ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
କୋଟି ଲାବଣ୍ୟନିଧି ରେ ପଦ୍ମ ତୁହି,
କି ଅମୃତେ ତୋ ତନୁ ଗଢ଼ିଲା ବିହି?
ତୋ ରୂପ-ଦରଶନେ ମୋର ହୃଦୟ
ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ୧
ଢଳ ଢଳ ସୁନୀଳ ସରସୀ ଜଳ,
ଢଳ ଢଳ ଶ୍ୟାମଳ ନଳିନୀ ଦଳ,
ଢଳ ଢଳ ଭାସ୍କର ରଶ୍ମି ଉଜ୍ଜ୍ବଳ,
ତା ମଧ୍ୟେ ଢଳ ଢଳ ତୁହି କମଳ୨
ହସ ହସ ବଦନେ ହରଷଭରେ
ଅନାଇ ରହିଅଛି ତୁ ଦିବାକରେ
ତୋ ମୁଖେ ଜ୍ୟୋତିଧାରା ସେ ଦିବାକର
ଢାଳଇ ଅବିରଳ ଆରେ ପୁଷ୍କର ୩
ପିଉ ତୁ କି ଆନନ୍ଦେ ପୀୟୂଷ ସରି
ସେ ଶୁଭ୍ର ଜ୍ୟୋତିଧାରା ଭକତି କରି
ଆହା କି ଦିବ୍ୟଶିରୀ ତହୁଁ ତୁ ଲଭୁ,
ଧନ୍ୟ ଉତ୍ପଳ, ଧନ୍ୟ ତୋହରି ପ୍ରଭୁ୪
ମକରନ୍ଦ- ଅମୃତ ହୃଦେ ତୋହର,
ତହୁଁ ସ୍ଫୁରଇ ବାସ କି ମନୋହର!
ସେ ମଧୁପାନେ ମତ୍ତ ମଧୁପଦଳ,
ସେ ସୌରଭେ ପରାଣ କେଡେ ଶୀତଳ ୫
ଶ୍ବେତ ଲୋହିତେ ରଙ୍ଗା ତୋ ଶୁଭ୍ର ତନୁ,
ବାରେ ଦେଖିଲେ କେଭେ ନ ଯିବ ମନୁ
ସର୍ବ ଶୋଭାର ତୁହି ଉପମାସ୍ଥଳ,
ଭକତ ପ୍ରେମିକର ତୁହି ସମ୍ବଳ୬
ସ୍ନେହ କରୁଣା ଭକ୍ତି ପବିତ୍ର ରସ
ପୂରିଛି ତୋ ଅନ୍ତର, ରେ ତାମରସ
ନୋହିଲେ କାହୁଁ ତୋର ଦର୍ଶନେ ମନ
ବିମଳ ପ୍ରେମରସେ ହୁଏ ମଗନ ୭
ମଧୁମୟ ପବିତ୍ର ଯାହା ବିଶ୍ବରେ,
ତୋ ନାମ ସଙ୍ଗେ ମିଶା ବିଧାତା ବରେ
ପ୍ରିୟ ମୁଖ ନୟନ କର ଚରଣ
ତୋ ନାମ ସଙ୍ଗେ ସିନା ସୁଖ କାରଣ ୮
ସତ୍ୟ ଶିବ ସୁନ୍ଦର ପରମେଶ୍ବର-
ନାମ ସଙ୍ଗତେ ଲଗ୍ନ ନାମ ତୋହର
ତେଣୁ ରେ ଅରବିନ୍ଦ ଭକ୍ତଜନର
ବିଭୁ ପଦାରବିନ୍ଦ ସୁମନୋହର୯
ସର୍ବ ଶୋଭାର ପଦ୍ମ ରେ ପଦ୍ମ, ତୋର
ସଙ୍ଗେ ନିଗୂଢ଼ ଯୋଗ ଅଛଇ ମୋର
ଜୀବନ ମରଣରେ ତୋ ସଙ୍ଗେ ମିଶି
ଥାଉ ମୋ ମନ-ପଦ୍ମ ଦିବସ ନିଶି୧୦
କଳୁଷ ପଙ୍କେ ମୁହିଁ କେଡେ ମଳିନ!
କେମନ୍ତେ ସରି ତୋର ହେବି ନଳିନ
ପଙ୍କଜ ଅଟୁ ତୁହି, ତେଣୁ ଭରସା
ତା ପରି ଶୁଭ୍ର ହେବି ଲଭି ସୁଦଶା୧୧
ଅନନ୍ତ ମହେଶ୍ବର ମୋ ପ୍ରାଣସାଇଁ
ବୋଲି ରାଜୀବ, ସଦା ଥିବି ଅନାଇଁ
ଶିଖାଅ ମୋତେ ସଦା ଏ ପୁଣ୍ୟ ବ୍ରତ,
ତୋର ଆଶିଷେ ପୂରୁ ମୋ ମନୋରଥ୧୨
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. Rasmi Ranjan Parida | ସେପ୍ଟେମ୍ବର୍ ୨୩, ୨୦୧୧ - ୯:୦୨ ପୂର୍ବାହ୍ନ
Englishre gotie prover achhi “OLD IS GOLD”
Emiti kabitaa Aaji jadi kie lekhe tebe aadhunika Samaalochaka taanku grahan karibeni
୨. Rasmi Ranjan Parida | ସେପ୍ଟେମ୍ବର୍ ୨୩, ୨୦୧୧ - ୯:୧୧ ପୂର୍ବାହ୍ନ
ଏହା ଗୋଟିଏ ଅତି ସୁନ୍ଦର କବିତା ମୋର ଅନୁରୋଧ ଭକ୍ତ କବିଙ୍କର “ରେ ଆତ୍ମନ୍” କବିତା କୁ ମଧ୍ୟ ଆପନଙ୍କ ଓଏବ୍ ସାଇଟଅରେ ସ୍ଥାନ ଦିଅନ୍ତୁ
୩. ଦୋଳଗୋବିନ୍ଦ ପଣ୍ଡା | ଅକ୍ଟୋବର୍ ୨୨, ୨୦୧୧ - ୨:୧୧ ଅପରାହ୍ନ
ଭକ୍ତକବିଙ୍କ ‘ପଦ୍ମ’ କବିତାର ଚତୁର୍ଥ ପଂକ୍ତି ପଢ଼ିଲି
ଏଥିରେ ଥିବା ‘ପୀୟୁଷ’ ଶବ୍ଦଟିର ବନାନ ‘ପୀୟୂଷ’ ହେବ ଓ
‘ଧନ୍ୟ ଉତ୍କଳ’ ସ୍ଥାନରେ ‘ଧନ୍ୟ ଉତ୍ପଳ’ ହେବ ‘ଉତ୍କଳ’ ଅର୍ଥ ଓଡ଼ିଶା ଏବଂ ‘ଉତ୍ପଳ’ ଅର୍ଥ ପଦ୍ମ ଏହି ଭୁଲ୍ଟିର ସଂଶୋଧନ ହେବା ନିହାତି ଦରକାର ତେବେ ଏପରି ଉଚ୍ଚକୋଟୀର କବିତା ସ୍ଥାନ ଦେଇଥିବାରୁ ଅାପଣ ଧନ୍ୟବାଦ
୪. muralidhar kabi | ନଭେମ୍ବର୍ ୧୧, ୨୦୧୧ - ୧୧:୪୭ ପୂର୍ବାହ୍ନ
Emiti puruna kabita ra jadi prachar prasar jarirahe ta hele jati banchiba bhasa samrudha heba
SAGARBE KUHANTU ame ODIA
୫. ସ୍ମିତା ମହାନ୍ତ, ଭୁବନେଶ୍ବର | ଜୁନ୍ ୭, ୨୦୧୮ - ୧୦:୨୪ ଅପରାହ୍ନ
ବହୁତ ସୁନ୍ଦର କବତା, ହୃଦୟସ୍ପର୍ଶୀ, ମୋର ପ୍ରିୟ କବିତା