ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସେ ଅଞ୍ଚଳରେ ଘିନୁଆର ନାମ ବିଖ୍ୟାତ ଶିକାରୀ ହିସାବରେ ଜଣା ତା’ର ପ୍ରଥମ ଅସ୍ତ୍ର ନିଜର ହାତ ତିଆରି ଧନୁଶର ସେ ତୀର ମାରିଲା ବେଳେ ଚିତ୍ ହୋଇ ଶୋଇପଡ଼େ, ବାଁ ପାଦଟି ଧନୁରେ ଲଗାଇ ଦେଇ କାନ ପର୍ଯ୍ୟନ୍ତ ତୀରଟି ଟାଣି ନେଇ ଛାଡ଼ିଦିଏ ମାଇଲିଏ ଦୂରରୁ ତୀର ମାରି ସେ ଲାଖ ବିନ୍ଧିପାରେ ଏଇ ଧନୁଶର ସାହାଯ୍ୟରେ ସେ ହରିଣ, ସମ୍ବର, ବାରହା, ଭାଲୁ ମାରିଛି ଅଗଣନ; ଚତାବାଘ ବି ମାରିଛି ଅନେକ କିନ୍ତୁ ମହାବଳ ମାରିଛି ମୋଟେ ଦୁଇଟି ମହାବଳ ଦୁଇଟି ମାରି ସେ ଡେପୁଟି କମିଶନ୍ଙ୍କଠାରୁ ବେଶ୍ ପୁରସ୍କାର ପାଇଛି ମଧ୍ୟ
ସେଦିନ ଭୋରରୁ ସେ ଏକ ଅଦ୍ଭୁତ ଶିକାର ନେଇ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର ଗୋଟିଏ କାନ୍ଧରେ ତା’ର ଧନୁଟି ଝୁଲିଛି, ହାତରେ ଦି’ତିନିଟା ତୀର, ଆଉ କାନ୍ଧରେ ଟାଙ୍ଗିଆଟି ପଡ଼ିଛି ଘିନୁଆକୁ ଏ ବେଶରେ ଦେଖି ଅର୍ଦ୍ଦଳି ପଚାରିଲା- ‘କିରେ, ଆଜି କି ଶିକାର ଆଣିବୁ ?’
ଘିନୁଆ ସଙ୍ଗେ ତା’ର ଭଲ ଜଣାଶୁଣା ତା’ର ବକ୍ସିସର ଅଂଶୀଦାର ସେ କେତେଥର ହୋଇଛି ଉତ୍ତରରେ ଘିନୁଆ ତା’ ମଇଳା ଦାନ୍ତ ଦୁଇଧାଡ଼ି କେବଳ ଦେଖାଇଲା ସେ ହସିଲା କି ଖେଁକିଲା ଜାଣିବାର ଉପାୟ ନାହିଁ ପ୍ରକୃତରେ ହସ ବୋଲି ଯାହାକୁ କୁହାଯାଏ, ଘିନୁଆ ଠାରେ ତାହା କେହି କେବେ ଦେଖି ନାହିଁ ବେଳେବେଳେ ସେ ଏହିପରି ଦାନ୍ତ ଦେଖାଏ ତାହା ହସ ନୁହେଁ କି କାନ୍ଦ ନୁହେଁ- କେବଳ ଦାନ୍ତ ଦେଖା
ଅର୍ଦ୍ଦଳି ପଚାରିଲା, ‘କି ବେ, କି ଶିକାର ଆଣିଚୁ ?’
ଘିନୁଆ ତାହାର ଗାମୁଛାରେ ବନ୍ଧା ହୋଇଥିବା ଗୋଟିଏ ପଦାର୍ଥକୁ ଦେଖାଇ କହିଲା ଯେ ସେ ଆଜି ଏକ ମସ୍ତ ଜାନୁଆର ଶିକାର କରିଛି
ଅର୍ଦ୍ଦଳି ପଚାରିଲା, ‘ବାଘ’ ?
ଘିନୁଆ ମୁଣ୍ଡ ହଲାଇ ନାହିଁ ଜଣାଇଲା
‘ତେବେ କ’ଣ, ଚିତା… ଭାଲୁ…ବାର୍ହା.. ?’
ଘିନୁଆ କେବଳ ମୁଣ୍ଡ ହଲାଇଗଲା
‘ଆଉ ତେବେ କ’ଣ ବେ ?’
ଗୋଳମାଳ ଶୁଣି ସାହେବ ବଙ୍ଗଳା ଭିତରୁ ବାହାରି ଆସିଲେ ଘିନୁଆ ମୁଣ୍ଡିଆମାରି ସାହେବଙ୍କୁ ସେହିପରି ଦାନ୍ତ ଦେଖାଇଲା ସାହେବ ଶିକାରର ଚେହେରାକୁ ଦେଖିବାକୁ ଔତ୍ସୁକ୍ୟ ପ୍ରକାଶ କରିବାରୁ ଘିନୁଆ ଗାମୁଛା ଭିତରୁ ବାହାରକରି ସାହେବଙ୍କ ପାଦ ତଳେ ଥୋଇଲା ଗୋଟିଏ ସଜକଟା ମଣିଷ ମୁଣ୍ଡ ସାହେବ ଚମକି ପଡ଼ି ପାହୁଣ୍ଡେ ହୁଇ ପାହୁଣ୍ଡେ ପଛେଇଗଲେ ଘିନୁଆ ହାତ ବଢ଼ାଇ ମାଗିଲା, ‘ସାହେବ, ବକ୍ସିସ୍’ କିଛିକ୍ଷଣ ପରେ ମନକୁ ସମ୍ଭାଳିନେଇ ସାହେବ ଘିନୁଆକୁ ବକ୍ସିସ୍ ପାଇଁ ଅପେକ୍ଷା କରିବାକୁ ଇସାରା କଲେ ଏବଂ ଭିତରକୁ ଯାଇ ଫୋନ୍ ଦ୍ବାରା ସଶସ୍ତ୍ର ପୋଲିସ ଫୌଜ ଡକାଇଲେ ଏହା ବ୍ୟତୀତ ଘିନୁଆକୁ ଜବତ୍ କରିବାର ଉପାୟ ନାହିଁ ଦେହରେ ତା’ର ଗୋଟାଏ ଅସୁରର ବଳ ହାତରେ ପୁଣି ତା’ର ଧନୁଶର ଓ ଟାଙ୍ଗିଆ ରହିଛି
ଯେତେବେଳେ ହାତକଡ଼ି ଗୋଡ଼କଡ଼ି ପିନ୍ଧି ଘିନୁଅକୁ ହାଜତରେ ରହିବାକୁ ହେଲା, ସେ କିଛି ବୁଝିପାରିଲା ନାହିଁ ତାକୁ ଏପରି ଭାବରେ ଅଟକାଇ ରଖିବାର ମତଲବ କ’ଣ ? ସୁବିଧା ପାଇଲେ ସେ କାହାରି କହାରିକୁ ଏ ବିଷୟରେ ପଚାରେ କିଏ କହେ ତା’ର ଫାଶୀ ହେବ, କିଏ କହେ ସେ ଯିବ କଳାପାଣି କାହିଁକି ? ସେ ଏମିତି କି ଅପରାଧ କରିଛି କି ? କିଛି ବୁଝି ନପାରି ସେମାନଙ୍କ କଥାକୁ ସେ ବିଶ୍ବାସ କରିପାରିନାହିଁ ଶେଷରେ ଦିନେ ଡେପୁଟି କମିଶନର ପରିଦର୍ଶନ କରିବାକୁ ଆସିଥିଲେ ସେ ତାଙ୍କୁ ହିଁ ସବୁ ହାଲ୍ ପଚାରିଲା ସେ କହିଲେ ଯେ ପୂର୍ବରୁ ସେ ବାଘ, ଭାଲୁ ମାରୁଥିଲା ବୋଲି ସଙ୍ଗେ ସଙ୍ଗେ ବକ୍ସିସ୍ ପାଉଥିଲା ଏବେ ମାରିଛି ମଣିଷ ଏଥର କି ବକ୍ସିସ୍ ପାଇବ ତାହା ପାଞ୍ଚ, ଛ’ଜଣ ତ ଫେର ବୁଝିବିଚାରି ଠିକ୍ କରିବେ ଏହି କଥାଟା ହିଁ ଘିନୁଆ ମନକୁ ମାନିଲା
ଯେଉଁଦିନ ତା’ର ବିଚାର ହେଲା, ଘିନୁଆ ମନେ ମନେ ଭାବିଲା, ସେଦିନ ତାକୁ ବକ୍ସିସ୍ ମିଳିବ ସେ ଉତ୍ସାହିତ ହୋଇ ଜଜ୍ଙ୍କ ଆଗରେ ସବୁ ବିବରଣ କହିବାକୁ ଲାଗିଲା ସେ ଯେ ଗୋବିନ୍ଦ ସର୍ଦାରକୁ ହାଣିଲା, ସେଥିପାଇଁ ତାକୁ କମ୍ କଷ୍ଟ କରିବାକୁ ପଡ଼ିନାହିଁ ଆଉ ଅନେକ ଲୋକ ତାକୁ ମାରିବାକୁ ଛକିଥିଲେ, କିନ୍ତୁ କେହି ପାରିନଥିଲେ ଗୋବିନ୍ଦ ସରଦାର, ଯେ ସବୁବେଳେ ମଟରରେ ଯିବାଆସିବା କରେ ସେ ତା’ର ଧନ ସମ୍ପତ୍ତି କମେଇଛି ଅନ୍ୟ ସମସ୍ତଙ୍କୁ ଲୁଟିକରି ବଡ଼ ସଇତାନ ଲୋକ ଥିଲା ସେ କେତେ ଲୋକଙ୍କୁ ସେ ମାରିଛି, କେତେ ଲୋକଙ୍କୁ ଉଚ୍ଛନ୍ନ କରିଛି, କେତେ ସ୍ତ୍ରୀ ଲୋକଙ୍କର ଇଜ୍ଜତ ନେଇଛି, ତାହାର ଠିକଣା ନାହିଁ ଘିନୁଆର ସବୁ ଜମିବାଡ଼ି ମଧ୍ୟ ନେଇ ନିଜର କରିଛି ସେଦିନ ସନ୍ଧ୍ୟାରେ ଘିନୁଆର ସ୍ତ୍ରୀ ଉପରେ ଅତ୍ୟାଚାର କରିବାକୁ ବସିଥିଲା ଏତେବଡ଼ ବହପ ! ଘିନୁଆକୁ ଦେଖି ମଟରରେ ପଳାଉଥିଲା ତା’ ହାବୁଡ଼ରୁ ଖସି ଚାଲିଯିବ ! ତା’ର ମଟର ଚକକୁ ତୀର ମାରି ଘିନୁଆ ମଟରକୁ ଅଚଳ କରିଦେଲା ତା’ପରେ ଟାଙ୍ଗିଆରେ ତା’ର ମୁଣ୍ଡଟି କାଟିଦେଇ ସିଧା ଦୌଡ଼ିଲା, ରାତାରାତି ବଣ ଜଙ୍ଗଲ ଭିତରେ ଦେଇ ତିରିଶ ମାଇଲ୍ ରାସ୍ତା ଏକା ନିଶ୍ବାସକେ ଦୌଡ଼ି, ସେ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର ହେଲା
ଗୋବିନ୍ଦ ସର୍ଦାର ସାମାନ୍ୟ ଲୋକ ନୁହେଁ ହାତରେ ତା’ର ଥାଏ ସବୁବେଳେ ବନ୍ଧୁକ ବାଘ ଭାଲୁଙ୍କ ଅପେକ୍ଷା ଲୋକେ ତାକୁ ବେଶୀ ଭୟ କରନ୍ତି ବାଘ-ଭାଲୁଙ୍କ ଅପେକ୍ଷା ସେ ଲୋକଙ୍କର କ୍ଷତିକରେ ଢେର ବେଶୀ ତାକୁ ମାରିବା ପାଇଁ ଘିନୁଆ କମ୍ ସାହସ ଓ ବିଚକ୍ଷଣତା ଖର୍ଚ୍ଚ କରିନାହିଁ କିଛି ବର୍ଷ ତଳେ ମେଳିଆ ଝପଟ ସିଂର ମୁଣ୍ଡ କାଟିଥିବାରୁ ସାହେବ ଡୋରାକୁ ପାଁଶ ଟଙ୍କା ବକ୍ସିସ୍ ଦେଇଥିଲା ଝପଟ ସିଂ ତ ଏକରକମର ଭଲ ଲୋକ ଥିଲା ସେ ସ୍ତ୍ରୀଲୋକଙ୍କ ଇଜ୍ଜତ ନେଇ ନାହିଁ କି କାହାରି ଜମିବାଡ଼ି ଦଖଲ କରି ନାହିଁ ସେ କେବଳ ଖଜଣାଖାନା ଲୁଟି କରିଥିଲା, ଆଉ କେତେଜଣ ସିପାହିଙ୍କୁ ମାରିଥିଲା ଗୋବିନ୍ଦ ସର୍ଦାର କିନ୍ତୁ ବଡ଼ ଭୟଙ୍କର ଲୋକ ତାକୁ ମାରିଥିବାରୁ ଘିନୁଆକୁ ଅଧିକ ବକ୍ସିସ୍ ମିଳିବା ଉଚିତ୍
ଘିନୁଆର ଗଳ୍ପ ଶୁଣି ସମସ୍ତେ ହୋ ହୋ ହୋଇ ହସି ଉଠିଲେ ଜଜ୍ ସାହେବ ହସି ହସି କହିଲେ, ‘ହଁ ଉପଯୁକ୍ତ ବକ୍ସିସ୍ ଦିଆଯିବ’ ସରକାରୀ ଓକିଲ କହିଲେ, ‘ତତେ ଏଠାକୁ ଖାସ୍ ଅଣାଯାଇଛି ବକ୍ସିସ୍ ଦିଆଯିବା ଲାଗି’
ଘିନୁଆ ଏହାକୁ ପରିହାସ ନମଣି ସତ ବୋଲି ମନେକଲା କାରଣ ହସ କୌତୁକ, ଥଟ୍ଟା ପରିହାସ ସେ ଜାଣେନାହିଁ ତା’ର ଯେ ନିତାନ୍ତ ନିପଟ ରସଶୂନ୍ୟ ପ୍ରକୃତି ଶେଷରେ ରାୟ ଦିଆଗଲା – ପ୍ରାଣଦଣ୍ଡ ଘିନୁଆ ଏହାର କୌଣସି ଅର୍ଥ ବୁଝିଲା ନାହିଁ ପୁଣି ଜେଲ୍କୁ ଫେରାଇ ତାକୁ ବୁଝାଇ ଦିଆଗଲା ଯେ, ତା’ର ବକ୍ସିସ୍ ପାଇବାର ଦିନ ଆସୁଛି
ଘିନୁଆ ସେ ପର୍ଯ୍ୟନ୍ତ ବୁଝିଲାନାହିଁ ଯେ ସେ ଜଣେ ଅପରାଧୀ ଓ ସେଥିଲାଗି ତାକୁ ପ୍ରାଣଦଣ୍ଡ ଆଦେଶ ହୋଇଛି ଝପଟ ସିଂକୁ ମାରିବା ଓ ଗୋବିନ୍ଦ ସର୍ଦାରଙ୍କୁ ମାରିବା ଯେ ଏକାକଥା ନୁହେଁ, ତାହା ସେ ବୁଝିବ କାହୁଁ ? ସେ ଜାଣିଲା ନାହିଁ ଯେ ଗୋଟିଏ ଗୌରବର ବିଷୟ, ଅନ୍ୟଟି ଦୋଷାବହ ! ଆଇନର ସୂକ୍ଷ୍ମ ଜାଲ ଭିତରେ ପଶିବାକୁ ତା’ର ମୁଣ୍ଡ ନାହିଁ ସେ ଯେ ବଣୁଆ ସାନ୍ତାଳ !
ସେ ମନେ ମନେ ଭାବେ, ଡୋରା ପାଁଶ ଟଙ୍କା ପାଇଛି ଝପଟ ସିଂକୁ ମାରି ସେଥିରୁ ବେଶି ନଦେଲେ କାହିଁକି ନେବ ? ସବୁ ଫେରାଇଦେଇ କହିବ, ‘କିଛି ନ ଦିଅ ପଛେ ସାହେବ, ଡୋରା ଠାରୁ ବେଶୀ ପାଇବାର ମୋର ହକ୍’ ଜେଲ୍ରେ ଅନ୍ଧାରିଆ ନିର୍ଜନ ଗୁମ୍ଫାରେ ରହି ସେ କେତେ କ’ଣ ଭାବେ କଥାବାର୍ତ୍ତା କରିବାକୁ ସେ କାହାରିକି ଦେଖେ ନାହିଁ କଥାବାର୍ତ୍ତା କରିବାକୁ ବି ତା’ର ଆଗ୍ରହ ନଥାଏ କେବଳ ବକ୍ସିସ୍ ପାଇ ଘରକୁ ଫେରିବାକୁ ତା’ର ମନ ଛଟପଟ ହେଉଥାଏ
ଶେଷରେ ତା’ର ଫାଶୀର ଦିନ ଆସିଲା ତାକୁ ପଚରାଗଲା, ତା’ର ଶେଷରେ କ’ଣ ଦରକାର ସେ କହିଲୋ, ‘ମୋର ବକ୍ସିସ୍’ ‘ଆଚ୍ଛା, ବକ୍ସିସ୍ ପାଇବୁ ଆ’ କହି ତାକୁ ନେଇଗଲେ ମୁଣ୍ଡରେ ତା’ର ଗୋଟିଏ କଳାକନାର ଖୋଳ ପିନ୍ଧାଇ ଦିଆଗଲା ଘିନୁଆ ମନେ ମନେ ବିଚାରିଲା – ଆଖିରେ ଅନ୍ଧ ପୋଟଳି ଦେଇ ହାତରେ ତା’ର ସୁନାରୂପା ଢାଳି ଦିଆଯିବ ସରକାର ଘରର କେତେ ଫନ୍ଦିଫିକର, କାଇଦା କଟକଣା ଅଛି, ଖାଲି ସିମିତି କ’ଣ ବକ୍ସିସ୍ ଦିଆଯିବ ? ସେ ଘରକୁ ଫେରି ସବୁ ଦେଖାଇବ କି ଖୁସି ହେବ ସ୍ତ୍ରୀ ତା’ର ସେ ସବୁ ଦେଖି ! ଭଲ ଘରଦ୍ବାର କରି, ଜମିବାଡ଼ି ଚଷି ସେ ସୁଖରେ ରହିବ ଆଉ ତ ଗୋବିନ୍ଦ ସର୍ଦାର ନାହିଁ ଯେ ସବୁ ଲୁଟିକରି ନେବ
ହଠାତ୍ କ’ଣ ଗୋଟିଏ ଆସି ତା’ ବେକରେ ବାଜିଲା
ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?
୧. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା | ଅକ୍ଟୋବର୍ ୨୭, ୨୦୧୧ - ୬:୧୬ ପୂର୍ବାହ୍ନ
ଅତି ସୁନ୍ଦର , ଧନ୍ୟବାଦ
୨. ତନ୍ମୟ ମିଶ୍ର | ଅକ୍ଟୋବର୍ ୨୮, ୨୦୧୧ - ୮:୪୦ ପୂର୍ବାହ୍ନ
ବହୁତ ଦିନ ତଳେ ସ୍କୁଲ୍ ରେ ପଢିଥିଲି, ଆଉଥରେ ପଢିବାର ଅଦମ୍ୟ ଇଚ୍ଛା ଥିଲା, ବହୁତ ଧନ୍ୟବାଦ ଘିନୁଆର ସରଳ ନିସ୍କପଟ ପ୍ରାଣ କଣ ଜାଣିଥିଲା ବକ୍ସିସ୍ ବଦଳରେ ତାକୁ ପ୍ରାଣଦଣ୍ଡ ମିଲିବ ବୋଲି?
୩. ସୁରେନ୍ଦ୍ର କୁମର ମିସ୍ର | ଅକ୍ଟୋବର୍ ୨୯, ୨୦୧୧ - ୭:୧୧ ପୂର୍ବାହ୍ନ
ଅତି ସୁନ୍ଦର
୪. ଆନାରଂଜନ | ଅକ୍ଟୋବର୍ ୩୦, ୨୦୧୧ - ୨:୧୬ ପୂର୍ବାହ୍ନ
ଧନ୍ୟବାଦ
୫. ଆନାରଂଜନ ବେହେରା କଳକଳା ଯାଜପୁର | ଅକ୍ଟୋବର୍ ୩୦, ୨୦୧୧ - ୨:୨୪ ପୂର୍ବାହ୍ନ
ଧନ୍ୟବାଦ, ବହୁତ ଭଲ ହୋଇଥିଲା ଗଳ୍ପଟି, ଆଗକୁ ଏହିଭଳି ଗଳ୍ପ ଗୁଡିକୁ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ,ନମ୍ସ୍କାର ।
୬. ସୁରେନ୍ଦ୍ର କୁମର ମିସ୍ର | ନଭେମ୍ବର୍ ୧, ୨୦୧୧ - ୩:୧୫ ପୂର୍ବାହ୍ନ
ପ୍ରଣାମ୍ ନେବେ,
୭. ରଶ୍ମି ରଞ୍ଜନ | ନଭେମ୍ବର୍ ୧, ୨୦୧୧ - ୧:୨୭ ଅପରାହ୍ନ
ଏହି ଗଳ୍ପକୁ ଆଧାର କରି ମୃଣାଲ ସେନ୍ ପ୍ରସ୍ତୁତ କରିଥିଲେ ମିଥୁନ୍ ଚକ୍ରବର୍ତ୍ତୀଙ୍କର ପ୍ରଥମ ଚଳଚ୍ଚିତ୍ର “ମୃଗୟା”, ତାକୁ ଦେଖିଥିଲି ଆଜି ପ୍ରଥମ୍ ଥର ପଢିଲି ଏଇ ଗଳ୍ପ
ଧନ୍ୟବାଦ
୮. ପ୍ରତାପ ଚନ୍ଦ୍ର ଭଞ୍ଜ, ଖୋରଧା | ନଭେମ୍ବର୍ ୩, ୨୦୧୧ - ୭:୪୯ ପୂର୍ବାହ୍ନ
ଓଡିଆ ସାହିତ୍ୟର ଏ ଗଳ୍ପଟି ଗୋଟେ ମାଇଲ୍ ଖୁଣ୍ଟ ଧନ୍ୟବାଦ୍ ଏଇଟିକୁ ପୁଣି ପରସି ଥିବାରୁ ତେବେ ଲେଖକଙ୍କର ଫଟୋଟେ ଦେଇଥିଲେ ଖୁବ୍ ଭଲ ହେଇଥାଆନ୍ତା ତା ସହିତ ଗଳ୍ପର ରଚନାକାଳ, ଏବଂ ଅନ୍ୟାନ୍ୟ ବିବରଣୀ ଥିଲେ ଆହୁରି ଭଲ ହେଇଥାଆନ୍ତା
୯. ମହେଶ ପ୍ରସାଦ ଦାଶ | ନଭେମ୍ବର୍ ୧୭, ୨୦୧୧ - ୪:୨୬ ପୂର୍ବାହ୍ନ
ମନେହୁଏ ଗଳ୍ପଟି ଅଗରୁ ପଢିଲା ପରି କିନ୍ତୁ କେଉଁଠି ମନେ ପଡୁ ନାହିଁ ଅତ୍ୟନ୍ତ ମର୍ମସ୍ପଶୀ କହାଣୀ ଟିଏ ଅନେକ ସାଧୁବାଦ୍ ଅନେକ ବର୍ଷ ବାହାରେ ରହି ନିଜ ଭାଷା ରେ ପଢି ପରିବା ଏବଂ କମ୍ପୁଟର୍ ରେ ଲେଖି ପାରୁ ଥିବାରୁ ବହୁତ୍ ଖୁସି ଲଗିଲା
୧୦. Mr. Santosh Kumar Panda(M.Pharm) | ମାର୍ଚ୍ଚ୍ ୬, ୨୦୧୨ - ୫:୨୭ ପୂର୍ବାହ୍ନ
emiti kalatita kalajayi lekhani odia sahitya ra prustha ku sashakta karichhi