁ କିରେ ତୋର ମନେ ?
ତେଜଭରା ତା’ର ବୀରବାଣୀ
ନବଜାଗରଣ ଦେଲା ଆଣି
ନୂଆ ଜୀବନର ଆଲୋକ ଦେଖାଇ
କୋଟି ଜନମନ ନେଲା ଟାଣି॥