ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମାଟିର ପ୍ରଦୀପ ଯେବେ ଲିଭି ଆସେ ଗହନ ରାତିରେ
କ୍ଷୀଣ କ୍ଷୀଣତର ହୋଇ ସବୁ ଜହ୍ନ ଲୁଚିଯାଏ ଧୀରେ
କେତେ କଥା ଭୁଲି ହୁଏ ସେହିଭଳି ତୁମ ଗାଁ ଛୁଇଁଲେ
ଭୁଲି ହୁଏ ଅକାତରେ ତୁମ ଗାଁ ନଈ ପାରି ହେଲେ।
ସେଠାରେ ସାଗରସିକ୍ତ ଚାଉଁ ଚାଉଁ କାଉଁରୀ ପବନେ
ଯୋଜନ ଯୋଜନ ପଥ ଦୂରାଗତ ଜହ୍ନର ଝରଣା,
ମାଇଲ ମାଇଲ ଧରି ବିଲଭୂଇଁ, ଅନ୍ୟ ଦିଗେ ଶୂନ୍ୟ ବାଲୁଚର
ରାତିର କପୋତ ଭଳି ତୁମ ଗାଆଁ ତା’ ଭିତରେ ଏକାନ୍ତ ସ୍ତିମିତ,
ପ୍ରଥମ ଦେଖାରେ ମୋର ମନେହେଲା କେତେ ପରିଚିତ।
ସେ କେତେ ଅନାଦି ଆଶା-ମଶାଲରେ ତନୁ ଚହଟାଇ
ଘାସର ପହଡ଼ ପରେ ଫେଣା ଫେଣା ମଉଡ଼ ଫୁଟାଇ
ନିର୍ଜନ ରାସ୍ତାର ଛକେ ରକ୍ତାରୁଣ କୃଷ୍ଣଚୁଡ଼ା ଯେଉଁ
ହୁଏତ ସେ ହୃଦ କେତେ କରିଥିବ ମୃଦୁ ସଚକିତ
ତୁମ ଗାଁ ମନେହେଲା ସତେ ଅବା ଅତି ପରିଚିତ।
ପଶ୍ଚିମର ଅରଣ୍ୟରେ ସୂର୍ଯ୍ୟ ନୀଡ଼ ଖୋଜି ନେଲା ପରେ
ସେଠାକାର ଦିନକର ଅତି ସଜ ସଞ୍ଜର ଶରତେ
ଆକାଶର ସରୋବରେ ନୀଳକଇଁ କେତୋଟିକୁ ଚାହିଁ
ହଠାତ୍ ମୋ’ ମନେହେଲା, ତୁମ ଗାଆଁ ସତେ ଏକ ଭାସମାନ ତରୀ
ଅଥଚ ଯେଉଁଠୁ ଯାଏ, ସେଇଠାକୁ ଆସେ ପୁଣି ଫେରି।
ଧୂସର ବାଲିର ପଥେ ଚାଲୁ ଚାଲୁ ମନେ ମୋ’ ହୋଇଛି
ସେ କେତେ ବିଗତ ସତ୍ତା କଥା କହେ ପ୍ରତିଟି ଅଣୁରେ,
ଗୁଳ୍ମଲତା, ଇଟାମାଟି, ବିଗଳିତ ବାଦଲର ଦେହେ
ସେ କେତେ ବଂଶାନୁକ୍ରମ ଆବେଗର ହିଲ୍ଲୋଳ ଅଙ୍କିତ,
ପ୍ରଥମ ଦେଖାରେ ମୋର ମନେହେଲା କେତେ ପରିଚିତ।
ଗୋଲାପି ଉଷାରେ ଆଉ ହରିତକୀ ଗୋଧୂଳିର ତୀରେ
ଧୂସର କରବୀ ରଙ୍ଗୀ ଧୂଉ ଧୂଉ ଦିନ ଦି’ପହରେ
ତିନି ଗୋଟି ରାତ୍ରି ଆଉ ନୀଳ ନୀଳ ସଞ୍ଜର ଆସରେ,
ଅଣାୟତ୍ତେ ଇଡ଼ିଗଲା କେତେବେଳେ ମୁଠିଏ ମୁହୂର୍ତ୍ତ
ଅଥଚ ଆଜି ବି ସିଏ ମନେହୁଏ କେତେ ପରିଚିତ!
ଗତ ଅପ୍ରେଲ ୨୭ ତାରିଖରେ ମନୋଜ ଦାସଙ୍କ ପଣ୍ଡିଚେରୀଠାରେ ପରଲୋକ ହୋଇଯାଇଛି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ରଚିତ ଏହି କବିତାଟି ଆମ ପାଠକମାନଙ୍କ ପାଇଁ।
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ଦାମୋଦର ବେହେରା, ଗୋହିରିବାଡି, ଗଂଜାମ | ଜୁନ୍ ୨୧, ୨୦୨୧ - ୭:୨୭ ପୂର୍ବାହ୍ନ
ସୁନ୍ଦର ଲେଖା….